ଭୁବନେଶ୍ୱର: ସାମ୍ପ୍ରତିକ ଭୂରାଜନୈତିକ ଘଟଣାକ୍ରମ ବିଶ୍ୱ ଇନ୍ଧନ ବଜାରକୁ ପ୍ରଭାବିତ କରିବା ସତ୍ତ୍ୱେ ଭାରତର ଏଲପିଜି ଯୋଗାଣ ସ୍ଥିର ରହିଛି ଏବଂ ଘରୋଇ ଏଲପିଜି ଉପଭୋକ୍ତାମାନଙ୍କୁ ସ୍ୱାଭାବିକ ଗ୍ୟାସ ବିତରଣ କରିବା ଲାଗି ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି। ଘରୋଇ ଏଲପିଜିକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି।
ଓଡ଼ିଶାରେ ବାଧାମୁକ୍ତ ଘରୋଇ ଏଲପିଜି ଯୋଗାଣକୁ ବଜାୟ ରଖିବା ଲାଗି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲଗାତାର ପଦକ୍ଷେପ ନେଉଛି। ଦୈନିକ ପାଖାପାଖି ୪୫ ହଜାର ସିଲିଣ୍ଡର ବିତରଣ କରାଯାଉଛି। ଏହା ସଂକଟ ପୂର୍ବ ଅବଧିରେ ହେଉଥିବା ସ୍ୱାଭାବିକ ବିତରଣ ସହ ପ୍ରାୟ ସମାନ।
ସିଲିଣ୍ଡର ରିଫିଲ୍ ବୁକିଂ ଲାଗି ଉପଭୋକ୍ତାମାନଙ୍କୁ ଏସଏମଏସ ଓ ଆଇଭିଆରଏସ ଭଳି ଡିଜିଟାଲ ପଦ୍ଧତି ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି। ବର୍ତ୍ତମାନ ପାଖାପାଖି ୮୬% ବୁକିଂ ଡିଜିଟାଲ ମାଧ୍ୟମରେ ହସ୍ତଗତ ହେଉଛି। ସିଲିଣ୍ଡରଗୁଡ଼ିକ ଡେଲିଭରି ପ୍ରମାଣୀକରଣ କୋଡ ବା ଡିଏସି ଓଟିପି ଆଧାରରେ କରାଯାଉଛି ଯାହାଫଳରେ ଅସଲି ଉପଭୋକ୍ତାଙ୍କ ନିକଟରେ ସିଲିଣ୍ଡର ପହଞ୍ଚି ପାରିବ।
ବର୍ତ୍ତମାନର ସଂକଟକୁ ନେଇ ସାମାଜିକ ଗଣମାଧ୍ୟମରେ କିଛି ଅଭିଯୋଗ ଆସିଛି ଏବଂ ପ୍ରକୃତ ସମସ୍ୟାର ସମାଧାନ ଲାଗି ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି। ଉପଭୋକ୍ତାଙ୍କ ଲାଭ ପାଇଁ ପ୍ରାସଙ୍ଗିକ ଏବଂ ସଦ୍ୟତମ ସୂଚନା ବିଭିନ୍ନ ସମୟରେ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲଗୁଡ଼ିକରେ ଶେୟାର କରାଯାଉଛି।
ଏହା ସହିତ, କିଛି ଏଲପିଜି ବିତରକ ଅନିୟମିତତା କରୁଥିବାର ଅଭିଯୋଗ ସୋସିଆଲ ମିଡିଆ ମାଧ୍ୟମରେ ଏବଂ ଗ୍ରାହକଙ୍କ ଅଭିଯୋଗକ୍ରମେ ହସ୍ତଗତ ହୋଇଛି। କଳାବଜାର ଏବଂ ବେଆଇନ ମହଜୁଦକୁ ରୋକିବା ପାଇଁ ଏକାଧିକ ପ୍ରବର୍ତ୍ତନ ଦଳ ଗଠନ କରାଯାଇଛି ଯେଉଁମାନେ ସାରା ଓଡିଶାରେ ଏଲପିଜି ବିତରକମାନଙ୍କ ଠିକଣାରେ ଅଚାନକ ଯାଞ୍ଚ କରୁଛନ୍ତି। ଅନିୟମିତତା କରୁଥିବା ଏଲପିଜି ବିତରକଙ୍କ ବିରୁଦ୍ଧରେ ମଧ୍ୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ଏତଦ୍ ବ୍ୟତୀତ, ଏଲପିଜି ବିତରକମାନଙ୍କର ବିଭିନ୍ନ କାର୍ଯ୍ୟଦକ୍ଷତା ପାରାମିଟରଗୁଡ଼ିକର ତଥ୍ୟ ବିଶ୍ଳେଷଣ କରାଯାଉଛି ଏହାକୁ ଆଧାର କରି ବିତରକମାନଙ୍କ ଠିକଣାରେ ଅଚାନକ ଯାଞ୍ଚ ମଧ୍ୟ କରାଯାଉଛି।
ଯେକୌଣସି ଅନିୟମିତତାକୁ ନିୟନ୍ତ୍ରଣ କରିବା ଏବଂ ବେଆଇନ ମହଜୁଦକୁ ରୋକିବା ପାଇଁ ଇଣ୍ଡିଆନ ଅଏଲ ଓଡ଼ିଶା ସରକାରଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି। ରାଜ୍ୟବ୍ୟାପୀ ଅନେକ ଚଢାଉ କରାଯାଇଛି।
ଆତଙ୍କିତ ବୁକିଂ କିମ୍ବା ଅଯଥାରେ ଗଚ୍ଛିତ କରିବା, ଗୁଜବକୁ ବିଶ୍ୱାସ ନ କରିବା ତଥା କେବଳ ସରକାରୀ ସୂଚନା ଉତ୍ସକୁ ଅନୁସରଣ କରିବାକୁ ଉପଭୋକ୍ତାମାନଙ୍କୁ ଅନୁରୋଧ କରାଯାଉଛି।


