ସମୀକ୍ଷା ବ୍ୟୁରୋ
ମୋଦୀ ଆସୁଛନ୍ତି ର ସ୍ଲୋଗାନ ମୋଦୀଙ୍କ ଥଣ୍ଡା ଭାଷଣରେ ସମାପ୍ତ ହୋଇଛି। ୨୪ ଡିସେମ୍ବର ଦିନ ଗୋଟାଏ ବେଳେ ମୋଦୀ ଭୁବନେଶ୍ବରରେ ପହଞ୍ଚି ଦୁଇଟି ସଭାରେ ଉଦବୋଧନ ଦେଲେ। ପ୍ରଥମଟି ଭୁବନେଶ୍ୱର ଆଇଆଇଟି ରେ ସରକାରୀ କାର୍ୟକ୍ରମ ଓ ଦ୍ଵିତୀୟ ଟି ଖୁର୍ଦ୍ଧା ବରୁଣେଇ ଠାରେ ଦଳୀୟ ସଭା। ପ୍ରଥମ ସଭାରେ ପ୍ରଧାନମନ୍ତ୍ରୀ କେବଳ ଘୋଷାପାଠ କିଛି ପଢିଲେ। ତିନିଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମହେଶ ଶର୍ମା ଯାହା କହିଥିଲେ, ମୋଦୀ ତାର ପୁନରାବୃତ୍ତି କଲେ। ୧୪,୫୦୦ କୋଟି ଟଙ୍କାର ଯେଉଁ ପ୍ରକଳ୍ପ ସବୁ ବିଷୟରେ ସେ କହିଲେ ସେ ଗୁଡିକ ସେମିତି କିଛି ଲୋକଙ୍କ ଜୀବନ ଜୀବିକା ସହ ଜଡିତ ନୁହନ୍ତି। ତେଣୁ ତାକୁ ନେଇ ଉତ୍ସାହ ନଆସିବା ସ୍ଵାଭାବିକ। ତେବେ ଆଇଆଇଟି ସଭାରେ ମୋଦୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରେ ବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାର୍ତ୍ତାଳାପ ଦେଖିବାକୁ ମିଳିଥିଲା। ଉଭୟ ନେତା ପରସ୍ପର ସହ ବେଶ ସହଜ ଭାବରେ କଥାବାର୍ତ୍ତା କରିଥିଲେ।
ଖୁର୍ଦ୍ଧା ସଭାରେ ପ୍ରଧାନମନ୍ତ୍ରୀ ଆଇଆଇଟି ସଭାରେ କହିଥିବା କଥା ଗୁଡିକର ପୁନରାବୃତ୍ତି କରିଥିଲେ। ତା ସହିତ ପରୋକ୍ଷରେ ରାଜ୍ୟ ସରକାରଙ୍କୁ କିଛିଟା ସମାଲୋଚନା ମଧ୍ୟ କରିଥିଲେ। ସ୍ବଚ୍ଛ ଭାରତ ଅଭିଯାନରେ ଓଡିଶା ପଛୁଆ ରହିଛି ଓ ଆୟୁଷ୍ମାନ ଯୋଜନାରେ ଓଡିଶା ସାମିଲ ହେଉନି ବୋଲି ମୋଦୀ କହିଥିଲେ। ସବୁଠୁ ଆଶ୍ଚର୍ୟର କଥା ହେଉଛି ଚିଟ ଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ମୋଦୀଙ୍କ ବକ୍ତବ୍ୟ। ଗତ ୬ ବର୍ଷ ଧରି ସିବିଆଇ ଚିଟ ଫଣ୍ଡ ଦୁର୍ନୀଟି ର ତଦନ୍ତ କରୁଥିଲେ ହେଁ ଏହାର ଗତି ସ୍ଥିର ରହିଛି। ମୋଦୀ ନିଜର ପ୍ରିୟ ଯୋଜନା ଯଥା- ଜନଧନ, ମୁଦ୍ରା ଋଣ, ବିମୁଦ୍ରାକରଣ ଇତ୍ୟାଦି ବିଷୟରେ ଧାଡିଟିଏ ମଧ୍ୟ କହିନଥିଲେ।
ପ୍ରଧାନମନ୍ତ୍ରୀ ଓଡିଶା ସରକାରଙ୍କୁ କରିଥିବା ସମାଲୋଚନାରେ କୌଣସି ଧାର ନଥିଲା। ପ୍ରଥମଥର ଲାଗି ସେ ନିଜ ଭାଷଣରେ କଂଗ୍ରେସକୁ ସମାଲୋଚନା କରିନଥିଲେ। କେବଳ ସତୁରୀ ବର୍ଷର ଶାସନ କଥା କହି ସେ ନିଜର ପ୍ରକଳ୍ପ ପ୍ରସଙ୍ଗ ଉଠାଇଥିଲେ। ବରୁଣେଇ ସଭାରେ ଅପରାଜିତା ଷଡଙ୍ଗୀଙ୍କୁ ଏକ ପ୍ରମୁଖ ଭୂମିକା ମିଳିବ ବୋଲି ଯାହା କଳ୍ପନା ଜଳ୍ପନା ଚାଲିଥିଲା, ତାର ଅନ୍ତ ଘଟିଛି। ମଞ୍ଚରେ ମାତ୍ରକେଇ ସେକେଣ୍ଡ ଲାଗି ଅପରାଜିତା ଅନ୍ୟ ନେତାଙ୍କ ସହ ଆସି ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ କରି ଫେରି ଯାଇଥିଲେ। ବରଂ ପୁରୁଣା ନେତା ପ୍ରତାପ ଷଡଙ୍ଗୀ ଙ୍କ ସହିତ ମୋଦୀ ବେଶ ଅନ୍ତରଙ୍ଗତାର ସହ ମିଶିଥିଲେ।
ଏଥର ମୋଦୀଙ୍କ ଗସ୍ତ ସମୟରେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଭିତରୁ ଜୁଏଲଙ୍କୁ ଟିକେ ଅଧିକ ଗୁରୁତ୍ଵ ମିଳିଥିଲା। ବିମାନରୁ ଓହ୍ଲାଇବା ପରେ ମୋଦୀ ଜୁଏଲଙ୍କ ସହ ବେଶ ଭଲ ଭାବରେ କଥାବାର୍ତ୍ତା କରିଥିବା ବେଳେ ଧର୍ମେନ୍ଦ୍ରଙ୍କୁ ଏକପ୍ରକାର ଅଣଦେଖା କରିଥିଲେ। ଆଇଆଇଟି ସଭାରେ ଧର୍ମେନ୍ଦ୍ର ସ୍ଵାଗତ ଭାଷଣ ଦେଇଥିବା ବେଳେ ଦଳୀୟ ସଭାରେ ଜୁଏଲଙ୍କୁ ସେ ସୁଯୋଗ ମିଳିଥିଲା। ମୋଦୀ ତାଙ୍କ ଭାଷଣ ର ଆରମ୍ଭରେ ଓଡିଆ କହିବା ଆରମ୍ଭ କରିଥିବା ବେଳେ ତାଙ୍କୁ ଆମନ୍ତ୍ରଣ କରୁଥିବା ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡାଙ୍କ ହିନ୍ଦୀ ଭାଷଣ ଲୋକଙ୍କୁ ଚକିତ କରିଥିଲା।
ମୋଟାମୋଟି କହିବାକୁ ଗଲେ ମୋଦୀଙ୍କ ଭାଷଣ ଏତେ ଥଣ୍ଡା ଓ ନିରୁତ୍ସାହଜନକ ଥିଲା ଯେ ତାକୁ ନେଇ ବିଜେପିର ଆକ୍ରାମକ ଅଭିଯାନ ବେଶୀ ଦୂର ଆଗେଇ ପାରିବ ନାହିଁ। ପାଞ୍ଚଟି ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ମୋଦୀଙ୍କୁ ଥଣ୍ଡା କରିଦେଇଛି। ଆବଶ୍ୟକ ପଡିଲେ ବିଜୁ ଜନତା ଦଳର ସମର୍ଥନ ୨୦୧୯ ନିର୍ବାଚନରେ ବିଜେପି ଲାଗି ସଞ୍ଜୀବନୀ ହେବାର ସମ୍ଭାବନା ରହିଛି। ସେହି ଆଶାରେ ମୋଦୀ ହୁଏତ ନିଜର ଆକ୍ରାମକ ଶୈଳୀ କୁ କିଛି ଟା ଶିଥିଳ କରିଥାଇ ପାରନ୍ତି।