କେଦାର ମିଶ୍ର
ମୁମ୍ବାଇ ର ପିଟିଆଇ ପ୍ରତିନିଧି ଆୟେଶା ଅରବିନ୍ଦ ୨୮, ଅଗଷ୍ଟ ଦିନ ୪ ଟା ବେଳେ ଗୋଟେ ଟୁଇଟ କରି ଜଣାଇଲେ ଯେ, ମୁମ୍ବାଇ ହାଇ କୋର୍ଟରେ ଭୀମା କୋରେଗାଓଁ ମାମଲାରେ ଗିରଫ ହୋଇଥିବା ଭର୍ଣ୍ଣନ ଗନସାଲଭିସ, ସୁଧା ଭାରଦ୍ଵାଜ ପ୍ରମୁଖଙ୍କୁ ଜାମିନ ଦେବା ପାଇଁ ଶୁଣାଣି ଚାଲିଥିବା ବେଳେ ସରକାରୀ ପକ୍ଷର ଓକିଲ କହିଲେ, ଭର୍ଣ୍ଣନ ଗନ୍ସାଲଭିସଙ୍କ ଘରୁ ଲିଓ ଟଲଷ୍ଟୟଙ୍କ ପୁସ୍ତକ “ୱାର ଆଣ୍ଡ ପିସ” ଓ “ମାର୍କସିଷ୍ଟ ଆର୍କାଇଭ” ମିଳିଛି। ଏକଥା ଶୁଣିଲା କ୍ଷଣି ମାନ୍ୟବର ହାଇକୋର୍ଟ ବିଚାରପତି ପଚାରିଲେ- ୱାର ଆଣ୍ଡ ପିସ, ଅନ୍ୟ ଦେଶର ଯୁଦ୍ଧ ଉପରେ ଲେଖା ଯାଇଥିବା ବହି, ତାକୁ ଆସାମୀ ନିଜ ଘରେ ରଖିଥିଲେ କାହିଁକି? ଏହା କଣ ସତରେ ଜଣେ ମାନ୍ୟବର ହାଇକୋର୍ଟ ବିଚାରପତିଙ୍କ ପ୍ରଶ୍ନ? ଟୁଇଟର ଉପରେ ସ୍ଵାଭାବିକ ଭାବେ ସନ୍ଦେହ ପ୍ରକଟ କରୁଥିବା ମୋ ପରି ଜଣେ ଲୋକ, ଏ ଖବରର ସତ୍ୟାସତ୍ୟ ଖୋଜିବାକୁ ଚେଷ୍ଟା କରିବା ସ୍ଵାଭାବିକ। ତାପରେ ଏହି ମାମଲାର ଶୁଣାଣିକୁ ନେଇ ଯେଉଁ ସବୁ ଖବର ବାହାରିଲା ତାକୁ ପଢିଲା ପରେ, ମୁଣ୍ଡ ଘୂରେଇ ଯିବା ସ୍ଵାଭାବିକ। ଜଣେ ବିଚାରପତି ଯଦି ପଚାରିବେ ଯେ ତମେ ଲିଓ ଟଲଷ୍ଟୟଙ୍କୁ କାହିଁକି ପଢୁଛ, ତାହାର ଉତ୍ତର କଣ ଦିଆ ଯାଇପାରିବ?
ବିଶ୍ଵ ସାହିତ୍ୟରେ ଲିଓ ଟଲଷ୍ଟୟଙ୍କର ପରିଚୟ କଣ ବିଚାରପତିଙ୍କୁ ଜଣା ନାହିଁ? ପୁରା ଘଟଣାକ୍ରମର ରିପୋର୍ଟ ପଢିଲା ପରେ ଜଣେ ସାଧାରଣ ନାଗରିକ ଭାବରେ ମାନ୍ୟବର ଅଦାଲତଙ୍କ ପ୍ରଶ୍ନ ଶୁଣି ହସ ଲାଗୁଛି। ହେଲେ ପରବର୍ତ୍ତୀ ସମୟରେ ଗୋଟେ ଭୟ ବି ଆସୁଛି ଯେ, ଆମର ନ୍ୟାୟ ବ୍ୟବସ୍ଥାର ନିୟାମକମାନେ କଣ ସତରେ ଏ ପ୍ରକାର ପ୍ରଶ୍ନ ପଚାରି ପାରିବେ? କାଲି ମୋ ଘରେ ଥିବା ମୋ ଲାଇବ୍ରେରୀ ମୋତେ ଅପରାଧୀ ଭାବରେ କାଠଗଡାରେ ଛିଡା କରେଇ ଦେବନାହିଁ ତ? ଭୀମା କୋରେଗାଓଁ ମାମଲାରେ ଭର୍ଣ୍ଣନ ଗନ୍ସାଲ୍ଭିସ ଗୋଟିଏ ବର୍ଷ ଜେଲରେ ରହି ସାରିଲେଣି। ଚାର୍ଜ ସିଟରେ ପୋଲିସ କହୁଛି ତାଙ୍କ ବିପକ୍ଷରେ କିଛି ପ୍ରମାଣ ନାଇଁ । କେବଳ କିଛି ସନ୍ଦେହଜନକ ବହି ଓ ସିନେମାର ସିଡି ତାଙ୍କ ଘରୁ ଜବତ ହୋଇଛି। ଆଉ ସେ ସନ୍ଦେହଜନକ ବହି ଭିତରେ ରହିଛି ଟଲଷ୍ଟୟ ଓ କାର୍ଲ ମାର୍କ୍ସଙ୍କ ରଚନା। ମାନ୍ୟବର ବିଚାରପତି ଜଷ୍ଟିସ ସାରଙ୍ଗ କୋତୱାଲଙ୍କ ପାଇଁ ଟଲଷ୍ଟୟ ବା ମାର୍କ୍ସ ବୋଧେ ଅପରାଧ ସୃଷ୍ଟି କରୁଥିବା ଲେଖକ?
ଅନେକ ସମୟରେ ତଥାକଥିତ “ଅର୍ବାନ ନକ୍ସଲ” ମାନଙ୍କୁ ଧରିବା ଲାଗି ପୋଲିସ ଏ ପ୍ରକାର ବହି ଓ ସିନେମାକୁ ନିଜର ଏକମାତ୍ର ପ୍ରମାଣ ବୋଲି ଧରି ନେଇଥାଏ। ବୋଧହୁଏ ପୋଲିସ ତାଲିମ ବେଳେ ସାହିତ୍ୟ ବିଷୟରେ ପୋଲିସ ଅଧିକାରୀମାନଙ୍କୁ କିଛି ପଢାଯାଏ ନାହିଁ। ଭାରତ ସରକାର ନିଷିଦ୍ଧ କରିଥିବା ପୁସ୍ତକ ବ୍ୟତୀତ ଅନ୍ୟ ଯେ କୌଣସି ପୁସ୍ତକ ପଢିବା,କିଣିବା ବା ରଖିବା ଅପରାଧ ନୁହଁ ବୋଲି ପୋଲିସ ଅଧିକାରୀମାନେ ବୋଧେ ଜାଣନ୍ତି ନାହିଁ। ତେଣୁ ଅନେକ ସମୟରେ ପୋଲିସ ଯେ କୌଣସି ବହି ବା ସିନେମାକୁ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରେ। ପ୍ରାୟ ଦଶ ବର୍ଷ ତଳେ ଗଜପତିର କିଛି ଆଦିବାସୀ ଯୁବକ ଯୁବତୀଙ୍କୁ ପୋଲିସ ଗିରଫ କରିଥିଲା ଓ ତାର ଏକମାତ୍ର କାରଣ ଥିଲା ସେମାନେ ନନ୍ଦିତା ଦାସଙ୍କ “ଲାଲ ସଲାମ” ସିନେମା ଦେଖୁଥିଲେ। “ଲାଲ ସଲାମ” ଭାରତୀୟ ସିନେମା ଭାବରେ ପ୍ରମାଣପତ୍ର ପାଇଥିବା ଏକ ବୈଧ ସିନେମା। ଏହାକୁ ଦେଖିବା କଣ ଅପରାଧ?
ତାର ଆଉ କିଛି ବର୍ଷ ପରେ ଗଞ୍ଜାମ ଜିଲାରେ ଜଣେ ଲେଖକଙ୍କ ଘରେ ପୋଲିସ ଚଢାଉ କରି ଏମିତି କିଛି ବହି ଜବତ କରିଥିଲା। ପରେ ଜଣାପଡିଲା ଯେଉଁ ଲେଖକଙ୍କୁ ନକ୍ସଲ ସଂଯୋଗ ଥିବାର ସନ୍ଦେହ କରାଯାଉଛି, ସେ ୟେ ନୁହନ୍ତି, ଅନ୍ୟଜଣେ। ତେବେ ଚଢାଉ ବେଳେ ଯେଉଁ ବହି ସବୁକୁ ସନ୍ଦେହାସ୍ପଦ ବୋଲି ପୋଲିସ ଭାବୁଥିଲା ସେ ବହି ଭିତରେ ଥିଲା ପ୍ରତିଭା ରାୟ ଓ ବିଭୁତି ପଟ୍ଟନାୟକଙ୍କ କେତୋଟି ରୋମାଣ୍ଟିକ ଉପନ୍ୟାସ। ବେଚାରା ଲେଖକଙ୍କ ଭାଗ୍ୟ ଭଲ, ପୋଲିସ କେମିତି ଜାଣିଦେଲା ଯେ, ସେମାନେ ଭୁଲ ଜାଗାରେ ଚଢାଉ କରିଛନ୍ତି। ନଚେତ ବହି ରଖିଥିବାର ଅଭିଯୋଗରେ ତାଙ୍କୁ ଜେଲ ଯିବାକୁ ପଡିଥାନ୍ତା!
ବହିକୁ ପୋଡିବା, ବହିକୁ ସନ୍ଦେହ କରିବା ଓ ବହି ଉପରେ କଟକଣା ଜାରି କରିବା କେବଳ ଏକଛତ୍ରବାଦରେ ସମ୍ଭବ ବୋଲି ଆଉ କହିହେବା ନାହିଁ। ଗଣତାନ୍ତ୍ରିକ ସମ୍ବିଧାନର ଶପଥ ନେଇଥିବା ଆମର ମାହାମାନ୍ୟ ବିଚାରପତିମାନେ ମଧ୍ୟ ବହି ପଢୁଥିବା ଲୋକକୁ ଅପରାଧୀ ବୋଲି ଭାବି ପାରନ୍ତି।
ଏହା ଗଣତନ୍ତ୍ରର ବିଡମ୍ବନା ନା ଏକ ଅପସମୟର ସଙ୍କେତ?
ପଢିବା ପାଇଁ ଏହି ଧାଡି ଉପରେ କ୍ଲିକ କରନ୍ତୁ :- ବିଜେଡିର କେଉଁ ବିଧାୟକ ବିଜେପି ଯିବାକୁ ମନ ବଳାଇଛନ୍ତି ?