ସମୀକ୍ଷା ବ୍ୟୁରୋ-
ଦିନ ଗୋଟାଏ ପଇଁତିରିଶ ହେଲାଣି, ଅଥଚ ଶ୍ରୀଜଗନ୍ନାଥ ମନ୍ଦିରର ଦ୍ଵାରା ଫିଟା କିମ୍ବା ମଙ୍ଗଳ ଆଳତି ହୋଇନାହିଁ। ଏହାକୁ ନେଇ ଟେଲିଭିଜନ ପରଦାରେ ବହୁ ନାଟକବାଜି ଚାଲିଛି। ରାଜନୈତିକ ଆରୋପ ପ୍ରତ୍ୟାରୋପ ଚାଲିଛି। ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଭିତରେ ବୈଠକ ଚାଲିଛି-ଭାଙ୍ଗୁଛି। ହେଲେ ସମୁଦାୟ ଘଟଣାକ୍ରମଟି ଦେଖି ଲାଗୁଛି, ସତେକି ଜଗନ୍ନାଥ ମନ୍ଦିର ଏକ ସରକାରୀ ଅଫିସ ଓ ଏଠି ଇଚ୍ଛା କାଲେ ଧର୍ମଘଟ ହୋଇପାରିବ। ସେବାୟତ ପୋଲିସ ଝଗଡା କରି ମନ୍ଦିରକୁ ନିଜ ଇଚ୍ଛା ରେ ବନ୍ଦ କରିଦେଇପାରିବେ। ପୃଥିବୀରେ ଏମିତି କୌଣସି ଧାର୍ମିକ ଅନୁଷ୍ଠାନ ନଥିବ, ଯେଉଁଠି ଏ ପ୍ରକାର ପାଗଳାମୀକୁ ସଂସ୍କୃତି ବୋଲି କୁହା ଯାଉଥିବ।ଟେଲିଭିଜନ ଆଗରେ ମନ୍ଦିର ସେବାୟତ ମାନେ ଏମିତି ମନ୍ତବ୍ୟ ଦେଉଛନ୍ତି, ସତେ ଯେମିତି ଠାକୁର ହେଉଛନ୍ତି ତାଙ୍କର କଣ୍ଢେଇ। ମନ୍ଦିର ପ୍ରଶାସନ ଏକପ୍ରକାର ଅସହାୟ ଓ ସ୍ଥାଣୁ ହୋଇ ବସିଛି। ବାହାରେ ଭକ୍ତମାନେ କଣ କରିବେ ବୁଝିନପାରି ଠେଲାପେଲା ହେଉଛନ୍ତି। ଏହା ଯଦି ମହାନ ଜଗନ୍ନାଥ ସଂସ୍କୃତିର ଅଂଶ ବିଶେଷ ବୋଲି କେହି ଭାବୁଥାନ୍ତି, ତାହେଲେ ଆମ ସଂସ୍କୃତି ଅତ୍ୟନ୍ତ ନିନ୍ଦନୀୟ ସ୍ତରକୁ ଖସିଆସିଛି ବୋଲି ଭାବିବାକୁ ପଡିବ।
ମନ୍ଦିର ଭିତରେ ଠେଲାପେଲା ହୋଇ ସେବାୟତ ଓ ପୋଲିସଙ୍କ ଭିତରେ ଗଣ୍ଡଗୋଳ ହେଲା। ତାହାର ତଦନ୍ତ ହୋଇ ଯିଏ ଦୋଷୀ ତାକୁ ଦଣ୍ଡ ଦିଆଯିବା କଥା। କିନ୍ତୁ ତାକୁ ଆଳ କରି ମନ୍ଦିର ବନ୍ଦ କରିଦେବା, କି ପ୍ରକାର ମାନସିକତା। ଟିକେ ଟିକେ କଥାରେ ମନ୍ଦିର ସେବାୟତ ମାନେ ମନ୍ଦିରର ନୀତିକାନ୍ତି ବନ୍ଦ କରିଦେଉଛନ୍ତି। ସାରା ଦେଶରେ ଏହି କାରଣ ଯୋଗୁଁ ସେବାୟତଙ୍କ ପ୍ରତି ଘୃଣାର ଭାବନା ବଢି ଚାଲିଛି। ମନ୍ଦିର ପ୍ରଶାସନ ସହ ସେବାୟତଙ୍କ ସହମତି ବା ଅସହମତି ଉପରେ ଜଗନ୍ନାଥଙ୍କ ନୀତିକାନ୍ତି ନିର୍ଭରଶୀଳ କି? ଶ୍ରୀ ଜଗନ୍ନାଥ କଣ କେବଳ ସେବାୟତଙ୍କ ଇଚ୍ଛା ର କଣ୍ଢେଇ? ମନ୍ଦିର ସେବାୟତ ଯେତେବେଳେ ଇଚ୍ଛା ହେଲା ମନ୍ଦିର ଖୋଳିବେ, ଯେତେବେଳେ ଇଚ୍ଛା ହେବ ବନ୍ଦ କରି ଚାଲିଯିବେ, ଏହା ସେବକ କୁଳର ପରମ୍ପରା କି?
ହଜାର ସମସ୍ୟା ଆସିଲେ ମଧ୍ୟ, ସେବକଙ୍କର ପ୍ରଥମ ଦାୟିତ୍ଵ ହେଉଛି, ନୀତିକାନ୍ତିକୁ ଯଥାରୀତି ନିର୍ବାହ କରିବା। ଏହା ନକରି ସେମାନେ ଯଦି ଧର୍ମଘଟ କରୁଛନ୍ତି, ତାହେଲେ ସେମାନେ ପ୍ରଥମେ ଅପରାଧୀ। ବର୍ତ୍ତମାନ ସମୟ ଆସିଛି, ମନ୍ଦିର ଭିତରେ ବଂଶାନୁକ୍ରମିକ ସେବାର ଉଚ୍ଛେଦ କରି ନୂଆ ସେବାୟତ କୋଡ ଲାଗୁ କରିବା। ଜଗନ୍ନାଥଙ୍କୁ କଣ୍ଢେଇ ଭାବରେ ବ୍ୟବହାର କରୁଥିବା ସେବାୟତ ମାନେ କେବଳ ନିୟମର ଅବମାନନା କରୁନାହାନ୍ତି, ସେମାନେ ଲୋକଙ୍କ ଧାର୍ମିକ ଆବେଗ ସହିତ ଖେଳ ଖେଳୁଛନ୍ତି। ଦିନ ର ଅଧା ସମୟ ମନ୍ଦିର ବନ୍ଦ ରଖିବାର ଦୁଃସାହସ କରୁଥିବା ସେବାୟତଙ୍କ ପ୍ରତି ପ୍ରଶାସନ କୋହଳ ମନୋଭାବ ପୋଷଣ କରିବା ଉଚିତ ନୁହେଁ।
ସବୁଠୁ ଦୁର୍ଭାଗ୍ୟଜନକ ବ୍ୟାପାର ହେଉଛି, ଏ ପ୍ରସଙ୍ଗରେ ଆମର ସାମ୍ବାଦିକ ଓ ରାଜନେତାଙ୍କ ଭୂମିକା। ସେମାନେ ଏହାକୁ ଏକ ରାଜନୈତିକ ପ୍ରସଙ୍ଗ ଭାବରେ ଦେଖି ଆସୁଛନ୍ତି। ଯେତେବେଳେ ରାଜନୀତିରେ ଅନ୍ୟ କିଛି ପ୍ରସଙ୍ଗ ନଥାଏ ସେତେବେଳେ ଶ୍ରୀଜଗନ୍ନାଥ ଆମ ରାଜନୀତିର ମୁଖ୍ୟ ପ୍ରସଙ୍ଗ ହୋଇ ଆସନ୍ତି। ସରକାରକୁ ଗାଳି କରିବା ପାଇଁ ଜଗନ୍ନାଥ ଏକ ମାଧ୍ୟମ ପାଲଟି ଯାନ୍ତି। ସେଥିରେ ଗଣମାଧ୍ୟମ ଘିଅ ଢାଳେ। ତେବେ ଏହା ଏକ ରାଜନୈତିକ ପ୍ରସଙ୍ଗ କି? ଜଗନ୍ନାଥଙ୍କ ନୀତିକାନ୍ତି ସଠିକ ସମୟରେ କରାଇନଦେବାରେ ଯେଉଁମାନେ ପ୍ରମୁଖ ଭୂମିକା ନେଇଛନ୍ତି, ସେମାନେ ରାଜନୈତିକ ସମର୍ଥନ ପାଇବା ଆଦୌ ଗ୍ରହଣୀୟ ନୁହେଁ ।
ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନ ଆଜି ପର୍ୟନ୍ତ ସେବାୟତଙ୍କ ପ୍ରତି ଅତ୍ୟନ୍ତ କୋହଳ ଓ ଉଦାର ମନୋଭାବ ପୋଷଣ କରି ଆସୁଛନ୍ତି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ଅକ୍ଷରେ ଅକ୍ଷରେ ପାଳନ କରି ବିଭ୍ରାନ୍ତି ସୃଷ୍ଟି କରୁଥିବା ସେବାୟତଙ୍କ ବିରୋଧରେ ଯଦି କଠୋର କାର୍ୟାନୁଷ୍ଠାନ ନିଆ ନଯାଏ, ତାହେଲେ ମନ୍ଦିର ରାଜନୀତି ଅଧିକ କଦର୍ୟ ଅବସ୍ଥାକୁ ଚାଲିଯିବ।