Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନୂଆ ମୋଟର ଯାନ ବାହନ ଆଇନ, ନିୟମ ଭାଙ୍ଗୁ ବୋଲି ସରକାର ବେଶୀ ଆଗ୍ରହୀ, କାରଣ ଜରିମାନା ପଇସା ବେଶୀ ଜରୁରୀ
ବିଶେଷ ଖବର

ନୂଆ ମୋଟର ଯାନ ବାହନ ଆଇନ, ନିୟମ ଭାଙ୍ଗୁ ବୋଲି ସରକାର ବେଶୀ ଆଗ୍ରହୀ, କାରଣ ଜରିମାନା ପଇସା ବେଶୀ ଜରୁରୀ

September 11, 2019No Comments5 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ

ନୂଆ ଟ୍ରାଫିକ୍ ନିୟମ ନେଇ ଉପୁଜିଥିବା ବିବାଦ ମଧ୍ୟରେ ସ୍ମାର୍ଟସିଟି ଭୁବନେଶ୍ବରର କେତେକ ସ୍ମାର୍ଟ ବୁଦ୍ଧିଜିବୀ ଯେଉଁ ଭଳି ତର୍କ ଦେଉଛନ୍ତି ସେଥିରେ ସେମାନଙ୍କର ସମ୍ଭ୍ରାନ୍ତୀୟ ମାନସିକତାର ଝଲକ ଦେଖିବାକୁ ମିଳୁଛି ।

ଲୋକେ କାହିଁକି ଗାଡି କାଗଜପତ୍ର ରଖୁ ନାହାନ୍ତି ? କାହିଁକି ରାସ୍ତାରେ ଯିବା ବେଳେ ନିୟମ କାନୁନ ମାନୁନାହାନ୍ତି ? କାହିଁକି ହଳଦିଆ ଟ୍ରାଫିକ୍ ଆଲୁଅ ଜଳୁଥିବା ବେଳେ ଛକ ଅତିକ୍ରମ କରୁଛନ୍ତି ? ତେଣୁ ସବୁ ଭୁଲ ଲୋକଙ୍କର। ଏମାନଙ୍କୁ ବାଟକୁ ଆଣିବା ପାଇଁ କେବଳ ଦଣ୍ଡା ଦରକାର। ଏହିପରି ଅନେକ କଥା ଏବେ ସେମାନଙ୍କଠାରୁ ଶୁଣିବାକୁ ମିଳୁଛି।

ନିୟମ ମାନିବା ଭଲ। ଏହା ଲୋକମାନଙ୍କର ହିତ ଓ ସହରର ଉନ୍ନତ ପରିଚାଳନା ପାଇଁ ଜରୁରୀ ଅଟେ। ତେଣୁ ଆଇନ ମାନୁ ନଥିବା ଲୋକମାନଙ୍କ ବିରୁଦ୍ଧରେ କହିବା ଆଦୌ ଗର୍ହିତ ନୂହେଁ। କିନ୍ତୁ ଯେତେବେଳେ ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ସରକାରୀ ଦଳ ହଜାର ହଜାର କୋଟୀ ଟଙ୍କା ଅନାମ ସୂତ୍ରରୁ ସଂଗ୍ରହ କଲା କିମ୍ବା ନିୟମ ବଦଳାଇ ୧୯୭୬ ମସିହାରୁ ବିଦେଶରୁ ଯେତେ ବେଆଇନ୍ ଟଙ୍କା ଆଣିଥିଲେ ସେସବୁକୁ ଏକା ଝଟକାରେ ଲିଗାଲ୍ କରିଦିଆଗଲା ସେତେବେଳେ ଯଦି ଏହି ବୁଦ୍ଧିଜିବୀମାନଙ୍କ ମଧ୍ୟରେ, ଅଧିକ ନ ହେଲେ ବି ସମାନ ପରିମାଣର, ପ୍ରତିକ୍ରିୟା ଦେଖା ନ ଯାଏ ସେତେବେଳେ ଏପରି ପ୍ରତିକ୍ରିୟାକୁ ଚୟନମୁଳକ କୁହାଯିବ। ଏହି ସୂକ୍ଷ୍ମଦ୍ରଷ୍ଟାମାନଙ୍କ ବିଦ୍ରୁପଭରା ନଜର ସବୁବେଳେ କେବଳ କାକୁଡି ଚୋରଙ୍କ ଉପରେ ଥାଏ।

ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପାଇଁ ନବୀନବାବୁ ଆଉ ୩ ମାସ ସମୟ ଦେବା ପରେ ଏବେ ସେଠାରେ କିପରି ଅସମ୍ଭବ ପ୍ରକାରର ଭିଡ ଦେଖା ଯାଉଛି ସେମାନେ ଥରେ ଯାଇ ଦେଖି ଆସିଲେ ଭଲ ହୁଅନ୍ତା। ଆର୍.ଟି.ଓ ଅଫିସରେ ଏହି ଭିଡକୁ ସମ୍ଭାଳିବା ପାଇଁ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ସେମାନେ ଦେଖିଆସି ଜଣାନ୍ତୁ। ସେଠାରେ ଦଲାଲମାନଙ୍କର ଖୋଲାଖୋଲି ରାଜୁତି ଚାଲିଛି ବୋଲି କିଏ ନ ଜାଣିଛି ? ଗାଡି ସମ୍ବନ୍ଧୀୟ କାଗଜପତ୍ର ପ୍ରସ୍ତୁତି ପ୍ରକ୍ରିୟା ଜଟିଳ ଓ ସମୟସାପେକ୍ଷ ଅଟେ ଏବଂ ସେଠାରେ କର୍ମଚାରୀମାନେ ହଇରାଣ କରନ୍ତି ବୋଲି ତ ଜଣେ ଲୋକ ଦଲାଲ ପାଖକୁ ଯାଏ। ନା ଆଉ କେଉଁ କାରଣରୁ ସେ ଦଲାଲର ସହାୟତା ନେଇ ଅଧିକ ଖର୍ଚ୍ଚାନ୍ତ ହୁଏ ? ସାଧାରଣ ଲୋକଟିଏ କେଉଁ କାରଣରୁ ସେଠାରେ ହଇରାଣ ହେଉଛି ସରକାର କେବେ ସେ ବିଷୟରେ ଚିନ୍ତା କରିଛନ୍ତି କି ? ଏପରି ବ୍ୟବସ୍ଥା ଦ୍ବାରା ଲୋକଙ୍କୁ ଆଇନ୍ ମାନିବା ପାଇଁ ଉତ୍ସାହିତ କରାଯାଉଛି କି ? ଗୋଟିଏ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅତି କମରେ ତିନିଥର ଆର୍.ଟି.ଓ ଅଫିସକୁ ଯିବାକୁ ପଡେ। ଗୋଟିଏ ସାଧାରଣ ଲୋକ ନିଜର କାମଧନ୍ଦା ବନ୍ଦ କରି କେତେଥର ସରକାରୀ ଅଫିସକୁ ଦଉଡିବ ?

ଦିଲ୍ଲୀରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବା ପାଇଁ ଆର୍.ଟି.ଓ ଅଫିସ୍ ଯିବାକୁ ପଡେ ନାହିଁ। ଫୋନ୍ କରି ରାତି ୯ଟାରେ ଆସିବାକୁ କହି ଡାକିଲେ ବି ସେମାନେ ଘରକୁ ଆସି ଆବେଦନ ଫର୍ମ, ଫଟୋ ଇତ୍ୟାଦି ନେଇ ଯାଆନ୍ତି। ଆମେ ଓଡିଶାରେ ବି ସେପରି ବ୍ୟବସ୍ଥା ଆରମ୍ଭ କରିବା ବିଷୟରେ ଏହି ଚିନ୍ତାଶୀଳ ବ୍ୟକ୍ତିମାନେ ଥରୁଟିଏ ଅତି କମରେ ଚିନ୍ତା କଲେ ବି ଭଲ ହୁଅନ୍ତା। ଯଦି ସରକାର ଅତି କମ ସମୟ ମଧ୍ୟରେ, ଅନ୍ତତପକ୍ଷେ ଏହି ତିନି ମାସ ପାଇଁ, ସିମୀତ ଆକାରରେ ହେଉ ପଛେ, ସେପରି ବ୍ୟବସ୍ଥା ଆଣି ପାରୁ ନାହାନ୍ତି, ତେବେ ଗାଡି ସମ୍ବନ୍ଧୀୟ ଦେୟର ରାଜସ୍ବ ଦେଉଥିବା ଗାଡିଚାଳକ ପ୍ରତି ସରକାରଙ୍କଠାରୁ ଅନ୍ତତପକ୍ଷେ ମାନବୀୟ ବ୍ୟବହାର ତ ଆଶା କରାଯାଇ ପାରିବ। ଟ୍ରାଫିକ୍ ର ସମ୍ମୂଖ ଆଲୁଅ ନାଲି ରହିଥିବା ବେଳେ ଧଳାଦାଗକୁ ଅତିକ୍ରମ କରି ଗାଡି ଠିଆ କରିବା କିମ୍ବା ସେତେବେଳେ ବାମପାର୍ଶ୍ବକୁ ଯାଇଥିବା ରାସ୍ତାକୁ ଯିବା ପାଇଁ ବାଟ ଅବରୋଧ କରିବା କ’ଣ ଆର୍.ଟି.ଓ ଅଫିସରେ ଗାଡିଚାଳକଙ୍କ ପ୍ରତି ହେଉଥିବା ହଇରାଣ ଓ ଅନ୍ୟାୟ ଠାରୁ ଅଧିକ ଚିନ୍ତାଜନକ ?

ସରକାର ଗୋଟିଏ ଆର୍.ସି ଦିଅନ୍ତି। ଏହା କେବଳ ଏକ ନମ୍ବର ମାତ୍ର। ସେଥିପାଇଁ ସରକାର କାହିଁକି ଜଣେ ଗାଡି ମାଲିକଠାରୁ ଶହେ ଟଙ୍କାରୁ ଅଧିକ ନେବେ ? ଅବଶ୍ୟ ଏହି ପ୍ରଶ୍ନ ସାରା ଦେଶ ପାଇଁ ପ୍ରଜୁଜ୍ୟ। କିନ୍ତୁ ଏହା ନିଶ୍ଚିୟ ବୁଦ୍ଧିଜିବୀମାନେ ଚୋବାଇବା ପାଇଁ ସେମାନଙ୍କର ମେନୁରେ ରହିବା ଆବଶ୍ୟକ। ଯେତେଲୋକ ଦୁଇଚକିଆ ଗାଡି ଚଳାଉଛନ୍ତି ସେମାନେ ସମସ୍ତେ ତ ପଇସାବାଲା ନୁହନ୍ତି। ଗୋଟିଏ ସହରର ସାମୁହିକ ଆର୍ଥିକ ସଂରଚନା ସେଠାରେ ରହୁଥିବା ସାଧାରଣ ଲୋକଙ୍କ ବ୍ୟବହାରରେ କିଛି ମାତ୍ରାରେ ପ୍ରଭାବ ପକାଇଥାଏ। ଭୁବନେଶ୍ବରରେ କେତେ ଭାଗ ଲୋକଙ୍କର ବାର୍ଷିକ ଆୟ କେତେ ତାହାକୁ ବିଚାର କରି ଆଇନର ସେହି ଭଳି କାର୍ଯ୍ୟନ୍ବୟନ କରିବା ପାଇଁ ଆଭିମୁଖ୍ୟ ଓ ମାନସିକତା ରହିବା ଦରକାର। ହଠାତ୍ ସ୍ମାର୍ଟସିଟି ଘୋଷଣା କରିଦେଲେ ସହରର ଜନସାଧାରଣଙ୍କର ବ୍ୟବହାର ସିଙ୍ଗାପୁରର ନାଗରିକଙ୍କ ଭଳି ତ ହୋଇ ଯିବନାହିଁ।

ଆଉ ଗୋଟିଏ କଥା। ଲୋକେ ରାସ୍ତାରେ ଯିବା ବେଳେ ନିୟମ କାନୁନ୍ ମାନୁ ନାହାନ୍ତି। ସତରେ ଏହା ଏକ ବହୁତ ବଡ ଭୁଲ୍। କିନ୍ତୁ ମନ୍ତ୍ରୀ ଯିବାବେଳେ ଦୀର୍ଘ ୨୦ ମିନିଟ୍ ପାଇଁ ଛକରେ ସାଧାରଣ ଲୋକଙ୍କୁ ରୋକିବା ବେଳେ ଯେଉଁ ଅସୁବିଧା ହୁଏ ଲୋକମାନେ କ’ଣ ତା’ ଠାରୁ ବେଶି ଅସୁବିଧା କରୁଛନ୍ତି କି ? ସରକାରଙ୍କର ସହର ଟ୍ରାଫିକ୍ ଭିତିଭୁମୀ କ’ଣ ଲୋକଙ୍କୁ ନିୟମ ଭାଙ୍ଗିବା ପାଇଁ ଉସୁକାଉ ନାହିଁ କି ? ଦୀର୍ଘ ୧ କିଲୋମିଟର ରାସ୍ତାର ଡିଭାଇଡରରେ ଯଦି କଟ୍ ରଖାଯିବ ନାହିଁ , ସେତେବେଳେ ଲୋକେ ଓଲଟା ଦିଗରେ ଆସିଲେ ତାଙ୍କୁ ଧରିବା ନିଶ୍ଚୟ ଆଇନସମତ ହୋଇପାରେ ମାତ୍ର ନ୍ୟାୟପୁର୍ଣ ନୁହେଁ ?

ନିୟମ ଭାଙ୍ଗିବା ନିଶ୍ଚୟ ଏକ ନିନ୍ଦନୀୟ ଅପରାଧ। ମାତ୍ର ମନେ ହେଉଛି, ବର୍ତମାନ ଯେଉଁ ସବୁ ନିୟମ ହେଉଛି ସେସବୁ ଏଇଥି ପାଇଁ ହେଉଛି ଯେ ଲୋକେ ଆଇନ୍ ନ ମାନନ୍ତୁ ଏବଂ ଆମେ ତାଙ୍କୁ ଧରି ଜୋରିମାନା ଆଦାୟ କରିବା। ବୋଧହୁଏ ନିୟମସବୁ ଲୋକଙ୍କ ସୁବିଧା ପାଇଁ ନୂହେଁ, ବରଂ ସରକାରଙ୍କ ରାଜସ୍ବ ବଢାଇବା ପାଇଁ ହେଉଛି।

ଜଣେ ଅଟୋଚାଳକକୁ ପ୍ରତିବର୍ଷ ତା’ ଗାଡିର କାଗଜପତ୍ର ବାବଦରେ ହାରାହାରି ଅନ୍ୟୁନ ୧୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ସେଥିରେ ପୁଣି ନିୟମ ହୋଇଛି ଯେ ତିନିଜଣଙ୍କଠାରୁ ଅଧିକ ଯାତ୍ରୀ ସେଥିରେ ବସି ପାରିବେ ନାହିଁ। ଗାଁ ଗଣ୍ଡାରେ ସ୍କୁଟରରେ ପଟା ବାନ୍ଧି ଲୋକେ ସେଥିରେ ଧାନ ତଳି ବୋଝେଇ କରି ବିଲମୁଣ୍ଡକୁ ନେବାର ଦେଖାଯାଏ। ଏବେ ତା ଲୁନାଗାଡି ଓ ପୁରୁଣା ବାଜାଜ୍ ଗାଡି ପାଇଁ ତାକୁ ଫିଟନେସ୍ ସାର୍ଠିଫିକେଟ ତ ସରକାର ଦେବେ ନାହିଁ।

ନୋଟବନ୍ଦି ଓ ଜିଏସଟି ଲାଗୁ ହେବା ଇନଫର୍ମାଲ୍ ଅର୍ଥନୀତିକୁ ବହୁମାତ୍ରାରେ ଧ୍ବଂସ କରିସାରିଛି। ତଳଠାରୁ ଉପର ପର୍ଯ୍ୟନ୍ତ ସବୁ ବ୍ୟବସାୟୀ କ୍ୟାସଲେସ୍ ବ୍ୟବସାୟ କରନ୍ତୁ, ସମସ୍ତେ ଜଟିଳ ଜିଏସଟି ଫର୍ମ ଭରନ୍ତୁ ବୋଲି ସରକାର ବାଧ୍ୟ କଲେ। ନିୟମ ତିଆରି କରିବା ଓ ତାକୁ କଡାକଡି ପାଳନ କରାଇବା ପାଇଁ ଉପକ୍ରମରେ ଥିବା ପାଗଳାମି ଯୋଗୁଁ ଛୋଟ ବ୍ୟବସାୟୀଙ୍କ ଅନୌପଚାରିକ ଅର୍ଥନୀତିରେ ଯେଉଁ ନିଆଁ ଲାଗିଥିଲା ତାହା ଧିରେ ଧିରେ ଏବେ ବଡ ଔପଚାରିକ ଅର୍ଥନୀତିକୁ ଧରିବା ପରେ ଯାଇ ମାନ୍ଦାବସ୍ଥାର ଉତ୍କଟତା ଏକ ବଡ ଚିନ୍ତାର କାରଣ ପାଲଟିଛି।

ଅନେକ ପୁରୁଣା ସିନେମାର କାହାଣୀରେ ଥାଏ କିପରି ଗୋଟିଏ ମଫସଲ ଘରର ପୁଅ ସହରକୁ ପାଠପଢିବାକୁ ଯାଇ ଓ ସେଠାରେ ଚାକିରୀ କରିସାରିବା ପରେ ଯେତେବେଳେ ଗାଁକୁ ଫେରେ ସେତେବେଳେ ଗାଁ ଲୋକଙ୍କୁ ନ୍ୟୁନ ଦୄଷ୍ଟିରେ ଦେଖେ ଓ ସେମାନେ ତାକୁ ଅନାଡି ମନେ ହୁଅନ୍ତି। ଏହି ସମ୍ଭାନ୍ତ ମାନସିକତା ରଖିଥିବା (Elitist) ବୁଦ୍ଧିଜିବୀମାନେ ବୋଧହୁଏ ସେହିପରି ବ୍ୟବହାର କରୁଛନ୍ତି।

ଗୋଟିଏ ସହରର ଚରିତ୍ର କେବେ ବି ତାହାର ଅର୍ଥନୀତିର ପ୍ରତିଫଳନ ନ ହୋଇ ରହି ପାରେ ନାହିଁ।
ଭୁବନେଶ୍ବରକୁ ସ୍ମାର୍ଟ କରିବାକୁ ହେଲେ ଏଠାରେ ରହୁଥିବା ଜନସାଧାରଣଙ୍କ ମଧ୍ୟରୁ ଅଧିକାଂଶଙ୍କର ଅର୍ଥନୀତିକୁ ମଧ୍ୟ ସ୍ମାର୍ଟ କରାଯାଉ। ତା’ପରେ ସେମାନଙ୍କଠାରୁ ଉଚ୍ଚ ମାନର ନାଗରିକ ବ୍ୟବହାର ଓ ନିୟମାନୁବର୍ତ୍ତିତା ଆଶା କରାଯାଉ। ଭୁବନେଶ୍ବରକୁ ସ୍ମାର୍ଟସିଟି କରିବା ପାଇଁ ଯେଉଁ ଟଙ୍କା ବରାଦ ହୋଇଛି ତାହାର ୯୦% ଏହାର କେବଳ ୯୮୫ ଏକର ପରିମିତ ସୀମିତ ଅଞ୍ଚଳରେ ଖର୍ଚ୍ଚ ହେଉଛି। ସହର ଉପକଣ୍ଠରେ ରହୁଥିବା ଅଟୋଚାଳକ, ସମ୍ବାଦପତ୍ର ହକର୍, ଠେଲା ବିକାଳୀ, ସିକୁରିଟି ଗାର୍ଡ, ଗାଁରେ ଚାଷ ଛାଡି ନୂଆ ହୋଇ ସହରକୁ ଆସିଥିବା ଲୋକମାନେ ଏହି ସ୍ମାର୍ଟସିଟିର ପରିକଳ୍ପନା ଓ କାର୍ଯ୍ୟନ୍ବୟନ ମଧ୍ୟରେ ନାହାନ୍ତି। ସେମାନଙ୍କୁ ଟ୍ରାଫିକ୍ ଆଇନର ଶିଷ୍କାଚାର ଭିତକୁ ଆଣିବାକୁ ହେଲେ ସରକାରଙ୍କୁ ଅନେକ ସଚେତନତା ସୄଷ୍ଟି କରିବାକୁ ହେବ, ଟ୍ରାଫିକ୍ ପୋଲିସ୍ ଜନସାଧାରଣଙ୍କୁ ବନ୍ଧୁତାପୂର୍ଣ ଆଚରଣ ଦେଖାଇବାକୁ ହେବ। ଏଥିପାଇଁ ଏହି ସୌଖୀନ ବୁଦ୍ଧିଜିବୀଙ୍କ ପ୍ରସ୍ତାବ ଅନୁଯାୟୀ ଦଣ୍ଡାର ଆବଶ୍ୟକ ନାହିଁ।

୧୬୮୨ ମସିହାରେ ଫ୍ରାନ୍ସର ଅତ୍ୟାଚାରୀ ଶାସକ ଚତୁର୍ଦ୍ଦଶ ଲୁଇଙ୍କୁ ସାଧାରଣ ଲୋକଙ୍କ ସଙ୍ଗେ ରାଜଧାନୀ ପ୍ୟାରିସରେ ରହିବାକୁ ଭଲ ଲାଗି ନଥିଲା। ସେଥିପାଇଁ ସେ ଭର୍ସାଇଲ୍ସ ନାମକ ଆଉ ଗୋଟିଏ ସହର ତିଆରି କରି ନିଜର ରାଜପରିଷଦର ଲୋକ ଓ ସମ୍ଭ୍ରାନ୍ତଗୋଷ୍ଠିଙ୍କ ସହ ସେଠାରେ ରହିଲେ। ସହର ଭିତରକୁ କାଳେ ସାଧାରଣ ଲୋକେ ପଶି ଆସିବେ ସେଥିପାଇଁ ସେହି ସହର ଚାରିପଟେ ସେ ପାଚେରୀ ତିଆରି କରିଥିଲେ। ଅବଶ୍ୟ ପରେ ଫରାସି ବିପ୍ଳବ ଆରମ୍ଭ ହେବା ବେଳକୁ ୧୭୮୯ ମସିହାରେ ଉକ୍ତ ଲୁଇଙ୍କ ନାତି ଷୋଡଶ ଲୁଇ ଭର୍ସାଇଲ୍ସ ଛାଡି ପୁଣି ଥରେ ପ୍ୟାରିସ୍ ଫେରି ଆସିଥିଲେ।

ଏବେ ଭୁବନେଶ୍ବରର ଏହି ୯୮୫ ଏକର ଅଞ୍ଚଳର ଚାରିପଟେ ମଧ୍ୟ ଏକ ପାଚେରୀ ବୁଲେଇ ଦିଆଯାଉ ଓ ଏହି ଏଲିଟିଷ୍ଟମାନଙ୍କୁ ସେହିଠାରେ ରହିବାକୁ ଦିଆଯାଉ।

Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ରୁ ମଧ୍ୟ ବିଦା ହେବ ପାକିସ୍ତାନ?: ପିସିବି ମୁଖ୍ୟଙ୍କ ଏହି ବୟାନରୁ ଆରମ୍ଭ ହେଲା ଚର୍ଚ୍ଚା

January 24, 2026

୧୮ତମ ରୋଜଗାର ମେଳାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 24, 2026

ଶଙ୍କରାଚାର୍ଯ୍ୟଙ୍କ ସମର୍ଥନରେ ଆସିଲେ ହିନ୍ଦୁ ସଂଗଠନ: ଯୋଗୀ ସରକାରଙ୍କ ବିରୋଧରେ କରିବେ ପ୍ରତିବାଦ

January 24, 2026

ଜାତୀୟ ସଙ୍ଗୀତ ପରି ମଧ୍ୟ “ବନ୍ଦେ ମାତରମ୍” ପାଇଁ ଠିଆ ହେବାକୁ ପଡିବ: ଖୁବ୍ ଶୀଘ୍ର ଆସିବ ଆଇନ

January 24, 2026
Latest News

ମତ୍ସ୍ୟ ଚାଷୀ ଓ ପ୍ରାଣିପାଳକଙ୍କ ସମୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

January 25, 2026

ବିଧାନସଭାର ଗବେଷଣା ଶାଖା ପକ୍ଷରୁ ପ୍ରକାଶିତ ନେତାଜୀଙ୍କ ଜୀବନୀ ସମ୍ପର୍କିତ ଏକ ପୁସ୍ତିକା ଉନ୍ମୋଚିତ

January 25, 2026

ବାଙ୍କୀର ସମର୍ପଣ ଦ୍ୱାରା ରାଷ୍ଟ୍ରୀୟ ଯୁବ ଦିବସ: ବିବେକାନନ୍ଦ ଜୟନ୍ତୀ ଓ ନେତାଜୀ ଜୟନ୍ତୀ ପାଳିତ

January 25, 2026

ଉପ-ରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ ଡ଼କ୍ଟର ହରି ବାବୁ କମ୍ଭମପାଟି

January 25, 2026

ଆଜି ଜାନୁୟାରୀ ୨୫ ତାରିଖ ରବିବାର, ସାତୋଟି ରାଶି ଉପରେ ମହାଦେବଙ୍କ ରହିଛି ଆର୍ଶିବାଦ

January 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.