Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଅମର ଲେଖନୀରୁ….. “ଚନ୍ଦନ ମଉଜ”
ବିଶେଷ ଖବର

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଅମର ଲେଖନୀରୁ….. “ଚନ୍ଦନ ମଉଜ”

October 9, 2019No Comments5 Mins Read
Share Facebook Twitter LinkedIn Email WhatsApp Copy Link

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ 

( ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ(୯, ଅକ୍ଟୋବର,୧୮୭୭- ୧୭, ଜୁନ,୧୯୨୮) ଙ୍କ ଜୟନ୍ତୀ ଦିବସ। ଓଡିଆ ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ଇତିହାସ ବିଖ୍ୟାତ। ଓଡିଶାର ସମାଜ ଓ ରାଜନୀତିକୁ ନେଇ ଗୋପବନ୍ଧୁଙ୍କର ଅନେକ ମୌଳିକ ବିଚାର ରହିଥିଲା ଯାହାର ଆଜି ମଧ୍ୟ ପ୍ରାସଙ୍ଗିକତା ରହିଛି। ୧୬। ୦୫। ୧୯୨୮ ରେ “ସମାଜ” ପୃଷ୍ଠାରେ “ଚନ୍ଦନ ମଉଜ” ନାଁରେ ଲେଖିଥିବା ଏହି ପ୍ରବନ୍ଧଟି ଆମର ମଧ୍ୟବିତ୍ତ ମାନସିକତା ଓ ସମାଜ ପ୍ରତି ମଧ୍ୟବିତ୍ତ ବର୍ଗର ଉଦାସୀନତା ଉପରେ ପ୍ରଚଣ୍ଡ ପ୍ରହାର ଥିଲା। ୯୧ ବର୍ଷ ତଳେ ଲେଖା ହୋଇଥିବା ଏ ପ୍ରବନ୍ଧ ଆଜି ମଧ୍ୟ ଓଡିଶାର ଜନ ଜୀବନରେ ପ୍ରାସଙ୍ଗିକତା ହରାଇନାହିଁ।  ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ତାଙ୍କର ଅମର ଲେଖନୀରୁ ଏହି ଆଲେଖ୍ୟ) 

ଓଡିଶା ଦୁଃଖ ଦରିଦ୍ରତାର ଶେଷ ଦଶାକୁ ପାଇଲାଣି । ବାହାର ଲୋକଙ୍କ ନିକଟରେ ଓଡିଶା ତାର ଦାରିଦ୍ର୍ୟତା ଓ ଦୁର୍ଭିକ୍ଷ ଦ୍ବାରା ପରିଚିତ । ତଥାପି ଓଡିଆ ମଉଜ ଛାଡୁନାହାନ୍ତି । ଓଡିଶା ମଧ୍ୟରେ ପୁରୀ ସବୁଠାରୁ ଅଧିକ ମଉଜୀ । ବର୍ଷର ବାର ମାସଯାକ ମଉଜର ସେଠାରେ ବାକି ନାହିଁ । ପୁରୀ ସହରର ହାଲଚାଲ ବିଧିବେଭାରରୁ ଜଣାପଡେ ଯେପରି ଏ ଦେଶର ଲୋକଙ୍କର ଦୁଃଖ ବିଷାଦ କିଛି ନାହିଁ, ଏମାନେ ସମ୍ଭୋଗ ସମ୍ପଦରେ ଖେଳୁଛନ୍ତି, ବିଳାସିତାରେ ଭାସୁଛନ୍ତି । ସେହିଠାରେ ପଞ୍ଚକୋଶ ମଧ୍ୟରେ ଲୋକେ ଅନାହାରରେ ମରୁଛନ୍ତି, ନୀଳଚକ୍ର ଛାୟାତଳେ ଲୋକ ଅନ୍ନବସ୍ତ୍ର ବିନା ହାହାକାର କରୁଛନ୍ତି, ନାନା ରୋଗ ବ୍ୟାଧିରେ ସଢୁଛନ୍ତି, ସେ ପ୍ରତି କାହାର ଦୃଷ୍ଟି ନାହିଁ । ସେମାନଙ୍କ ଅବସ୍ଥା ଉନ୍ନତି ଲାଗି କେହି ହେଲେ ବିଚାରୁ ନାହିଁ, ଖର୍ଚ୍ଚ କରିବା ଦୂରେଥାଉ ।

ମାତ୍ର ଏଣେ ବର୍ଷ ମଧ୍ୟରେ ମଉଜରେ ବଡସାନ ସମସ୍ତଙ୍କର ମିଳି ଯେତେଟଙ୍କା ଉଡିଯାଉଛି ହିସାବ କଲେ ତାହାର ପରିମାଣ ନିତାନ୍ତ ସାମାନ୍ୟ ହେବ ନାହିଁ । ମଉଜ ମଧ୍ୟରେ ଚନ୍ଦନ ମଉଜ ପ୍ରଧାନ । ଏକୋଇଣ ଦିନ ଚନ୍ଦନଯାତ୍ରା ଶେଷ ହୋଇଗଲାଣି । ରେଳ ସୁବିଧା ଯୋଗେ ବଙ୍ଗଳାରୁ କେତେ ଯାତ୍ରୀ ଏ ସମୟରେ ଆସିଥିଲେ । ବିଶେଷତଃ ସମୁଦ୍ରର ଥଣ୍ଡାପବନ ପାଇବା ପାଇଁ ଅନେକ ଆସି ପୁରୀରେ କେତେଦିନ ରହିଥିଲେ । ଓଡିଶାରୁ କେତେ ସ୍ଥାନରୁ କେତେ ଲୋକ ମଧ୍ୟ ଆସି ପ୍ରାୟ ପ୍ରତିଦିନ ଚନ୍ଦନରେ ଯୋଗ ଦେଇ ଯାଇଛନ୍ତି । ମାତ୍ର କି ବଙ୍ଗାଳୀ କି ଓଡିଆ ଏସବୁ ଆଗନ୍ତୁକ ମଫସଲିଆ ପୁରୀ ଲୋକଙ୍କ ଭଳି ମଉଜ କରିବା ଅସମ୍ଭବ । ତେବେ ସେମାନେ ସବୁ ଆସି କ୍ରମେ ମଉଜ ଶିଖୁଛନ୍ତି । ସ୍ନାନ, ଚନ୍ଦନ ଲେପନ, ସଙ୍ଗୀତ, ଫୁଲମାଳ, ଭାଙ୍ଗ, ଆଖଡା ପିଲା ନାଚ ଆଦି ଏ ମଉଜର ପ୍ରଧାନ ଅଙ୍ଗ । ପୁରୀ ସହରର ଭିନ୍ନ ଭିନ୍ନ ଶ୍ରେଣୀର ଲୋକଙ୍କ ହିସାବ ଧଇଲେ କେହି ପ୍ରାୟ ଏ ମଉଜରୁ ବାଦ ଯିବେ ନାହିଁ ।

ମଠମାନଙ୍କର ଚନ୍ଦନ ବୁଡ, ଓକିଲ ମୋହରିର କିଲଟରୀ ଦେବାନୀ ଅମଲା, କେତେ ସ୍କୁଲ ପିଲା, ଅନ୍ୟାନ୍ୟ ବ୍ୟକ୍ତିବିଶେଷ, ସହରିଆ ପଣ୍ଡା ପଢିହାରୀ, ନିଯୋଗ, ଚନ୍ଦନ ମଉଜରେ ନାହିଁ କିଏ? କୌଣସି କୌଣସି ଶ୍ରେଣୀର ମଉଜି ଭାଙ୍ଗ ଛାଡି ବିଲାତି ଲାଲପାଣି ମଧ୍ୟ ଆଶ୍ରୟ କଲେଣି । ଏସବୁ ବିଳାସିତାର ସ୍ବାଭାବିକ ଗତି ଯେଉଁଆଡେ ପୁରୀ ସେହି ଆଡେ କ୍ଷୀପ୍ରଗତିରେ ଚାଲିଲାଣି । ଯାତ୍ରାରେ କେତେ ଯୁବକ, ଯୁବତୀ ନାରୀଙ୍କ ଇଜ୍ଜତ ନଷ୍ଟ କରିବା ଚେଷ୍ଟାରେ ଧରା ପଡୁଛନ୍ତି, ପାହାର ଖାଉଛନ୍ତି, କେତେଜଣ ବା କୃତକାର୍ଯ୍ୟ ହେଉଥିବେ କିଏ ଜାଣେ ! ଏ ବିଳାସିତାର ପରମ ପୂର୍ଣ୍ଣାଙ୍ଗ ସ୍ବରୂପ ମଟରଗାଡି ଅନେକ କାମ ଦେଖାଉଛି । ବିଶ୍ବସ୍ତସୂତ୍ରରୁ ସମ୍ବାଦ ମିଳିଛି କେତେକ କୁଳବଧୂଙ୍କୁ ଚିଲାମାରି ଆଣି ମଟରଗାଡିରେ ରସିକ ଯୁବକଦଳ ପୁରୀଠାରୁ ସତ୍ୟବାଦୀ ଏବଂ କେହି କେହି ପିପିଲି ପର୍ଯ୍ୟନ୍ତ ପ୍ରମୋଦ ଯାତ୍ରା କରିଛନ୍ତି ।

ଏକେ ଦରିଦ୍ରଦେଶ, ସେଥିରେ ପୁଣି ବିଦ୍ୟା ଜ୍ଞାନ ଶାସ୍ତ୍ରର ସେପରି ଚର୍ଚ୍ଚା ନାହିଁ । ସର୍ବୋପରି ବିଳାସିତାର ପରିଣାମରେ ଏ ଚରିତ୍ରହୀନତା । ପୁରୀର ଗତି କେଉଁ ଆଡେ ? ଯେଉଁ ପୁରୀକୁ ପୁଣ୍ୟ ନୀଳାଚଳ ଧାମ କହି ଓଡିଶା ବାସୀ ଅନ୍ୟମାନଙ୍କ ନିକଟରେ ଆପଣାର ଭାଗ୍ୟବିଭବ ଦେଖାଇଥାଏ ସେ ପୁରୀ ଆଜି ଇନ୍ଦ୍ରିୟଭୋଗ ଫଳରେ ଘୋର ନରକ ହେବାକୁ ବସିଲାଣି । ଜଗନ୍ନାଥ କି ଆଉ ଏ ଦେଶରେ ଅଛନ୍ତି ? ଏପରି ଜଘନ୍ୟ କଦର୍ଯ୍ୟ ଅପବିତ୍ର ବାୟୁମଣ୍ଡଳରେ ପ୍ରଭୁ ରହିପାରନ୍ତି ନାହିଁ । ବାସ୍ତବରେ ଜଗନ୍ନାଥ ଏ ଦେଶରେ ଥିଲେ ଉତ୍କଳ ଆଜି ଏତେ ଦୁଃଖ ଦୁର୍ଗତି ଭୋଗୁଥାନ୍ତା କି ? ଯାତ୍ରାର ପୁଣି ଦିନକୁ ଦିନ ଅଂଶ ବୃଦ୍ଧି ହେୁଛି । ପୁରୀ ଚନ୍ଦନ ଯାତ୍ରାର ମ୍ୟାନେଜର ଓଖିଚାନ୍ଦଙ୍କ ଅମଳରୁ ବାଣ ଭୋଟେ ନୂଆ ଭିଆଣ ହୋଇଛି । ମ୍ୟାନେଜରଙ୍କ ବାହାଦୂରୀ ଦେଖାଇବା ଛଡା ଏଥିରେ କି ଧାର୍ମିକତା ଅଛି କେଜାଣି ? ଥରେ ଯେତେବେଳେ ଭିଆଣ ହେଲା ତେଣିକି ଗତାନୁଗତିକ ରୀତିରେ ଚାଲିଲା । ପୁରୀ ଦେଖାଦେଖି ସତ୍ୟବାଦୀରେ ଏବେ ଦୁଇ ତିନି ବର୍ଷ ହେଲା ବାଣର ସୃଷ୍ଟି ହୋଇଛି । ଆମ୍ଭ ମାନଙ୍କର ଯାତ୍ରା ଉତ୍ସବରେ ଯେ ସବୁ ଆଡମ୍ବର ଆୟୋଜନ ପୂର୍ବରୁ ରହିଛି ସେଥିରେ ଅନେକ ସଂସ୍କାର ଆବଶ୍ୟକ- ତା ଉପରେ ପୁଣି ନୂତନ ଉପସର୍ଗ କାହିଁକି ?

ପୁରୀରୁ କ୍ରମେ ମଉଜ ଜିଲ୍ଲାର ମଫସଲକୁ ବ୍ୟାପିବାର ଦେଖାଦେଉଛି । ଅବଶ୍ୟ ବହୁକାଳରୁ ପ୍ରତ୍ୟେକ ଗ୍ରାମରେ ପ୍ରତ୍ୟେକ ଶାସନରେ ଚନ୍ଦନଯାତ୍ରାର ବ୍ୟବସ୍ଥା ଅଛି । ସେଥିରେ ଗ୍ରାମବାସୀଙ୍କର ଶାନ୍ତି ସରଳତା ପ୍ରକାଶ ପାଉଥିଲା । ଆଜିକାଲି ଗ୍ରାମ ଲୋକଙ୍କର ଦରିଦ୍ରତା ହେତୁ ଏ ଯାତ୍ରା ସେପରି ଉତ୍ସାହ ଆଗ୍ରହ ସହକାରେ ଅନେକ ସ୍ଥାନରେ ହେଉ ନାହିଁ । କିନ୍ତୁ ମଫସଲରେ ଠାଏ ଠାଏ ଯେସବୁ ବାବୁଭାୟା କ୍ଷମତାଶାଳୀ ବଡଲୋକ ଅଛନ୍ତି ସେମାନଙ୍କ ମଉଜ ମାତ୍ରା ବଢୁଛି । ଆଖଡା, ନାଚ, ବାଣ ସାଙ୍ଗରେ କୌଣସି କୌଣସି ଠାରେ ଛେଳିକଟା ପର୍ଯ୍ୟନ୍ତ ମାମଲତ ଗଲାଣି । ଏ ଦେଶକୁ କ୍ରମେ କି ନୃଶଂସତା, ତାମସିକତା, ଜଡତା ଗ୍ରାସ କରୁଛି ? ସମାଜର କି ଶକ୍ତି ନାହିଁ ? ଏ ସ୍ରୋତ ପ୍ରତିରୋଧର କି ଚେଷ୍ଟା ହେବ ନାହିଁ ? ଏ ଦେଶ କି ସତ୍ୟ ସତ୍ୟ ରସାତଳକୁ ଯିବ ? ପୁରୀର ବ୍ରାହ୍ମଣ ପଣ୍ଡିତଗଣ, ମଠଧାରୀ ସନ୍ଥ ମହନ୍ତଗଣ, ଜଗନ୍ନାଥଙ୍କ ସେବକ ସମାଜ ଏବଂ ସ୍ଥାନୀୟ ଶିକ୍ଷିତ ସମାଜ, ଆପଣମାନେ କି ଏ ଅବସ୍ଥା ଦେଖୁନାହାନ୍ତି ? ଏଥିରେ ପ୍ରତିକାର ଲାଗି କି କିଛି କର୍ତ୍ତବ୍ୟ ନାହିଁ ? ଦେଶର ଚାରିଆଡେ ଆଜି ନାନାପ୍ରକାର ଜାତୀୟ ଆନ୍ଦୋଳନ ଲାଗିଛି । କେତେ ପ୍ରକାରର ସମାଜ ସଂସ୍କାରର ଉଦ୍ୟମ ଚାଲିଛି । କେତେ ଲୋକ ଅର୍ଥ ଦେଉଛନ୍ତି । କେତେ ନିଜର ବିଦ୍ୟାବୁଦ୍ଧି ଖଟାଉଛନ୍ତି । ସେ ସବୁ ପ୍ରଦେଶ କ୍ରମେ ଉଠୁଛି ।

ଓଡିଶା ନ ଉଠିଲା ବୋଲି ଯେ ଆମ୍ଭେମାନେ ଅନେକ ସମୟରେ ଦୁଃଖ କରେଇଁ ଏ ଅବସ୍ଥା ଦେଖିଲେ ସେ ଦୁଃଖର କିଛି ଅର୍ଥ ଅଛି କି? ମହାତ୍ମା ଗାନ୍ଧୀ ଆସିଲେ । ଜଗତର ସର୍ବଶ୍ରେଷ୍ଠ ଧର୍ମ ଓ ରାଜନୀତି କ୍ଷେତ୍ରରେ ପୂଣ୍ୟାତ୍ମା ପୁରୁଷ, ଦେଶ ମହାଦେଶରେ ଲୋକେ ଯାହାଙ୍କର ଦର୍ଶନ ଲୋଡୁଛନ୍ତି : ଘଣ୍ଟାଏ ବସିଲା ପରେ ତାଙ୍କ ସଭାରେ କେତେକ ଲୋକ ଆସି ପହଞ୍ଚିଲେ । କେହି ସୁଦ୍ଧା ତାଙ୍କ ସମ୍ମାନ ରକ୍ଷା ଲାଗି ଦେଶ ନିମନ୍ତେ କଡାଏ ଦାନ କରିବାକୁ ବାହାରିଲେ ନାହିଁ । ସାଇମନ କମିଶନ ଲାଗି ଦେଶର ଚାରିଆଡେ ହରତାଳ ହେଲା, ସଭାସମିତି ହେଲା, ତୀବ୍ର ପ୍ରତିବାଦ ହେଲା, ପୁରୀରେ 5 ଜଣ ପର୍ଯ୍ୟନ୍ତ ଏକାଠି ହୋଇ ପାରିଲେ ନାହିଁ । କିନ୍ତୁ ମଉଜ ମଜଲିସ୍‌ ବେଳକୁ ତ ଏ ଉଦାସୀନତା ନାହିଁ ? ସେଥିରେ ପଇସା ଖର୍ଚ୍ଚ ଲାଗି ତ କେହି କୁଣ୍ଠିତ ନୁହେଁ ? ଧର୍ମ ନାମରେ ଯେ ସବୁ ବ୍ୟସନ ବିଳାସିତା ସମାଜରେ ଚାଲିଛି ଏବଂ ଦିନକୁ ଦିନ କ୍ରମେ ଉତ୍କଟ ହେଉଛି ସେ ସବୁର ଲୋପ ନ ହେବାଯାଏ ସତ୍ୟଧର୍ମ ପ୍ରକାଶ ପାଇବ ନାହିଁ ଏବଂ ଏ ଜାତି କେବେ ଜାଗିବ ନାହିଁ । ସମଗ୍ର ଉତ୍କଳର ଏବେ ପୁରୀ ଉପରେ ଦୃଷ୍ଟିଦେବା ଆବଶ୍ୟକ । ପୁରୀ ଉତ୍କଳର ବିଭବ: ଯଥାର୍ଥରେ ପୁରୀରେ ଯେ ସାମ୍ୟ, ମୈତ୍ରୀ ନୀତି ନିହିତ ରହିଛି, ତହିଁରେ ପରିଣାମରେ ଏକା ପୁରୀ ନୁହେଁ ସମଗ୍ର ଉତ୍କଳର ସର୍ବନାଶ । ଉତ୍କଳବାସୀ ସାବଧାନ, ପୁରୀକି ସଂଶୋଧିତ କର, ଜାଗ୍ରତ କର, ଜୀବନ୍ତ ପୁଣ୍ୟ ଧର୍ମପୀଠ କର । ଏଥିରେ ହିଁ ଉତ୍କଳର ଉଦ୍ଧାର : ନ ହେଲେ ପୁରୀ ପ୍ରଭାବରେ ସମସ୍ତେ ରସାତଳକୁ ଯିବେ ।

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ….

November 18, 2025

‘ମିଶନ ପାୱାର’ ଅଧିନରେ ୨୦୨୭ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗ୍ରାମକୁ ସବୁ ଦିନିଆ ରାସ୍ତା, ବିଦ୍ୟୁତ ଓ ପାନୀୟ ଜଳ

November 18, 2025

ଦିଲ୍ଲୀ ବିସ୍ଫୋରଣ ମାମଲାରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଅଲ୍ ଫଲାହ ଟ୍ରଷ୍ଟ ସହିତ ଜଡିତ ୨୪ ଟି ସ୍ଥାନରେ ଚଢାଉ

November 18, 2025

Flight Fare Hike Case: ବିମାନ ଟିକେଟ ବୃଦ୍ଧି ନେଇ ସରକାରଙ୍କୁ ନୋଟିସ କଲେ ସୁପ୍ରିମକୋର୍ଟ

November 18, 2025
Latest News

ଏସିଆ କପ୍ ସେମିଫାଇନାଲ୍‌ରେ ପହଞ୍ଚିଲା ଭାରତ: ଓମାନକୁ ୬ ୱିକେଟ୍‌ରେ ପରାସ୍ତ କଲା ଟିମ ଇଣ୍ଡିଆ

November 19, 2025

ନଭେମ୍ବର ୧୯ ତାରିଖ ବୁଧବାର: ଆଜିର ରାଶିଫଳରେ ପଢନ୍ତୁ କେମିତି କଟିବ ଆପଣଙ୍କର ଦିନ

November 19, 2025

ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ….

November 18, 2025

ଦ୍ୱିତୀୟ ଟେଷ୍ଟରେ ଖେଳିବେ ନାହିଁ ଗିଲ ଏବଂ କୁଲଦୀପ?: ଜାଣନ୍ତୁ ଗୌହାଟିରେ ଭାରତର ପ୍ଲେଇଂ ଇଲେଭେନ

November 18, 2025

ବିହାର ନିର୍ବାଚନରେ ୩୧ଟି ଆସନରେ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଫଳାଫଳ ଥିଲା ଆଶ୍ଚର୍ଯ୍ୟଜନକ

November 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.