Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସରକାର ଓ କ୍ଷମତା କେନ୍ଦ୍ରକୁ ପ୍ରଶ୍ନ ପଚାରିବାକୁ ଓଡିଆ ଗଣମାଧ୍ୟମର ଏତେ ଡର କାହିଁକି??
ବିଶେଷ ଖବର

ସରକାର ଓ କ୍ଷମତା କେନ୍ଦ୍ରକୁ ପ୍ରଶ୍ନ ପଚାରିବାକୁ ଓଡିଆ ଗଣମାଧ୍ୟମର ଏତେ ଡର କାହିଁକି??

October 18, 2019No Comments7 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ

ଓଡିଶା କ’ଣ ସତରେ ଭାରତଠାରୁ ଅଲଗା ହୋଇ ନିଜର ସ୍ବାଧୀନତା ଘୋଷଣା କରିସାରିଛି ? ଓଡିଶାର ଗଣମାଧ୍ୟମର ବ୍ୟବହାରକୁ ଯିଏ ଲକ୍ଷ୍ୟ କରୁଥିବ ତାକୁ ତ ତାହା ହିଁ ମନେହେବା ଉଚିତ୍ । ଏ ପ୍ରଶ୍ନ ହୁଏତ ଅନେକଙ୍କୁ ଅବାନ୍ତର ମନେ ହୋଇପାରେ । ମାତ୍ର ଏମିତି ଭାବିବାର ଅନେକ କାରଣ ରହିଛି । ନିମ୍ନରେ ତାହାର ତିନୋଟି ପ୍ରମୁଖ ଉଦାହରଣ ଦେଉଛି ।

ଅନ୍ୟ କେତେଗୁଡିଏ ରାଜ୍ୟ ଭଳି ଓଡିଶାରେ ବି ଚିଟଫଣ୍ଡ ଦୁର୍ନୀତିର ପର୍ଦ୍ଦାଫାଶ ହେବାକୁ ପ୍ରାୟ ୧ ଦଶନ୍ଧି ହୋଇଗଲାଣି । ଏ ପର୍ଯ୍ୟନ୍ତ କୌଣସି ଜମାକାରୀ ତାଙ୍କର ବୁଡି ଯାଇଥିବା ଜମାଟଙ୍କା ଫେରି ପାଇନାହାନ୍ତି । ଯଦିଓ ତିନୋଟିଯାକ ମୂଖ୍ୟ ରାଜନୈତିକ ଦଳର ବିଭିନ୍ନ ନେତା ଏହି ଠକେଇରୁ ଲାଭାନ୍ବିତ ହୋଇଛନ୍ତି ଏବଂ ପୃଷ୍ଠପୋଷକତା ଯୋଗାଇଛନ୍ତି ବୋଲି ବିଭିନ୍ନ ସମୟରେ ଗିରଫ ହେଉଥିବା ନେତାମାନଙ୍କ ତାଲିକାରୁ ଜଣାପଡେ, ଏବଂ ଯଦିଓ ଏହାର ତଦନ୍ତର ଗତି ଓ ମୋଡ ବିଜେଡି ଓ ବିଜେପି ମଧ୍ୟରେ ରହୁଥିବା ବିଭିନ୍ନ ସମୟର ସମୀକରଣ ଓ ପେଞ୍ଚ ଦ୍ବାରା ପ୍ରଭାବିତ ହେଉଛି , ତଥାପି ଯେହେତୁ ଏହି ବୄହତ ଠକେଇର ଆରମ୍ଭରୁ ଏ ପର୍ଯ୍ୟନ୍ତ ରାଜ୍ୟ ଶାସନରେ ବିଜେଡି ରହିଛି , ତେଣୁ ଗଣମାଧ୍ୟମରେ ଏଥିପାଇଁ ମୁଖ୍ୟତଃ ଶାସକ ଦଳକୁ ଦାୟୀ କରି ଆଲୋଚନା ଓ ସମାଲୋଚନା କରାଯିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଠକେଇର ଶିକାର ହୋଇଥିବା ଲକ୍ଷାଧିକ ଜମାକାରୀଙ୍କ ନ୍ୟାର୍ଯ୍ୟଦାବୀକୁ ଉଠାଇବାରେ ଦୀର୍ଘ ବର୍ଷ ଧରି ଓଡିଶାର ଗଣମାଧ୍ୟମ ସୀମା ଟପିନାହିଁ ବୋଲି କୁହାଯିବ ।

କିନ୍ତୁ ଏହି ଘୋଟାଲା ସହ ପ୍ରାୟ ସମାନ ଧରଣର ଆଉ ଏକ ଘୋଟାଲା ଉପରେ ନଜର ପକାନ୍ତୁ ।

ଯେତେବେଳେ ‘ପଞ୍ଜାବ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ’ର ନିରୀହ ଖାତାଧାରକମାନେ ଜମା କରିଥିବା ପ୍ରାୟ ୧୧୦୦୦ କୋଟୀ ଟଙ୍କାକୁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଜବତ କରୁଛି ଓ ସେହି ଖାତାଧାରକମାନେ ବ୍ୟାଙ୍କ ଆଗରେ ଲୁହ ଗଡାଇ କାନ୍ଦୁ ଥିବାର ଦୄଶ୍ୟ ଅନେକ ଜାତୀୟ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି, ସେତେବେଳେ ଏହି ଖବର ପ୍ରତି ଓଡିଶାର ଅଧିକାଂଶ ଗଣମାଧ୍ୟମର ଉପେକ୍ଷାର କାରଣକୁ ବୁଝାଇବାକୁ ଯାଇ ଯଦି କେହି କୁହେ ଯେ ବିଜେପି ଶାସିତ ରାଜ୍ୟଗୁଡିକର କୁଶାସନକୁ ଓଡିଶାରେ ଲୁଚାଇବା ପାଇଁ ବିଭିନ୍ନ ଗଣମାଧ୍ୟମ ସଂସ୍ଥାମାନଙ୍କ ମଧ୍ୟରେ ଏକ ଅଲ୍ଲିଖିତ ଚୁକ୍ତି ହୋଇ ସାରିଛି, ତେବେ ତାହାକୁ ଏଡାଇ ଦେବା ସହଜ ହେବ ନାହିଁ । ଓଡିଶାରେ ଯେଉଁମାନେ ସୀଧାସଳଖ ଲୋକଙ୍କର ଟଙ୍କା ନେଇ ଚାଲି ଯାଇଛନ୍ତି ସେମାନେ ସରକାର ନୁହନ୍ତି। ମାତ୍ର ଅନ୍ୟ ପକ୍ଷରେ ଖୋଦ ମହାରାଷ୍ଟ୍ର ସରକାରଙ୍କ ସମ୍ୟକ ନିୟନ୍ତ୍ରଣରେ ଚାଲିଥିବା ସମବାୟ ବ୍ୟାଙ୍କ ଲୋକଙ୍କର ଟଙ୍କା ବୁଡାଇଛି । ରିଜର୍ଭବ୍ୟାଙ୍କ ବ୍ୟତୀତ ମହାରାଷ୍ଟ୍ର ସରକାରଙ୍କ ଅଧୀନସ୍ଥ ‘ରେଜିଷ୍ଟ୍ରାର ଅଫ୍ କୋପରେଟିଭ୍ ସୋସାଇଟି’ ମଧ୍ୟ ଏହି ବ୍ୟାଙ୍କର ଅନ୍ୟତମ ଅଡିଟର ଅଛନ୍ତି ।

ଅବଶ୍ୟ ମହାରାଷ୍ଟ୍ର ଓଡିଶାଠାରୁ ହଜାର କିଲୋମିଟରରୁ ଅଧିକ ଦୁରରେ ଅବସ୍ଥିତ । ସେଠାରେ ରାଜ୍ୟ ଶାସନରେ ଥିବା ଏକ ଜାତୀୟ ଦଳ ଓଡିଶାରେ ମଧ୍ୟ ମାତ୍ର କିଛି ମାସ ପୁର୍ବେ ଶାସନକୁ ଆସିବାର ଏକପ୍ରକାର ସମ୍ଭାବନା ରହିଥିଲା ବୋଲି ଏକ ଧାରଣା ସୄଷ୍ଟି ହୋଇଥିଲା । ଏପରି ଏକ ପ୍ରମୂଖ ରାଜନୈତିକ ଦଳର ଶାସନ ପ୍ରଣାଳୀର ନମୁନା ବିଷୟରେ ଓଡିଶାର ଜନସାଧାରଣ ଜାଣିବାର ନିଶ୍ଚିତ ହକ୍ ଅଛି । କିନ୍ତୁ ଓଡିଶାରେ ଯଦି ବି କୌଣସି ଟେଲିଭିଜନ ଚାନେଲ ସେ ବିଷୟରେ ମୁହଁ ଖୋଲିଛନ୍ତି ତାହାକୁ କେବଳ ଏକ ସାଧାରଣ ତାତ୍ପର୍ଯ୍ୟହୀନ ଖବର ଭଳି ଦେଖାଇଛନ୍ତି । ଓଡିଶାରେ ପ୍ରାୟ ପ୍ରତ୍ୟେକଟି ଗଣମାଧ୍ୟମର ହାତପାହାନ୍ତାରେ ବିଜେପିର ଡଜନପ୍ରାୟ ପ୍ରବକ୍ତା ରହିଛନ୍ତି । ଥରୁଟିଏ ତ ସେମାନଙ୍କୁ ପ୍ରଶ୍ନ କରାଯାଇ ପାରନ୍ତା ଯେ ଆପଣଙ୍କ ଦଳ ଦ୍ବାରା ଶାସିତ ମହାରାଷ୍ଟ୍ରରେ ଯଦି ଏପରି ହୋଇପାରୁଛି ତେବେ ଓଡିଶାରେ ଆପଣଙ୍କ ଦଳ କ୍ଷମତାକୁ ଆସିଲେ ଲୋକଙ୍କର ଟଙ୍କା କେମିତି ସୁରକ୍ଷିତ ରହିବ ?

ସେହି ସମବାୟ ବ୍ୟାଙ୍କରେ ଥିବା ୧୧ଜଣ ନିର୍ଦ୍ଦେଶକଙ୍କର ବିଜେପି ଦଳ ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଘନିଷ୍ଠତାକୁ ଦଳ ପାଇଁ ଅସ୍ବୀକାର କରିବା କଷ୍ଟକର ହେଉଛି । ଏପରିକି ଯଦି ଏହି ଘଟଣାରୁ ରାଜନୀତିକୁ ବାଦ ଦିଆଯିବ, ତଥାପି ମଧ୍ୟ ଏପରି ଭାବେ ସରକାରୀ ସଂସ୍ଥାରେ ସାଧାରଣ ଲୋକଙ୍କର ଟଙ୍କା ବୁଡିବା ଏକ ଗୁରୁତ୍ବପୂର୍ଣ ଓ ବିରଳ ଘଟଣା । ଏପର୍ଯ୍ୟନ୍ତ ଏହି ବ୍ୟାଙ୍କର ଖାତାଧାରକମାନଙ୍କ ମଧ୍ୟରୁ ତିନି ଜଣଙ୍କର ହୄଦଘାତ ଜନିତ ପ୍ରାଣହାନୀ ହେଲାଣି ।

ଏବେ ଆଉ ଗୋଟିଏ ଉଦାହରଣ ବିଚାରକୁ ନିଅନ୍ତୁ । ଗତ ନିର୍ବାଚନ ପୁର୍ବରୁ ଭୋଟ ପାଇବା ପାଇଁ, ଶାସନରେ ଥିବା ବିଜେଡି ସରକାର କୄଷକମାନଙ୍କୁ ନିର୍ଦ୍ଦିଷ୍ଟ ବ୍ୟବଧାନରେ ନଗଦ ଟଙ୍କା ଦେବାର ଯୋଜନା ଆରମ୍ଭ କରିଥିଲେ । ଓଡିଶା ସରକାରଙ୍କର ଏହି ଯୋଜନାଟି ଥିଲା କାଳିଆ ଯୋଜନା । ସେହି ସମୟରେ କେନ୍ଦ୍ର ସରକାର ଆରମ୍ଭ କରିଥିବା ଏହିଭଳି ଯୋଜନାଟିକୁ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା’ କୁହାଗଲା । ଠିକ୍ ନିର୍ବାଚନ ପୁର୍ବରୁ ଏଭଳି ଯୋଜନା ମାଧ୍ୟମରେ ଭୋଟରଙ୍କୁ ଟଙ୍କା ଦେଇ ପ୍ରଲୋଭିତ କରିବାରେ ଉଭୟ ଦଳ କୌଣସି ନୈତିକତା ଜନିତ ଅସୁବିଧାର ସମ୍ମୂଖୀନ ହୋଇନଥିଲେ । କିନ୍ତୁ ଅସୁବିଧା ସେତିକିବେଳେ ଆସିଲା, ଯେତେବେଳେ ନିର୍ବାଚନ ସରିଲା ଓ ବିଜେଡି ପୁଣିଥରେ ଶାସନ ଗଦିରେ ବସିଲା । ସେତିକିବେଳେ ଯାଇ ଓଡିଶା ସରକାରଙ୍କୁ ଦେଖାଗଲା ଯେ ଲକ୍ଷ ଲକ୍ଷ ଲୋକ ବେନିୟମ ଭାବେ ଏଥିରୁ ଟଙ୍କା ପାଇଛନ୍ତି । ସେମାନଙ୍କୁ ଏବେ ପରବର୍ତ୍ତି କିସ୍ତିରୁ ବାଦ ଦିଆଯାଇଛି । କେବଳ ଭୋଟ ପାଇବା ପାଇଁ ବିଜେଡି ସରକାର ଅବିଚାରିତ ଭାବରେ ଜାଣିଶୁଣି ଏମିତି ରାଜକୋଷରୁ ଟଙ୍କା ଉଡାଇଥିଲା ବୋଲି ଓଡିଶା ଗଣମାଧ୍ୟମରେ ପ୍ରମୂଖତାର ସହ ଆଲୋଚନା ଓ ସମାଲୋଚନା ହୋଇଛି । ବିଜେଡି ସରକାର ବିରୁଦ୍ଧରେ ଅଭିଯୋଗ ହୋଇଛି ଯେ ସେମାନେ ଓଡିଶାରେ ବିଜେପିକୁ ଫାଇଦା ନ ଦେବା ପାଇଁ ବିଭିନ୍ନ ବାହାନା ଦେଖାଇ ପ୍ରଧାନମନ୍ତ୍ରୀଙ୍କ ଯୋଜନା କାର୍ଯ୍ୟକାରୀ କରାଇ ଦେଇ ନାହାନ୍ତି ।

ଅନ୍ୟପକ୍ଷରେ ଆଜି ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା’ କେଉଁ ଅବସ୍ଥାରେ ଅଛି ? ସେ ବିଷୟରେ ଓଡିଶା ଗଣମାଧ୍ୟମରେ ବିଲକୁଲ ଚର୍ଚ୍ଚା ନାହିଁ କହିଲେ ଚଳେ ।

ଗତ ଡିସେମ୍ବର ପ୍ରଥମ ସପ୍ତାହରେ ଯେତେବେଳେ କେନ୍ଦ୍ର ସରକାରଙ୍କର ଏହି ଯୋଜନାରେ ପ୍ରଥମ କିସ୍ତିର ଟଙ୍କା ଦିଆଗଲା ସେତେବେଳେ କୁହା ଯାଇଥିଲା ଯେ ଏଥିରେ ୬ କୋଟୀ ୭୬ ଲକ୍ଷ ୪୮ ହଜାର ୪୮୫ ଜଣ ଲାଭାର୍ଥୀଙ୍କୁ ଟଙ୍କା ମିଳିଛି । ଦ୍ବିତୀୟ କିସ୍ତିର ଟଙ୍କା ବଣ୍ଟା ହେବା ବେଳକୁ ଦେଖାଗଲା ଯେ ଏହି ଲାଭାର୍ଥିଙ୍କ ସଂଖ୍ୟା ପ୍ରାୟ ଏକ କୋଟୀ କମିଗଲା । ତୄତୀୟ କିସ୍ତି ବାଣ୍ଟିବା ବେଳକୁ ଖୋଦ ସରକାରଙ୍କ ଓ୍ବେବସାଇଟ୍ www.pmkisan.gov.in ଅନୁସାରେ ଏହି ଲାଭାର୍ଥୀଙ୍କ ସଖ୍ୟା ମାତ୍ର ୧ କୋଟୀ ୭୪ ଲକ୍ଷ ୨୦ ହଜାର ୨୩୦ରେ ପହଞ୍ଚି ଯାଇଛି । ଅର୍ଥାତ୍ ଯେମିତି ନିର୍ବାଚନ ସରିଗଲା ପ୍ରାୟ ୫ କୋଟିରୁ ଉର୍ଦ୍ଧ୍ବ କୄଷକ ଆଉ କୄଷକ ନୁହନ୍ତି ବୋଲି ସରକାର ଆଧାର କାର୍ଡ ଯାଞ୍ଚରୁ ଜାଣିଲେ । ତେଣୁ ହିସାବ କଲେ ଦେଖାଯିବ ଯେ ପ୍ରାୟ ୧୩୦୦୦ କୋଟୀ ଟଙ୍କା ଭୁଲ ଲୋକଙ୍କୁ ଦିଆ ଯାଇଛି । ତଥାପି ଯଦି ଏହାକୁ ଏକ ଘୋଟାଲା କୁହାଯିବ ନାହିଁ, ତେବେ ଏକଥା ତ କୁହା ଯାଇ ପାରିବ ଯେ କୄଷକଙ୍କର ଆର୍ଥିକ ଅବସ୍ଥାର ଉନ୍ନତି ନାଁରେ କେନ୍ଦ୍ର ସରକାର ମଧ୍ୟ ଏକ ନିଚ୍ଚ ଭୋଟ ରାଜନୀତିରେ ଟିକସଦାତାଙ୍କ ଟଙ୍କା ଉଡାଇ ଥିଲେ ।

ସେହି ୧୩ ହଜାର କୋଟୀ ଟଙ୍କାରେ ଓଡିଶାର ଟିକସଦାତାଙ୍କର ବି ଟଙ୍କା ଥିଲା ବୋଲି ଓଡିଶା ଗଣମାଧ୍ୟମ ବୁଝିବାରେ କୌଣସି ଅସୁବିଧା ରହିବା ଉଚିତ୍ ନୂହେଁ । ମନେ କରନ୍ତୁ ଗଣମାଧ୍ୟମରେ ଅନେକ ସମୟରେ ପ୍ରକାଶିତ ଦାବୀ ମୁତାବକ ଓଡିଶାରେ ବି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ଲାଗୁ ହୋଇଥାନ୍ତା ! କଥା କେବଳ ଏତିକି ନୂହେଁ ଯେ ଏହା ଦ୍ବାରା ଓଡିଶାର ଚାଷିମାନେ କ୍ଷତିଗ୍ରସ୍ତ ହୋଇନାହାନ୍ତି। ଏଠାରେ ମୂଖ୍ୟ କଥା ହେଉଛି ଯେ କୄଷକଙ୍କ ପ୍ରତି ଏହି ଦୁଇ ଦଳର ତଥାକଥିତ ଆନ୍ତରିକତା ନାହିଁ । ଏଥି ନେଇ ଉତ୍ତରଦାୟିତ୍ତ୍ବତାରୁ ବିଜେପିକୁ କେମିତି ବାଦ୍ ଦିଆଯାଇ ପାରିବ ? ଭୋଟ ପୂର୍ବରୁ ତ ସେହି ବିଜେପି ଦଳ ଦ୍ବାରା ଶାସିତ ରାଜ୍ୟମାନଙ୍କର ନେତାମାନେ ଓଡିଶାରେ ଭୋଟ ପ୍ରଚାର କରି ନିଜ ନିଜ ରାଜ୍ୟର ବିକାଶର ଗାଥା ଶୁଣାନ୍ତି ! ଗୋଟିଏ ରାଜନୈତିକ ଦଳ ରାଜ୍ୟ ସରକାରକୁ ସମାଲୋଚନା କରିବା ସମୟରେ ତାକୁ ଏକ ଆଞ୍ଚଳିକ ଦଳ ଭାବେ ଦେଖାଇବା ଏବଂ ପୁନଶ୍ଚ ସେହିଦଳକୁ ଉତ୍ତରଦାୟୀ କରିବା ପାଇଁ ଥିବା ସମସ୍ତ ପ୍ରଶ୍ନଗୁଡିକୁ ଓଡିଶା ରାଜନୈତିକ ସିଲାବସ ବହିର୍ଭୁତ ବୋଲି ମନେ କରିବା ଏକ ଅଦ୍ଭୁତ ଓ ଦୁର୍ବୋଧ୍ୟ ଯୁକ୍ତି । ଓଡିଶାର ଟିକସଦାତାମାନେ ଦେଉଥିବା ଟିକସରୁ ମଧ୍ୟ ସିଂହଭାଗ ବିଜେପି ନେତୄତ୍ତ୍ବାଧୀନ କେନ୍ଦ୍ର ସରକାର ନିଅନ୍ତି ଯେଉଁ ଟଙ୍କାକୁ ସେମାନେ ରାଜନୈତିକ ସ୍ବାର୍ଥ ପାଇଁ ଉଡାଇଛନ୍ତି !

ତେଣୁ କେନ୍ଦ୍ର ସରକାରଙ୍କୁ ଯଦି ରାଜ୍ୟର ଗଣମାଧ୍ୟମ ଟଙ୍କାର ହିସାବ ନ ମାଗିବେ, ଯଦି କେନ୍ଦ୍ର ସରକାର ଓ ସେହି ଦଳ ଶାସିତ ଅନ୍ୟ ରାଜ୍ୟ ସରକାରଙ୍କର ଶାସନ ମଡେଲ ବିଷୟରେ ଆଦୌ ପ୍ରଶ୍ନ ନ ପଚାରି ରାଜ୍ୟବାସୀଙ୍କୁ ସେମାନଙ୍କ ଶାସନର ଶୈଳୀ ବିଷୟରେ ଅନ୍ଧକାରରେ ରଖିବେ ତେବେ ଆଉ କିଏ ସେମାନଙ୍କୁ ପ୍ରଶ୍ନ ପଚାରିବ ?

ଚତୁର୍ଦ୍ଦଶ ଅର୍ଥ କମିଶନ ରିପୋର୍ଟ ଅନୁସାରେ କେନ୍ଦ୍ର ସରକାରଙ୍କ ଦ୍ବାରା ସଂଗୄହିତ ଟିକସରୁ ଯେତେବେଳେ ରାଜ୍ୟମାନଙ୍କୁ ୪୨% ମିଳିବାର ପ୍ରାବଧାନ ରଖାଗଲା ସେତେବେଳେ ସମସ୍ତେ ଏହାକୁ ସ୍ବାଗତ କରିଥିଲେ । ଅବଶ୍ୟ ଖୁବ୍ କମ ଲୋକ ଏକଥା ଜାଣିଥିଲେ ଯେ ସେଥି ସହିତ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ସରକାରଙ୍କର ନିଜର ଅନୁଦାନ ପାଣ୍ଠି ମଧ୍ୟ ବ୍ୟାପକ ଭାବେ କମାଇ ଦିଆଯାଇଥିଲା। ଦ୍ବିତୀୟରେ, ଟିକସ ଉପରେ ଲାଗୁ ହେଉଥିବା ସରଚାର୍ଜ ଓ ସେସ୍ ଏକ ସାମୟିକ ପଦକ୍ଷେପ ବୋଲି ଆଗରୁ ପରିକଳ୍ପିତ ହୋଇଥିଲେ ହେଁ, ବର୍ତ୍ତମାନର କେନ୍ଦ୍ର ସରକାର ସେସବୁକୁ ଏକ ସ୍ଥାୟୀ ଆୟର ପନ୍ଥା ରୁପେ ଚାଲୁ ରଖିଛି ଓ ସେଗୁଡିକର ସଂଖ୍ୟା ବି ବଢିଚାଲିଛି । ଆପଣ ଜାଣିଛନ୍ତି ଯେ ଟିକସ ଉପରେ ଲାଗୁ ହେଉଥିବା ସରଚାର୍ଜ ଓ ସେସରୁ ରାଜ୍ୟ ସରକାରଙ୍କୁ ଭାଗ ମିଳେ ନାହିଁ । ଯଦି ସେସବୁକୁ ମୁଳ ଟିକସ ସହ ଯୋଡି ହିସାବ କରାଯାଏ ତେବେ ରାଜ୍ୟ ସରକାରଙ୍କୁ ମୋଟ ସଂଗୄହିତ ଟିକସରୁ ପ୍ରକୄତରେ ୪୨% ନୂହେଁ, ବରଂ ପାଖାପାଖି ୩୨% ମିଳୁଛି ବୋଲି ଜଣାଯିବ । ତା’ ସହିତ ମାନ୍ଦାବସ୍ଥା ଯୋଗୁଁ କେନ୍ଦ୍ରୀୟ ଟିକସ ଆଦାୟ ଦ୍ରୁତ ଗତିରେ କମୁ ଥିବାରୁ ସେଥିରୁ ବି ରାଜ୍ୟ ସରକାରଙ୍କର ଭାଗ କମୁଛି । ଏବେ ବିଜେପି ସରକାର ପଞ୍ଚଦଶ ଅର୍ଥ କମିଶନ ଉପରେ ଚାପ ପକାଇ ଏମିତି ଏକ ଆର୍ଥିକ ଖସଡା ପ୍ରସ୍ତୁତ କରିବାକୁ କହୁଛି ଯଦ୍ବାରା କେନ୍ଦ୍ର ସରକାର ସଂଗୄହିତ ଟିକସରୁ ଆଗ ଏକ ନୂଆ କରି ଗଠିତ ‘ରାଷ୍ଟ୍ରୀୟ ସୁରକ୍ଷା ନିଧି’ ପାଇଁ ଟଙ୍କା କାଢି ସାରିବା ପରେ ଯାଇ ଅବଶିଷ୍ଟ ଟଙ୍କାରୁ ରାଜ୍ୟ ମାନଙ୍କୁ ସେମାନଙ୍କର ଭାଗ ଦିଆଯିବ। ଏହା ଦ୍ବାରା ରାଜ୍ୟର ଭାଗ ଆହୁରି କମିବ । ଜିଏସଟି ଆଦାୟ ଲଗାତର କମୁଥିବାରୁ ପୁର୍ବ ସର୍ତ୍ତ ଅନୁଯାୟୀ ସେଥିପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଯେଉଁ କ୍ଷତିପୁରଣ ଦେବା କଥା ତାହା ବି ମଳିବାରେ ବାକୀ ରହୁଛି ।

ଏସବୁ ଦୄଷ୍ଟିରୁ ଓଡିଶା ଭଳି ଏକ ଗରିବ ରାଜ୍ୟର ସରକାର ଆର୍ଥିକ ଦୄଷ୍ଟିରୁ ପଙ୍ଗୁ ହୋଇ ଯିବ । ଏହାର ପ୍ରତିଫଳନ ରାଜ୍ୟର ଗତ ବଜେଟରେ ବି ଦେଖିବାକୁ ମିଳିଛି । ଚଳିତ ବର୍ଷ ପାଇଁ ରାଜ୍ୟ ସରକାର ତାଙ୍କର ଆର୍ଥିକ ନିଅଣ୍ଟ ପରିମାଣ ଓ ରାଜ୍ୟ ଜିଡିପିରେ ୠଣ ଅଟକଳର ଶତକଡା ଅଂଶ ବଢେଇବେ ବୋଲି ଅଟକଳ ରଖିଛନ୍ତି । ଏପରି ପରିସ୍ଥିତିରେ ସରକାର ଖର୍ଚ୍ଚ କମାଇବା ପାଇଁ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ସାମାଜିକ କ୍ଷେତ୍ରର ବ୍ୟୟ ଆହୁରି କମେଇବେ ।

ମାତ୍ର ବିଡମ୍ବନାର କଥା ଏହି ଯେ, ଗତ ନିର୍ବାଚନର ପରବର୍ତ୍ତୀ ରାଜନୈତିକ ପରିସ୍ଥିତିରେ, ଏସବୁ ବିଷୟକୁ ନେଇ, ଗଣମାଧ୍ୟମ କଥା ଛାଡନ୍ତୁ, ଖୋଦ ରାଜ୍ୟ ସରକାରଙ୍କର ବି ଦାବୀ ଓ ପ୍ରତିବାଦର ସ୍ବର ଆଉ ପୁର୍ବ ଭଳି ଶୁଣିବାକୁ ମିଳୁ ନାହିଁ ।

ଏହା ଓଡିଶାରେ ଏକ ଅଦ୍ଭୁତ ପରିସ୍ଥିତି ସୄଷ୍ଟି କରୁଛି । କେନ୍ଦ୍ରରେ ଶାସନ କରୁଥିବା ଏବଂ ବିଜେପିର ନିଜ ସ୍ବୀକାର ଅନୁଯାୟୀ ପୄଥିବୀର ସର୍ବବୄହତ ସଂଖ୍ୟକ ସଭ୍ୟଥିବା ଓ ପୄଥିବୀର ସର୍ବବୄହତ ଆର୍ଥିକ ପାଣ୍ଠି ଥିବା ରାଜନୈତିକ ଦଳକୁ କେନ୍ଦ୍ର ସରକାରଙ୍କ ବିଷୟରେ କଠିନ ପ୍ରଶ୍ନ ଓ ପ୍ରତିପ୍ରଶ୍ନ ପଚାରିବା ଓଡିଶାରେ ମନା ।

ତେଣୁ ସ୍ବାଭାବିକ ପ୍ରଶ୍ନ ଉଠୁଛି ଯେ ଓଡିଶା କ’ଣ ନିଜକୁ ଏକ ସ୍ବାଧୀନ ରାଷ୍ଟ୍ର ବୋଲି ଘୋଷଣା କରିସାରିଛି, ଯେଉଁଠି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରିବା ଅର୍ଥ ତାହା ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୁରାଇବା ସହ ସମାନ ?

Share. Facebook Twitter LinkedIn Email WhatsApp Copy Link

Related Posts

ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ବହି

August 22, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି, ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ, ଆବେଦନର ଶେଷ ତାରିଖ..

August 21, 2025
Latest News

କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଗାଇଲେ ଆରଏସଏସ ସଙ୍ଗୀତ: କଂଗ୍ରେସକୁ କଟାକ୍ଷ କଲା ବିଜେପି

August 22, 2025

ସିବିଆଇ ହାତରେ ଧରାପଡିଲେ ରାଉରକେଲା ରେଲୱେ ପାର୍ସଲ କ୍ଲକ, ଜାଣନ୍ତୁ କାରଣ

August 22, 2025

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କିନଡ୍ରିଲର ସିଇଓ ତଥା ଚେୟାରମ୍ୟାନ ମାର୍ଟିନ ସ୍କ୍ରୋଏଟର

August 22, 2025

ସୁଲଭ ମୂଲ୍ୟର ବ୍ରଡବ୍ୟାଣ୍ଡ, ୟୁପିଆଇ ଏବଂ ଡିଜିଟାଲ ପ୍ରଶାସନ କ୍ଷେତ୍ରରେ ଭାରତର ପ୍ରଗତି

August 22, 2025

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ୧୯ତମ ସଂସ୍କରଣ ଆରମ୍ଭ

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.