ପିଆଜ କିଲୋ ସତୁରୀ, ପୋଟଳ କିଲୋ ଶହେ ଟଙ୍କା, ତ କଣ ହୋଇଗଲା ସେଇଠୁ, ଦେଶ ଠିକ ଚାଲିଛି!! 

Published: Nov 6, 2019, 8:52 am IST

କେଦାର ମିଶ୍ର 

ପିଆଜ କିଲୋ ସତୁରୀ ଟଙ୍କା, ପୋଟଳ କିଲୋ ଶହେ ଟଙ୍କା, ମଣିଷ ଚଳିବ କେମିତି- ବଜାରରୁ ଫେରି ଜଣେ ବନ୍ଧୁ ହତାଶ ହୋଇ ଏତକ କହିଲେ। ତାଙ୍କ କଥା ଶୁଣି ଆମର ମନେ ପଡିଗଲା, ଗତ ଦୁଇମାସ ତଳେ ପିଆଜ ଦର ଉପରେ ଗୋଟେ ଲେଖା ଲେଖି ଆମେ କେମିତି ସରକାରୀ ଭକ୍ତ ଓ ନରେନ୍ଦ୍ର ମୋଦୀଙ୍କ ବିଶାଳ ଟ୍ରୋଲ ବାହିନୀ ପାଖରୁ ଗାଳି ଖାଇଥିଲୁ। ଆମକୁ କୁହା ହୋଇଥିଲା- କଣ, କଂଗ୍ରେସ ବେଳେ ପିଆଜ ଦର ବଢୁ ନଥିଲା କି? କଂଗ୍ରେସ ବେଳେ ତମେ ସବୁ କେଉଁଠି ଶୋଇଥିଲ? ଆମର ସୈନିକ ସୀମାନ୍ତରେ ଗୁଳି ଖାଇ ମରୁଛନ୍ତି ଆଉ ତମେ ପିଆଜ କିଲୋ ସତୁରୀ ଟଙ୍କା ଦେଇ କିଣିପାରୁନ! ଭକ୍ତ ଓ ଟ୍ରୋଲ ମାନଙ୍କର ଏସବୁ ପ୍ରଶ୍ନ ବହୁ ପୁରୁଣା। ସେମାନେ ଜାଣନ୍ତି ନାହିଁ ଯେ ଦରଦାମ ବଢିଲେ, ଲୋକଙ୍କର ହା ହୁତାଶ କେମିତି ଆସେ। ଜଣେ ସାଧାରଣ ଶ୍ରମିକ ବା କୃଷକର  ଅଧା ଦିନର ମଜୁରି ଯଦି କିଲେ ପିଆଜରେ ସରିଯାଏ, ତାହେଲେ ସେ ବଞ୍ଚିବ କେମିତି- ଏ ପ୍ରକାର ସମ୍ବେଦନା ଆମ ସମୟରେ ଆଉ ଦେଖିବାକୁ ମିଳୁନାହିଁ।

କଂଗ୍ରେସ ସମୟରେ ଯେତେବେଳେ ବି ଦରଦାମ ବଢିଛି, ଲୋକେ ଉତ୍ତ୍ୟକ୍ତ ହୋଇଛନ୍ତି। ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ଏପରିକି ଆମର ସବୁଠୁ ଡରୁଆ ମୁମ୍ବାଇ ସିନେମାରେ ଦରଦାମ ବୃଦ୍ଧିକୁ ପ୍ରତିବାଦ କରି ଗୀତ ବି ଲେଖା ହୋଇଛି। ୧୯୭୪ ମସିହାରେ ମନୋଜ କୁମାରଙ୍କ ପ୍ରସିଦ୍ଧ ସିନେମା “ରୋଟି, କପଡା ଔର ମକାନ” ରେ ଦରଦାମ ବୃଦ୍ଧିକୁ ନେଇ ସେ ଲୋକପ୍ରିୟ ଗୀତଟି ଆଜି ବୋଧେ ଆଉ କେହି ଶୁଣୁନାହାନ୍ତି। ସେ ଗୀତରେ ବର୍ମା ମଲିକ ଲେଖିଥିଲେ- ଆଗରୁ ମୁଠାଏ ପଇସା ଦେଲେ ବ୍ୟାଗ ଭର୍ତ୍ତି ଚିନି ମିଳୁଥିଲା, ଏବେ ବ୍ୟାଗ ଭର୍ତ୍ତି ପଇସାରେ ମୁଠାଏ ଚିନି। ତୋତେ କାଇଁ ମରଣ ହେଉନି ଲୋ ମହଙ୍ଗା ମାଡ! ଚିନିରେ ଅଟାର ମିଶ୍ରଣ ଆମକୁ ମାରିଦେଉଛି। ପାଉଡର କ୍ଷୀରରୁ ଲହୁଣୀ ଆମକୁ ମାରିଦେଉଛି। ରାସନ ଦୋକାନର ଲାମ୍ବା ଧାଡି ଆମକୁ ମାରିଦେଉଛି। ଜନତାର ଚିତ୍କାର ଆମକୁ ମାରିଦେଉଛି। ବାକି କୁଛ ବଛା ତୋ ମେହେଙ୍ଗାଇ ମାର ଗଇ……… ଏଭଳି ଗୀତ ଆଜି ବଲିଉଡ ଲେଖିବାକୁ ଡରୁଛି କାହିଁକି?

ଖାଲି ୧୯୭୪ ନୁହେଁ, ୨୦୧୦ରେ ଅମିର ଖାଁଙ୍କ “ପିପିଲି ଲାଇଭ” ସିନେମା କଥା ମନେ ପକାନ୍ତୁ। ସେଥିରେ ରଘୁବୀର ଯାଦବ ଗାଉଥିବା ସେ ଲୋକଗୀତ- ସଖୀ,ସଇୟାଁ ତୋ ଖୁବ ହି କମାତ ହୈ, ମହଙ୍ଗାଇ ଡାୟନ ଖାୟେ ଜାତ ହୈ। ତେଣୁ ଯେଉଁମାନେ କଂଗ୍ରେସ ସମୟରେ ଦରଦାମ ବୃଦ୍ଧି କୁ ନେଇ ଲୋକ କେଉଁଠି ଶୋଇଥିଲେ ବୋଲି ପଚାରନ୍ତି, ସେମାନେ ଏ ସବୁ ଗୀତ ଆଜି ଆଉଥରେ ଶୁଣନ୍ତୁ। ଆମର ମନେ ଅଛି, ଅଶି ଦଶକରେ ଘରେ ଘରେ ଗୋଟେ ଓଡିଆ ଢଗ ଶୁଭୁଥିଲା- ଇନ୍ଦିରା ଗାନ୍ଧିର ବବୁରି ବାଳ- ମହଙ୍ଗା ହେଲା ନଡିଆ ତେଲ। ଦରବୃଦ୍ଧିକୁ ନେଇ ସାଧାରଣ ଜନତାର କ୍ଷୋଭ ଓ କ୍ରୋଧର ଏମିତି ବହୁ ଉଦାହରଣ ଆଗରୁ ରହିଛି। ହେଲେ ଆଜି ଦରବୃଦ୍ଧି ବିରୋଧରେ ପଦେ କହିବାକୁ ସାଧାରଣ ଜନତାର ଏତେ ଭୟ କାହିଁକି? ଲୋକଙ୍କ ଭିତରେ ପ୍ରତିବାଦ ମରିଯାଇଛି କାହିଁକି? ଦେଶର ସବୁ ପ୍ରସଙ୍ଗ ଓ ସଙ୍କଟକୁ ଆଜି କଂଗ୍ରେସ ବନାମ ବିଜେପି କରି ଭାଗ କରିଦିଆଯାଇଛି। ସରକାର ବିରୋଧରେ ଯେ କହିଲା ସେ କଂଗ୍ରେସର ଚାମଚା, ନଚେତ ଦେଶଦ୍ରୋହୀ। ତେଣୁ ଆଜି ଦରଦାମ ବଢିଲେ କାହାର କିଛି କହିବାର ନାହିଁ।

ଗତ ତିନିମାସ ଧରି ଅନିୟନ୍ତ୍ରିତ ଭାବରେ ପିଆଜ, ଡାଲି, ଖାଇବା ତେଲ ଇତ୍ୟାଦିର ଦର ବଢିଛି। ଏପଟେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ କହୁଛନ୍ତି, ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି। ଅର୍ଥନୀତିର ସାଧାରଣ ନିୟମ ହେଉଛି, ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି ମାନେ, ଦର ଦାମ ବଢିବା କଥା ନୁହଁ। ତାହେଲ ବଢୁଛି କେମିତି? ଏହାର ଉତ୍ତର ହେବ, ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାକୁ ଯାଇ ଚାଷୀକୁ ସରକାର ଉଚିତ ମୂଲ୍ୟ ଦେଉ ନାହାନ୍ତି। ଅପରପକ୍ଷେ ପିଆଜର ଦଲାଲି ଓ କଳାବଜାରକୁ ନିୟନ୍ତ୍ରଣ କରାଯାଉନି। ପିଆଜର ଆବଶ୍ୟକତା ତୁଳନାରେ ବଜାରରେ କମ ଉତ୍ପାଦନ ଥିବାରୁ ଏହାର ଲାଭ ବ୍ୟବସାୟୀ ଉଠାଉଛି। ଚାଷୀ ବେଚାରା ଯେଉଁ କ୍ଷତିରେ ଥିଲା, ସେଇ କ୍ଷତିରେ ଆଜି ମଧ୍ୟ ରହିଛି। ସରକାର ମାସମାସ ଧରି କଳାବଜାରୀଙ୍କ ପେଟ ପୋଷି ଚାଲିଛନ୍ତି। ଏକଥା କହିଲେ, ଭକ୍ତଙ୍କ ମୁଣ୍ଡରେ ପିତ୍ତ ଚଢିଯିବ। ଦେଶର ଅର୍ଥନୀତି ଏମିତି ଗୋଟେ ଭୟଙ୍କର ସ୍ଥିତିରେ ପହଞ୍ଚିଛି, ଯେଉଁଠି କେତେବେଳେ କିଛି ବି ଘଟିପାରେ।

ଆମ ସରକାର ଅର୍ଥନୀତିକୁ ମଧ୍ୟ ନିଜର ଟ୍ରୋଲ ଜରିଆରେ ଚଳାଇବାକୁ ଚାହୁଁଛନ୍ତି। ଯାହାର ପରିଣତି ସ୍ଵରୂପ ଆମର ସାମାଜିକ ଓ ଅର୍ଥନୈତିକ ଜୀବନ ଘୋର ସଙ୍କଟ ଆଡକୁ ଗତି କରୁଛି। ଆଗରୁ ପିଆଜ ଦର ଅତି ବେଶୀରେ ମାସେ ବଢୁଥିଲା ଓ ନୂଆ ପିଆଜ ବଜାରକୁ ଆସିବା ପରେ ଦର ନିୟନ୍ତ୍ରଣକୁ ଚାଲି ଆସୁଥିଲା। ପ୍ରାୟ ତିନିମାସ ଧରି ଚଢା ଦରରେ ପିଆଜ ବିକ୍ରି ହେବା ଓ ଏହାର ଲାଭ, ଚାଷୀଙ୍କୁ ନ ମିଳିବା, ମୋଦୀ ସରକାରର ଅପାରଗତାକୁ ସୂଚେଇ ଦେଉଛି। ହେଲେ ଏକଥା ଯିଏ କହିବ, ସେ ଦେଶଦ୍ରୋହୀ ବୋଲାଇବ କିମ୍ବା ପାକିସ୍ତାନ ପଳା ବୋଲି ନୋଟିସ ପାଇବ!!

ତେଣୁ ଆମେ କହୁଛୁ- ପିଆଜ  କିଲୋ ସତୁରୀ ଟଙ୍କା ହେଉ କି ପୋଟଳ କିଲୋ ଶହେ ଟଙ୍କା,  ତ କଣ ହୋଇଗଲା ସେଇଠୁ, ଦେଶ ଠିକ ଚାଲିଛି!!

Related posts