Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମାନ୍ୟବର ଜଷ୍ଟିସ ରଞ୍ଜନ ଗୋଗୋଇ କାଶ୍ମୀର ପରିଦର୍ଶନରେ ଯିବେ ନାହିଁ କି?? 
ବିଶେଷ ଖବର

ମାନ୍ୟବର ଜଷ୍ଟିସ ରଞ୍ଜନ ଗୋଗୋଇ କାଶ୍ମୀର ପରିଦର୍ଶନରେ ଯିବେ ନାହିଁ କି?? 

November 8, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମାନ୍ୟବର ଜଷ୍ଟିସ ରଞ୍ଜନ ଗୋଗୋଇ କାଶ୍ମୀର ପରିଦର୍ଶନରେ ଯିବେ ନାହିଁ କି?? 

କେଦାର ମିଶ୍ର 

ଗଣତନ୍ତ୍ରର ଶେଷ ଆଶା ହେଉଛି ବିଚାର ବିଭାଗ। ଗଣତନ୍ତ୍ରକୁ ଆଘାତ ଦେବାଲାଗି ଯଦି ବିଧାନପାଳିକା ଓ କାର୍ୟପାଳିକା ପ୍ରଚେଷ୍ଟା କରନ୍ତି, ସେଠି ନ୍ୟାୟପାଳିକା ଗଣତନ୍ତ୍ରକୁ ବଞ୍ଚାଇବାର ଗୁରୁ ଦାୟିତ୍ଵ ତୁଲାଇଥାନ୍ତି। ତେବେ ଅନେକ ସମୟରେ ଦେଖାଯାଇଛି, ନ୍ୟାୟପାଳିକା ଏହି ଦାୟିତ୍ଵ ତୁଲାଇବାକୁ ଜାଣିଶୁଣି ଉଦାସୀନ ରହିଛନ୍ତି। ତାହାର ଏକ ବଡ ଉଦାହରଣ ଆମେ ଦେଖିଛୁ  ଜରୁରୀ କାଳୀନ ପରିସ୍ଥିତିରେ ଏଡିଏମ ଜବଲପୁର ରାୟରେ। ୧୯୭୫ ମସିହା ଡିସେମ୍ବର ମାସରୁ ୧୯୭୬ ଫେବୃଆରୀ, ପ୍ରାୟ ୩୭ ଦିନର ମାରାଥନ ଶୁଣାଣୀ ପରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ରାୟ ଦେଇଥିଲେ ଯେ, ଜରୁରୀକାଳୀନ ପରିସ୍ଥିତିରେ ନାଗରିକର ମୌଳିକ ଅଧିକାର କ୍ଷୁଣ୍ଣ କରିବାର ଅଧିକାର ସରକାରର ରହିଛି। ଏହି ରାୟକୁ ଭାରତୀୟ ସୁପ୍ରିମ କୋର୍ଟର ଇତିହାସରେ ସବୁଠୁ କଳଙ୍କିତ ରାୟ ବୋଲି କୁହାଯାଇଥାଏ।

ନାଗରିକର ଅଧିକାର ବିରୋଧରେ ସରକାରକୁ ପ୍ରବଳ କ୍ଷମତା ଦେଇଥିବା ଏହି ରାୟକୁ ସେତେବେଳେ ଚାରିଜଣ ବିଚାରପତି ସମର୍ଥନ କରିଥିବା ବେଳେ ଏହା ବିପକ୍ଷରେ ଏକମାତ୍ର ମତ ରଖିଥିଲେ ଜଷ୍ଟିସ ହଂସରାଜ ଖାନ୍ନା। ସେଥିଲାଗି ଜଷ୍ଟିସ ଖାନ୍ନାଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଥିଲା। ତାଙ୍କୁ ଅପମାନିତ କରି ଇନ୍ଦିରା ଗାନ୍ଧି ସରକାର ଅନ୍ୟ ଜଣେ ଜୁନିଅର ବିଚାରପତିଙ୍କୁ ମୁଖ୍ୟ ବିଚାରପତି କରିଥିଲେ। ତେବେ ଇତିହାସରେ ଜଷ୍ଟିସ ଖାନ୍ନା ମହାନାୟକ ହୋଇ ରହିଗଲେ। କାରଣ ଏଡିଏମ ଜବଲପୁର ମାମଲାରେ ତାଙ୍କର ଭିନ୍ନ ରାୟ, ପରବର୍ତ୍ତୀ ସମୟରେ ମାନ୍ୟତା ପାଇଲା ଓ କୌଣସି ପରିସ୍ଥିତିରେ ମଧ୍ୟ ନାଗରିକର ମୌଳିକ ଅଧିକାର ବ୍ୟାହତ କରିବାର ଅଧିକାର ସରକାରଙ୍କ ପାଖରେ ନାହିଁ ବୋଲି ପରବର୍ତ୍ତୀ ସମୟରେ ସୁପ୍ରିମ କୋର୍ଟ ସ୍ପଷ୍ଟ ମତଦେଲେ।

ପ୍ରସିଦ୍ଧ ରାଇଟ ଟୁ ପ୍ରାଇଭେସି ମାମଲାରେ ମାନ୍ୟବର ସୁପ୍ରିମ କୋର୍ଟ ଅତି ସ୍ପଷ୍ଟ ଭାବରେ ଏଡିଏମ ଜବଲପୁର ରାୟକୁ ଖାରଜ କରିବା ସହିତ ଭାରତୀୟ ନାଗରିକ ର ମୌଳିକ ଅଧିକାର କେବେବି କୌଣସି ପରିସ୍ଥିତିରେ ବ୍ୟାହତ କରାଯାଇପାରିବ ନାହିଁ ବୋଲି କହିଲେ। ଏହି ରାୟରେ ଜଷ୍ଟିସ ଧନଞ୍ଜୟ ଚନ୍ଦ୍ରଚୂଡ ଯାହା କହିଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ- “ଏଡିଏମ ଜବଲପୁର ମାମଲାରେ ଚାରିଜଣ ଯାକ ବିଚାରପତି ଦେଇଥିବା ରାୟରେ ଅନେକ ତ୍ରୁଟି ରହିଛି। ବଞ୍ଚିବାର ଅଧିକାର ଓ ସ୍ଵାଧୀନତା ମଣିଷ ଅସ୍ତିତ୍ଵର ଅପରିହାର୍ୟ ଅଙ୍ଗ। ସ୍ଵାଧୀନତା ଓ ଜୀବନର ଅଧିକାର କେହି କାହାକୁ ଦେଇନାହାନ୍ତି, ଏହା ମଣିଷର ସହଜାତ। ଏହା କୌଣସି ସମ୍ବିଧାନ ବା ସରକାର ଛଡାଇ ପାରିବେ ନାହିଁ।”

୨୦୧୭ରେ ଆସିଥିବା ଏହି ରାୟର କୌଣସି ପ୍ରଭାବ ଭାରତ ସରକାରଙ୍କ ଉପରେ ପଡିଛି କି? ନିଜେ ଦେଇଥିବା ରାୟ ସମ୍ପର୍କରେ ନିଜେ ସୁପ୍ରିମ କୋର୍ଟ ସଚେତନ ଅଛନ୍ତି କି? ଏ ପ୍ରଶ୍ନ ଆଜି ପଚାରିବାକୁ ଆମେ ବାଧ୍ୟ, କାରଣ ଜାମୁ-କାଶ୍ମୀରରେ ଗତ ତିନିମାସରୁ ଅଧିକ ସମୟ ହେଲାଣି ସେଠିକାର ବାସିନ୍ଦାଙ୍କର କୌଣସି ମୌଳିକ ଅଧିକାର ନାହିଁ। ସବୁ ପ୍ରମୁଖ ରାଜନୈତିକ ଦଳର ନେତାମାନେ ବନ୍ଦୀ ବା ଗୃହବନ୍ଦୀ।ତିନିମାସ ଧରି କୌଣସି ଯୋଗାଯୋଗ କାଶ୍ମୀରରେ ନାହିଁ। ଜୀବନ ଓ ସ୍ଵାଧୀନତାର ଅଧିକାରକୁ ବିପନ୍ନ କରିବା ଲାଗି ଆଜି ଜରୁରୀ ପରିସ୍ଥିତି ଜାରି ହୋଇନାହିଁ। ତଥାପି ଗୋଟେ ରାଜ୍ୟ ନିଜର ମୌଳିକ ଅଧିକାର ହରାଇଛି। ରାଜ୍ୟର ମର୍ୟାଦାରୁ ବଞ୍ଚିତ କରି ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରାଯାଇଛି। ଯାହା କରାଯାଇଛି, ସେଥିରେ କାଶ୍ମୀର ଲୋକଙ୍କୁ ବିଶ୍ବାସକୁ ନିଆ ଯାଇନାହିଁ। ଏହା ପଛରେ ଏକମାତ୍ର ଯୁକ୍ତି ରହିଛି “ଜାତୀୟ ସୁରକ୍ଷା”। ଜାତୀୟ ସୁରକ୍ଷା ପାଇଁ ଲୋକଙ୍କ ମୌଳିକ ଅଧିକାର ଛଡେଇ ନିଆଯାଇ ପାରିବ କି? ଲୋକେ ବିଦେଶ ଯାଇ ପାରିବେ ନାହିଁ। ଲୋକେ ନିଜର ବ୍ୟବସାୟ ଚଳାଇ ପାରିବେ ନାହିଁ। କୌଣସି ଭାରତୀୟ ରାଜନୈତିକ ଦଳର ପ୍ରତିନିଧି କାଶ୍ମୀରକୁ ଯାଇ ପାରିବେ ନାହିଁ। ଗତ ତିନିମାସ ହେଲା କାଶ୍ମୀରରେ ଏହା ହେଉଛି ବାସ୍ତବତା।

ଏ ପ୍ରସଙ୍ଗରେ ଯେତେବେଳେ ସୁପ୍ରିମ କୋର୍ଟରେ ହେବିଅସ କର୍ପସ ମାମଲା ଆସିଲା, ତାର ବିଚାର କରିବାକୁ ମାନ୍ୟବର ସୁପ୍ରିମ କୋର୍ଟ ନିଜର ପ୍ରାଥମିକ କର୍ତ୍ତବ୍ୟ ବୋଲି ଭାବିଲେ ନାହିଁ। ଏହି ମାମଲାର ବିଚାର ଚାଲିଥିବା ବେଳେ ମାନ୍ୟବର ମୁଖ୍ୟ ବିଚାରପତି ଗତ ସେପ୍ଟେମ୍ବର ୧୬ ତାରିଖ ଦିନ କହିଲେ, ଯଦି କାଶ୍ମୀର ପରିସ୍ଥିତି ଏତେ ଖରାପ, ତାହେଲେ ସ୍ଥିତି ଅନୁଧ୍ୟାନ କରିବାକୁ ମୁଁ ନିଜେ ଶ୍ରୀନଗର ଯିବି। ୟା ଭିତରେ ଦେଢ ମାସ ବିତିଗଲାଣି। ଆଉ ସପ୍ତାହେ ପରେ ଜଷ୍ଟିସ ଗୋଗୋଇ ଅବସର ଗ୍ରହଣ କରିବେ। ତାଙ୍କ ପାଖରେ ଯେତିକି ମାମଲାର ରାୟ ସଂରକ୍ଷିତ ରହିଛି ସେସବୁକୁ ସାରିବାକୁ ସମୟ ନିଅଣ୍ଟ। ସେ ଭିତରେ ମାନ୍ୟବର ମୁଖ୍ୟ ବିଚାରପତି କାଶ୍ମୀର ଯିବେ କି? ନିଜେ ଯେତେବେଳେ ମୁଖ୍ୟ ବିଚାରପତି କହିଥିଲେ, ସେ ବ୍ୟକ୍ତିଗତ ଭାବରେ ସ୍ଥିତି ଅନୁଧ୍ୟାନ କରିବେ, ତାଙ୍କ କଥା ଉପରେ କାଶ୍ମୀରବାସୀ ଆଜି ମଧ୍ୟ ଭରସା ରଖିଛନ୍ତି। ହେଲେ ଜଷ୍ଟିସ ଗୋଗୋଇ କାଶ୍ମୀରବାସୀଙ୍କୁ ଭାରତୀୟ ଭାବରେ ତାଙ୍କର ମୌଳିକ ଅଧିକାର ଦେବାରେ ସଫଳ ହୋଇଛନ୍ତି କି?

ଏଡିଏମ ଜବଲପୁର ମାମଲାରେ ସରକାରକୁ ସମର୍ଥନ କରି ଜଷ୍ଟିସ ୱାଇ.ଭି.ଚନ୍ଦ୍ରଚୂଡ ଜୀବନ ତମାମ ପଶ୍ଚାତ୍ତାପ କରିଥିଲେ। ସେତେବେଳେ ସରକାରୀ ପକ୍ଷକୁ ସମର୍ଥନ କରି ଜଷ୍ଟିସ ବେଗ ଲେଖିଥିଲେ- “ବନ୍ଦୀ ହୋଇ ରହିଥିବା ଲୋକଙ୍କୁ ସରକାର ମା ଭଳି ରଖିଛନ୍ତି। ସେମାନଙ୍କୁ ଭଲ ଜାଗାରେ ରଖାଯାଇଛି ଓ ସେମାନଙ୍କର ଯତ୍ନ ନିଆଯାଉଛି।” ସମାନ ତର୍କ ଆଜି ମୋଦୀ ସରକାର ଦେଉଛନ୍ତି। କାଶ୍ମୀରକୁ ବନ୍ଦୀ ଭାବରେ ରଖି ତାର ବିକାଶ କରା ଯାଉଛି। ଲୋକଙ୍କ ନାଗରିକ ହେବାର ଅଧିକାର ଛଡେଇ ନେଇ ସେମାନଙ୍କୁ ବାକି ଭାରତୀୟଙ୍କଠାରୁ ଅଲଗା ରଖା ଯାଇଛି। ଦୁର୍ଭାଗ୍ୟର କଥା ହେଉଛି, ୧୯୭୬ରେ ସୁପ୍ରିମ କୋର୍ଟ ଯେଉଁ ଭୁଲ କରିଥିଲେ, ଆଜି ପୁଣି ତାର ପୁନରାବୃତ୍ତି କରୁଛନ୍ତି।

ଆମେ ଆଶା କରିବା କି, ମାନ୍ୟବର ଜଷ୍ଟିସ ରଞ୍ଜନ ଗୋଗୋଇ ଆସନ୍ତା ନଭେମ୍ବର ୧୭ ତାରିଖରେ ଅବସର ନେବା ପୂର୍ବରୁ କାଶ୍ମୀର ଯାଇ ବ୍ୟକ୍ତିଗତ ଭାବରେ ସ୍ଥିତି ଅନୁଧ୍ୟାନ କରି ଆସିବେ??

କେଦାର ମିଶ୍ର ଜାମ୍ମୁକାଶ୍ମୀର
Share. Facebook Twitter LinkedIn Email WhatsApp Copy Link

Related Posts

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

ପି.ଏମ୍ କିଷାନରେ ଆବଶ୍ୟକ ହେଉଥିବା ସମସ୍ତ ମାନଦଣ୍ଡକୁ ପୂରଣ କରି ସହାୟତା ଲାଭ କରନ୍ତୁ: ମୁଖ୍ୟମନ୍ତ୍ରୀ

March 13, 2026

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.