ଅଯୋଧ୍ୟା ରାୟ, ଏହାପରେ ରାମମନ୍ଦିର ବିବାଦର ଅନ୍ତ ଘଟିବ କି?

Published: Nov 9, 2019, 3:27 pm IST

କେଦାର ମିଶ୍ର 

ମାନ୍ୟବର ସୁପ୍ରିମ କୋର୍ଟ ତାଙ୍କର ୧୦୪୫ ପୃଷ୍ଠାର ଏକ ପୃଥୁଳ ରାୟରେ ରାମ ଜନ୍ମଭୂମି ଭାବରେ ବିବେଚିତ ଜମିକୁ ରାମଲାଲାଙ୍କ ନାମରେ ଫଇସଲା କରିଛନ୍ତି। ଏହି ରାୟକୁ ଭାରତୀୟ ନ୍ୟାୟିକ ଇତିହାସରେ ସବୁଠୁ ଜଟିଳ ରାୟ ବୋଲି କୁହାଯାଇପାରିବ। ସମାଧାନର ଏକ ସୂତ୍ର ବାହାର କରିବାକୁ ଯାଇ ସୁପ୍ରିମ କୋର୍ଟ ଏହି ଜମିକୁ ରାମଲାଲାଙ୍କ ନାମରେ ଡିକ୍ରି ଦେଇଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି ଏହି ଜମି ଜମି ଉପରେ ରହିଥିବା ମସଜିଦର ଅସ୍ତିତ୍ଵକୁ ଅସ୍ଵୀକାର କରିନାହାନ୍ତି। ଅନୈତିକ ଓ ବେଆଇନ ଉପାୟରେ ବାବ୍ରୀ ମସଜିଦ ଭିତରେ ଶ୍ରୀରାମ ମୂର୍ତ୍ତି ସ୍ଥାପନା କରି  ୨୨/୨୩ ଡିସେମ୍ବର, ୧୯୪୯ରେ ଏହାକୁ ଅପବିତ୍ର କରାଯାଇଥିଲା ଓ ୬ ଡିସେମ୍ବର ୧୯୯୨ ରେ ଏହାକୁ ବେଆଇନ ଭାବରେ ଭଙ୍ଗା ଯାଇଥିଲା ବୋଲି ଦେଶର ସର୍ବ ଶ୍ରେଷ୍ଠ ଅଦାଲତ ସ୍ପଷ୍ଟ ଭାବରେ କହିଛନ୍ତି। ଉଭୟ ଧାର୍ମିକ ଆସ୍ଥା ଭିତରେ ଏକ ସମନ୍ବୟର ବାତାବରଣ କରିବାକୁ ଏକ ମାଧ୍ୟମ ପନ୍ଥା ଅଦାଲତ ବାହାର କରିଛନ୍ତି।

ଜନ୍ମଭୂମିରେ ଶତାଧିକ ବର୍ଷ ଧରି ମୁସଲମାନଙ୍କ ଅଧିକାର ଓ ଏଠାରେ ନମାଜ ପଢାଯାଉଥିବାର ସତ୍ୟକୁ ସୁପ୍ରିମ କୋର୍ଟ ସ୍ଵୀକାର କରିଛନ୍ତି।୧୯୯୨ ରେ  ବାବ୍ରୀ ମସଜିଦ ଭାଙ୍ଗିବା ଓ ୧୯୪୯ ରେ ରାତାରାତି ମସଜିଦ ଭିତରେ ମୂର୍ତ୍ତି ସ୍ଥାପନା କରିବାକୁ ବେଆଇନ ବୋଲି କୁହାଯାଇଛି। ରାୟର ୮୦୦ ଏବଂ ୮୦୧ ପାରାରେ ଅତି ସ୍ପଷ୍ଟ ଭାବରେ କୁହାଯାଇଛି ଯେ ମୁସଲମାନଙ୍କ ଧାର୍ମିକ ସ୍ଥଳକୁ ବେଆଇନ ଭାବରେ ଭଙ୍ଗା ଯାଇଥିବାରୁ ତାଙ୍କୁ ଅଯୋଧ୍ୟାରେ ୫ ଏକର ଜମି ମସଜିଦ ନିର୍ମାଣ ପାଇଁ ଦିଆଯିବ। ଆସନ୍ତା ତିନି ମାସ ମଧ୍ୟରେ କେନ୍ଦ୍ର ସରକାର ଏକ ଟ୍ରଷ୍ଟ ଜରିଆରେ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବେ ବୋଲି କୁହାଯାଇଛି।

ସୁପ୍ରିମ କୋର୍ଟଙ୍କ ମତରେ ଏହି ବିବାଦ ସହିତ ଭାରତର ସମନ୍ଵୟୀ ବିଚାର ଜଡିତ ରହିଛି। ତେଣୁ ଉଭୟ ପକ୍ଷକୁ ସମାନ ଭାବରେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରାଯାଇଛି। ତେବେ ଏହି ରାୟ ପରବର୍ତ୍ତୀ ପ୍ରଶ୍ନ ହେଉଛି, ଆଜିଠୁ ରାମଜନ୍ମଭୂମି ମାମଲାରେ ପୂର୍ଣ୍ଣଚ୍ଛେଦ ପଡିଲା କି? ଆଜି ମନ୍ଦିର ଓ ମସଜିଦ ବିବାଦର ସମାଧାନ ଲାଗି ଯେଉଁ ସୂତ୍ର ସୁପ୍ରିମ କୋର୍ଟ ଦେଇଛନ୍ତି, ତାହା ଏ ଦେଶର ଚୂଡାନ୍ତ ଫଇସଲା। ଏହାକୁ ଅମାନ୍ୟ କରିବା ବେଆଇନ ଓ ଅସାମ୍ବିଧାନିକ। ତେବେ ଏହି ମାମଲାରେ ଯେଉଁ ରାଜନୀତି ଚାଲିଥିଲା, ତାହା ଆଜିଠୁ ସରିଯିବ କି?

ଏହାର ଉତ୍ତରରେ ଏତିକି କୁହା ଯାଇପାରେ ଯେ, ସଂଘ ପରିବାର ଓ ବିଜେପି ଏହାକୁ ନିଜର ନୈତିକ ବିଜୟ ବୋଲି କହିବେ କିନ୍ତୁ ସୁପ୍ରିମ କୋର୍ଟ ବାବ୍ରୀ ମସଜିଦ ଭଙ୍ଗାକୁ ବେଆଇନ ବୋଲି କହିଥିବାରୁ, ଏହି ଅପରାଧରେ ସମ୍ପୃକ୍ତ ସଂଘ ଓ ବିଜେପି ନେତାଙ୍କ ବିରୋଧରେ ମାମଲାର ତୁରନ୍ତ ଶୁଣାଣି ଲାଗି ଏବେ ଚାପ ପଡିବ। ରାମ ମନ୍ଦିର ମାମଲାରେ ମୁସଲମାନ ପକ୍ଷ ବହୁ ଦିନରୁ ନିଜର ଦାବୀକୁ କୋହଳ କରି ସାରିଥିଲେ। ଏପରିକି ସୁନ୍ନୀ ୱାକଫ ବୋର୍ଡ ର ଓକିଲ ରାଜୀବ ଧାବନ ଏହା ରାମଙ୍କ ଜନ୍ମସ୍ଥାନ ବୋଲି ରହିଥିବା ଲୋକ ବିଶ୍ବାସକୁ ଗ୍ରହଣ କରିଥିଲେ। ତେଣୁ ମୁସଲମାନ ପକ୍ଷ ଏହାକୁ ନେଇ କୌଣସି ବିବାଦ କରିବାର ସମ୍ଭାବନା ରହିଛି।

ବିବାଦର ମୂଳ ମଞ୍ଜି ରହିଛି ସଂଘ ପରିବାର ଓ ବିଜେପିର ନେତାମାନଙ୍କ ପାଖରେ। ରାମ ଜନ୍ମଭୂମିର ଜାଗା କେବଳ ଏକ ସମାଧାନ ପାଇଁ ରାମଲାଲାଙ୍କୁ ଦିଆ ଯାଇଛି ଓ ଏହାର କ୍ଷତି ପୂରଣ ବାବଦକୁ ସୁନ୍ନୀ ୱାକଫ ବୋର୍ଡକୁ ଅନ୍ୟ ଏକ ମସଜିଦ ନିର୍ମାଣ ପାଇଁ ପାଞ୍ଚ ଏକର ଜାଗା ଦିଆ ଯାଇଛି। କ୍ଷତି ପୂରଣ ଓ ଇତିହାସର ଭୁଲ ସୁଧାରିବା କଥା କହି ଏହି ଜମି ଉପରେ ମୁସଲମାନଙ୍କ ଧାର୍ମିକ ଅଧିକାରକୁ ସ୍ଵୀକୃତି ଦେଇଛନ୍ତି। ତେଣୁ ଏହି ସମସ୍ୟା ଏଇଠି ସରିଗଲା ବୋଲି କହିହେବ ନାହିଁ। ତେବେ ରାଜନୈତିକ ଭାବରେ ଏହାର ଉପଯୋଗିତା ଆଉ ବିଶେଷ ରହିବ ନାହିଁ।

ଅନ୍ତତଃ ଏହି ବିବାଦ ଏଇଠି ସରିଯାଉ ବୋଲି ପ୍ରତ୍ୟେକ  ଭାରତୀୟ ଚାହାନ୍ତି।

Related posts