Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜନୀତିରେ କଳାଧନର ଧଳା ରାସ୍ତା, ନେତା ପାଉଥିବା ଚାନ୍ଦା ଉପରେ କାହାର ନିୟନ୍ତ୍ରଣ ନାହିଁ
ବିଶେଷ ଖବର

ରାଜନୀତିରେ କଳାଧନର ଧଳା ରାସ୍ତା, ନେତା ପାଉଥିବା ଚାନ୍ଦା ଉପରେ କାହାର ନିୟନ୍ତ୍ରଣ ନାହିଁ

November 25, 2019No Comments8 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ

ଗୁମନାମ ହୈ କୋଇ।
ବଦନାମ ହୈ କୋଇ।
କିସ୍ କୋ ପତା , କୌନ ହୈ ଓହ୍
ଅଞ୍ଜାନ ହୈ କୋଇ।

ଚାଲନ୍ତୁ, ଇଏ ତ ହେଲା ପୁରୁଣା ସସପେନ୍ସ ହିନ୍ଦୀ ଫିଲିମ୍ ଗୁମନାମ୍ ର ଏକ ଲୋକପ୍ରୀୟ ଗୀତ। କିନ୍ତୁ ରାଜନୀତିରେ ଏବେ ଏମିତି ଏକ ସସପେନ୍ସ କାହାଣୀ ଚାଲିଛି ଯାହା ଫିଲମ୍ ଭଳି ଆମୋଦଦାୟକ ନୂହେଁ, ଏହା ଭାରତୀୟ ଗଣତନ୍ତ୍ର ପାଇଁ ଏକ ଟ୍ରାଜେଡି। କାହାଣୀଟି ହେଉଛି ଇଲେକ୍ଟୋରାଲ ବଣ୍ଡ ବିଷୟକୁ ନେଇ।

ଆଗରୁ କ’ଣ ହେଉଥିଲା ନା, ରାଜନୈତିକ ଦଳଗୁଡିକୁ ବିଭିନ୍ନ ଉପାୟରେ ଚାନ୍ଦା ମିଳୁଥିଲା। ଯେଉଁମାନେ କୌଣସି ପାର୍ଟିକୁ ଦେଖେଇକି ଦେଉଥିଲେ ସେମାନେ ଚେକ୍ ରେ ଦେଉଥିଲେ । ସେ କ୍ଷେତ୍ରରେ ରାଜନୈତିକ ଦଳମାନେ ୨୦ ହଜାର ଟଙ୍କା ଓ ତା’ଠାରୁ ଅଧିକ ଚାନ୍ଦା ପାଇଁ ଚାନ୍ଦାଦାତାର ସମ୍ପୁର୍ଣ ପରିଚୟ ଓ ଚାନ୍ଦାର ପରିମାଣ ନିର୍ବାଚନ କମିଶନକୁ ଦେଉଥିଲେ ଓ କମିଶନ ମାଧ୍ୟମରେ ଜନସାଧାରଣ ତାହା ଜାଣୁଥିଲେ।

ଯେଉଁମାନେ ଲୁଚେଇକି ଦେଉଥିଲେ ସେମାନେ କ୍ୟାସ୍ ରେ ଦେଉଥିଲେ ତାହା କିଏ ଦେଇଛି ଜଣା ପଡୁନଥିଲା। କାରଣ ନିୟମ କହୁଛି ଜଣେ କେବଳ ଯଦି ୨ ହଜାର ଟଙ୍କାରୁ ଅଧିକ ଚାନ୍ଦା ଦିଏ, ତେବେ ଦଳ ତା’ର ପୁରା ନାଁ ଗାଁ ଠିକଣା ଓ ପରିମାଣ ନିର୍ବାଚନ କମିଶନକୁ ଜଣାଇବ। ପାର୍ଟି କହିବ ଯେ ସେ ପାଇଥିବା କୌଣସିଟି ନଗଦ ଚାନ୍ଦା ୨୦୦୦ ଟଙ୍କାରୁ ଅଧିକ ନୂହେଁ। ତେଣୁ ନିର୍ବାଚନ କମିଶନକୁ ସେହି ଚାନ୍ଦାଦାତାଙ୍କର ନାଁ କହିବା ଦରକାର ନାହିଁ। ଖାଲି ସମୁଦାୟ କେତେ କ୍ୟାସ୍ ମିଳିଛି ସେତିକି କହିବ। ତେବେ ଆପଣ ତ ଜାଣିଛନ୍ତି, ରାଜନୈତିକ ଦଳଗୁଡିକ ପାଖକୁ ଅଧିକାଂଶ ଚାନ୍ଦା କ୍ୟାସ୍ ରେ ଆସେ ଓ କ୍ୟାସ୍ ରେ ଖର୍ଚ୍ଚ ହୁଏ ଯାହା ସେମାନେ ହିସାବରେ ଦେଖାନ୍ତି ନାହିଁ।

ଧିରେ ଧିରେ ରାଜନୈତିକ ଦଳଗୁଡିକଙ୍କୁ ଭୋଟରେ ଲଢିବା ପାଇଁ ଅଧିକରୁ ଅଧିକ ଟଙ୍କା ଦରକାର ପଡିଲା। ମଦ ବାଣ୍ଟିବାର ଅଛି। ବଡ ବଡ ରାଲି କରିବାର ଅଛି । ବିଧାୟକ ବି କିଣିବାର ଅଛି  ଏଥିପାଇଁ କ୍ୟାସ୍ ରେ ଏମିତି କେତେ ଆଣି ହେବ ଯେ ଏସବୁ ଖର୍ଚ୍ଚ କରିହେବ ?

ଏଣେ କେଉଁ ଲୋକ କିମ୍ବା କମ୍ପାନୀ କାହିଁକି ବା ଏତେ ଟଙ୍କାର ଚେକ୍ ଦେବ ? ଚେକ୍ ଦେଇଥିବା ଲୋକ କିମ୍ବା କମ୍ପାନୀର ସ୍ବାର୍ଥ ପାଇଁ ସରକାର ଯଦି କିଛି କରିବେ ତେବେ ଧରା ପଡିଯିବେ ।

ତେଣୁ ବିଜେପି ସରକାର ଚାହିଁଲା ଏମିତି ଗୋଟିଏ ବ୍ୟବସ୍ଥା ହେଉ ଯେଉଁଠି :

୧. ମୋଟା ରକମ ଚାନ୍ଦା ମିଳିବ

୨. କ୍ୟାସ୍ ରେ ଆଣିବା ଦରକାର ନାହିଁ, ବ୍ୟାଙ୍କ ମଧ୍ୟଦେଇ ଚାନ୍ଦା ଆସିବ

୩. କିନ୍ତୁ କେହି ଜାଣିବେନି। ସରକାରରେ ଥାଇ ଆମେ ତା’ କାମ କରିଦେବୁ କିନ୍ତୁ ସିଏ ଆମ ପାର୍ଟିକୁ ଟଙ୍କା ଦେଇଛି ବୋଲି କେହି ଜାଣିବେନି।

ଏହି ନୂଆ ବ୍ୟବସ୍ଥାର ନାଁ ହେଲା ଇଲେକ୍ଟୋରାଲ୍ ବଣ୍ଡ। ୨୦୧୭ ମସିହା ଫେବୄଆରୀ ୧ ତାରିଖ ଦିନ ପାର୍ଲିଆମେଣ୍ଟରେ ବଜେଟ ପଢିବା ବେଳେ ଅର୍ଥମନ୍ରୀ ଅରୁଣ ଜେଟଲି ଏଣିକି ଇଲେକ୍ଟୋରାଲ୍ ବଣ୍ଡ ଆରମ୍ଭ ହେବ ବୋଲି କହିଲେ।

ଏଠାରେ କିଛିଦିନ ପୂର୍ବେ ଘଟିଥିବା ଗୋଟିଏ ଘଟଣାକୁ ଉଦାହରଣ ଭାବେ ନିଅନ୍ତୁ। ଭୋଡାଫୋନ୍-ଆଇଡିଆ, ଏୟାରଟେଲ୍ ଓ ଜିଓଠାରୁ ସରକାରଙ୍କୁ ୪୦ ହଜାର କୋଟି ଟଙ୍କା ପାଇବାର ଥିଲା। କିନ୍ତୁ ସରକାର ସେଥିପାଇଁ ସେମାନଙ୍କୁ ଦୁଇବର୍ଷ ସମୟ ଦେଲେ। ହୁଏତ ସରକାର ସେମାନଙ୍କଠାରୁ ବିଜେପି ପାଇଁ ୨୦୦୦ କୋଟି ଟଙ୍କାର ପାର୍ଟି ଚାନ୍ଦା ଆଣିଥିବେ। କିଏ ଜାଣିଲା ? ଚେକ୍ ମାଧ୍ୟମରେ ଦେଇଥିଲେ ସିନା କିଏ ଜାଣିଥାନ୍ତା। କିନ୍ତୁ ସେମାନେ ଯଦି ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ଦେଇଥିବେ ତେବେ ତାହା କେହି ଜାଣି ପାରିବେ ନାହିଁ।

ଯଦି କେଉଁ କମ୍ପାନୀକୁ ସରକାରଙ୍କଠାରୁ କିଛି ଅନୈତିକ ସୁବିଧା ହାସଲ କରିବାର ଥିବ ସେମାନେ ଷ୍ଟେଟ୍ ବ୍ୟାଙ୍କକୁ ଯିବେ। ସେଠାରେ ଗୋଟିଏ ଚେକ୍ ଦେଇ ହୁଏତ ୧୦୦୦ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ୍ କିଣିବେ । ବଣ୍ଡ୍ ଏକ କାଗଜ ଫର୍ଦ। ସେଥିରେ ଦେଲାବାଲା କମ୍ପାନୀ କିମ୍ବା ପାଇବା ବାଲା ପାର୍ଟିର ନାଁ ଲେଖା ହୋଇ ନଥାଏ। କେବଳ ଚାନ୍ଦାର ପରିମାଣ ଓ ଗୋଟିଏ ଲୁକ୍କାୟିତ ନମ୍ବର ଲେଖା ହୋଇଥାଏ।

ବର୍ତମାନ କମ୍ପାନୀ ସେହି ବଣ୍ଡକୁ ନେଇ ସେ ଚାହୁଁଥିବା ଦଳକୁ ଦେବ। ଦଳ ବଣ୍ଡଟିକୁ ତା’ର ଏକ ସ୍ବତନ୍ତ୍ର ଆକାଉଣ୍ଟରେ ଜମା କରିଦେଲେ ତା’ ଆକାଉଣ୍ଟରେ ଟଙ୍କା ଜମା ହୋଇଗଲା। ଏକଥା କେବଳ ଦେଲାବାଲା କମ୍ପାନୀ ଜାଣିଲା ଓ ନେଲାବାଲା ଦଳ ଜାଣିଲା। ଲୋକେ ଜାଣିବା ତ ଦୁରର କଥା, ନିର୍ବାଚନ କମିଶନ ବି ଜାଣିବେ ନାହିଁ। ପ୍ରତିବର୍ଷ ନିର୍ବାଚନ କମିଶନକୁ ହିସାବ ଦେବାବେଳେ ପାର୍ଟିମାନେ କେବଳ ଏତିକି ଜଣାଇବେ ଯେ ସେମାନେ ବର୍ଷକ ଭିତରେ ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ସମୁଦାୟ କେତେଟଙ୍କା ପାଇଛନ୍ତି। କିନ୍ତୁ ସେମାନଙ୍କୁ କିଏ କିଏ କେତେଟଙ୍କାର ବଣ୍ଡ ଦେଇଛନ୍ତି ସେକଥା ଜଣେଇବେ ନାହିଁ।

ତେବେ ଆମେ କାହିଁକି ଏହାକୁ ଗଣତନ୍ତ୍ର ପାଇଁ ଏକ ଟ୍ରାଜେଡି ବୋଲି କହୁଛୁ ?

(୧) ଯଦି ଦେଲାବାଲା ଓ ନେଲାବାଲା ବିଷୟରେ ନିର୍ବାଚନ କମିଶନ କିମ୍ବା ଲୋକେ ଜାଣିଲେ ନାହିଁ ଓ ଯଦି ସୂଚନା ଅଧିକାର ଆଇନ୍ ବଳରେ ବି ଏ ସମ୍ବନ୍ଧରେ ଜାଣିବା ମନା, ତେବେ ପାରଦର୍ଶିତା ଆଉ କେଉଁଠି ରହିଲା ? ଆମେ କେମିତି ଜାଣିବୁ ଯେ ସରକାରଙ୍କ ଅମୁକ ନିଷ୍ପତ୍ତି ଯୋଗୁଁ ଫାଇଦା ପାଇଥିବା ଗୋଟିଏ କମ୍ପାନୀ ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ସରକାରୀ ଦଳକୁ ଗୁପ୍ତଧନ ଦେଇନାହିଁ ବୋଲି ?

(୨) ଷ୍ଟେଟବ୍ୟାଙ୍କଠାରୁ ଏହି ବଣ୍ଡ କିଣା ଯାଉଛି ଓ ପ୍ରତ୍ୟେକ ବଣ୍ଡରେ ଗୋଟିଏ ଗୁପ୍ତ ନମ୍ବର ଅଛି। ଯେହେତୁ ଷ୍ଟେଟବ୍ୟାଙ୍କ ସରକାରଙ୍କ ଅଧିନରେ ଅଛି ତେଣୁ କେବଳ ସରକାରୀ ଦଳ ଜାଣିପାରିବ ଯେ କେତେ ନମ୍ବର ବଣ୍ଡଟିକୁ କିଏ କିଣିଛି ଏବଂ କେଉଁ ଦଳର ବ୍ୟାଙ୍କ ଆକାଉଣ୍ଟରେ ତାହା ଜମା ହୋଇଛି । ଫଳରେ ବିରୋଧୀ ଦଳଗୁଡିକଙ୍କୁ ଯେଉଁ ଲୋକ ବା କମ୍ପାନୀ ଟଙ୍କା ଦେଇଥିବେ ସରକାର ସେମାନଙ୍କ ପାଖକୁ ସିବିଆଇ, ଇନକମ୍ ଟ୍ୟାକ୍ସ ସ୍କ୍ବାଡ୍ ଓ ଇଡି ପଠେଇ ନାନା ପ୍ରକାର ହଇରାଣ କରିବେ। ଏହି କାରଣରୁ ୨୦୧୭-୧୮ ଆର୍ଥିକ ବର୍ଷରେ ବିକ୍ରି ହୋଇଥିବା ସମୁଦାୟ ୨୧୫ କୋଟି ଟଙ୍କାର ଇଲେକ୍ଟୋରାଲ୍ ବଣ୍ଡରୁ ଏକୁଟିଆ ବିଜେପିକୁ ମିଳିଛି ୨୧୦ କୋଟି ଟଙ୍କା ଓ ଭାରତର ଅବଶିଷ୍ଟ ଦଳମାନଙ୍କୁ ମିଳିଛି ମୋଟ ମାତ୍ର ୫ କୋଟି ଟଙ୍କା। ସେହିବର୍ଷ ପାଇଁ ନିର୍ବାଚନ କମିଶନକୁ ବିଜେପି ଦେଇଥିବା ଆୟବ୍ୟୟ ହିସାବରୁ ଏଡିଆର୍ ନାମକ ଏକ ସଂସ୍ଥା ଏହି ତଥ୍ୟ ସଂଗ୍ରହ କରିଛି । ୨୦୧୮ ମାର୍ଚ୍ଚରୁ ଗତ ଅକ୍ଟୋବର ମାସ ମଧ୍ୟରେ ସମୂଦାୟ ୬୧୨୮ କୋଟି ଟଙ୍କାର ଇଲେକ୍ଟୋରାଲ୍ ବଣ୍ଡ ବିକ୍ରି ହୋଇଛି।

(୩) ପାର୍ଲିଆମେଣ୍ଟରେ ଅରୁଣ ଜେଟଲୀ କହିଥିଲେ ଯେ କମ୍ପାନୀମାନେ ଗୋଟିଏ ଦଳକୁ ଯେଉଁ ଟଙ୍କା ଦେଉଛନ୍ତି ତାହା ଅନ୍ୟ ଦଳମାନେ ଜାଣିପକାଉଛନ୍ତି । ତେଣୁ ସେମାନେ ହଇରାଣରେ ପଡୁଛନ୍ତି । ସେମାନଙ୍କ ସୁବିଧା ପାଇଁ ଇଲେକ୍ଟୋରାଲ୍ ବଣ୍ଡ ଭଳି ଏକ ଗୁପ୍ତ ବ୍ୟବସ୍ଥା କରାଗଲା।

ଅଦ୍ଭୁତ ଏ ଯୁକ୍ତି ! କମ୍ପାନୀମାନଙ୍କ ସୁବିଧା ପାଇଁ ଗୋଟିଏ ଚୋରା ଉପାୟ କାହିଁକି କରାଯିବ ?ସେମାନେ ଯଦି କୌଣସି ସ୍ବାର୍ଥ ହାସଲ ପାଇଁ ଚାନ୍ଦା ଦେଉନାହାନ୍ତି ତେବେ ସେ ବିଷୟଟି ପ୍ରଘଟ ହୋଇଯିବାରେ ଅସୁବିଧା କେଉଁଠି ଥିଲା ?

(୪) ଯଦି ପ୍ରକାଶ୍ୟରେ ଚାନ୍ଦା ମିଳୁଥିବାରୁ ରାଜନୈତିକ ଦଳମାନଙ୍କୁ ଅଧିକ ଅର୍ଥ ମିଳୁ ନଥିଲା ତାହେଲେ ନ ମିଳୁ। ସେମାନଙ୍କୁ ନିର୍ବାଚନ ବେଳେ ଏତେ ଟଙ୍କା ଖର୍ଚ୍ଚ କରିବାକୁ କିଏ କହୁଛି ? ନିର୍ବାଚନ ପରେ ବିଧାୟକ କିଣିବାପାଇଁ ଆବଶ୍ୟକ ଟଙ୍କାର ବନ୍ଦୋବସ୍ତ କରିବା ପାଇଁ ଏପରି ଏକ ଲୁଚାଛପା ବ୍ୟବସ୍ଥା କାହିଁକି ହେବ ? କେଉଁ କାରଣରୁ ସରକାରୀ ଦଳ ବା ବିଜେପିକୁ ସେମାନେ ଅଧିକ ପସନ୍ଦ କରୁଛନ୍ତି ? ସେମାନେ କ’ଣ ସରକାରଙ୍କ କାମ ଓ ସେହି ଦଳର ଆଦର୍ଶକୁ ଏତେ ଭଲ ପାଉଛନ୍ତି ? ଯଦି ପ୍ରକୄତରେ ସେଇଆ ହୋଇଥାଏ ତେବେ ସେମାନେ ଆଗ ଭଳି ଚେକ୍ ମାଧ୍ୟମରେ ଦିଅନ୍ତୁ ନା । ସେମାନଙ୍କର ଅନୈତିକ ସ୍ବାର୍ଥହାସଲ ଓ ନିର୍ବାଚନରେ ଖର୍ଚ୍ଚ କରିବା ପାଇଁ ସରକାରୀ ଦଳର ଅମାପ ଟଙ୍କାର ଆବଶ୍ୟକତା ପାଇଁ ଏମିତି ଗୋଟିଏ ଗୁପ୍ତବ୍ୟବସ୍ଥା କାହିଁକି ହେବ ?
ପୄଥିବୀର ଆଉ କେଉଁ ଗଣତନ୍ତ୍ର ଏପରି ବେନିୟମ ଓ ଅନୈତିକ କାମକୁ ଆଇନସମ୍ମତ କରିଛି ?

(୫) ଏହି ବଣ୍ଡ ବ୍ୟବସ୍ଥା ସପକ୍ଷରେ ଯୁକ୍ତି ବାଢି ସରକାରଙ୍କ ସମର୍ଥକମାନେ କୁହନ୍ତି ଯେ ଏଥିରେ ସବୁକିଛି ବ୍ୟାଙ୍କ ମାଧ୍ୟମରେ ହେଉଥିବାରୁ ଓ ଷ୍ଟେଟବ୍ୟାଙ୍କ୍ କୌଣସି କମ୍ପାନୀକୁ ଯାଞ୍ଚ ପରଖ କରିସାରିବା ପରେ ତାକୁ ବଣ୍ଡ ବିକୁଥିବାରୁ ଏହା କଳାଟଙ୍କା ନୂହେଁ।

ଏହା ଏକ ହାସ୍ୟାସ୍ପଦ ଯୁକ୍ତି। ପ୍ରଥମତଃ ଗତ କିଛି ବର୍ଷରେ ଯେପରିଭାବରେ କିଛି ଲୋକ ବ୍ଯାଙ୍କଗୁଡିକୁ ଠକି ଓ ୠଣ ନ ଫେରାଇ ବିଦେଶକୁ ପଳାଇଛନ୍ତି ସେଥିରୁ ହିଁ ଜଣାପଡେ ବ୍ୟାଙ୍କ ଗୁଡିକ କିପରି ଯାଞ୍ଚ ପରଖ କରନ୍ତି । ଦ୍ବିତୀୟରେ , ଯଦି ଚାନ୍ଦା ଦେଇଥିବା ସେହି କମ୍ପାନୀଟି ଗୋଟିଏ ସେଲ୍ କମ୍ପାନୀ ହୋଇଥିବ ?

ସେଲ୍ କମ୍ପାନୀ କାହାକୁ କୁହାଯାଏ ?

କିଛି ଲୋକ କେବଳ କଳାଟଙ୍କା ଦେଣ ନେଣ କରିବା ପାଇଁ ବିଭିନ୍ନ ଫର୍ଜି କାଗଜ ପତ୍ର ଦେଖାଇ ଗୋଟିଏ କମ୍ପାନୀ ଗଢିଥାନ୍ତି ଓ ତା’ ସହିତ କମ୍ପାନୀ ନାଁରେ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୋଲିଥାନ୍ତି। ସେହି କମ୍ପାନୀ କେବଳ ନାମକୁ ମାତ୍ର ବ୍ୟବସାୟ କରିଥାଏ। ସେମାନେ ବ୍ୟାଙ୍କ ମାଧ୍ୟମରେ କିଛି କମ୍ପାନୀଙ୍କର କଳା ଟଙ୍କାକୁ ଧଳା କରିବା ପାଇଁ ଟଙ୍କା ଦେଇଥାନ୍ତି ଓ ଆୟକର ରିଟର୍ଣ ମଧ୍ୟ ଦାଖଲ କରିଥାନ୍ତି । କିନ୍ତୁ ସେମାନେ ଜାଣିଥାନ୍ତି ଯେ ଏହା ଦିନେ ନା ଦିନେ ଧରା ପଡିଯିବ। ତେଣୁ ବର୍ଷେ ଦୁଇ ବର୍ଷ ପରେ ସେମାନେ ଆଉ ରିଟର୍ଣ ଭରନ୍ତି ନାହିଁ ଓ ଆପେ ଆପେ ମୄତ ହୋଇଯାଆନ୍ତି।

ଏଠାରେ ଆମର କହିବାର କଥା ହେଲା ଯଦି ଏପରି ଏକ ସେଲ୍ କମ୍ପାନୀ ନିଜ ବ୍ୟାଙ୍କର ଚେକ୍ ଦେଇ ବଣ୍ଡ୍ କିଣିଥିବ ଓ ସେହି ବଣ୍ଡଟିକୁ ସରକାରୀ ଦଳକୁ ଦେଇଥିବ, ତାହେଲେ ଏଠାରେ ସବୁକିଛି ଠିକ୍ ହୋଇଛି ବୋଲି କେମିତି କୁହାଯିବ ?

(୬) ଆଉ ଗୋଟିଏ କଥା। ଆଗରୁ ପ୍ରାବଧାନ ଥିଲା ଯେ ଗୋଟିଏ କମ୍ପାନୀ ତାହାର ଗତ ତିନିବର୍ଷରେ କରିଥିବା ହାରାହାରି ଲାଭର ସର୍ବାଧିକ ୭.୫% ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେବାରେ ଖର୍ଚ୍ଚ କରି ପାରିବ । କମ୍ପାନୀଟି କେଉଁ ଦଳକୁ କେତେ ଚାନ୍ଦା ଦେଇଛି ତାହା ବାର୍ଷିକ ଆର୍ଥିକ ରିପୋର୍ଟରେ ପରିଷ୍କାର ଭାବେ ଉଲ୍ଲେଖ କରିବ ଯାହା ଫଳରେ କମ୍ପାନୀର ସେୟାରହୋଲ୍ଡରମାନେ ଜାଣିପାରିବେ ସେମାନଙ୍କ କମ୍ପାନୀ କେଉଁ ଦଳକୁ କେତେ ଚାନ୍ଦା ଦେଇଛି । ଏହାଦ୍ବାରା ମଧ୍ଯ ସୁନିଶ୍ଚିତ କରାଯାଉଥିଲା ଯେ ଅତି କମ୍ ରେ ସେହି କମ୍ପାନୀଟି ତିନିବର୍ଷ ହେବ ବ୍ୟବସାୟ କରିଛି ଓ ବ୍ୟବସାୟଜନିତ ଲାଭରୁ ସେହି ଚାନ୍ଦା ଦେଇଛି, ତେଣୁ ତାହା ଏକ ସେଲ୍ କମ୍ପାନୀ ନୂହେଁ।

ମାତ୍ର ମୋଦୀ ସରକାର ସେହି ନିୟମକୁ ହଟାଇ ଦେଇଛନ୍ତି । ତେଣୁ ଏବେ କିଛି ଲୋକ ଏକ କମ୍ପାନୀ ଗଠନ କରି ସେଥିରେ କୌଣସି ବ୍ୟବସାୟ ନକରି ସବୁତକ ଟଙ୍କା ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ସରକାରୀ ଦଳକୁ ଦେଇପାରିବ। ଏହି କାମ ସରିଯିବା ପରେ କମ୍ପାନୀଟି ଆପେ ଆପେ ମୄତ ହୋଇଯିବ ବା ସେଲ୍ କମ୍ପାନୀ ହୋଇଯିବ। କାରଣ କେବଳ ଏହି କାମ କରିବା ପାଇଁ କମ୍ପାନୀଟି ତିଆରି ହୋଇଥିଲା । ତେଣୁ ଏହା ଦ୍ବାରା ସବୁକିଛି ବ୍ୟାଙ୍କ ମାଧ୍ୟମରେ ହେବା ସତ୍ତ୍ବେ ଦଳ ପାଖକୁ କଳାଟଙ୍କା ଆସିଲା ନାହିଁ କି ?

(୭) ଆଗରୁ ‘ବିଦେଶି ଚାନ୍ଦା ନିୟନ୍ତ୍ରଣ ଆଇନ୍’ରେ ଥିଲା ଯେ ଭାରତର କୌଣସି ରାଜନୈତିକ ଦଳ ବିଦେଶି ଚାନ୍ଦା ଗ୍ରହଣ କରିପାରିବ ନାହିଁ । ସରକାର ସେ ନିୟମ ବି ପରିବର୍ତ୍ତନ କରିଦେଲେ। ନୂଆ ନିୟମ ଅନୁଯାୟୀ କୌଣସି ଭାରତୀୟ କମ୍ପାନୀରେ ଯଦି କୌଣସି ବିଦେଶୀ କମ୍ପାନୀର ୫୦% ଅଂଶଧନ ଥାଏ ତେବେ ସେମାନେ ରାଜନୈତିକ ଦଳକୁ ଚାନ୍ଦା ଦେଇ ପାରିବେ। ତେଣୁ ଏଣିକି ବିଦେଶୀ କମ୍ପାନୀମାନେ ମଧ୍ୟ ସେମାନେ ଭାରତରେ ପୁଞ୍ଜି ଲଗେଇଥିବା କୌଣସି କମ୍ପାନୀ ମାଧ୍ୟମରେ ଇଲେକ୍ଟୋରାଲ ବଣ୍ଡ୍ କିଣି ସରକାରୀ ଦଳକୁ ଦେଇ ପାରିବେ ଓ ସରକାରଙ୍କଠାରୁ ନିଜ ମନ ମୁତାବକ କାମ ହାସଲ କରି ପାରିବେ।

ଏହାକୁ ବିଭିନ୍ନ ବିରୋଧୀଦଳ ଭିନ୍ନ ଭିନ୍ନ ସମୟରେ ପ୍ରତିବାଦ ଓ ବିରୋଧ କରିଥିଲେ ହେଁ ଅନ୍ୟାନ୍ୟ ପ୍ରମୁଖ ପ୍ରତିବାଦ ମଧ୍ୟରେ ଏହା ହଜି ଯାଇଥିଲା।

ତେବେ ପ୍ରତିବାଦ କେବଳ ବିରୋଧୀଦଳ କରି ନଥିଲେ। ଯେଉଁଦିନ ବଜେଟରେ ଏହାର ଘୋଷଣା ହେଲା ସେଦିନ ସୋମବାର ଥିଲା। ପୁର୍ବ ଶନିବାର ଦିନ ସରକାର ରିଜର୍ଭ ବ୍ୟାଙ୍କକୁ ମେଲ୍ ପଠାଇ ଏ ବିଷୟରେ ମତ ଦେବାକୁ ଏବଂ ଏଥିପାଇଁ ଆବଶ୍ୟକ ରିଜର୍ଭ ବ୍ୟାଙ୍କ ଆଇନରେ ସଂଶୋଧନ ବିଷୟରେ ପରାମର୍ଶ ଦେବାକୁ କହିଲେ । ବିଷୟଟିର ଭୟଙ୍କର ସାମ୍ଭାବ୍ୟ ପରିଣାମ ରହିଥିବା ଅନୁଭବ କରି ପରଦିନ ରବିବାର ହୋଇଥିଲେ ସୁଦ୍ଧା ରିଜର୍ଭ ବ୍ୟାଙ୍କର ତତ୍କାଳୀନ ଗଭର୍ଣର ଉର୍ଜିତ୍ ପଟେଲ ଏଥିରେ ଘୋର ଆପତ୍ତି ପ୍ରକାଶ କରି ତୁରନ୍ତ ଉତ୍ତର ପଠାଇଲେ। ରିଜର୍ଭ ବ୍ୟାଙ୍କର ବୋର୍ଡ ମଧ୍ୟ ଆପତ୍ତି ଜଣାଇଲେ । ମାତ୍ର ସରକାର ତାଙ୍କ ଜିଦ୍ ରେ ଅଟଳ ରହିଲେ। ଫାଇଲ୍ ରେ ଲେଖାଗଲା ଯେ ରିଜର୍ଭ ବ୍ୟାଙ୍କ ଗଭର୍ଣର ବିଷୟଟିକୁ ବୁଝିପାରି ନାହାନ୍ତି ଓ ବଜେଟ ଛପା ସରିଥିବାରୁ ଆଉ ପଛକୁ ହଟିବାର ସମ୍ଭାବନା ନାହିଁ। ସେତେବେଳର ନିର୍ବାଚନ କମିଶନ ମଧ୍ୟ ଏହାକୁ ଘୋର ବିରୋଧ କରି ଚିଠି ଲେଖିଲେ ମଧ୍ୟ ମନ୍ତ୍ରୀ ସେ ବିଷୟରେ କିଛି ଜାଣି ନାହାନ୍ତି ବୋଲି ପାର୍ଲିଆମେଣ୍ଟରେ ମିଛ କହିଲେ। ଶେଷରେ କମିଶନ ବାଧ୍ୟ ହୋଇ ଏହା ବିରୁଦ୍ଧରେ ସୂପ୍ରୀମ କୋର୍ଟ ଗଲେ ।

ସଂସଦରେ ଥିବା ସଂଖ୍ୟାଗରିଷ୍ଠତା ଓ ବିଶ୍ବସ୍ତ ମିଡିଆର ସହାଯତାରେ ସରକାର ଯେ କେବଳ ମନମୂଖୀଭାବେ ଆଇନ୍ ରେ ପରିବର୍ତ୍ତନ କଲେ ତାହା ନୂହେଁ, ନିଜେ ତିଆରି କରିଥିବା ଆଇନକୁ ମଧ୍ୟ ନିଜ ସୁବିଧା ଅନୁସାରେ ଭାଙ୍ଗି ଚାଲିଲେ । ହଫିଙ୍ଗଟନ ପୋଷ୍ଟରେ ପ୍ରକାଶିତ ସାମ୍ବାଦିକ ନିତୀନ ସେଠିଙ୍କ ରିପୋର୍ଟ ଅନୁସାରେ, ଗତ କର୍ଣାଟକ ନିର୍ବାଚନ ସମୟରେ ଅବଧି ସରିଯାଇଥିବା ୧୦ କୋଟି ଟଙ୍କାର ଏକ ଇଲେକ୍ଟୋରାଲ୍ ବଣ୍ଡକୁ ଗ୍ରହଣ କରିବା ପାଇଁ ସରକାର ଷ୍ଟେଟବ୍ୟାଙ୍କକୁ ବାଧ୍ୟ କରିଥିଲେ।

ଏହିପରି ଭାବେ ୨୦୧୭ ମସିହା ଫେବୄଆରୀ ୧ ତାରିଖରେ ଆଇନ୍ ପରିବର୍ତନ କରି ବେଆଇନର ନାମ ଆଇନ୍ ରଖାଗଲା, ଅସ୍ବସ୍ଥତାର ନାମ ପାରଦର୍ଶିତା ରଖାଗଲା ଓ ଅମାପ ଚାନ୍ଦାସଂଗ୍ରହରେ ଗୋଟିଏ ପାର୍ଟିର ଏକଚାଟିଆ ବ୍ୟବସ୍ଥାକୁ ନିର୍ବାଚନୀ ଗଣତନ୍ତ୍ର ବୋଲି କୁହାଗଲା । ଦେଢବର୍ଷ ଧରି ମାମଲାଟି ସୂପ୍ରୀମ୍ କୋର୍ଟରେ ପଡି ରହିଥିଲେ ମଧ୍ୟ ଏହାର ବିଚାରରେ ବିଶେଷ ଅଗ୍ରଗତି ହୋଇନାହିଁ । ଏଣେ ଦୁର୍ନୀତି, ବିଦେଶୀ ହସ୍ତକ୍ଷେପ ଓ ଦେଶ ଶାସନକୁ ସମ୍ପୁର୍ଣଭାବେ ଅସାଧୁ କମ୍ପାନୀମାନଙ୍କ ନିୟନ୍ତ୍ରଣରେ ଛାଡିବା ପାଇଁ ଦ୍ବାର ସାହାଣ ମେଲା କରି ବିଜେପି ସ୍ଥାୟୀଭାବେ ଶାସନରେ ରହିବା ପାଇଁ ଇଲେକ୍ଟୋରାଲ୍ ବଣ୍ଡର ବନ୍ଦୋବସ୍ତ କରିସାରିଛି । ସ୍ତାବକ ଗଣମାଧ୍ୟମ ପାଇଁ ଏହା ହୁଏତ ଆଉ ଏକ ମାଷ୍ଟରଷ୍ଟ୍ରୋକ୍ ହୋଇପାରେ ମାତ୍ର ଦେଶର ଗଣତନ୍ତ୍ର ପାଇଁ ଏହା ଏକ ଟ୍ରାଜେଡି ।

BJP electoralbond
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଆପଣ କିପରି ଜାଣିଲେ ଚୀନ୍ ୨୦୦୦ କିମି ଜମି ଦଖଲ କରିଛି?: ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

August 4, 2025

ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ପରେ ରାଷ୍ଟ୍ରପତିଙ୍କୁ କାହିଁକି ଭେଟିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

August 4, 2025

ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ରାଷ୍ଟ୍ରୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଦିଲ୍ଲୀରେ କହିଲେ……

August 3, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.