ଜନଶୁଣାଣୀ : ଏକ ଫାର୍ଶ   

Published: Dec 21, 2019, 2:02 pm IST

ଦେବରଞ୍ଜନ

କୌଣସି ବୃହତ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଦିଗରେ ଜନଶୁଣାଣୀ ଏକ ମାତ୍ର ପ୍ରକ୍ରିୟା ଯେଉଁଠି ସ୍ଥାନୀୟ ଲୋକଙ୍କର ପ୍ରକଳ୍ପ ସମ୍ପର୍କରେ କିଛି ମତ ଦେବାର ସୁଯୋଗ ରହିଛି । ନଚେତ ସରକାର ଓ କମ୍ପାନୀ ମଧ୍ୟରେ ଚୁକ୍ତି ହେବା ପରେ କମ୍ପାନୀ ତା’ର କମ ଆରମ୍ଭ କରିଦେଇଥାନ୍ତା ଓ ଲୋକେ କିଛି କହିଲେ ତାହାକୁ ଆଇନ ଶୃଙ୍ଖଳାରେ ସମସ୍ୟା କହି ଲୋକଙ୍କୁ ଗିରଫ କରାଯାଇଥା’ନ୍ତା । ହେଲେ ଜଣାଶୁଣାଣୀ ପ୍ରକ୍ରିୟାଟି କ୍ରମଶଃ କେବଳ ମତାମତ ବା କନ୍ସଲଟେସନ ମଧ୍ୟରେ ସୀମିତ କରିଦିଆଗଲା । ଏହା ଅନୁମତି ବା କନସେଣ୍ଟ ତାଲିକାରେ ରହିଲା ନାହିଁ ।

ଫଳରେ ଲୋକେ ଯାହା ବି ମତ ଦିଅନ୍ତୁ ନା କାହିଁକି ପ୍ରଦ୍ଯୁଷଣ ବୋର୍ଡ ଓ ଜିଲ୍ଲା ପ୍ରଶାସନ ଏହାକୁ କେବଳ ଏକ ପରମ୍ପରା ଭାବରେ ଧରିନେଇ ‘ଜନଶୁଣାଣୀ ସଫଳ ହେଲା ଓ ଏହା ପରେ ପରିବେଶ ଅନୁମତି ମିଳିବାରେ ଅସୁବିଧା ନାହିଁ’ ବୋଲି ପ୍ରାୟ ପ୍ରକଳ୍ପ କ୍ଷେତ୍ରରେ ରିପୋର୍ଟ ଦେଲେ ।

ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିଜର କର୍ମଚାରୀ ଅଭାବ ଦେଖାଇ କମ୍ପାନୀଙ୍କ ଦ୍ଵାରା ପ୍ରସ୍ତୁତ ଛଅ ମାସିଆ ରିପୋର୍ଟକୁ କେବଳ ତାରିଖ ବଦଳାଇ ସେହି ସମାନ ରିପୋର୍ଟକୁ ପରିବେଶ ମନ୍ତ୍ରଣାଳୟକୁ ପଠାଇଲେ ଓ ଅତ୍ୟଧିକ ପ୍ରଦ୍ଯୁଷଣ କରୁଥିବା ତଥା କୌଣସି ଫିଲ୍ଟରାଇଜେସନ ମେସିନ ଲଗାଇନଥିବା  କମ୍ପାନୀ ଲାଗି ମଧ୍ୟ ଅନୁମତି ପତ୍ର ଆଣିଦେଲେ । ଆଜି ସେହିସହୁ ଅଞ୍ଚଳରେ ଯେଉଁ ପରିବେଶ ଜନିତ କ୍ଷତି ହେଉଛି ଓ ଲୋକେ ମୃତ୍ୟୁବରଣ କରୁଛନ୍ତି ତାହା ପାଇଁ କ’ଣ ସେମାନେ ଉତ୍ତରଦାୟୀ ରହିଲେ କି ?

ଏହିମାନଙ୍କୁ ତ ପ୍ରଥମେ ହତ୍ୟା ଅପରାଧରେ ଆଜୀବନ କାରାଦଣ୍ଡ ହେବା କଥା ! ଲୋକେ ଯେବେ ମରୁଛନ୍ତି ସେତେବେଳେ କିନ୍ତୁ ସେମାନେ ସେଠାରେ ନାହାନ୍ତି ।

ଏହି ବିଶ୍ବାସଘାତାକତା ହେତୁ କ୍ରମଶଃ ସ୍ଥାନୀୟ ଲୋକେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଉପରେ ନିଜର ଆସ୍ଥା ହରାଇଲେ । ବୋର୍ଡ ଉପରେ ଭରସା ନକରିପରି ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା (ଆଦାନୀ ପାୱାର ପ୍ଳାଣ୍ଟ ଲାଗି), ସମ୍ବଲପୁର ଜିଲ୍ଲାର କୁଚିଣ୍ଡା (ଦାମୋଦର ଡ୍ୟାମ ପ୍ରକଳ୍ପ) ଓ ରାୟଗଡାର ବାସଙ୍ଗମାଳୀ (ଆଲୁମିନା ପ୍ଳାଣ୍ଟ) ଅଞ୍ଚଳର ଲୋକେ ଜନଶୁଣାଣୀ ପ୍ରକ୍ରିୟାକୁ ସଂପୂର୍ଣ୍ଣ ବନ୍ଦ କରିଦେବା ପରେ ଏହି ହେତୁ ସେହିସବୁ ଅଞ୍ଚଳରେ ପ୍ରକଳ୍ପ ସଂପୂର୍ଣ୍ଣ ବନ୍ଦହୋଇଗଲା ।

ଭାରତରେ ଆଜି ପ୍ରାୟ ଜନ ଆନ୍ଦୋଳନରେ ଏହା ଏକ ରଣନୀତି ହୋଇଛି ଯେ ମୂଳରୁ ଜନଶୁଣାଣୀକୁ ଆଦୌ କରେଇନଦିଆଯାଉ ଯାହା ଦ୍ଵାରା ପ୍ରକଳ୍ପ ବନ୍ଦ ହୋଇଯିବ ଓ ଅଞ୍ଚଳର ପରିବେଶ ଅନ୍ତତଃ କ୍ଷତିରୁ ବଞ୍ଚିଯିବ। ନିକଟରେ ଉତ୍ତରାଖଣ୍ଡରେ ଯମୁନା ନଦୀର ଏକ ଧାରାରେ ପ୍ରସ୍ତାବିତ ହାଇଡ୍ରୋ ପ୍ରୋଜେକ୍ଟର ଜନଶୁଣାଣୀକୁ ଲୋକେ ବିରୋଧ କରି ପ୍ରକଳ୍ପକୁ ବନ୍ଦ କରିଦେଲେ ।

Related posts