କେଦାର ମିଶ୍ର
ଏ ଲେଖାଟିକୁ ମୁଁ ନିତାନ୍ତ ବ୍ୟକ୍ତିଗତ ଅନୁଭବରୁ ଲେଖୁଛି। ମୁଁ ଯେବେବି ମୋ ମା କୁ ପଚାରେ, ମୋର ଜନ୍ମ କେବେ ହୋଇଥିଲା, ସେ ମୋତେ କହେ, ତୁ ସେହି ବର୍ଷ ଜନ୍ମ ହୋଇଥିଲୁ ଯେଉଁ ବର୍ଷ ଯୋଡା ବୈଶାଖ ପଡିଥିଲା। ପାଞ୍ଜି କଣ ଜାଣି ନଥିବା ଓ ଭାରତୀୟ ଚାନ୍ଦ୍ର ବର୍ଷ ବିଷୟରେ ଧାରଣା ନଥିବା ଲୋକଟି ଯୋଡା ବୈଶାଖର ଅର୍ଥ ବି ବୁଝି ପାରିବ ନାହିଁ। ମୁଁ ନିଜେ ମୋ ଜାତକ ନ ପଢିବା ଯାଏଁ ମୋ ଜନ୍ମଦିନ କଥା ମୋତେ ଜଣା ନଥିଲା। ତେବେ ଜାତକରେ ଲେଖାଥିବା ଜନ୍ମଦିନ ସହିତ ମୋ ସରକାରୀ କାଗଜର ଜନ୍ମଦିନ ସମାନ ନୁହେଁ। ମୋ ସ୍କୁଲ ସାର୍ଟିଫିକେଟରେ ମୋ ବୟସ ଜାତକଠାରୁ ୯ ମାସ ବଡ। ମୋ ପରି ଅଧିକାଂଶ ଭାରତୀୟଙ୍କର ଅବସ୍ଥା ସମାନ। ଏଠି ପ୍ରତ୍ୟେକଙ୍କର ତିନୋଟି ଜନ୍ମଦିନ ଥାଏ- ଜାତକ ତାରିଖ ଅନୁସାରେ, ସାର୍ଟିଫିକେଟ ଅନୁସାରେ ଓ ତିଥି ଅନୁସାରେ। ବେଳେ ବେଳେ ସାର୍ଟିଫିକେଟରେ ଥିବା ବୟସ ଭୋଟର କାର୍ଡର ବୟସ ସହିତ ମେଳ ଖାଏ ନାହିଁ। ନୂଆ ତିଆରି ହୋଇଥିବା ଆଧାର କାର୍ଡର ବୟସ ସହିତ ଭୋଟର କାର୍ଡର ବୟସ ଯେ ସମାନ, ତାହା ମଧ୍ୟ କହିହେବ ନାହିଁ। ଏ ପ୍ରକାର ତାଳମେଳ ନଥିବା ବୟସର କାଗଜକୁ ଦେଖି ଭାରତ ସରକାର ମୋର ନାଗରିକତା ଉପରେ ସନ୍ଦେହ ପ୍ରକଟ କରିବେ କି? ସେ ଅଧିକାର ଭାରତ ସରକାରଙ୍କର ରହିଛି କି?
ଆଜି ଯେତେବେଳେ ୨୦୧୦ ମସିହା ପାଇଁ ଜନଗଣନା ପ୍ରକ୍ରିୟା ଆରମ୍ଭ ହେଉଛି, ସେତେବେଳେ କେନ୍ଦ୍ର ସରକାରଙ୍କ ମତିଗତି ଦେଖି ପ୍ରତ୍ୟେକ ସାଧାରଣ ନାଗରିକ ଆତଙ୍କିତ ଓ ସେମାନେ ଜାଣି ପାରୁନାହାନ୍ତି ବାସ୍ତବ ସତ୍ୟ କଣ? ପ୍ରଧାନମନ୍ତ୍ରୀ କହୁଛନ୍ତି, ଦେଶରେ ଜାତୀୟ ନାଗରିକ ପାଞ୍ଜି ହେବାର କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ହେଲେ ଜନଗଣନା ଆଧାରରେ ଯେଉଁ ଜାତୀୟ ଜନସଂଖ୍ୟା ପଞ୍ଜିକା ତିଆରି ହେବ, ତାହା ନାଗରିକ ପଞ୍ଜିକାର ଆଧାର ହେବ ବୋଲି ସରକାରଙ୍କ ତଥ୍ୟ କହୁଛି। କୌଣସି ଜନଗଣନାକୁ ନେଇ ଏ ଦେଶରେ ଏ ପ୍ରକାର ଆତଙ୍କ ବା ବିଭ୍ରାନ୍ତି କେବେ ମଧ୍ୟ ନଥିଲା। କାଗଜପତ୍ରର ତାଳମେଳ ଭାରତରେ ସବୁଠୁ ଉଦ୍ଭଟ ବ୍ୟବସ୍ଥା। ଜମିଜମାରେ ଲେଖାଥିବା ନାଁ ଓ ପରିଚୟ ଦେଖିଲେ ଆମର ମୁଣ୍ଡ ଗୋଳମାଳ ହୋଇଯିବ। ଜନ୍ମସ୍ଥାନ ଓ ଜନ୍ମାତାରିଖକୁ ନେଇ ଆମେ ୧୯୯୦ ମସିହା ପର୍ୟନ୍ତ ଏତେ ଚିନ୍ତା କରୁନଥିଲୁ। ଆରମ୍ଭରୁ ସେଥିଲାଗି ମୁଁ କହିଛି, ପ୍ରତି ଭାରତୀୟ ପାଇଁ ତିନୋଟି ଜନ୍ମତାରିଖ ରହିଥାଏ। ସେଥିରୁ କାହାକୁ ସରକାରୀ ତଥ୍ୟ ବୋଲି ବେଚାରା ନାଗରିକ ଦେଖାଇବ?
୧୮୭୨ ମସିହାରୁ ଭାରତରେ ପ୍ରଥମ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇ ୧୮୮୧ ରେ ଦେଶର ପ୍ରଥମ ଜନଗଣନା ରିପୋର୍ଟ ପ୍ରକାଶ ପାଇଥିଲା। ୧୮୮୧ ରୁ ପ୍ରତି ଦଶ ବର୍ଷରେ ଆମର ଜନଗଣନା ପ୍ରକ୍ରିୟା ଚାଲି ଆସିଛି। ଏହା ନିହାତି ଏକ ସାଧାରଣ ବ୍ୟାପାର ବୋଲି ଆମେ ଭାବି ନେଇଥିଲୁ। ତେବେ ଚଳିତ ବର୍ଷ ଗୃହମନ୍ତ୍ରୀ ଭାବରେ ଅମିତ ଶାହଙ୍କ ଉଦ୍ଦେଶ୍ୟ ଓ କାର୍ୟ କରିବାର ପ୍ରଣାଳୀ ଜନଗଣନା ପ୍ରକ୍ରିୟାକୁ ସନ୍ଦେହ ଘେରକୁ ନେଇ ଆସିଛି। ୨୦୧୦ରେ ଜନଗଣନା ସହିତ ଏକ ଜାତୀୟ ଜନଗଣନା ପଞ୍ଜିକା ବା ନେସନାଲ ପପୁଲେସନ ରେଜିଷ୍ଟର ପ୍ରସ୍ତୁତ କରା ଯାଇଥିଲା। ସେଥିରେ ଭାରତରେ ରହୁଥିବା ଲୋକଙ୍କ ବିଷୟରେ ୧୫ଟି ତଥ୍ୟ ସଂକଳିତ କରା ହୋଇଥିଲା। ଏବେ ସେଥିରେ ଆଉ ୬ଟି ଅଧିକ ତଥ୍ୟ ଯୋଡିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଜନଗଣନାରେ ନିଜର ଜନ୍ମତାରିଖ ଓ ଜନ୍ମସ୍ଥାନ ସହିତ ନିଜ ପିତାମାତାଙ୍କ ଜନ୍ମତାରିଖ ଓ ଜନ୍ମସ୍ଥାନର ବିବରଣୀ ଦେବାକୁ ପଡିବ। ଜାତୀୟ ଜନସଂଖ୍ୟା ପଞ୍ଜିକାରେ ଏହା ବୋଧହୁଏ ସବୁଠୁ ଉଦ୍ଭଟ ଓ ମୂର୍ଖତାପୂର୍ଣ୍ଣ ଦାବି। ଯେଉଁଠି ନିଜ ଜନ୍ମତାରିଖକୁ ନେଇ ନାଗରିକ ଦ୍ଵନ୍ଦ୍ଵରେ ରହିଛି, ସେଠି ବାପା ମା’ଙ୍କ ଜନ୍ମତାରିଖର ସ୍ପଷ୍ଟ ତଥ୍ୟ ଦେଇ ହେବ କେମିତି? ପୁନଶ୍ଚ ଏହି ପଞ୍ଜିକାରେ ନିଜର ଫୋନ ନମ୍ବର ଦେବାକୁ କୁହାଯାଇଛି। ଫୋନ ନମ୍ବର ଆଣିଲା ବେଳେ ସମ୍ପୃକ୍ତ କମ୍ପାନୀକୁ ସଂପୂର୍ଣ୍ଣ ବୈଧ ତଥ୍ୟ ଆମେ ଦେଇଛୁ। ତା ପରେ ମୋ ଫୋନ ନମ୍ବର ମୁଁ ସରକାରଙ୍କୁ ଦେବି କାହିଁକି?
ନୂଆ ନାଗରିକ ଆଇନରେ ପିତାମାତାଙ୍କ ପରିଚୟ ସହିତ ନାଗରିକତାର ଅଧିକାରକୁ ଯୋଡା ଯାଇଥିବାରୁ, ଏନପିଆର ସହିତ ଏନସିଆରର ସ୍ପଷ୍ଟ ସମ୍ପର୍କ ବାରି ହୋଇ ପଡୁଛି। ନିଜର ସାମ୍ପ୍ରଦାୟିକ ଏଜେଣ୍ଡାକୁ ଲାଗୁ କରିବା ଉଦ୍ଦେଶ୍ୟରେ ଜନଗଣନାର ତଥ୍ୟକୁ ମୋଦୀ-ଶାହ ସରକାର ଅପବ୍ୟବହାର କରିବାର ଆଶଙ୍କା ଯେ ଅମୂଳକ ନୁହେଁ, ଏକଥା ଅତି ସ୍ପଷ୍ଟ ଜଣାପଡୁଛି। ମୋଦୀ ସରକାର ଜନଗଣନା ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗକୁ ସାମ୍ପ୍ରଦାୟିକ ରଙ୍ଗ ଦେଇ ନିଜର ରାଜନୈତିକ ଉଦ୍ଦେଶ୍ୟ ମେଣ୍ଟାଇବାକୁ ଚାହିଁବା ଦୁର୍ଭାଗ୍ୟର ବିଷୟ।
ତଥ୍ୟକୁ ନେଇ ନାଗରିକଙ୍କୁ କାଠଗଡାରେ ଠିଆ କରାଇବାର ଅପପ୍ରୟାସ ପାଇଁ କେବଳ ମୋଦୀ ସରକାରକୁ ଯେ ବହୁ ମୂଲ୍ୟ ଦେବାକୁ ପଡିବ ତାହା ନୁହେଁ, ଏହା ଭବିଷ୍ୟତରେ ଦେଶର ଏକତା ଓ ସାମାଜିକ ସଂହତି ଉପରେ ମଧ୍ୟ ପ୍ରଭାବ ପକାଇବ।