Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା କଂଗ୍ରେସ, ପୋଲା ବାଉଁଶକୁ ବାଉନ୍ସର ଜଗିଛନ୍ତି କାହିଁକି?
ବିଶେଷ ଖବର

ଓଡିଶା କଂଗ୍ରେସ, ପୋଲା ବାଉଁଶକୁ ବାଉନ୍ସର ଜଗିଛନ୍ତି କାହିଁକି?

January 18, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
congress changes candiadate on the last day of nomination
congress changes candiadate on the last day of nomination

କେଦାର ମିଶ୍ର

ଓଡିଶା କଂଗ୍ରେସକୁ ଦେଖିଲେ, ବାସ୍ତବରେ ଦୟା ଲାଗୁଛି। ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ,ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକଙ୍କ ପରି ନେତା ଯେଉଁ ଦଳକୁ ଗଢିଥିଲେ, ସେ ଦଳ ଆଜି ନିଜେ ନିଜକୁ ଖାଇ ଚାଲିଛି। ଓଡିଶାର ଲୋକେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କହିବା ଅପେକ୍ଷା କଂଗ୍ରେସ ଦଳ ନିଜେ ନିଜକୁ ଖତମ କରିଦେବାକୁ ପ୍ରତିଯୋଗିତା କରୁଛି ବୋଲି କହିବା ଅଧିକ ସମୀଚୀନ ହେବ। ରାଜ୍ୟ କଂଗ୍ରେସର ନେତୃତ୍ଵ ଆଜିର ତାରିଖରେ ସବୁଠୁ ଅସହାୟ ଓ ଭୟଭୀତ। ଦଳର ନା ଅଛି କ୍ଷମତା ନା ରହିଛି ସଂଗଠନ। ତଥାପି ଦଳ ଭିତରେ ମରାମରି, ଗୋଛି କଟାକଟି, ଓ କାଦୁଅ ଫୋପଡା ଫୋପଡି ଚାଲିଛି। ଆମେ ଦେଖିଲୁ, କଂଗ୍ରେସ ଭାବନା ଭିତରେ ବୈଠକ ଚାଲିଥିବା ବେଳେ ବାହାରେ ଘରୋଇ କମ୍ପାନୀର ସୁରକ୍ଷା କର୍ମୀ ବା ବାଉନ୍ସର ଜଗିଛନ୍ତି। ଯେତେବେଳେ ଗୋଟେ ଦଳର ନେତାଙ୍କୁ ବାଉନ୍ସର ଜଗିବା ଆରମ୍ଭ କରନ୍ତି, ସେ ଦଳର ସଂଗଠନ ଓ ଆସ୍ଥା ଯେ ମୂଳପୋଛ ହୋଇଯାଇଛି, ସେକଥା ବୁଝିବାରେ ବିଶେଷ ଅସୁବିଧା ନାହିଁ।

୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳ ହୁଏତ ଆତ୍ମ ସମୀକ୍ଷା କରିବା ଉଚିତ ହୋଇଥାନ୍ତା। ଦଳ ଯେ ଓଡିଶାରୁ ଆସ୍ତେ ଆସ୍ତେ ନିଶ୍ଚିହ୍ନ ହେବାକୁ ବସିଲାଣି, ଏକଥା କଂଗ୍ରେସ ନେତୃତ୍ଵ ବୁଝିଯିବା ଉଚିତ ହୁଅନ୍ତା। ସମସ୍ୟା କଣ ବୁଝିଲେ, ସମାଧାନର ବାଟ ହୁଏତ ଫିଟି ପାରନ୍ତା। ହେଲେ କଂଗ୍ରେସ ଜାତକରେ  ଆତ୍ମସମୀକ୍ଷା ବୋଲି କିଛି ନାହିଁ। ଆନୁଗତ୍ୟ, ଚାଟୁକାରିତା ଓ ବିଚାରହୀନ ରାଜନୀତି ଯୋଗୁଁ, କଂଗ୍ରେସର ଏ ଅବକ୍ଷୟ ବୋଲି କଂଗ୍ରେସ ନେତାଏ ଜାଣନ୍ତି। ହେଲେ ସେଥିରୁ ଫିଟିବାର ବାଟ କେହି ଖୋଜୁନାହାନ୍ତି। ଦଳରେ ସଭାପତି କିଏ ହେବ ତାକୁ ନେଇ ଟଣା ଓଟରା ଚାଲିଛି। ପ୍ରଥମେ ଦଳ ରହିଲେ ସିନା ପଦପଦବୀର ମୂଲ୍ୟ ରହିବ। ଏବେ ଓଡିଶା କଂଗ୍ରେସରେ ଦଳକୁ ନୁହଁ, ପଦ ବଞ୍ଚାଇବାର ଅଲାଜୁକ ପ୍ରତିଯୋଗିତା ଚାଲିଛି।

୨୦୧୯ ନିର୍ବାଚନ ପୂର୍ବରୁ ବର୍ଷିୟାନ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସର ସଭାପତି ଦାୟିତ୍ଵ ପାଇଲେ। ତାଙ୍କ ପୂର୍ବରୁ ପିସିସି ସଭାପତି ଥିବା ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ଵରେ କଂଗ୍ରେସ ଏକପ୍ରକାର ଆଇସିୟୁ କୁ ଚାଲି ଯାଇଥିଲା। ନିରଞ୍ଜନ ସେଥିରେ ବିଶେଷ କିଛି ସୁଧାର ଆଣିପାରିବେ ବୋଲି ପ୍ରଥମେ ଆଶା କରାଯାଉଥିଲା। ହେଲେ ସମୟକ୍ରମେ, ସେ ଆଶା ମଉଳିଗଲା। ୨୦୧୯ ନିର୍ବାଚନରେ କଂଗ୍ରେସର ସ୍ଥିତି ଆହୁରି ଖରାପ ହୋଇପଡିଲା। ତା ପରଠୁ କଂଗ୍ରେସ ଶରୀରରେ ରେ ସେଇ ପୁରୁଣା ରୋଗର ଜୀବାଣୁ ମାଡି ଚାଲିଛନ୍ତି। ଦଳେ କଂଗ୍ରେସ ନେତା ଚାହୁଁଛନ୍ତି ନିରଞ୍ଜନ ବିଦା ହୁଅନ୍ତୁ, କଂଗ୍ରେସ ହାଇ କମାଣ୍ଡ କହୁଛନ୍ତି ନିରଞ୍ଜନ ରହିବେ। ସଂଗଠନ ଅପେକ୍ଷା ନେତାଙ୍କ ପଦବୀକୁ ନେଇ ଏବେ କଂଗ୍ରେସରେ ମହାଭାରତ ଚାଲିଛି।

ତେବେ ଆଜିର ରାଜନୈତିକ ସ୍ଥିତିକୁ ଦେଖିଲେ, କଂଗ୍ରେସ ପ୍ରଥମେ ଏକ ଦଳ ଭାବରେ ରାଜ୍ୟରେ ବଞ୍ଚି ରହିବା ଉଚିତ। ତା ପରେ ଯାଇ ବାକି ଯାହା ହେବ। ତେବେ କଂଗ୍ରେସ ନେତାମାନଙ୍କ ଆଚରଣରୁ ଯାହା ଜଣାପଡୁଛି, ସେମାନେ କେହି କଂଗ୍ରେସ ବଞ୍ଚିରହୁ ବୋଲି ଚାହୁଁନାହାନ୍ତି। ନିରଞ୍ଜନ ବାବୁ ପୁରୁଖା ଓ ଅଭିଜ୍ଞ ଲୋକ। ତାଙ୍କର ସବୁଠୁ ଗୁରୁ ଦାୟିତ୍ଵ ହେଉଛି, ଯେଉଁମାନେ କଂଗ୍ରେସରେ ଅଛନ୍ତି ସେମାନଙ୍କୁ ବାପ ଧନ କହି କଂଗ୍ରେସ କାମରେ ଲଗାଇବା। ପିସିସି ସଭାପତି କିନ୍ତୁ ଠିକ ଏହାର ବିପରୀତ କାମ କରୁଛନ୍ତି। ଦଳର ଛାତ୍ର, ଯୁବ ଓ ମହିଳା ସଂଗଠନର ନେତୃତ୍ଵ ରେ ନିଜ ଅନୁଗତଙ୍କୁ ଅବସ୍ଥାପିତ କରିବାର ଜିଦ ଯୋଗୁଁ ଏବେ କଂଗ୍ରେସରେ କନ୍ଦଳ ଉତ୍କଟ ହୋଇଛି। ଏମିତିରେ ତ କଂଗ୍ରେସ କର୍ମୀ ଓ ନେତାଙ୍କ ମନୋବଳ ଭାଙ୍ଗିକି ରହିଛି। ସେଥିରେ ପଦ ପଦବୀକୁ ନେଇ ଏ ପ୍ରକାର ଅହଙ୍କାରର ଲଢେଇ ଦଳକୁ ଦୁର୍ବଳତର କରୁଛି। କଂଗ୍ରେସର ଶକ୍ତି, ସାମର୍ଥ୍ୟ ଓ ସମ୍ବଳ, ସବୁକିଛି କେବଳ ନିଜ ନିଜ ଭିତରର ଲଢେଇରେ ସଋ ଯାଉଛି। ସେଥିରେ ଓଡିଶା କଂଗ୍ରେସ ବିଜେପି ଓ ବିଜେଡି ବିରୋଧରେ ସଂଘର୍ଷ କରିବ କେମିତି?

ଏବେ ସାରା ଦେଶରେ ନାଗରିକତା ସଂଶୋଧନ ଆଇନକୁ ନେଇ ପ୍ରବଳ ବିରୋଧ ଜାରି ରହିଥିବା ବେଳେ ଓଡିଶା କଂଗ୍ରେସ ଏହାକୁ ନେଇ ଜଡ ହୋଇ ବସିଛି। ଏହି ଆଇନ ସପକ୍ଷରେ ବିଜେପି ସହିତ ବିଜେଡ଼ିର ସମର୍ଥନ ରହିଥିବାରୁ ରାଜ୍ୟର ପ୍ରମୁଖ ବିରୋଧୀ ଭାବରେ କଂଗ୍ରେସ ଏହାକୁ ନେଇ ରାସ୍ତାକୁ ଓହ୍ଲାଇ ପାରିଥାନ୍ତା। ଏପରିକି ଜେଏନୟୁ ଆକ୍ରମଣ ପ୍ରସଙ୍ଗରେ ମଧ୍ୟ ରାଜ୍ୟ କଂଗ୍ରେସର ପ୍ରତିକ୍ରିୟା କେବଳ ପ୍ରେସ ରିଲିଜରେ ସୀମିତ। କଂଗ୍ରେସର ମିଡିଆ ପରିଚାଳନା ମଧ୍ୟ ହାସ୍ୟାସ୍ପଦ ସ୍ତରକୁ ଖସି ଆସିଛି। କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ଗୁଡିକ ଏବେ ଟେଲିଭିଜନ ଡିବେଟ ଫର୍ମାଟରେ ଚାଲିଛି। ପିସିସି ମିଡିଆ ସେଲ ଯେ ଟେଲିଭିଜନ ନ୍ୟୁଜରୁମ ନୁହଁ ଏକଥା କଂଗ୍ରେସ ନେତୃତ୍ଵ ବୁଝୁନାହାନ୍ତି କେମିତି? ସୋସିଆଲ ମିଡିଆରେ ମଧ୍ୟ କଂଗ୍ରେସର ଉପସ୍ଥିତି ନାମକୁ ମାତ୍ର। ଜନମତକୁ ପ୍ରଭାବିତ କରୁଥିବା କୌଣସି ମାଧ୍ୟମରେ ଏବେ କଂଗ୍ରେସର ଉପସ୍ଥିତି କେବଳ ଶୂନ୍ୟ ଶୂନ୍ୟ ମହାଶୂନ୍ୟ।

ଏମିତି ପରିସ୍ଥିତିରେ ପୋଲା ବାଉଁଶ ଭଳି କଂଗ୍ରେସ ଭବନରେ ବାଉନ୍ସର ମୁତୟନ କରିବା ଯେତିକି ହାସ୍ୟାସ୍ପଦ ସେତିକି କରୁଣ ମଧ୍ୟ। 

niranjanpattanaik odishacongress
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ତୁରନ୍ତ କରିବା ପାଇଁ ଦାବୀ କଲା ପ୍ରଦେଶ କଂଗ୍ରେସ, ହେଲେ କାହିଁକି ?

September 8, 2025

ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେଡି କଲା ବଡ ଘୋଷଣା, ନିଆଗଲା ଏହି ନିଷ୍ପତି

September 8, 2025

ଉପରାଷ୍ଟ୍ରପତି ନିର୍ବାଚନରେ ​​କେଉଁ ଦଳ ବଦଳାଇ ପାରନ୍ତି ପକ୍ଷ, BJD, YSR ର ମତ କଣ ହେବ?

September 8, 2025

ଆରେ ହେ…ପ୍ରଧାନମନ୍ତ୍ରୀ କଣ ପଛ ଧାଡିରେ ବସିଛନ୍ତି !!! ଏହା ସତ ନା ମିଛ ?

September 8, 2025
Latest News

ସମ୍ ହସ୍ପିଟାଲ୍‌ରେ ଚତୁର୍ଥ ଥର ପାଇଁ ଅଙ୍ଗଦାନ ପ୍ରକ୍ରିୟା ସମ୍ପନ୍ନ

September 8, 2025

ବିଜେଡି ଭୋଟଦାନରୁ ବିରତ ରହିବା ଅର୍ଥ ପରୋକ୍ଷ ବିଜେପିକୁ ସମର୍ଥନ, କଂଗ୍ରେସ

September 8, 2025

ବାଣପୁର ଠାରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ – ‘ଉଲ୍ଲାସ’ ଅନୁଷ୍ଠିତ

September 8, 2025

ଚିଲିକା: ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ରବୃତ୍ତି

September 8, 2025

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ: ଏଣିକି ପ୍ରତ୍ୟେକ ସୋମବାର ‘ପଲ୍ଲୀରେ ପ୍ରଶାସନ’ କାର୍ଯ୍ୟକ୍ରମ

September 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.