କେଦାର ମିଶ୍ର
ସାଧାରଣ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଗଲାଣି। ଦେଶର ଯେତେ ଯାହାହେଲେ ମଧ୍ୟ ନିର୍ବାଚନ ଆମ ଗଣତନ୍ତ୍ରର ଅଭିନ୍ନ ଅଙ୍ଗ। ପ୍ରତି ପାଞ୍ଚ ବର୍ଷରେ ନିର୍ବାଚନ ଅବଶ୍ୟ ହେବ। ତେବେ ନିର୍ବାଚନ ହେବା ଆଗରୁ ଯଦି ଗୋଟେ ବଡ ଆତଙ୍କବାଦୀ ଆକ୍ରମଣ ଘଟେ, ତାହେଲେ ତାହାହିଁ ନିର୍ବାଚନର ମୂଳ ପ୍ରସଙ୍ଗ ହେବା ସ୍ଵାଭାବିକ। ଯେବେବି ଏ ଦେଶରେ ଆତଙ୍କବାଦୀ ଆକ୍ରମଣ ହୋଇଛି, ଆମର ପ୍ରତିକ୍ରିୟା ସମାନ ରହିଛି। ସପ୍ତାହେ ଦୁଇ ସପ୍ତାହ ଧରି ପାକିସ୍ତାନକୁ ଗାଳି କରି ସାରିଲା ପରେ ଆମେ କ୍ଳାନ୍ତ ହୋଇଯିବୁ ଓ ପୁଣି ନୂଆ ପ୍ରସଙ୍ଗ ଖୋଜିବୁ। ଏବେ ଆପାତତଃ ସେଇଆ ହେଉଛି। ଦେଶର ସୁରକ୍ଷା ପ୍ରସଙ୍ଗରେ ରଣନୀତି, ଗୁଇନ୍ଦା ବିଫଳତା, କୂଟନୈତିକ ମନ୍ତ୍ରଣା ବିଷୟରେ ଆଲୋଚନା ଅପେକ୍ଷା ଛାତି ବାଡେଇ “ତୋତେ ଭସେଇ ଦେବି ରେ ପାକିସ୍ତାନ” ନାଟକ ଆମେ କରି ଚାଲିଛୁ। ଗୋଟେ ଦୃଷ୍ଟିରୁ ଏ ପ୍ରକାର ନାଟକର ଆବଶ୍ୟକତା ଶାସନରେ ଥିବା ଲୋକଙ୍କ ପାଇଁ ବେଶ ସହାୟକ। ଏବେ ସରକାରକୁ ପ୍ରଶ୍ନ ପଚାରିବାର ଆବଶ୍ୟକତା ଆଉ କେହି ଅନୁଭବ କରିବେ ନାଇଁ। ଏବେ ଖୋଲାଖୋଲି ଦେଶପ୍ରେମ ନାମରେ ସବୁ ସରକାରୀ ବିଫଳତାକୁ ଭୁଲି ଆମେ ଶତୃ ଶିବିରକୁ ନିଜ ଘର ଆଗରେ ଗାଳି କରୁଥିବା।
ଓଡିଶାରେ ନିର୍ବାଚନର ସ୍ଥିତି ଆଉ ଟିକେ ଗମ୍ଭୀର। ଏଠି ବିଧାନସଭା ଓ ଲୋକସଭା ଲାଗି ସମାନ ସମୟରେ ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ୧୯ ବର୍ଷ ଧରି ଏକ ସ୍ଥିର ସରକାର ରହିଛି। ତେଣୁ ସ୍ଵାଭାବିକ ଭାବରେ ସରକାର ବିରୋଧୀ ଏକ ବାତାବରଣ ରହିବା ଉଚିତ ହୁଅନ୍ତା। ହେଲେ ସେମିତି କିଛି ସତରେ ଅଛି କି? ଅନେକ ବିରୋଧୀ ନେତାଙ୍କ କହିବା କଥା ହେଲା ସରକାର ବିରୋଧରେ ଗୋଟେ ଭିତିରିଆ ହାୱା ଅଛି। ସେ ଭିତିରିଆ ହାୱା କଥା କହିଲେ ଲୋକ ମୁହଁ ରେ ଲୁଗା ଦେଇ ହସୁଛନ୍ତି। ୧୯ ବର୍ଷର ଗୋଟେ ସରକାର ବିରୋଧରେ ପ୍ରକାଶ୍ୟ ଜଣ ଅସନ୍ତୋଷ ସୃଷ୍ଟି କରି ପାରିନଥିବା ଓଡିଶାର ଦୁଇ ପ୍ରମୁଖ ବିରୋଧୀ ଦଳ ଏବେ କେଉଁ ପ୍ରସଙ୍ଗରେ ସରକାରକୁ ପରାଜିତ କରିବେ, ତାର ଉତ୍ତର ତାଙ୍କ ପାଖରେ ନାଇଁ।
ଆଜି ବି ଛୋଟ ଛୋଟ ପ୍ରସଙ୍ଗକୁ ନେଇ ବିରୋଧୀ ବଡ ବଡ ବୟାନ ଦେବାରେ ବିଶ୍ଵାସୀ। ବୋଧହୁଏ ଓଡିଶାରେ ବିରୋଧୀ ଦଳଙ୍କ ଅପେକ୍ଷା ଗୋଟେ ଦୁଇଟି ଗଣମାଧ୍ୟମ ସଂସ୍ଥା ଓ କିଛି ସାମ୍ବାଦିକ ବିରୋଧୀ ଦଳର ଭୂମିକା ତୁଲାଉଛନ୍ତି। ବିଜୁ ଜନତା ଦଳରୁ ବିତାଡିତ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଓଡିଶା ଟିଭି ଏବେ ଓଡିଶାର ସବୁଠୁ ବଡ ବିରୋଧୀ ଦଳର ଭୂମିକା ନେଉଛି। ଏହା ଗୋଟେ ଦୃଷ୍ଟିରୁ ଗଣତନ୍ତ୍ର ପାଇଁ ଶୁଭଂକର। ଯେତେବେଳେ ବିରୋଧୀ ରାଜନୈତିକ ଶକ୍ତି ଦୁର୍ବଳ ହୋଇ ପଡନ୍ତି ସେତେବେଳେ ବିକଳ୍ପ ବିରୋଧୀ ନେତୃତ୍ୱ ମୁଣ୍ଡ ଟେକିଥାଏ। ତେବେ ଏ ପ୍ରକାର ଗଣମାଧ୍ୟମର ସ୍ଵରକୁ ବିରୋଧୀ ସ୍ଵର ଭାବରେ ଲୋକ ବିଶ୍ଵାସ କରିବେ କି? ଯେହେତୁ ମାଲିକଙ୍କ ରାଜନୈତିକ ଅଭିଳାଷ ସହିତ ଏମାନେ ବନ୍ଧା, ୟାଙ୍କ ଖବର ଉପରେ ଲୋକଙ୍କ ଭରସା ନ ଆସିବା ସ୍ଵାଭାବିକ।
ବାକି ରହିଲା ନିର୍ବାଚନୀ ପ୍ରସଙ୍ଗ। ଆଜିଯାଏଁ ଦୁଇଟି ଯାକ ପ୍ରମୁଖ ବିରୋଧୀ ଦଳ କି ପ୍ରକାର ରଣନୀତିରେ ସରକାରୀ ଦଳକୁ ଘେରିବେ, ତାହାର ସ୍ପଷ୍ଟ ଚିତ୍ର ମିଳିନାହିଁ। କଂଗ୍ରେସ ଓ ବିଜେପିର ମୂଳ ସମସ୍ୟା ହେଲା, ଏମାନେ ନିଜର ଜାତୀୟ ନେତୃତ୍ୱ ଉପରେ ସବୁକଥାରେ ନିର୍ଭରଶୀଳ। ଟିକଟ ବଣ୍ଟାଠୁ ଆରମ୍ଭ କରି ନିର୍ବାଚନୀ ଇସ୍ତାହାର ପର୍ଯନ୍ତ ସବୁକଥାରେ ଦିଲ୍ଲୀ ଦରବାର ହିଁ ଏମାନଙ୍କର ନିୟନ୍ତ୍ରକ। ରାଜ୍ୟ ନେତୃତ୍ୱ ପାଖରେ ଠୋସ ନିଷ୍ପତ୍ତି ନେବାର ଅଧିକାର ନାଇଁ।
ଏବେ ଓଡିଶା କଂଗ୍ରେସ ତରଫରୁ ଛତିଶଗଡ ମୋଡେଲକୁ ଅନୁସରଣ କରାଯିବ ବୋଲି କୁହାଯାଉଛି। ତେବେ କଣ ଏଇ ଛତିଶଗଡ ମୋଡେଲ? ଭୋଟ ସମୀକରଣରେ ଛତିଶଗଡ ଓ ଓଡିଶା ଭିତରେ ମୌଳିକ ପ୍ରଭେଦ ରହିଛି। ଗତ ତିନୋଟି ଯାକ ନିର୍ବାଚନରେ ଛତିଶଗଡରେ ବିଜେପି ସରକାର ଥିଲେ ମଧ୍ୟ କଂଗ୍ରେସ ଓ ବିଜେପି ମଧ୍ୟରେ ଆସନ ତଥା ଭୋଟ ହାରରେ ବିଶେଷ ଦୂରତା ନଥିଲା। ୨୦୧୩ ବିଧାନସଭା ନିର୍ବାଚନରେ ବିଜେପି ୪୧% ଭୋଟ ପାଇଥିବା ବେଳେ କଂଗ୍ରେସକୁ ମିଳିଥିଲା ୪୦.୩% ଭୋଟ। ଫରକ ହେଉଛି ମାତ୍ର ୦.୦୭% ର। ଆସନ ହାସଲରେ ଦୁଇ ଦଳର ଅନୁପାତ ଥିଲା ୪୯:୩୯। ଏହାକୁ ଓଡିଶା ସହିତ ତୁଳନା କଲେ ୨୦୧୪ ନିର୍ବାଚନରେ ବିଜେଡି ୪୩.୪% ଭୋଟ ପାଇଥିବାବେଳେ କଂଗ୍ରେସର ଭୋଟ ହାର ଥିଲା ୨୫.୭ %, ଅର୍ଥାତ ବିଜେଡି ଓ କଂଗ୍ରେସ ଭିତରେ ୧୭.୭% ର ବ୍ୟବଧାନ। ଏତେ ବଡ ବ୍ୟବଧାନକୁ ଅତିକ୍ରମ କରିବାକୁ ହେଲେ କଂଗ୍ରେସକୁ ପାଞ୍ଚବର୍ଷର ପରିଶ୍ରମ ଦରକାର ଥିଲା। ଛତିଶଗଡରେ ଗତ ପାଞ୍ଚ ବର୍ଷ ଧରି କଂଗ୍ରେସ ରମଣ ସିଂ ଓ ତାଙ୍କ ପରିବାରର ଦୁର୍ନୀତି ବିରୋଧରେ ନିରନ୍ତର ସଂଘର୍ଷ କରି ଆସିଥିଲା। ବିଜେପି ବିରୋଧରେ ଅଭିଯୋଗ ଆଣି ଆଜିର ମୁଖ୍ୟମନ୍ତ୍ରୀ ତଥା ତତ୍କାଳୀନ ପିସିସି ସଭାପତି ଜେଲ ମଧ୍ୟ ଯାଇଥିଲେ। ଛତିଶଗଡ ମୋଡେଲ କହିଲେ ଏକ ଆକ୍ରାମକ ବିରୋଧିଦଳର ଭୂମିକା, ଯାହାକି ଓଡିଶା କଂଗ୍ରେସ ଗତ ପାଞ୍ଚବର୍ଷ ହେଲା ଭୁଲିଯାଇଛି।
ତେଣୁ ଏ ନିର୍ବାଚନରେ ପ୍ରସଙ୍ଗ କାହା ପାଖରେ ନାଇଁ। କେବଳ ଭାବ ପ୍ରବଣତା, ଉତ୍ତେଜନା ଓ ଉନ୍ମାଦନା ଭିତରେ ବୋଧ ହୁଏ ଆମର ନିର୍ବାଚନ ଆସିବ ଓ ଯିବ।