କେଦାର ମିଶ୍ର
ଦେଶର ରାଜଧାନୀ ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗା ଘଟି ୨୦ ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ଖୋଦ ରାଜଧାନୀରେ ହିଂସା ଓ ରକ୍ତପାତକୁ ରୋକିବାରେ ଭାରତ ସରକାର ବିଫଳ ହୋଇଛନ୍ତି। ଏହିଭଳି ଏକ ସଙ୍କଟଜନକ ସମୟରେ ରାଜନୈତିକ ଦଳମାନଙ୍କର ଦାୟିତ୍ଵ କଣ ହେବା ଉଚିତ? ଦିଲ୍ଲୀର ସ୍ଥିତି ବିଗାଡିବାରେ ରାଜନୈତିକ ନେତାମାନେ ପ୍ରମୁଖ ଭୂମିକା ନେଇଛନ୍ତି। ଦଙ୍ଗା ଚାଲିଥିବା ସମୟରେ ଜଣେ ବିଜେପି ବିଧାୟକ “ଗୁଳିମାରୋ” ସ୍ଲୋଗାନ ଦେଉଥିବାର ଚିତ୍ର ଆମେ ଦେଖିଛୁ। ସବୁଠୁ ଭୟଙ୍କର ହେଉଛି ସୋସିଆଲ ମିଡିଆରେ ଦଙ୍ଗାକୁ ଅଧିକ ତୀବ୍ର କରିବା ଓ ହିନ୍ଦୁ-ମୁସଲମାନଙ୍କ ଭିତରେ ବିଭେଦକୁ ଅଧିକ ବଢାଇବା ଲାଗି ହଜାର ହଜାର ସଂଖ୍ୟାରେ ଡିଜିଟାଲ ବାର୍ତ୍ତା ପ୍ରସାରିତ କରାଯାଉଛି। ସବୁଠୁ ବିଚିତ୍ର କଥା ହେଉଛି, ଅନ୍ୟ ରାଜ୍ୟ ମାନଙ୍କରେ ଦଙ୍ଗାର ଆଭାସ ପାଇବେ ମାତ୍ରେ ଇଣ୍ଟରନେଟ ବନ୍ଦ ରହୁଥିବା ବେଳେ, ଦିଲ୍ଲୀରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଦିଲ୍ଲୀରେ ଇଣ୍ଟର୍ନେଟ ବନ୍ଦ କରିବାକୁ ସରକାର ସାହସ କରି ପାରିନାହାନ୍ତି, ତାର ଏକମାତ୍ର କାରଣ ହେଉଛି, ଦେଶର ରାଜଧାନୀରେ ଇଣ୍ଟର୍ନେଟ ସେବା ବ୍ୟାହତ ହେଲେ ପୂରା ଦେଶର ବ୍ୟବସ୍ଥା ଠପ ହୋଇଯିବ।
ତେବେ ଇଣ୍ଟର୍ନେଟ ବା ଡିଜିଟାଲ ଅପପ୍ରଚାରକୁ ରୋକାଯିବ କେମିତି? ବିଭିନ୍ନ ରାଜନୈତିକ ଦଳ ନିଜର ଆଇଟି ସେଲକୁ ଏବେ ଅନିୟନ୍ତ୍ରିତ ଢଙ୍ଗରେ ବ୍ୟାପକ ଅପବ୍ୟବହାର କରୁଛନ୍ତି। ନିର୍ବାଚନ କମିଶନ ରାଜନୈତିକ ଦଳଗୁଡିକର ଆଇଟି ସେଲ ଗୁଡିକ ପାଇଁ କୌଣସି ନିର୍ଦ୍ଦିଷ୍ଟ ନିୟମ ରଖିନାହାନ୍ତି। ଆଇଟି ସେଲଗୁଡିକ ମନ ଇଚ୍ଛା ତାଙ୍କର ପ୍ରଚାର ଓ ଅପପ୍ରଚାର ଚଳାଇବାର ସ୍ଵାଧୀନତା ପାଇଛନ୍ତି। ଏହାର ସର୍ବାଧିକ ଦୁରୁପଯୋଗ ସାମାଜିକ ସଙ୍କଟ ସମୟରେ ହେଉଛି। ଏହାର ଏକ ଛୋଟିଆ ଉଦାହରଣ ଆମେ ଦେବାକୁ ଚାହିଁବୁ। ଦଙ୍ଗା ଦିଲ୍ଲୀରେ ହେଉଛି, ହେଲେ ଦିଲ୍ଲୀ ଦଙ୍ଗାର ବହୁ ମିଛ ତଥ୍ୟ, ଫଟୋଗ୍ରାଫ ଓ ଭିଡିଓ ଓଡିଶାର ଲୋକେ ପୋଷ୍ଟ କରି ଚାଲିଛନ୍ତି। ସେଥିରୁ ଅଧିକାଂଶ ଏକ ନିର୍ଦ୍ଦିଷ୍ଟ ଦଳର ସମର୍ଥକ ଓ ସେମାନଙ୍କ ପାଇଁ ଏହା ହେଉଛି ନିଜ ଚାକିରିର ଅଂଶବିଶେଷ। ଧରନ୍ତୁ, ଗୋଟେ ପୋଷ୍ଟରେ ଲେଖା ହୋଇଛି, ଅମୁକ ଧର୍ମର ଲୋକେ ସମୁକ ଧର୍ମର ଲୋକଙ୍କୁ ନିପାତ କରିବାକୁ ତାଙ୍କ ଧର୍ମସ୍ଥାନରୁ ପ୍ରଚାର କରୁଛନ୍ତି। ଏହା ଅସତ୍ୟ, ଅବା ମନଗଢା କାହାଣୀ। ହେଲେ ସୋସିଆଲ ମିଡିଆରେ ଏହାକୁ ଏମିତି ପ୍ରଚାର କରାଯାଉଛି, ସଟେକି ଏଇ ଦୁଇ ଧର୍ମ ଭିତରେ ମାରପିଟ ହେଲେ ଯାଇ ସମସ୍ୟାର ସମାଧାନ ଘଟିବ। ଖୋଲାଖୋଲି ଦଙ୍ଗା ଉସୁକାଇବା, ସାମ୍ପ୍ରଦାୟିକ ସଦଭାବନାକୁ ନଷ୍ଟ କରିବା ଲାଗି ଆଇଟି ସେଲଗୁଡିକ କାମ କରୁଛନ୍ତି।
ଭାରତରେ ଦଙ୍ଗାସୃଷ୍ଟି କରିବା ଓ ତାକୁ ବଢାଇବାରେ ସର୍ବାଧିକ ଭୂମିକା ନିଭାଇବାରେ ଗୁଜବର ଏକ ସ୍ଵତନ୍ତ୍ର ଭୂମିକା ରହିଛି। ସାମାଜିକ ଜୀବନରେ ଅରାଜକତା ସୃଷ୍ଟି କରିବା ଓ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ରହିଥିବା ସୌହାର୍ଦ୍ଦ୍ୟକୁ କ୍ଷୁଣ୍ଣ କରିବାକୁ କ୍ଷମତାଶାଳୀ ଲୋକେ ସବୁବେଳେ ଉଦ୍ୟମ କରିଥାନ୍ତି। ସାମାଜିକ ସଂହତି କୁ ବିପନ୍ନ କରିବାକୁ ଧର୍ମ, ଜାତି, ଭାଷା ଓ ଅଞ୍ଚଳ ଆଧାରରେ ବହୁ ପ୍ରକାର ବିଭାଜନ ସୃଷ୍ଟି କରିବା ପାଇଁ ସଂଗଠିତ ଭାବରେ ଦଙ୍ଗା ଭିଆଇବାର ଏକ କଳଙ୍କିତ ଇତିହାସ ଆମ ଦେଶରେ ରହିଛି।ବିଶେଷକରି ଧର୍ମ ଆଧାରରେ ସାମ୍ପ୍ରଦାୟିକ ଉନ୍ମାଦନାର ରାଜନୀତିକୁ ଆମ ଦେଶରେ ସ୍ଵୀକୃତି ମଧ୍ୟ ମିଳିଛି। ଦଙ୍ଗା ସୃଷ୍ଟି କରି ସାମାଜିକ ଧୃବୀକରଣ କରିବା ଓ ସେଥିରୁ ଫାଇଦା ଉଠାଇବାର ପ୍ରବୃତ୍ତି ରାଜନୈତିକ ଦଳମାନଙ୍କ ଭିତରେ ବଢି ବଢି ଚାଲିଛି। ଦିଲ୍ଲୀ ସାମ୍ପ୍ରଦାୟିକ ଦଙ୍ଗାର ପୃଷ୍ଠଭୂମିରେ ଏହାକୁ ବଢାଇବାରେ ରାଜନୈତିକ ଦଳମାନଙ୍କର ଭୂମିକା ସ୍ପଷ୍ଟ ହୋଇ ଦିଶୁଛି।
ଏଠି ପ୍ରଶ୍ନ ଉଠୁଛି, ସାମାଜିକ ଗଣମାଧ୍ୟମର ଏହି ଅପପ୍ରୟୋଗକୁ ରୋକାଯିବ କେମିତି? ପ୍ରଥମେ ସବୁ ରାଜନୈତିକ ଦଳର ଆଇଟି ସେଲ, ଏହାର କର୍ମକର୍ତ୍ତା ଓ ଏଥିରେ ଲାଗିଥିବା ଟଙ୍କା ସମ୍ପର୍କରେ ନିର୍ବାଚନ କମିଶନଙ୍କ ପାଖରେ ସବିଶେଷ ତଥ୍ୟ ରହିବା ଜରୁରୀ। ପୋଲିସ ମଧ୍ୟ ଏହା ଉପରେ କଡା ନଜର ରଖିବା ଉଚିତ। ଦ୍ବିତୀୟରେ ସାମ୍ପ୍ରଦାୟିକ ହିଂସା, ଘୃଣା, ବିଦ୍ଵେଷ ଓ ମାନହାନିମୂଳକ ଲେଖାକୁ ଅପରାଧ ଭାବରେ ବିବେଚନା କରିବା ନିତାନ୍ତ ଜରୁରୀ। ସୋସିଆଲ ମିଡିଆରେ କେହି ବି କିଛି ବି ଲେଖିଦେଇ ଖସି ଯିବାର ସ୍ଵାଧୀନତା ଆମର ସାମାଜିକ ସଂହତିକୁ ବିପନ୍ନ କରିବ। ତେବେ କେବଳ ଯେ ସାମାଜିକ ଗଣମାଧ୍ୟମରେ ଏ ପ୍ରକାର ଘଟନା ଘଟୁଛି ତା ନୁହେ, ଅନେକ ସମୟରେ ମୁଖ୍ୟଧାରାର ଗଣମାଧ୍ୟମରେ ମଧ୍ୟ ଏମିତି ଘଟନା ଘଟୁଛି। ରାଜନୈତିକ ଦଳର ମୁଖପାତ୍ରମାନେ ଟେଲିଭିଜନ ବିତରକରେ ଯେଉଁ ଭାଷାର ବ୍ୟବହାର କରୁଛନ୍ତି, ତାହା ଯେ କୌଣସି ସଭ୍ୟ ଲୋକର ମୁହଁ ତଳକୁ କରିଦେବ। ଏପରିକି ଟେଲିଭିଜନ ସାମ୍ବାଦିକମାନେ ମଧ୍ୟ ଏଥିପାଇଁ କମ ଦାୟୀ ନୁହନ୍ତି। ଗତ ପାଞ୍ଚ ବର୍ଷରେ ଆମର ଟେଲିଭିଜନ ସାମ୍ବାଦିକତା ଘୃଣା ଓ ବିଦ୍ଵେଷର ମହାମଞ୍ଚ ପାଲଟିଛି।
ଦଙ୍ଗା ବା ଧାର୍ମିକ ବିଦ୍ଵେଷ ଗୋଟିଏ ଦିନରେ ସୃଷ୍ଟି ହୁଏନାହିଁ। ଗତ କିଛି ବର୍ଷ ହେଲା ଆମ ସାମାଜିକ ଜୀବନରେ ହିଂସା ଓ ଘୃଣାର ଯେଉଁ ଜହର ବୁଣା ଚାଲିଛି, ଦିଲ୍ଲୀ ତାର ଏକ ପରିଣତି ମାତ୍ର। ଏହି ବିଦ୍ଵେଷକୁ ତୁରନ୍ତ ରୋକା ନଗଲେ ଏହା ଆମର ଜନ ଜୀବନକୁ ଦିନେ ଧ୍ଵଂସ କରିଦେବ, ଏକଥା ବୁଝିବା ଆମ ଲାଗି ନିତାନ୍ତ ଜରୁରୀ।