Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା, ଏହାକୁ ରିଜର୍ଭ ବ୍ୟାଙ୍କ ଖାଇଯିବ ବୋଲି ଆମେ ଭାବିବା ଉଚିତ ହେବ  କି?
ବିଶେଷ ଖବର

ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା, ଏହାକୁ ରିଜର୍ଭ ବ୍ୟାଙ୍କ ଖାଇଯିବ ବୋଲି ଆମେ ଭାବିବା ଉଚିତ ହେବ  କି?

March 9, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗୋଟେ କଥା ଅନେକଙ୍କର ମନେ ନଥିବ। ଆମର ଜାତୀୟ ସ୍ମୃତି ଶକ୍ତି ସବୁବେଳେ ଦୁର୍ବଳ।  ୨୧, ଅକ୍ଟୋବର,୨୦୧୯ରେ ଓଡିଶା ସରକାରଙ୍କର ଅର୍ଥ ସଚିବ ଏକେକେ ମୀନା ବିଭିନ୍ନ ସରକାରୀ ବିଭାଗକୁ ଚିଠି ଲେଖି ସତର୍କ କରାଇ ଦେଇଥିଲେ ଯେ, ସରକାରୀ ଅର୍ଥକୁ ବ୍ୟାଙ୍କରେ ନ ରଖି ସିଧା ସଳଖ ଟ୍ରେଜେରୀରେ ରଖାଯାଉ। କାରଣ ବ୍ୟାଙ୍କଗୁଡିକର ସ୍ଥିତି ଏବେ ସନ୍ଦେହ ଘେରରେ ରହିଛି। ବିଭିନ୍ନ ଖବର କାଗଜରେ ବ୍ୟାଙ୍କର ଅବସ୍ଥା ବିଷୟରେ ଅତ୍ୟନ୍ତ ଉଦବେଗଜନକ ରିପୋର୍ଟ ଆସୁଥିବାରୁ ଏ ବିଷୟରେ ସରକାରୀ ବିଭାଗଗୁଡିକ ସତର୍କ ରୁହନ୍ତୁ ବୋଲି ଶ୍ରୀ ମୀନା ଲେଖିଥିଲେ। ଏହି ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ରାଜ୍ୟ ବିଜେପି ଶ୍ରୀ ମୀନାଙ୍କୁ ପ୍ରଚୁର ସମାଲୋଚନା କରିଥିଲା। ବିଶେଷକରି ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ଓଡିଶା ସରକାର ଅଯଥାରେ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ ସନ୍ଦେହ ସୃଷ୍ଟି କରୁଛନ୍ତି ଓ ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଥିଲେ। ଆଜି ଯେତେବେଳେ ୟେସ ବ୍ୟାଙ୍କ ଦେବାଳିଆ ଅବସ୍ଥାକୁ ଚାଲି ଯାଇଛି ଓ ଏହି ବ୍ୟାଙ୍କରେ ପୁରୀ ଜଗନ୍ନାଥ ମନ୍ଦିରର ୫୪୫କୋଟି ଟଙ୍କା ଫସି ରହିଛି, ସେତେବେଳେ ହଠାତ ବିଜେପି ଓ ବୈଜୟନ୍ତ ପଣ୍ଡାଙ୍କ ସ୍ଵର ବଦଳି ଯାଇଛି। “ୟେସ ବ୍ୟାଙ୍କର ସଙ୍କଟ ଦେଖି ତିରୁପତି ମନ୍ଦିର ପ୍ରଶାସନ ଗତ ବର୍ଷରୁ ଟଙ୍କା ଉଠାଇ ନେଇଥିବା ବେଳେ ଓଡିଶା ର ଜଗନ୍ନାଥ ମନ୍ଦିର ପ୍ରଶାସନ ତାହା କରିନାହିଁ କାହିଁକି” ବୋଲି ଆଜି ପ୍ରଶ୍ନ ପଚରାଯାଉଛି।

ତେବେ ସବୁଠୁ ବଡ ପ୍ରଶ୍ନ ହେଉଛି, ୟେସ ବ୍ୟାଙ୍କ ବୁଡି ଯାଉଛି ବୋଲି ଭାରତର ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଜାଣିଥିଲେ କି? ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ କହିଛନ୍ତି, ୨୦୧୭ରୁ ୟେସ ବ୍ୟାଙ୍କର ଅବସ୍ଥା ଖରାପ ବୋଲି କେନ୍ଦ୍ର ସରକାର ଜାଣିଥିଲେ। ଯଦି ସରକାର ଏ କଥା ଜାଣିଥିଲେ, ସେ ସମ୍ପର୍କରେ ରାଜ୍ୟ ସରକାରମାନଙ୍କୁ ଅବଗତ କରାଇଥିଲେ କି? ଏହି ବ୍ୟାଙ୍କରେ ସରକାରୀ ଟଙ୍କା ଗଚ୍ଛିତ ନ ରଖିବାକୁ ରିଜର୍ଭ ବ୍ୟାଙ୍କ ବା କେନ୍ଦ୍ର ସରକାର କିଛି ନିର୍ଦ୍ଦେଶ ଦେଇଥିଲେ କି? ଜାଣି ଶୁଣି କେନ୍ଦ୍ର ସରକାର ଏହି ବ୍ୟାଙ୍କରେ ନିଜର ସରକାରୀ ଯୋଜନା ଚଳାଇ ରଖିଥିଲେ କେମିତି। ୟେସ ବ୍ୟାଙ୍କର ୱେବ ସାଇଟ କହୁଛି, ଏହା କେନ୍ଦ୍ର ସରକାରଙ୍କ ଅଟଳ ପେନସନ ଯୋଜନା, ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ବୀମା ଯୋଜନାର ସହଯୋଗୀ ଭାବରେ କାମ କରୁଛି। କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରମୁଖ ଅଂଶୀଦାର ଥିବା ଏକ ବ୍ୟାଙ୍କକୁ ରାଜ୍ୟ ସରକାରମାନେ ଅବିଶ୍ଵାସ କରିବେ କାହିଁକି?

ନୂଆ ଅର୍ଥନୀତି ଆସିବା ପରେ ଓ ବ୍ୟାଙ୍କର ବ୍ୟାପକ ଘରୋଇକରଣ ପରେ ସବୁ ସରକାରୀ ଟଙ୍କା ଜାତୀୟକରଣ ବ୍ୟାଙ୍କରେ ରଖିବା ବାଧ୍ୟତାମୂଳକ ନୁହେଁ। ଅନେକ ରାଜ୍ୟ ସରକାର ଏବେ ଘରୋଇ ବ୍ୟାଙ୍କ ଗୁଡିକ ସହିତ କାରବାର କରୁଛନ୍ତି। ଭାରତ ସରକାରଙ୍କ ବିଭିନ୍ନ ମାପକ ଅନୁସାରେ ୨୦୧୯ ପର୍ୟନ୍ତ  ୟେସ ବ୍ୟାଙ୍କ ଏକ ସଫଳ ପେଷାଦାର ବ୍ୟାଙ୍କର ମାନ୍ୟତା ପାଇ ଆସୁଥିଲା। ଏ ପ୍ରକାର ମାନ୍ୟତା କେନ୍ଦ୍ର ସରକାର ଦେଉଥିଲେ କେମିତି ଓ କାହିଁକି?

ଓଡିଶା ସରକାରଙ୍କ ଅର୍ଥ ସଚିବଙ୍କ ୨୧, ଅକ୍ଟୋବର, ୨୦୧୯ ର ଚିଠି ପରେ ଶ୍ରୀ ମନ୍ଦିର ପ୍ରଶାସନ ତୁରନ୍ତ ସତର୍କ ରହିବା ଉଚିତ ହୋଇଥାନ୍ତା। ଏ କ୍ଷେତ୍ରରେ ମନ୍ଦିର ପ୍ରଶାସନ ଅବହେଳା କରିଛି ଓ ସେଥିଲାଗି ମନ୍ଦିର ପ୍ରଶାସନକୁ ଜବାବ ଦେବାକୁ ପଡିବ। ତେବେ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ବୁଡିଯିବ ବୋଲି ଯାହା କୁହାଯାଉଛି, ତାହା ରିଜର୍ଭ ବ୍ୟାଙ୍କ ଉପରେ ହିଁ ସନ୍ଦେହ ସୃଷ୍ଟି କରୁଛି। ଏବେ ୟେସ ବ୍ୟାଙ୍କ ରିଜର୍ଭ ହାତରେ ରହିଛି। ଉଭୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାର କହୁଛନ୍ତି, ଲୋକଙ୍କ ଜମା ସୁରକ୍ଷିତ ରହିଛି। ତଥାପି ବିଜେପି କହୁଛି, ଏ ଟଙ୍କା ବୁଡିଯିବା ପାଇଁ ରାଜ୍ୟ ସରକାର ଦାୟୀ। ଓଡିଶା ବିଜେପି ନିଜ କେନ୍ଦ୍ର ସରକାରକୁ ବିଶ୍ଵାସ କରୁନାହିଁ କି?

ୟେସ ବ୍ୟାଙ୍କରୁ ଅଦାନି କମ୍ପାନୀ ଓ ଗୁଜରାଟର ବିଭିନ୍ନ ସଂସ୍ଥା ଆଗୁଆ ଟଙ୍କା ଉଠାଇ ନେଇଥିବାର ସୂଚନା ଏବେ ମିଳୁଛି। ଏ ସମ୍ପର୍କରେ କେନ୍ଦ୍ର ସରକାର କେବଳ ନିଜ ମିତ୍ରମାନଙ୍କୁ ସୂଚନା ଦେଇଥିଲେ କି?

ଶ୍ରୀ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଯଦି ବୁଡିବ ତାହେଲେ, ତାହେଲେ ୟେସ ବ୍ୟାଙ୍କରେ ଥିବା ୨ ଲକ୍ଷ କୋଟି ଟଙ୍କାର ଜମା ରାଶି ମଧ୍ୟ ବୁଡିବ। ବ୍ୟାଙ୍କ ବୁଡିବା ପାଇଁ ଟଙ୍କା ରଖିଥିବା ଜମାକାରୀଙ୍କୁ ଦାୟୀ କରିବା, ଏ ପୃଥିବୀର ସବୁଠୁ ଉଦ୍ଭଟ ଯୁକ୍ତି ବୋଲି କୁହାଯାଇପାରେ। ତେବେ ଶେଷରେ ଆଉ ଗୋଟେ କଥା କହିବା ନିତାନ୍ତ ଜରୁରୀ। କେବଳ ଘରୋଇ ବ୍ୟାଙ୍କ ଦେବାଳିଆ ଅବସ୍ଥାରେ ଅଛି ବୋଲି ଆପଣମାନେ ଭାବନ୍ତୁ ନାହିଁ। ଅନାବାଦି ଋଣ ଚାପରେ ଦେଶର ପ୍ରାୟ ସବୁ ଘରୋଇ ଏବଂ ସରକାରୀ ବ୍ୟାଙ୍କ ଏବେ ସଙ୍କଟଜନକ ଅବସ୍ଥାରେ ରହିଛନ୍ତି।

ଜଗନ୍ନାଥଙ୍କ ଟଙ୍କା ଖାଇବାକୁ ରିଜର୍ଭ ବ୍ୟାଙ୍କ ବା କେନ୍ଦ୍ର ସରକାର ଜମାରୁ ସାହସ କରିବେ ନାହିଁ। ହେଲେ ସାଧାରଣ ଜମାକାରୀଙ୍କ ଭାଗ୍ୟ ଏବେ ସୂତାଖିଅରେ ଝୁଳୁଛି। ତାଙ୍କ ପାଇଁ କାନ୍ଦିବ କିଏ??

Share. Facebook Twitter LinkedIn Email WhatsApp Copy Link

Related Posts

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026
Latest News

କୃଷକଙ୍କ ଆୟ ଓ ନିରାପତ୍ତା ଉଭୟର ଗ୍ୟାରେଣ୍ଟି: ଲୋକସଭାରେ କେନ୍ଦ୍ର କୃଷିମନ୍ତ୍ରୀ

March 18, 2026

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

March 18, 2026

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.