ଭାଇରାଲ ରୋଗରେ ପୀଡିତ ଓଡିଆ ଟେଲିଭିଜନ ଜଗତ ; ଏହାର କୌଣସି ନିଦାନ କି ଚିକିତ୍ସା ନାହିଁ

Published: Feb 26, 2019, 9:16 am IST
viral news impact on politics

କେଦାର ମିଶ୍ର

ଭାଇରାଲ…….ଭାଇରାଲ…….ପୁଣି ଭାଇରାଲ…….

ଗତ କିଛିଦିନ ହେଲା ଟେଲିଭିଜନର ଓଡିଆ ଖବର ଚାନେଲ ଖୋଲିଲେ ବାରମ୍ବାର ଏଇ ଶବ୍ଦଟି ଶୁଣିବାକୁ ମିଳୁଛି।

  • ମାଟ୍ରିକ ପରୀକ୍ଷାରେ ଓଡିଆ ସାହିତ୍ୟ ଓ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ।
  • ଶହୀଦଙ୍କ ସମ୍ପର୍କୀୟଙ୍କୁ ବିଧାୟକ ତଣ୍ଟିଆ ମାରିବାର ଭିଡିଓ ଭାଇରାଲ।
  • ବିଜୁ ଜନତା ଦଳର କେଉଁ ବିଧାୟକଙ୍କ ଟିକଟ କଟୁଛି, ସେ କଥାବାର୍ତ୍ତାର ଅଡିଓ ଭାଇରାଲ।
  • ଯାତ୍ରା ଦଳରେ କେହିଜଣେ ନର୍ତ୍ତକୀ କେଉଁ ଦର୍ଶକଙ୍କ କାନ କାମୁଡିଦେଲେ, ସେ ଭିଡିଓ ଭାଇରାଲ।

ସୋସିଆଲ ମିଡିଆରେ ଏମିତି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ର ଯଥେଷ୍ଟ ସୁଯୋଗ ରହିଛି। କାରଣ ଫେସବୁକ, ଟୁଇଟର ଇତ୍ୟାଦିର କେହି ନିୟାମକ ନାହାନ୍ତି। କେବଳ ନୂଆ ସାଇବର ଆଇନ ଅନୁସାରେ ଏହାର ସୀମିତ ନିୟନ୍ତ୍ରଣ ହୋଇପାରିବ। କିନ୍ତୁ, ମୁଖ୍ୟଧାରାର  ଗଣମାଧ୍ୟମ ପାଇଁ ନୀତି ଓ ନିୟାମକ ରହିଛି। ସୋସିଆଲ ମିଡିଆ ପରି ଗୋଟେ ଖବର ପରିବେଷଣ କରୁଥିବା ଟେଲିଭିଜନ ଚାନେଲ ଦାୟିତ୍ଵହୀନ ହୋଇପାରିବ ନାହିଁ। ହେଲେ ଦେଖାଯାଉଛି, ଓଡିଶାର ଖବର ଚାନେଲ ଗୁଡିକ ଏତେ ପରିମାଣରେ ଭାଇରାଲ ରୋଗରେ ସଂକ୍ରମିତ ଯେ, ସେମାନଙ୍କ ରୋଗୀଣା ଚେହେରା ଏବେ ଅଧିକରୁ ଅଧିକ ଅବିଶ୍ଵସ୍ତ ଲ୍ଲାଗୁଛି। ହୁଏତ ଫେସବୁକ ବା ଟୁଇଟରକୁ ବିଶ୍ଵାସ କରାଯାଇପାରେ, କିନ୍ତୁ ଟେଲିଭିଜନ ଖବର କୁ ନୁହେଁ। ନିକଟରେ ଏକ ଟେଲିଭିଜନ ସଂସ୍ଥାର ଏକ କାର୍ଯକ୍ରମରେ ଯୋଗଦେଇ ବିଜେପି ସାଂସଦ ବରୁଣ ଗାନ୍ଧୀ କହିଥିଲେ ଯେ, ଗଣମାଧ୍ୟମ ଦେଖାଊଥିବା ଖବର ଗୁଡିକ ମଧ୍ୟରୁ ଅଶି ଭାଗ କେବଳ ମିଛ। ସବୁଠୁ ମଜାର କଥା ହେଉଛି ବରୁଣଙ୍କ କଥାକୁ ଶେଠୀ କେହି ଖଣ୍ଡନ କରିନଥିଲେ। ତେଣୁ ଆମେ କହିପାରିବା ଯେ, ଏ ପ୍ରକାର ବାସ୍ତବତା ସହିତ ଆମର ଗଣମାଧ୍ୟମ ବେଶ ପରିଚିତ।

ଏବେ ଆସିବା ଭାଇରାଲ ପ୍ରସଙ୍ଗକୁ। କଣ ଏଇ ଭାଇରାଲ? ଭାଇରସ ବା ଭୂତାଣୁ ଜନିତ ରୋଗ ଯାହା ଶୀଘ୍ର ସଂକ୍ରମିତ ହୋଇଯାଏ, ସେଟା ହିଁ ଭାଇରାଲ। ତେବେ ଏ ପ୍ରକାର ଗୋଟେ ରୋଗବାଚକ ଶବ୍ଦକୁ ନେଇ ଆମେ ଏତେ ଉତ୍ସାହିତ କାହିଁକି? କୌଣସି ଗୋଟେ ଫେସବୁକ ଏକାଉଣ୍ଟ ରେ କିଛି ଗୋଟେ ତଥ୍ୟ ଆମକୁ ମିଳିଲା। ତାକୁ ନେଇ ଲୋକ ଉତ୍ସାହ ପ୍ରଦର୍ଶନ କଲେ ଓ ତାହା ବିଭିନ୍ନ ବାଗରେ ବହୁ ଲୋକଙ୍କ ପାଖରେ ପହଞ୍ଚିଲା। ଏହି ପ୍ରକ୍ରିୟାଟି ଯେ ସ୍ଵାଭାବିକ ଭାବରେ ହୁଏ ତାହା ନୁହେଁ। ବିଭିନ୍ନ ରାଜନୈତିକ ଦଳ ତରଫରୁ ସୋସିଆଲ ମିଡିଆରେ ଭାଇରାଲ କରିବା ପାଇଁ ଉପାଦାନ ପ୍ରସ୍ତୁତ କରିବାକୁ ଶହ ଶହ ସଂସ୍ଥାକୁ ଦାୟିତ୍ଵ ଦିଆ ଯାଇଛି। ୨୦୧୪ ସାଧାରଣ ନିର୍ବାଚନରେ ଭାଇରାଲ ଭିଡିଓ ଓ ତଥ୍ୟର ପ୍ରସାର କେମିତି ଘଟିଥିଲା ସେ ବିଷୟରେ ବହୁ ବହି ବାହାରି ସାରିଛି। ବିଶିଷ୍ଟ ସାମ୍ବାଦିକ ସ୍ଵାତୀ ଚତୁର୍ବେଦୀ “ଆଇ ଆମ ଏ ଟ୍ରୋଲ” ଶୀର୍ଷକ ଏକ ବହିରେ ଭାରତୀୟ ଜନତା ପାର୍ଟିର ଭାଇରାଲ ରାଜନୀତି ବିଷୟରେ ବେଶ ଚର୍ଚ୍ଚା କରିଛନ୍ତି। ସେହିପରି ପ୍ରତୀକ ସିହ୍ନାଙ୍କର https://www.altnews.in ଭାଇରାଲ ଭିଡିଓ ଓ ତଥ୍ୟର ସତ୍ୟତା ଆକଳନ କରିବାରେ ଐତିହାସିକ ଭୂମିକା ନିର୍ବାହ କରୁଛନ୍ତି।

ଓଡିଶାରେ ଆମେ ଏ କ୍ଷେତ୍ରରେ ଏବେ ମଧ୍ୟ ପଛୁଆ ରହିଛୁ। ଆପଣମାନଙ୍କର ମନେଥିବ, କିଛିଦିନ ତଳେ ରିଲାଏନ୍ସ ଗ୍ରୁପ ର ମୁଖ୍ୟ ମୁକେଶ ଅମ୍ବାନୀ କହିଥିଲେ ଯେ, ଜିଓ ଫୋନର ସର୍ବାଧିକ ଡାଟା ବା ଇଣ୍ଟରନେଟର ବ୍ୟବହାର ଓଡିଶାରେ ହେଉଛି। ଅର୍ଥାତ ଅବାଧ ଭାବରେ ବହୁ ରକମର ତଥ୍ୟ ଓ ଅପତଥ୍ୟ ଲୋକଙ୍କ ପାଖରେ ସହଜରେ ପହଞ୍ଚି ପାରୁଛି। ତେବେ ଏ ପ୍ରକାର ତଥ୍ୟକୁ ଓଡିଶାର ଖବର କାଗଜ ଓ ଟିଭି ଚାନେଲ ଗୁଡିକ ଏତେ ଅଧିକ ଗୁରୁତ୍ଵ ଦେବାର କାରଣ କଣ?

ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଭାଇରାଲ ଭିଡିଓକୁ  ଉଦାହରଣ ଭାବରେ ନିଆଯାଉ। ଯେଉଁ ଦିନ ଏ ଘଟଣା ଘଟିଲା ସେଦିନ ଏହା ଚର୍ଚ୍ଚାରେ ନଥିଲା। ସେଦିନ ଶହୀଦଙ୍କ ଅନ୍ତ୍ୟେଷ୍ଟି ସମୟରେ ସବୁ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ। ଯଦି ଘଟଣାଟି ଏତେ ସାଂଘାତିକ ଥିଲା, ତାହେଲେ ସେଠି ତାକୁ ତୁରନ୍ତ ଖବର କରାଯାଇପାରିଥାନ୍ତା। ଘଟଣାଟି ଘଟିଲା ପ୍ରାୟ ୨୪ ଘଣ୍ଟା ପରେ। ଯାହାଙ୍କୁ ବିଧାୟକ ତଣ୍ଟିଆ ମାରିଲେ ବୋଲି କୁହାଗଲା, ସେ ବ୍ୟକ୍ତିଙ୍କର କୌଣସି ଅଭିଯୋଗ ନଥିଲା। ସେହି ସମୟରେ ଉପସ୍ଥିତ କେନ୍ଦ୍ରମନ୍ତ୍ରୀ କିମ୍ବା ଗଣମାଧ୍ୟମର ପ୍ରତିନିଧି କେହି ଏ ବିଷୟରେ କିଛି କହିନଥିଲେ। ତେବେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାପରେ ଏହାକୁ ନେଇ ଗଣମାଧ୍ୟମର ଚର୍ଚ୍ଚା ବାତ୍ୟାର ରୂପ ଧାରଣ କଲା। ଏ ବାତ୍ୟା ଦେଶରେ ସୀମିତ ନରହି ପହଞ୍ଚିଗଲା ପାକିସ୍ତାନରେ। ଆମର ଦେଶପ୍ରେମୀମାନେ ଛାତି ବାଡେଇ କାନ୍ଦିଲେ, ଗଲା, ସବୁ ସରିଗଲା। ତେବେ ହଠାତ ଯେଉଁ ବ୍ୟକ୍ତିଙ୍କୁ ନେଇ ଏତେ ଘଟଣା ଘଟିଥିଲା ସେ କହିଲେ, ନା, ସେମିତି କିଛି ଘଟିନାଇଁ ତ!! ସେଇଠି ବେଲୁନରୁ ସବୁ ପବନ ପଳାଇଲା। ଆମର ଟିଭି ଚାନେଲ ଗୁଡିକ ଏ ପ୍ରସଙ୍ଗରେ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ବାଇଟ ଟିଏ ଆଣି ଖବର ଟି ବଜାଇନଥିବାରୁ, ଆଜି ସମସ୍ତେ ମିଛୁଆ  ରାଧୁଆ ପ୍ରମାଣିତ ହୋଇଛନ୍ତି। ଏଇ ପ୍ରସଙ୍ଗ ସେତିକିରେ ସୀମିତ  ରହିଲା ନାଇଁ। ଏ ଖବର ପାକିସ୍ତାନୀ ମିଡିଆକୁ ଦେବାରେ ଜଣେ ଓଡିଆ ସାମ୍ବାଦିକଙ୍କ ଭୂମିକା ରହିଛି ବୋଲି ଅପପ୍ରଚାର କରାଗଲା। ବିନା କାରଣରେ ଜଣେ ସାମ୍ବାଦିକ ଅପରାଧୀ ହୋଇଗଲେ। ତଥ୍ୟର ବାସ୍ତବ ଅନୁସନ୍ଧାନ ନ କରି ଖବର ତିଆରି କଲେ ଏ ପ୍ରକାର ଅବସ୍ଥା ଇ ହୁଏ।

ସେହିପରି ମାଟ୍ରିକ ପ୍ରଶ୍ନପତ୍ରର ଭାଇରାଲ ଛବିକୁ  ନେଇ ଓଡିଶାର କେତେକ ଟିଭି ଚାନେଲ ବହୁ ରକମର ଗୁଜବ ପ୍ରସାରିତ କରି ଚାଲିଛନ୍ତି। ପରୀକ୍ଷା ଚାଲିଥିବା ସମୟରେ କେହିଜଣେ ଅପରାଧୀ ଯଦି ପ୍ରଶ୍ନପତ୍ରର ଫଟୋ (ସତ କି ମିଛ ପ୍ରଶ୍ନପତ୍ର, ତାର ବି ଠିକଣା ନାଇଁ ) ଭାଇରାଲ କରିଦେଲା ତାକୁ ନେଇ ଆମ ଆଙ୍କରମାନେ ଆକାଶ ପାତାଳ ଏକ କରିଦେଉଛନ୍ତି। ଏ ସଙ୍କ୍ରାନ୍ତରେ ପ୍ରଥମ ପ୍ରଶ୍ନ ହେବା କଥା, ପ୍ରଶ୍ନପତ୍ର ନେଟ କୁ ଆସିବାର ବାସ୍ତବ ସମୟ କେତେ? ଭାଇରାଲ ହେବାର ଉତ୍ସ ଓ ଉଦ୍ଦେଶ୍ୟ କଣ? ଏ ପ୍ରକାର ଭାଇରାଲ ମାଧ୍ୟମରେ ପରୀକ୍ଷାର୍ଥୀଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବା ଏକ ଅପରାଧ ଓ ସେ ଅପରାଧରେ ଆମର ଗଣମାଧ୍ୟମ ଏବେ ସବୁଠୁ ବଡ ଅପରାଧୀ।

ଭାଇରାଲ ଭିଡିଓ ବା ତଥ୍ୟର ସତ୍ୟାସତ୍ୟ ପରୀକ୍ଷା କରି ଲୋକଙ୍କ ପାଖରେ ବାସ୍ତବ ଖବର ପହଞ୍ଚାଇବା ଆମର ପ୍ରଥମ ଦାୟିତ୍ଵ ହେବା ଉଚିତ। ତାହା ନକରି କେବଳ ରାଜନୈତିକ ହଟଚମଟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାଇରାଲର ବ୍ୟବହାର ଆମକୁ ଅଧିକ ଅବିଶ୍ଵସ୍ତ ଓ ଲୋକ ଚକ୍ଷୁରେ ଘୃଣିତ କରି ଚାଲିଛି।

Related posts