ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ଟପିଲା, ମୃତ୍ୟୁ ସଂଖ୍ୟା ୭୬

Published: Apr 4, 2020, 8:59 pm IST

(ସମୀକ୍ଷା ବ୍ୟୁରୋ) ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଗତ ଦଶ ଦିନ ଭିତରେ ପ୍ରାୟ ଅଢେଇ ହଜାର ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆଜି ରାତି ୮ଟା ସୁଦ୍ଧା ଦେଶରେ ୩୦୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ଭିତରେ ୫୨୫ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆଜି ସୁଦ୍ଧା ଦେଶରେ ୨୧୩ ରୋଗୀ କରୋନା କବଳରୁ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୬ରେ ପହଞ୍ଚିଛି ବୋଲି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଅନ୍ୟ ଏକ ସୂତ୍ର ଇଣ୍ଡିଆ କୋଭିଡ୧୯ ଟ୍ରାକର ଅନୁସାରେ ଦେଶରେ ୩୪୯୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୯୧ ରେ ପହଞ୍ଚିଛି। ଏହି ୱେବ ସାଇଟର ସୂଚନା ମୁତାବକ ମହାରାଷ୍ଟ୍ରରେ ସର୍ବାଧିକ ୫୩୭, ତାମିଲନାଡୁରେ ୪୮୫, ଦିଲ୍ଲୀରେ ୪୪୫, କେରଳରେ ୩୦୬, ତେଲେଙ୍ଗାନାରେ ୨୨୯, ଉତ୍ତର ପ୍ରଦେଶରେ ୨୨୭, ରାଜସ୍ଥାନରେ ୨୦୦, ଆନ୍ଧ୍ରପ୍ରଦେଶରେ ୧୯୦, ମଧ୍ୟପ୍ରଦେଶରେ ୧୫୪, କର୍ଣ୍ଣାଟକରେ ୧୪୪, ଗୁଜରାଟରେ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଜାମ୍ମୁ କାଶ୍ମୀରରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୯୨ ରେ ପହଞ୍ଚିଛି। ଓଡିଶାରେ ଆଜି ସୁଦ୍ଧା ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related posts