Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»“ଦିନେ ନା ଦିନେ ଯୁଦ୍ଧ ଶେଷ ହେବ ଆଉ ମୁଁ ଫେରିବି ମୋର କବିତାକୁ” , ଅରାଜକତାର କାନ୍ଥଲେଖ
ବିଶେଷ ଖବର

“ଦିନେ ନା ଦିନେ ଯୁଦ୍ଧ ଶେଷ ହେବ ଆଉ ମୁଁ ଫେରିବି ମୋର କବିତାକୁ” , ଅରାଜକତାର କାନ୍ଥଲେଖ

March 5, 2019No Comments5 Mins Read
Share Facebook Twitter LinkedIn Email WhatsApp Copy Link
war wall of Syria
war wall of Syria
ଜ୍ୟୋତି ନନ୍ଦ
ଏଇ କାନ୍ଥଟି ଏବେ ଅଛି କି ନାହିଁ ମୋର ସଠିକ ଧାରଣା ନାହିଁ। ନ ଥିବାର ଯଥେଷ୍ଟ ସଂଭାବନା ରହିଛି। ଗୋଟିଏ ଯୁଦ୍ଧର ବିଭୀଷିକାକୁ ସହି ନେବାର ସାମର୍ଥ୍ୟ କୌଣସି ଏକ ସାଧାରଣ କାନ୍ଥର କ’ଣ କେବେ ରହିପାରିବ ? ଯେତେବେଳେ ସେହି କାନ୍ଥଟି  କୌଣସି ଦୁର୍ଗର କାନ୍ଥ ନୁହଁ ?
ତଥାପି କିଏ ଜାଣେ ? ହୁଏତ କେତେବେଳେ କ’ଣ ?
କାନ୍ଥଟିରେ ଯାହା ଲେଖାଯାଇଛି ତାହାର ଅନୁବାଦଟି ପଢିଲା ପରେ ମୋ ମନ ଗଭୀର ବିଷାଦରେ ଭରିଗଲା।
ଅର୍ଜୁନର ବିଷାଦଯୋଗ ଭଳି ଇତିହାସ ପାଠ ଏକ ବିଷାଦଯୋଗ।
ପିଲା ମାନଙ୍କ ସହ ଅନେକ ଐତିହାସିକ ଯୁଦ୍ଧ ବିଷୟରେ ମୁଁ ପଢିଛି। ଯୁଦ୍ଧ ଏକ ରାଜନୈତିକ ଆବଶ୍ୟକତା,ତାହାର ପକ୍ଷ ଓ ପ୍ରତିପକ୍ଷ ମାନଙ୍କର ନିଜ ନିଜ ଦେଶର ଦୃଷ୍ଟିକୋଣକୁ ନେଇ ତିଆରି କରାଯାଉଥିବା ଜନମତ ଥାଏ, ଇତିହାସ ସାରା ଶୁଭୁଥିବା ବିଜେତାର ଲଗାମବଂଧା ଘୋଡାଟାପୁର କର୍କଶ ଶବ୍ଦକୁ ମାନି ନେବାକୁ ହୁଏ ଇତ୍ୟାଦି ବିଷୟରେ ଆଲୋଚନା କରି ମୁଁ ମୋ ପରିବାରର ପ୍ରତିପୋଷଣ କରିଆସିଛି।ତେଣୁ ସେମିତି କହିଲେ ଯୁଦ୍ଧ ମୋର ଏକପ୍ରକାରର ଅନ୍ନଦାତା। ଏହାଛଡା ନିୟମିତ ଅବସରକାଳୀନ ଭତ୍ତାଟି ମିଳିବାରେ ସରକାରୀ ଉଦାରତାରୁ କୌଣସି ଧୁଳିମଳି ନଥିବା କାରଣରୁ ମୁଁ ଏକ ପ୍ରକାର ଯୁଦ୍ଧଜୀବୀ ର ଜୀବନଯାପନ କରିବା ଶେଷନିଃଶ୍ୱାସ ଯାଏଁ ନିଶ୍ଚିତ।
ଅପରାଜେୟ ପଛରେ ତ ଅନେକେ ମାତ୍ର ପରାଜିତର  ବିମର୍ଷ ମୋତେ ସବୁବେଳେଆନ୍ଦୋଳିତ କରିଆସିଛି। ସବୁବେଳେ ପରାଜିତମାନଙ୍କ ପଛରେ ଛିଡା ହୋଇ କେବଳ ନିଜର ଅସହାୟତାର ରୂପକ ମାନଙ୍କୁ ମୁଁ ଖୋଜିଛି। ଦେଖିଛି ଯେତେସବୁ ସଫଳତାର ପଛରେ ରହିଛି ଯୁଦ୍ଧ ଆଉ ଭୟାବହତାର ରକ୍ତପାୟୀ ଡ୍ରାକୁଲା ସଦୃଶ ମୁନିଆଁ ମୁନିଆଁ ଦାନ୍ତମାନ ଯାହା ଆମକୁ ଅବିରତ କହିଚାଲିଛି,ତୁ ତୋ ବିଫଳତାରେ ସଂତୁଷ୍ଠ ହୋଇ ରହ। ମାନେ, ତୁ ଯେତିକର ସେତିକିରେ ରହ। ପାଦେ ଆଗକୁ ବଢେଇବୁ ତ ମରିବୁ। ତୋ ବିଫଳତାକୁ ନେଇ କଥା କହିବାର ଅଧିକାର କେବଳ ଆମର।ଆମେହିଁ ବିଫଳତାର ଆତ୍ମ ଘୋଷିତ ମୁଖପାତ୍ର।
ସଫଳତାର ଏଇ ସନ୍ଧିବିଗ୍ରହ ମାନେ ଚିରକାଳ ବିଫଳତାର ପୃଷ୍ଠପୋଷକ ସାଜିଥାନ୍ତି। ସଫଳତାର ପାଟଯଥା କୁଣ୍ଡଳ ମଣ୍ଡିତ ହୋଇ ସେମାନେ ଢେର୍ ପ୍ରବଚନ ଦିଅନ୍ତି। ଗାଆଁଦାଣ୍ଡରେ ସେକାଳରେ ଅବୋଧ ଶିଶୁଟିଏ ତାହାର ସାଙ୍ଗ ସହ ନିଜର ଏକ ବିଶିଷ୍ଟ ଅଂଗର ତୁଳନା କଲାବେଳେ,ଦେଖ ମୋର ଏଇଟା ତୋଠୁ ବଡ ବୋଲି କହିବା ଭଳି ଖୁସିରେ ସେହି ସଫଳ ପୁରୁଷ ମାନେ କହିଥାନ୍ତି,ଆମ ସମୟ ରେ ଯେଉଁ ଅରାଜକତା ଥିଲା ତାହା ଖୁବ୍ ସୃଜନାତ୍ମକ ଆଉ ଏବେ ଯେଉଁ ଅରାଜକତା ଦେଖୁଛ ତାହା ଘୋର କଳିକାଳ। ଆଉ କିଏ କିଏ ପଦ ଯୋଡିବେ,ଅମୁକ ଅମୁକଙ୍କ ପ୍ରବେଶ ପରେ ବାରିକେଡ୍ ପଡିଛି, ଦେଖ, କାରଣ ଅରାଜକ ମାନଙ୍କୁ ତ ଆଉ ସୁସ୍ଥ ଭାବରେ ପ୍ରବେଶାଧିକାର ଦିଆଯାଇପାରିବନାହିଁ ସଫଳତାର ସବୁଜିମା ଭିତରକୁ ? ଆମେ ଦେଶଜାତିର  ସବୁଜିମା କୁ ବହାଲ ତବିୟତ୍ ରେ  ରଖିବାପାଇଁ ନିଃସ୍ୱାର୍ଥପର ଭାବରେ ଅବୈତନିକ ତ୍ୟାଗପୂତ ଜୀବନ ପାଇଁ ଆଖିରେ ସବୁଜରଂଗର ଚଷମା ଆଜୀବନ ପରିଧାନ କରିବାପାଇଁ ସଂକଳ୍ପବଦ୍ଧ।
ସଫଳତା ଏବଂ ବିଫଳତା ତଥା ଅରାଜକତାର ଏଇ ଦ୍ୱି-ଅଂଶୀ ତତ୍ତ୍ୱର ଧାରକ ଆଉ କାରକ  ଯେଉଁ ମହିଷାସୁରର ମୁହଁ ମାନଙ୍କର ସଂତ୍ରାସରୁ ଯେଉଁମାନେ ସବୁଜିମା ର ଏପଟରେ ବିଫଳତାକୁ ଆଦରି ବସିଥାଆନ୍ତି ସେମାନଙ୍କ ପାଇଁ ସମାଜର ନିହାତି ପଛୁଆବର୍ଗର  ସୁଖ ଦୁଃଖ ଓ ଜୀବନର ବିରୋଧାଭାଷ ର ତୋରଣ ଥାଏ, କ୍ଷୁଧା ଥାଏ, ନଈବଢୀ ପରର ବାଲିଚର ଥାଏ ପଟୁମାଟି ବି ଥାଏ। ଆକାଶ ପୃଥିବୀ ବିଚିତ୍ର ଚରିତ୍ରମୟ ହୋଇ ରହିଥାଏ। ସେମାନଙ୍କ ଭାଷାରେ ଥାଏ ଏକଲବ୍ୟର ଅବ୍ୟର୍ଥ ଶର ସଂଧାନ । ଶହଶହ ମାଟିର ଦ୍ରୋଣ ମାନଙ୍କର ନିଶ୍ଚୁପ ଶିକ୍ଷାରେ ସେମାନଙ୍କର ଅରାଜକତା ବିକଶିତ ହୁଏ,ହେବାରେ ଲାଗିଥାଏ। ଆଉ ସେପଟେ ସଫଳତାର ସବୁଜିମାରେ ଦୈବିକ ଶ୍ରୁତଲିଖନ,ଶୂନ୍ୟ ସନ୍ତରଣ ଓ ଅପାର୍ଥିବ ସ୍ଥୁଳ ପୁରାଣ ମାନ ଘଷରା ହେବାରେ ଲାଗିଥାଏ। ସେମାନେ କହନ୍ତି,ବିଫଳ ଅରାଜକ ମାନଙ୍କର ଖାଲି ଖବରକାଗଜରେ ପ୍ରିତୀ !
କହିବାକଥା ହେଉଛି ମହିଷାସୁରର ମୁଁହମାନେ କେବଳ ସ୍ଥିତାବସ୍ଥାରେ ବିଶ୍ୱାସ କରନ୍ତି। ସମାଜତତ୍ତ୍ୱରେ ନିଜର ବର୍ଗସ୍ଥିତିଗତ ଉନ୍ନତି ପାଇଁ ଯେଉଁ ଭୂଲଂବ ଗତି ବା ଭର୍ଟିକାଲ୍ ମୋବିଲିଟି ର ବ୍ୟବସ୍ଥାପନା ଅଛି ତାହାକୁ ବିଚାରିଲେ ଜଣାଯିବ ଯେ ସାଧାରଣତଃ ଜଣକର ତଳୁ ଉପରକୁ ଉଠିବାର ବାଟଟି ଦେଖାଯାଏ କ୍ରମଶଃ କଷ୍ଠକର ଓ ସଂକୁଚିତ ହେବାରେ ଲାଗିଛି। ଏହାକୁ ସ୍ଥିତାବସ୍ଥା ବଜାୟକାରୀ ଦଳ ସଂକୁଚିତ ଓ ପ୍ରାୟତଃ ନିବୁଜ କରି ରଖିଥାଆନ୍ତି। ଏହା ଫଳରେ ସବୁ ସଫଳତାର ମହୁଫେଣା ସେମାନଙ୍କର ହାତପାହାନ୍ତାରେ ରହିଥିବ ଯେମିତି।
ସ୍ଥିତାବସ୍ଥାର ପରମ ସମର୍ଥକ ମାନେ ସବୁବେଳେ କହିବେ ସଫଳତାର ଅନୁକରଣ କର। ଶିକ୍ଷାର୍ଥୀର ଜୀବନ ଜଣକର ଜୀବନର ଶ୍ରେଷ୍ଠ ସଫଳତା।ଆମର ଅସନ୍ତୋଷକୁ ଦେଖ,ବୁଝ।ଏଇ ଅସନ୍ତୋଷର କଥାଗୁଡିକ ସେମାନେ ଅତ୍ୟନ୍ତ ପରମାନନ୍ଦର ସହ କହିଥାନ୍ତି।
ୱିଲଫ୍ରେଡ୍ ଓୱେନ୍ ବୋଲି ଜଣେ କବି ପ୍ରଥମ ବିଶ୍ୱଯୁଦ୍ଧ ବେଳେ  Dulce et Decorum est ଶୀର୍ଷକରେ ଗୋଟିଏ କବିତା ଲେଖିଥିଲେ ଯାହାର ଅର୍ଥ ହେଉଛି,ନିଜ ଦେଶ ପାଇଁ ପ୍ରାଣବଳୀ ଦେବା ଆନନ୍ଦ ଓ ଗୌରବାବହ। ଏଇ ପ୍ରସିଦ୍ଧ  କବିତାରେ ଓୱେନ୍ ଯୁଦ୍ଧର ବିଭିଷିକା କଥା ବର୍ଣ୍ଣନା କରିବା ସହ ଯେଉଁମାନେ ଯୁଦ୍ଧର ଭୟାବହତା ଠାରୁ ଯଥେଷ୍ଟ ନିରାପଦ ଦୂରତ୍ୱରେ ଥାଆନ୍ତି ସେଇମାନେ ହିଁ ଦେଶପ୍ରେମ ଓ ବଳିଦାନ ଉପରେ ସମସ୍ତଙ୍କୁ ପ୍ରଚୁର ଉଦବୋଧନ ଦେଇ ନିଜକୁ ସୁରକ୍ଷିତ କରି ରଖିବାର ସୁଚତୁର ପ୍ରୟାସ କରିଥାଆନ୍ତି। ଏହା ଯେମିତି ଏକ ବଳିଯନ୍ତ୍ରଟି ର ସଫଳ କାର୍ଯ୍ୟକାରିତାର କଥାକୁ ଜଣେ ଅତ୍ୟାଗ୍ରହୀ ଚରିତ୍ରକୁ ଟିକିନିଖି ପ୍ରାଞ୍ଜଳ ଭାବରେ ବୁଝାଇ ଦେବା ଭଳି କାମ ହେବ,ଯେଉଁଠି ସେହି ଜିଜ୍ଞାଷୁ ଚରିତ୍ରଟି ଅସହାୟ ଭାବରେ ବଳି ପଡିବ ସେହି ବଳିଯନ୍ତ୍ରରେ,ଶେଷରେ।
ଯେତେବେଳେ ଶହୀଦର ଶବ କୌଣସି ନା କୌଣସି ଯୁଦ୍ଧକ୍ଷେତ୍ରରୁ କଫିନ୍ ରେ ବନ୍ଦ ହୋଇ ନିଜ ନିଜ ଗାଆଁକୁ ଫେରେ ଧୁଳିରେ ମିଳାଇଯିବା ପାଇଁ ସେତେବେଳେ ଆମର ଦେଶପ୍ରେମ ଜାଗ୍ରତ ହୁଏ ଫୁଲମାଳରେ,ଶହୀଦ ର ନବବଧୂର ବହୁ ପ୍ରଚାରିତ କାନ୍ଦଣାରେ,ଶହୀଦ ବାପର କୋହରୁ ଜାତ କ୍ରୋଧରେ,ଦେଖିବ,ଆଉ ଦିଟା ପିଲା ମୋର ଶହୀଦ ହେବେ ଦେଶ ପାଇଁ। ତାହାପରେ ଯବ ତକ୍ ଚାନ୍ଦ ସୁରଜ୍ ରହେଗା ଅମୁକ ତୁହ୍ମାରା ନାମ୍ ରହେଗା ର ଅମୁକର ନାଆଁ କାଳର ବାଲୁବନ୍ତରେ ଛୋଟିଆ କଂକ୍ରିଟ୍ ର ରଂଗଛଡା ମୂର୍ତ୍ତିଟିଏ ହୋଇ କେଉଁଠି ଥାଇପାରେ ଯାହାର ତଳେ ନାଆଁ ଲେଖାଥିବା ଜାଗାଟି ରହିଥିବ ଶୂନ୍ୟ। ସବୁବେଳେ ଏଭଳି ପରିସ୍ଥିତିରେ କେବଳ “କଡା ବୟାନ” ଦେଇ ଆସୁଥିବା ଗୃହ ମନ୍ତ୍ରୀଜଣକ କଡା ବୟାନ ଦେଇସାରି ତାଙ୍କର ନିଜ ନିର୍ବାଚନ ମଣ୍ଡଳୀ କୁ ଫେରିଯାଇଆନ୍ତି।
ଆମର ଦେଶପ୍ରେମ କଥା ବାରଂବାର ପ୍ରଚାରିତ ହେଉଥାଏ।
ଶହୀଦର ପରିବାରକୁ ପୋଷ୍ୟପରିବାର କରିବା ଜଣେ ଜଣେ ସାଂସଦ ପକ୍ଷରେ କ’ଣ ଏତେ କଷ୍ଟକର ? ରାଜନୀତିରେ ଯେଉଁମାନେ ନିର୍ବାଚନ ଲଢିବେ ସେମାନଙ୍କର ପରିବାରରୁ ଅନ୍ତତଃ ଜଣେ ଭାରତୀୟ ସେନାବାହିନୀରେ କାମ କରୁଥିବାର ସର୍ତ୍ତ ଟିଏ ଲୋକ ପ୍ରତିନିଧି ଆଇନରେ ରଖିବା ର ପ୍ରୟୋଜନୀୟତାକୁ କ’ଣ ଆମେ ବୁଝିବା ନାହିଁ ? ଆମେ ଖାଲି ଯୁଦ୍ଧର ବିଭିଷୀକା ଠାରୁ ଶହେକୋଶ ଦୁରରେ ବସି ଦେଶପ୍ରେମ ଓ ଦେଶ ପାଇଁ ଆତ୍ମବଳୀଦାନର ଗୀତମାନ ମଧୁର କଂଠରେ ଗାଉଥିବା ?
କୌଣସି ଇତିହାସ ଯୁଦ୍ଧରୁ ମୁକ୍ତ ନୁହଁ। ପୃଥିବୀର ସାରା ଯେତେ ବାରୁଣାବନ୍ତ ରହିଛି ସେଇଠି କେବଳ ଯୁଦ୍ଧ ଆଉ ଯୁଦ୍ଧର ପ୍ରସ୍ତୁତି।ଲେଖା ଚାଲିଛି ଦେଶପ୍ରେମ ଓ ବଳିଦାନର ଭାଷ୍ୟ ସର୍ବତ୍ର।
କାନ୍ଥଲେଖଟି ପ୍ରଥମେ ମୋ ଭିତରେ ବିଷାଦ ଭରି ଦେଇଥିଲେବି ମୁଁ ସେଇଠୁ ମୁକୁଳିଗଲି କିଛି ସମୟ ପରେ।ମୋତେ ଦେଖାଗଲା ସୁଦୂରରୁ ଗୋଟିଏ ଆଲୋକବର୍ତ୍ତିକା।
ସେହି ଆଲୋକବର୍ତ୍ତିକାଟିର କଥା ଆପଣମାନଙ୍କର ଆଗରେ ନକହିବା ଯାଏଁ ଶାନ୍ତି ନାହିଁ।
କାନ୍ଥଲେଖଟିର ଓଡିଆ ତର୍ଜମା ଏଇଭଳି:
“ଦିନେ ନା ଦିନେ ଯୁଦ୍ଧ ଶେଷ ହେବ ଆଉ ମୁଁ ଫେରିବି ମୋର କବିତାକୁ।”
ଏହାଠୁ ଗଭୀର ଆସ୍ଥା ଓ ବିଶ୍ବାସ ଆଉ କ’ଣ ଥାଇପାରେ ବା ଲେଖାଯାଇପାରେ  ଆମର ଏଇ  ସୃଜନ କର୍ମ ପଛରେ ?ଆମର ଯେତେଯେତେ ସଫଳତାର “ରାଜତରଙ୍ଗିଣୀ” ପ୍ରସ୍ତୁତକାରୀ ମାନେ ରହିଛନ୍ତି ଯେଉଁଠି ସେମାନଙ୍କର ଆସ୍ଥା ଆଉ ବିଶ୍ୱାସର କ୍ଷେତ୍ର ଅନ୍ୟତ୍ର।ସେମାନଙ୍କର ଚଷମାରେ ଏହା ଦେଖାଯିବ ନାହିଁ।
ଯାହା ଦେଖାଯାଏ ନାହିଁ ତାହାକୁ ବିଚାରବନ୍ତ ତ ଅରାଜକତା ବୋଲି କହନ୍ତି। ସେମାନଙ୍କ ମୁହଁରେ ଅଧିକ ଫୁଲଚନ୍ଦନ ପଡୁ।
କହିବା ବାହୁଲ୍ୟ ଏଇ କାନ୍ଥଟି ସିରିଆର।
syria
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026
Latest News

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.