ଅରବିନ୍ଦ ରାଉତ
ଜଙ୍ଗଲ ହେଉଛି ବନବାସୀମାନଙ୍କର ନିଜ ଭୂମି । ଜଙ୍ଗଲ ହିଁ ସେମାନଙ୍କର ମା ବାପା, ଜଙ୍ଗଲ ହିଁ ସେମାନଙ୍କର ଜୀବନ ଜୀବିକା । ସେମାନଙ୍କ ଜମି ଉପରେ ଚାଷବାସ କରିବା ଓ ସେମାନଙ୍କ ଜଙ୍ଗଲକୁ ରକ୍ଷଣା ବେକ୍ଷଣ କରିବା ତଥା ପରିଚାଳନା କରିବାର ଅଧିକାର ସେମାନଙ୍କର ନାହିଁ । ଏହା ଏକ ଅନ୍ୟାୟ ନୁହେଁ ତ ଆଉ କଣ! ଏହା ଏକ ଐତିହାସିକ ଅନ୍ୟାୟ । ଏହି ଅନ୍ୟାୟକୁ ସ୍ୱୀକାର କରି ସରକାର ୨୦୦୬ ମସିହାରେ “ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର (ଜଙ୍ଗଲ ଅଧିକାର ସ୍ୱୀକୃତି) ଆଇନ୍ ୨୦୦୬’’ ନାମରେ ଏକ ଐତିହାସିକ ଆଇନ୍ ଆଣିଲେ, ଯାହାକି ଜଙ୍ଗଲ ଉପରେ ନିର୍ଭର କରି ଚଳିଆସୁଥିବା ଭାରତର ପାଖାପାଖି ୧୬ ଶତାଂଶ ଲୋକଙ୍କର ଜଙ୍ଗଲ ଅଧିକାରକୁ ସ୍ୱୀକୃତି ଦେବା ପାଇଁ ପ୍ରଥମ କରି ଏକ ସୁଯୋଗ ତିଆରି ହେଲା । ଏହି ଆଇନ୍ଟି ୩୧ ଡିସେମ୍ବର ୨୦୦୭ରୁ କାର୍ଯ୍ୟକାରୀ ହେଲା । ଏହି ଆଇନ୍ରେ ଜଙ୍ଗଲ ଉପରେ ନିର୍ଭର କରି ଚଳିଆସୁଥିବା ଉଭୟ ଆଦିବାସୀ ଓ ଅଣଆଦିବାସୀମାନଙ୍କ ଅଧିକାରକୁ ସ୍ୱୀକୃତି ପ୍ରଦାନ କରିଛି ।
ଆଇନ୍ କାର୍ଯ୍ୟକାରୀ ହେବାର ୧୨ ବର୍ଷ ବିତି ଯାଇଥିଲେ ମଧ୍ୟ, ଯଦିଓ ଆଦିବାସୀମାନଙ୍କୁ କିଛିକାଂଶରେ ଅଧିକାର ମିଳିଛି, ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କ ଅଧିକାରକୁ ସରକାର ଏପର୍ଯ୍ୟନ୍ତ ନିଘା ହିଁ ଦେଇ ନାହାନ୍ତି । ମୁଁ ଏହି ନିବନ୍ଧଟିରେ ବିଶେଷ କରି ଆଇନ୍ରେ ଥିବା ଅଣଆଦିବାସୀ (ଆଇନ୍ର ଭାଷାରେ “ଅନ୍ୟାନ୍ୟ ପାରମ୍ପରିକ ବନବାସୀ” ବୋଲି କୁହାଯାଇଛି) ମାନଙ୍କର ଜଙ୍ଗଲ ଅଧିକାର ସ୍ୱକୃତି ବିଷୟରେ ବିଶେଷ ଆଲୋଚନା କରିବାର ପ୍ରୟାସଟିଏ କରିଛି । ଆଇନ୍ଟି ଆସିବା ପଛର ଇତିହାସକୁ ଯଦି ଚର୍ଚ୍ଚା କରାଯାଏ, ତେବେ ଆମେ ଦେଖିବା ଯେ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କର ଜଙ୍ଗଲ ଉପରେ ଅଧିକାର ସ୍ୱୀକୃତିକୁ ଯୁକ୍ତିଯୁକ୍ତ ମନେ କରି ଉଭୟ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କ ଅଧିକାରକୁ ସମାନ ଭାବରେ ସ୍ୱୀକୃତି ଦେବାକୁ ଆଇନ୍ ଭିତରେ ସମସ୍ତ କିଛି ପ୍ରବଧାନମାନ ରହିଛି ।
ପ୍ରଥମେ ଆଇନ୍ଟି “ଅନୁସୂଚିତ ଜନଜାତି (ଜଙ୍ଗଲ ଅଧିକାର ସ୍ୱୀକୃତି) ବିଲ୍ ୨୦୦୫” ରୂପରେ ୨୦୦୫ ଡିସେମ୍ବର ୧୩ ତାରିଖରେ ସଂସଦରେ ଆଗତ ହୋଇଥିଲା । ବିଲ୍ଟିକୁ ତର୍ଜମା କରି ଏକ ପୂର୍ଣ୍ଣ ରୂପ ଦେବା ପାଇଁ ସେହିଦିନ ହିଁ ଗୃହ ଏକ ଯୁଗ୍ମ ସଂସଦୀୟ କମିଟି (Joint Parliamentary Committee)କୁ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ବହୁ ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ ସଙ୍ଗଠନ ଓ ଦେଶର ବହୁ ବିଶିଷ୍ଟ କାର୍ଯ୍ୟକର୍ତାମାନଙ୍କ ତରଫରୁ ଏହି ବିଲ୍ ରେ ଅନେକ ଗୁଡିଏ ପରିବର୍ତ୍ତନ ଆଣିବା ପାଇଁ ଶତାଧିକ ମତ ଆସିଥିଲା। ସେହି ସମସ୍ତ ମତାମତର ଆଧାରରେ ଉକ୍ତ କମିଟି ୨୩ ମେ’ ୨୦୦୬ରେ ଏକ ରିପୋର୍ଟ ଉପସ୍ଥାପନ କଲେ ।
ଉକ୍ତ ରିପୋର୍ଟରେ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କ ସପକ୍ଷରେ ଯେଉଁ ଯୁକ୍ତିଗୁଡିକ ଉପସ୍ଥାପାନ କରାଯାଇଛି ତାହା ହେଉଛି ଏହିପରି- ଆଦିବାସୀମାନଙ୍କ ସହିତ ଅନ୍ୟାନ୍ୟ ଗୋଷ୍ଠୀର ଲୋକମାନେ ମଧ୍ୟ ପାରମ୍ପରିକ ଭାବରେ ପିଢି ପିଢି ଧରି ଜଙ୍ଗଲ ଭିତରେ ଓ ଜଙ୍ଗଲର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ରହି ଆସୁଛନ୍ତି ଓ ଜଙ୍ଗଲ ତଥା ଜଙ୍ଗଲ ଜମି ଉପରେ ପ୍ରାଥମିକ ଭାବରେ ନିର୍ଭର କରି ଜୀବନଜୀବିକା ନିର୍ବାହ କରୁଛନ୍ତି । ଯେହେତୁ ଏହି ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନେ ଆଦିମ କାଳରୁ ଜଙ୍ଗଲ ଉପରେ ନିର୍ଭର କରି ଚଳିଆସୁଛନ୍ତି ଏବଂ ଉକ୍ତ ଜଙ୍ଗଲ ଉପରେ ସେମାନେ ଅଧିକାରର ସ୍ୱୀକୃତି ପାଇ ନାହାନ୍ତି, ସେମାନେ ମଧ୍ୟ ସମ ପରିମାଣରେ ଐତିହାସିକ ଅନ୍ୟାୟର ଶିକାର ହୋଇଛନ୍ତି । ତେଣୁ ସେମାନଙ୍କ ଜଙ୍ଗଲ ଅଧିକାରକୁ ଯଦି ସ୍ୱୀକୃତି ପ୍ରଦାନ କରା ନଯାଏ ତେବେ ସେମାନଙ୍କ ଜୀବନଜୀବିକା ବୃହତ୍ତର ଭାବରେ ପ୍ରଭାବିତ ହେବ । ଏପରିକି ସେମାନେ ଭବିଷ୍ୟତରେ ଜଙ୍ଗଲ ଜମିରୁ ଉଚ୍ଛେଦ ମଧ୍ୟ ହୋଇ ପାରନ୍ତି । କେତେଗୁଡିଏ ଅଞ୍ଚଳରେ ସେମାନେ ସରକାରଙ୍କ କେତେକ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବିସ୍ଥାପିତ ହୋଇ ଜଙ୍ଗଲ ଜମିରେ ଥଇଥାନ ହୋଇଛନ୍ତି । ସେମାନେ ଉକ୍ତ ଜଙ୍ଗଲ ଜମି ଉପରେ ମଧ୍ୟ ଉପଯୁକ୍ତ ଅଧିକାର ପାଇ ନାହାନ୍ତି ।
କମିଟି ଏହା ମଧ୍ୟ ଅନୁଭବ କରିଛି ଯେ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନେ ଆଦିବାସୀମାନଙ୍କ ସହିତ ସୁସଙ୍ଗତି ସ୍ଥାପନ କରି ବସବାସ କରି ଆସୁଛନ୍ତି । ଏପରିକି ଦେଖିବାକୁ ଗଲେ, ଆଦିବାସୀ ଓ ଅଣଆଦିବାସୀ ସମ୍ପ୍ରଦାୟର ବିଭାଜନ ବସ୍ତୁତଃ ଭାରତ ସ୍ୱାଧିନତା ପରେ ହିଁ କରାଯାଇଥିଲା । ସମ୍ପ୍ରଦାୟର ଏପରି ବିଭାଜନ ସେମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିଛି । ସାଙ୍ଗିଆରେ ସାମାନ୍ୟ କଛି ବନାନଗତ ତୃଟି ଯୋଗୁଁ କେତେକ ବନବାସୀ ଆଦିବାସୀରେ ଅନ୍ତର୍ଭୁକ୍ତ ହୋଇ ପାରିନାହାନ୍ତି । ଏଠାରେ କହି ରଖିବା ଉଚିତ୍ ଯେ, ଆଦିବାସୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଓଡିଶା ସରକାର ୧୪୭ଟି ଗୋଷ୍ଠିର ତାଲିକା ଭାରତ ସରକାରଙ୍କୁ ପଠାଇଛନ୍ତି, ସେଗୁଡିକୁ ଆଜି ପର୍ଯ୍ୟନ୍ତ ବିଚାର ନ କରି କେନ୍ଦ୍ର ସରକାର ପକାଇ ରଖିଛନ୍ତି । କିନ୍ତୁ ଜଙ୍ଗଲର ଉପଯୁକ୍ତ ଅଧିକାରୀମାନେ ସରକାରଙ୍କର ଏହପରି ଛୋଟ ଛୋଟ ତୃଟି ପାଇଁ ସେମାନଙ୍କର ଅଧିକାର ସ୍ୱୀକୃତି ପାଇବାରୁ ବଞ୍ଚିତ ରହୁଛନ୍ତି । ଏହି ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଏବଂ ଯେହେତୁ ଉକ୍ତ ଜଙ୍ଗଲ ଅଧିକାର ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବନବାସୀମାନଙ୍କ ଉପରେ ହୋଇଥିବା ଐତିହାସିକ ଆନ୍ୟାୟକୁ ସଂଶୋଧନ କରିବା, ଯୁଗ୍ମ ସଂସଦୀୟ କମିଟି ଅନୁଭବ କରିଲା ଯେ ଜଙ୍ଗଲ ଉପରେ ପ୍ରାଥମିକ ଭାବରେ ନିର୍ଭର କରୁଥିବା ଏହି ଅଣ-ଆଦିବାସୀମାନଙ୍କର ଅଧିକାରକୁ ମଧ୍ୟ ସ୍ୱୀକୃତି ଦେବା ନିହାତି ଜରୁରୀ । ତେଣୁ କମିଟିର ସୁପାରିଶରେ ବିଲ୍ର ନାମ ପରିବର୍ତ୍ତନ ହୋଇ “ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର (ଜଙ୍ଗଲ ଅଧିକାର ସ୍ୱୀକୃତି) ଆଇନ୍ ୨୦୦୬’’ ହେଲା, ଯାହାକି ପ୍ରଥମେ “ଅନୁସୂଚିତ ଜନଜାତି (ଜଙ୍ଗଲ ଅଧିକାର ସ୍ୱୀକୃତି) ବିଲ୍ ୨୦୦୫’’ ନାମରେ ଥିଲା ଓ ସେହି ବିଲ୍ରେ କେବଳ ଅନୁସୂଚିତ ଜନଜାତି ତଥା ଆଦିବାସୀମାନଙ୍କ ଜଙ୍ଗଲ ଅଧିକାରକୁ ସ୍ୱୀକୃତି ଦେବା କଥା କୁହାଯାଇଥିଲା ।
ଆଇନ୍ର କାର୍ଯ୍ୟକାରିତା, ଜଙ୍ଗଲ ଓ ଜଙ୍ଗଲ ଜମି ଉପରେ ନିର୍ଭର କରୁଥିବା ପ୍ରକୃତ ବନବାସୀମାନଙ୍କର ଜଙ୍ଗଲ ଅଧିକାରର ସ୍ୱୀକୃତି, ଏବଂ ଆଇନ୍କୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନିକ ତତ୍ପରତା ତଥା ରାଜନୈତିକ ଇଚ୍ଛାଶକ୍ତି- ଏସବୁକୁ ମଧ୍ୟ ଏବେ ବାର ବର୍ଷ ପୁରିଲା। ତଥାପି ସମ୍ଭାବ୍ୟ ପରିମାଣର ବନବାସୀମାନଙ୍କ ଭିତରୁ ଏକ ଶତାଂଶ ଲୋକଙ୍କୁ ମଧ୍ୟ ଜଙ୍ଗଲ ଅଧିକାର ଏପର୍ଯ୍ୟନ୍ତ ମିଳିପାରିଲା ନାହିଁ । ଅନୁସୂଚିତ ଜନଜାତିମାନଙ୍କର ଜଙ୍ଗଲ ଅଧିକାରକୁ ପ୍ରଥମେ ଦୃଷ୍ଟିକୁ ନେବା ଆଳରେ ସରକାର ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କର ଜଙ୍ଗଲ ଅଧିକାର ସ୍ୱୀକୃତିକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଦେଲେ । ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କର ଜଙ୍ଗଲ ଅଧିକାରକୁ ସ୍ୱୀକୃତି ଦେବାରେ ଆଇନ୍ର କାର୍ଯ୍ୟକାରୀ କରୁଥିବା ପ୍ରଶାସନିକ ଅଧିକାରୀମାନଙ୍କ ଇଚ୍ଛାଶକ୍ତିର ଅଭାବ ରହିଥିବା ପରିଲକ୍ଷିତ ହୁଏ । ଅଣ-ଆଦିବାସୀମାନଙ୍କ ଜଙ୍ଗଲ ଅଧିକାରକୁ ସ୍ୱୀକୃତି ଦେବା ପାଇଁ ଆଇନ୍ରେ ଯେଉଁସବୁ ପ୍ରାବଧାନ ରହିଛି, ଆଇନ୍କୁ କାର୍ଯ୍ୟକାରୀ କରୁଥିବା ଅଧିକାରୀମାନେ ସେଗୁଡିକୁ କେତେ ବୁଝିଛନ୍ତି ଓ କେମିତି ଅର୍ଥରେ ନେଇଛନ୍ତି ତାହା ବିଚାର କରିବା ଦରକାର ରହିଛି ।
ଜଙ୍ଗଲ ଅଧିକାର ଆଇନ୍ ୨୦୦୬ର ଧାରା ୩ (୧) ଅନୁସାରେ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଉଭୟେ ବ୍ୟକ୍ତିଗତ ଓ ଗୋଷ୍ଠିଗତ ଜଙ୍ଗଲ ଅଧିକାରର ସ୍ୱୀକୃତି ପାଇବା ଯୋଗ୍ୟ ଏବଂ ଧାରା ୨(ତ)ରେ ‘ଅନ୍ୟାନ୍ୟ ପାରମ୍ପରିକ ବନବାସୀ’ର ସଂଜ୍ଞା ନିରୂପଣ କରି କୁହାଯାଇଛି ଯେ ‘କୌଣସି ସଦସ୍ୟ କିମ୍ବା ସମ୍ପ୍ରଦାୟ ଯେଉଁମାନେ ୧୩ ଡିସେମ୍ବର ୨୦୦୫ ପୂର୍ବରୁ ତିନି ପିଢି ଧରି ପ୍ରାଥମିକ ଭାବରେ ଜଙ୍ଗଲରେ ରହିଆସୁଛନ୍ତି ଏବଂ ଯେଉଁମାନେ ମୁଖ୍ୟତଃ ଜଙ୍ଗଲ ଓ ଜଙ୍ଗଲ ଜମି ଉପରେ ପ୍ରକୃତ ଭାବରେ ଜୀବନ ଜୀବିକା ପାଇଁ ନିର୍ଭରଶୀଳ ଅଟନ୍ତି’ ସେମାନଙ୍କୁ ଏହି ଆଇନ୍ରେ ଅନ୍ୟାନ୍ୟ ପାରମ୍ପରିକ ବନବାସୀ କୁହାଯିବ । ଏହିକ୍ରମରେ ଆଦିବାସୀ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ‘ବାରମ୍ବାର ପଚରାଯାଇଥିବା ପ୍ରଶ୍ନର ଉତ୍ତର’ରେ ସ୍ପଷ୍ଟ କରାଯାଇଥିବା ଉଦ୍ଧୃତିକୁ ମଧ୍ୟ ଏଠାରେ ଉପସ୍ଥାପନ କରିବା ବହୁତ ଜରୁରୀ ମନେକରୁଛି । ଏଥିରେ ବର୍ଣ୍ଣନା କରାଯାଇଛି ଯେ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଜଙ୍ଗଲ ଅଧିକାର ଆଇନ୍ ଅଧିନରେ ଅଧିକାର ସ୍ୱୀକୃତି ନିମନ୍ତେ ଯୋଗ୍ୟ ବିବେଚିତ ହେବା ପାଇଁ ତିନୋଟି ସର୍ତ୍ତ ପୂରଣ କରିବାର ଆବଶ୍ୟକତା ରହିଛି । (୧) ପ୍ରାଥମିକ ଭାବରେ ୧୩ ଡିସେମ୍ବର ୨୦୦୫ ପୂର୍ବରୁ ତିନି ପିଢୀ (୭୫ ବର୍ଷ) ଧରି ଜଙ୍ଗଲ ଜମିରେ ବସବାସ କରି ଆସୁଥିବେ, (୨) ଜୀବନ ଜୀବିକାର ସାଧନ ନିମନ୍ତେ ଜଙ୍ଗଲ କିମ୍ବା ଜଙ୍ଗଲ ଜମି ଉପରେ ନିର୍ଭର କରୁଥିବେ, (୩) ୧୩ ଡିସେମ୍ବର ୨୦୦୫ ପୂର୍ବରୁ ଜଙ୍ଗଲ ଜମି ଉପରେ ଦଖଲରେ ଥିବେ । ଏହି ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ ବି ଉପଖଣ୍ଡ ସ୍ତରୀୟ କମିଟି ଓ ଜିଲ୍ଲା ସ୍ତରୀୟ କମିଟି ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କର ଦାବିଗୁଡିକୁ ସ୍ୱୀକୃତି ଦେବାରେ ଏତେ କୃପଣତା ଦେଖାଇଛନ୍ତି, ଯେଉଁଥିପାଇଁ ସେମାନେ ତାଙ୍କର ଅଧିକାରର ସ୍ୱୀକୃତି ପାଇବାରୁ ବଞ୍ଚିତ ହୋଇଛନ୍ତି ।
ନିକଟରେ ଗଜପତି ଜିଲ୍ଲାରେ ଏକ ଗାଁ ଗଉଡ-କୁର୍ଲୁଣ୍ଡାକୁ ପରିଭ୍ରମଣ କରିବାର ମୋତେ ଏକ ସୁଯୋଗ ମିଳିଥିଲା । ଗାଁଟି ଜିଲ୍ଲା ମୁଖ୍ୟ ଦପ୍ତରରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ । ଗାଁରେ ୧୨୦ ପରିବାର ବାସ କରନ୍ତି । ସେମାନଙ୍କ ମଧ୍ୟରୁ ୧୦୫ ପରିବାର ହେଉଛନ୍ତି ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଏବଂ ଅନ୍ୟ ୧୫ ପରିବାର ଆଦିବାସୀ । ଏମାନେ ସମସ୍ତେ ପାଖାପାଖି ଶହେ ବର୍ଷ ପୁର୍ବରୁ ଜଙ୍ଗଲ ଜମି ଉପରେ ଘର କରି ରହୁଛନ୍ତି ଓ ଚାଷ ମଧ୍ୟ କରୁଛନ୍ତି । ଏହି ଗାଁର ଏକ ଇତିହାସ ମଧ୍ୟ ଅଛି । ରାଜାରାଜୁଡା ସମୟର କଥା । ଗଜପତି ରାଜା ଜଙ୍ଗଲରେ ଯାଇ ପାରିଧି କରୁଥିଲେ । ପାରିଧି କରିବାବେଳେ ନିଜର ଶୋଷ ମେଣ୍ଟାଇବା ପାଇଁ ରାଜା ଜଙ୍ଗଲ ଭିତରେ କିଛି ଉତ୍ସ ପାଆନ୍ତି ନାହିଁ । ତେଣୁ ସେ ଥରେ ରାମ ଆଉ ଶାମୁନି ନାମରେ ଦୁଇ ଜଣ ବ୍ୟକ୍ତିଙ୍କୁ ସେମାନଙ୍କ ପରିବାର ସହିତ ପାରଳାଖେମୁଣ୍ଡିରୁ ନେଇ ସେହି ଜଙ୍ଗଲରେ ଅବସ୍ଥାପିତ କରିଥିଲେ ତାଙ୍କୁ ପାରିଧି ସମୟରେ ପାଣି ଦେବା ପାଇଁ । ଏହି ରାମ ଆଉ ଶାମୁନିଙ୍କର ପରିବାର ଧିରେ ଧିରେ ବଡ ହୋଇ ସେଠାରେ ଏକ ଗାଁରେ ପରିଣତ ହେଲା । ସେହି ଗାଁକୁ ସେତେବେଳେ ଗଉଡ-କୁର୍ଲୁଣ୍ଡା ନାମ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଏହି ଦୁଇ ଜଣଙ୍କର ବଂଶଧର ଏହି ଗାଁରେ ସେମାନଙ୍କର ପରିବାର ବିସ୍ତାର କରିଥିଲେ । ସେମାନେ ପ୍ରଥମରୁ ଜଙ୍ଗଲ ଜମିରେ ଘର କରି ଜଙ୍ଗଲ ଜମିରେ ହିଁ ଚାଷବାସ କରି ରହି ଆସୁଛନ୍ତି । ସେମାନଙ୍କୁ ସେତେବେଳର ରାଜା ଜଙ୍ଗଲ ଜମି ଉପରେ ଅଧିକାର ଦେବାର ଲିଖିତ ପ୍ରମାଣ ମଧ୍ୟ ୧୯୧୨ ମସିହାରୁ ଅଛି । ଜଙ୍ଗଲ ଅଧିକାର ଆଇନ୍ ୨୦୦୬ କାର୍ଯ୍ୟକାରୀ ହେବା ପରେ, ୨୦୧୨ ମସିହାରେ ଗ୍ରାମବାସୀମାନେ ନିଜ ଜଙ୍ଗଲ ଅଧିକାରର ସ୍ୱୀକୃତି ପାଇବା ପାଇଁ ଉପଯୁକ୍ତ ପ୍ରକ୍ରିୟାରେ ଉପଖଣ୍ଡ ସ୍ତରୀୟ ଜଙ୍ଗଲ ଅଧିକାର କମିଟି ନିକଟରେ ଦାବି ଉପସ୍ଥାପନ କରିଥିଲେ । ସେମାନଙ୍କର ବ୍ୟକ୍ତିଗତ ଓ ଗୋଷ୍ଠିଗତ ଦାବି ସହିତ ସମସ୍ତ ପ୍ରମାଣପତ୍ର, ଗ୍ରାମସଭାର ବିବରଣୀ ସମେତ ତଦାରଖ ବିବରଣୀ ମଧ୍ୟ ସେମାନେ ସଂଲଗ୍ନ କରିଥିଲେ । ଦାବି ଉପସ୍ଥାପନ କରିବାର ୮ ବର୍ଷ ପୁରିଗଲାଣି, କିନ୍ତୁ ଆଜି ପର୍ଯ୍ୟନ୍ତ ଗାଁର ଦାବିଦାରମାନଙ୍କୁୁ ସେମାନଙ୍କ ଜଙ୍ଗଲ ଅଧିକାରର ସ୍ୱୀକୃତି ମିଳି ପାରିନାହିଁ ।
ମୁଁ ଯେତେବେଳେ ଓଡିଶାରେ କେତେଗୁଡିଏ ଉପଖଣ୍ଡ ସ୍ତରୀୟ ଜଙ୍ଗଲ ଅଧିକାର କମିଟି ସହିତ ଜଡିତ ଅଧିକାରୀମାନଙ୍କ ସହିତ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କ ଅଧିକାରକୁ ନେଇ ଅଲୋଚନା କରେ, ସେମାନେ ସବୁବେଳେ କୁହନ୍ତି ଯେ, ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନେ ସେମାନଙ୍କ ଅଧିକାର ସପକ୍ଷରେ ଲିଖିତ ପ୍ରମାଣ ଦେଇ ପାରୁ ନାହାନ୍ତି, ତେଣୁ କମିଟି କିଛି ନିଷ୍ପତ୍ତି ନେବାରେ ଅସୁବିଧା ହେଉଛି । ଯଦି ଏହି କଥା ସତ୍ୟ, ତାହେଲେ ଗଉଡ-କୁରଲୁଣ୍ଡା ଗାଁ ସମସ୍ତ ଲିଖିତ ପ୍ରମାଣ ସହିତ ଦାବି ଉପସ୍ଥାପନ କରି ସାରିଥିଲେ ମଧ୍ୟ ସେମାନଙ୍କ ଦାବି ଉପରେ ଆଜି ପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନ ପାରିବର କାରଣ କ’ଣ ହୋଇପାରେ!
ସରକାରୀ ତଥ୍ୟ ଅନୁସାରେ ଓଡିଶାରେ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କ ତରଫରୁ ଆଜି ପାର୍ଯ୍ୟନ୍ତ ୩୦ ହଜାର ୯ ଶହ ୩୮ ଦାବି ଉପସ୍ଥାପନ ହୋଇଛି ଏବଂ ଏପର୍ଯ୍ୟନ୍ତ ମାତ୍ର ୭୩ଟି ଦାବିକୁ ସ୍ୱୀକୃତି ମିଳିଛି ଯାହାକି ସମସ୍ତ ଦାବିର ମାତ୍ର ୦.୨୩ ପ୍ରତିଶତ । ଉପଖଣ୍ଡ ସ୍ତରୀୟ କମିଟି ଏତେଗୁଡିଏ ଦାବିକୁ ସ୍ୱୀକୃତି ନ ଦେଇ ପକେଇ ରଖିଥିବାର ମୁଖ୍ୟ କାରଣ କ’ଣ ହୋଇପାରେ! ଇଚ୍ଛାଶକ୍ତିର ଅଭାବ ନା ଆଇନ୍କୁ କାର୍ଯ୍ୟକାରୀ କରିବାରେ ସଚେତନତାର ଅଭାବ ନା ପ୍ରକୃତରେ ଦାବିଗୁଡିକୁ ସମର୍ଥନ କରୁଥିବା ପ୍ରମାଣପତ୍ରର ଅଭାବ! ଏଠାରେ କହି ରଖିବା ଉଚିତ୍ ମନେ କରୁଛି କି ସଂଶୋଧିତ ନିୟମାବଳୀ ୨୦୧୨ର ଧାରା ୧୨କ (୧୦) ଓ (୧୧) ଅନୁସାରେ ଦାବିର ସ୍ୱିକୃତୀ କିମ୍ବା ନାକଚ ପାଇଁ କୌଣସି ବୈଷୟିକ କିମ୍ବା ପ୍ରକ୍ରିୟାଗତ କାରଣକୁ ଢାଲ କରାଯାଇ ପାରିବ ନାହିଁ । ଆହୁରି ମଧ୍ୟ, କୌଣସି ଦାବିକୁ ବିଚାର ପରିସରକୁ ନେବା ନିମିତ୍ତ କିଛି ବି ନିର୍ଦ୍ଦିଷ୍ଟ ପ୍ରକାର ପ୍ରମାଣ ଯୋଗାଇ ଦେବା ପାଇଁ ଦାବିଦାରଙ୍କୁ ଜୋର୍ ଦିଆଯାଇ ପାରିବ ନାହିଁ ।
ତେଣୁ, ସରକାର ଏବେ ପାରମ୍ପରିକ ବନବାସୀମାନଙ୍କ ଜଙ୍ଗଲ ଅଧିକାରକୁ ସ୍ୱୀକୃତୀ ଦେବା ପାଇଁ ଟିକିଏ ଗମ୍ଭୀରତା ପ୍ରଦର୍ଶନ କରନ୍ତୁ, ବେଳ ଥାଉଁ ସାବଧାନ ହୋଇ ଯାଆନ୍ତୁ । ସେମାନଙ୍କ ଅଧିକାରକୁ ସ୍ୱୀକୃତି ଦେବା ପାଇଁ ସମ୍ପୂର୍ଣ୍ଣ ଇଚ୍ଛାଶକ୍ତି ନେଇ ଜିଲ୍ଲା ସ୍ତରୀୟ କମିଟି ମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରି ସ୍ୱୀକୃତି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରନ୍ତୁ। ନହେଲେ ତଳ ସ୍ତରରୁ ହୁଏତ ଦିନେ ଭୟଙ୍କର ଆନ୍ଦୋଳନ ଉଠିବାର ସମ୍ଭାବନାଟିଏ ଆପଣଛାଏଁ ତିଆରି ହୋଇଯିବ ।