Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରାଣୀ ଓ ଏକୋଇଶ ବର୍ଷରେ ନବୀନ ପଟ୍ଟନାୟକ ସରକାର, ଇତିହାସ ବଦଳିଯିବାର ଏକ ବିସ୍ମୟ କାହାଣୀ
ବିଶେଷ ଖବର

ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରାଣୀ ଓ ଏକୋଇଶ ବର୍ଷରେ ନବୀନ ପଟ୍ଟନାୟକ ସରକାର, ଇତିହାସ ବଦଳିଯିବାର ଏକ ବିସ୍ମୟ କାହାଣୀ

May 29, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତ ବର୍ଷ ମଇ ୧୯ ତାରିଖରେ ନବୀନ ପଟ୍ଟନାୟକ ଲଗାତାର ପଞ୍ଚମଥର ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତାର ଠିକ କୋଡିଏ ବର୍ଷ ପୂର୍ବରୁ ୫, ମାର୍ଚ୍ଚ, ୨୦୦୦ଦିନ ଓଡିଶା ରାଜନୀତିରେ ନିତାନ୍ତ ନବାଗତ ନବୀନ ପଟ୍ଟନାୟକ ଓଡିଶାର ୧୫ଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏଠି ଏକ ବିସ୍ମୟକର ସଂଯୋଗର କଥା ଉଲ୍ଲେଖ କରାଯାଇପାରେ। ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସମୟରେ ନବୀନ ବାବୁଙ୍କ ପୃଷ୍ଠଭୂମିରେ ୧୯୯୯ର ମହାବାତ୍ୟା ରହିଥିବା ବେଳେ ପଞ୍ଚମ ପାଳି ବେଳକୁ “ଫନି” ବାତ୍ୟାର ତାଣ୍ଡବ ରହିଥିଲା।

ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ମିଳିତ ସରକାରର ନେତୃତ୍ଵ ନେଇ ସେଦିନ ନବୀନ ବାବୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ କେହି କେବେ ଚିନ୍ତା ବି କରି ନଥିଲେ ଯେ, ଆଗାମୀ ଦୁଇ ଶତାବ୍ଦୀ ଧରି ସେ ଓଡିଶାର ନିର୍ବିକଳ୍ପ ଶାସକ ହୋଇ ରହିବେ। କୋଡିଏ ବର୍ଷରେ ପାଞ୍ଚୋଟି ସାଧାରଣ ନିର୍ବାଚନକୁ ପ୍ରଚଣ୍ଡ ବହୁମତରେ ଜିତିବାର ଐତିହାସିକ ସଫଳତା କେବଳ ନବୀନ ପଟ୍ଟନାୟକଙ୍କୁ ମିଳିଛି। ୧, ଏପ୍ରିଲ, ୧୯୩୬ରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେବା ପରେ ମାତ୍ର ଚାରି ଜଣ ମୁଖ୍ୟମନ୍ତ୍ରୀ/ପ୍ରଧାନମନ୍ତ୍ରୀ  ୫ ବର୍ଷରୁ ଅଧିକ କାଳ ରାଜ୍ୟ ଶାସନରେ ରହିବାର ସୁଯୋଗ ପାଇଥିଲେ। ନବକୃଷ୍ଣ ଚୌଧୁରୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କୁ ଏକକାଳୀନ ପାଞ୍ଚ ବର୍ଷ ଶାସନର ସୁଯୋଗ ମିଳିଥିଲା। ତେବେ ନବୀନ ପଟ୍ଟନାୟକ ହେଉଛନ୍ତି ଓଡିଶାର ଏକମାତ୍ର ମୁଖ୍ୟମନ୍ତ୍ରୀ ଯାହାଙ୍କୁ ଲଗାତାର ପାଞ୍ଚୋଟି ସାଧାରଣ ନିର୍ବାଚନରେ ରାଜ୍ୟବାସୀ ବିପୁଳ ଜନମତ ଦେଇ ନିର୍ବାଚିତ କରିଛନ୍ତି।

୨୦୦୦ ରୁ ୨୦୨୦, ଏକ ଦୁର୍ଗମ ଯାତ୍ରା

ନବୀନ ବାବୁ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେବା ସମୟରେ ଓଡିଶାର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ପରିସ୍ଥିତି ଅତ୍ୟନ୍ତ ଜଟିଳ ରହିଥିଲା। ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବାର ସାଢେ ଚାରିମାସ ଆଗରୁ ଭୟଙ୍କର ମହାବାତ୍ୟା ଓଡିଶାର ମେରୁଦଣ୍ଡକୁ ଭାଙ୍ଗିଦେଇ ଯାଇଥିଲା। ଏହି ମହାବାତ୍ୟାରେ ସରକାରୀ ଭାବେ ୯୮୮୭ ଲୋକ ପ୍ରାଣ ହରାଇଥିବା ବେଳେ, ୧ କୋଟି ୨୧ ଲକ୍ଷ ଲୋକ ଉଦବାସ୍ତୁ ହୋଇଥିଲେ ଏବଂ ପ୍ରାୟ ଅଢେଇ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଥିଲା। ଏମିତି ଏକ ବିପର୍ୟୟର ପୃଷ୍ଠଭୂମିରେ ସରକାର ଗଢିବା ଓ ଏ ସରକାରକୁ ଦୀର୍ଘ ଦୁଇ ଦଶନ୍ଧି ଧରି ଲୋକପ୍ରିୟ କରି ରଖିବା, କିଛି କମସଫଳତା ନୁହେଁ। ଏଇ କୋଡିଏ ବର୍ଷରେ ରାଜନୀତିର ବହୁ ଷଡଯନ୍ତ୍ର, ବିଶ୍ଵାସଘାତକତା ଓ ଚକ୍ରବ୍ୟୁହକୁ ନବୀନ ଭେଦ କରିଛନ୍ତି। ଆରମ୍ଭ କାଳରେ ରାଜନୀତିରେ ଅପରିପକ୍ଵ, ଓଡିଆ ଜାଣି ନଥିବା ଓ ଓଡିଶା ସହ ସମ୍ପୃକ୍ତ ନ ଥିବାର ଭାବମୂର୍ତ୍ତିରୁ “ନବୀନଙ୍କର ବିକଳ୍ପ କିଏ” ଭଳି ଏକ ପରିସ୍ଥିତି ସୃଷ୍ଟି କରିବାର ଇତିହାସକୁ ଆଜି ଆମକୁ ଅନୁଧ୍ୟାନ କରିବାକୁ ପଡିବ। ଲୋକଙ୍କ ମନରେ “ନବୀନଙ୍କ ବ୍ୟତୀତ ଆଉ କେହି ନାହିଁ” ର ଭାବନା କେବେ, କେମିତି ଓ କାହିଁକି ତିଆରି ହେଲା, ସେ କଥା ର ଆକଳନ ଆଜି ନିହାତି ହେବା ଜରୁରୀ।

ବଜେଟର ରୂପାନ୍ତର

ଅତି ସାଧାରଣ ଭାବରେ ଗୋଟେ ସରକାରର ସଫଳତା ବା ବିଫଳତା କୁ ଆକଳନ କରିବାର ଏକ ସହଜ ସୂତ୍ର ହେଉଛି, ଗତ ୨୦ ବର୍ଷର ରାଜ୍ୟ ବଜେଟକୁ ଦେଖିବା ଓ ପରଖିବା। ୨୦୦୦-୦୧ବର୍ଷର ଭୋଟ ଅନ ଏକାଉଣ୍ଟ ଓ ବଜେଟ ଉପସ୍ଥାପନ କଲାବେଳେ ନବୀନ ବାବୁ ଉଭୟ ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀର ଦାୟିତ୍ଵ ତୁଲାଉଥିଲେ। ୨୦୦୦-୦୧ ବର୍ଷରେ ଓଡିଶା ବଜେଟର ଆକାର ଥିଲା ୧୩,୬୦୪.୫୮ କୋଟି ଟଙ୍କା। କୋଡିଏ ବର୍ଷ ପରେ ୨୦୨୦-୨୧ ବର୍ଷ ଲାଗି ଚଳିତ ବଜେଟର ଆକାର ରହିଛି ୧ ଲକ୍ଷ ୫୦ ହଜାର କୋଟି ଟଙ୍କା। ଅର୍ଥାତ ୨୦ ବର୍ଷରେ ରାଜ୍ୟ ବଜେଟର ଆକାର ୧୧ ଗୁଣ ବଢିଛି। ବିଜେଡି-ବିଜେପି ସରକାର ସମୟରେ ବଜେଟର ଆକାର ଓ ରାଜ୍ୟର ଅର୍ଥନୈତିକ ସ୍ଥିତି ଯାହା ଥିଲା, ଏକାକୀ ବିଜେଡି ସରକାର ଆସିବା ପରେ ତାହାର ବ୍ୟାପକ ପରିବର୍ତ୍ତନ ଘଟିଛି। ଗୋଟେ ବଡ ପରିବର୍ତ୍ତନକୁ ସୂଚେଇବାକୁ ଏହା ଏକ ଛୋଟିଆ ଉଦାହରଣ ବୋଲି ଆମେ କହି ପାରିବ।

ବାତ୍ୟା ଓ ବିପର୍ଯ୍ୟୟ ପରିଚାଳନାରେ ଇତିହାସ

ଗତ ୨୦ ବର୍ଷରେ ଓଡିଶା ସରକାରଙ୍କର ଗୋଟିଏ ସଫଳତା ସମସ୍ତଙ୍କୁ ମାନିବାକୁ ପଡିଛି, ତା ହେଉଛି ପ୍ରାକୃତିକ ବିପର୍ୟୟ ପରିଚାଳନାରେ ଓଡିଶା ସରକାରଙ୍କର ଐତିହାସିକ ସଫଳତା। ଗତ ୨୦ ବର୍ଷରେ ଓଡିଶା ୧୮ ଟି ବଡ ପ୍ରାକୃତିକ ବିପର୍ୟୟର ସାମ୍ନା କରିଛି। ସେଥିରୁ ୬ ଟି ବଡ ବାତ୍ୟା ମୁକାବିଲାରେ ଓଡିଶା ସାରା ପୃଥିବୀରେ ଉଦାହରଣ ସୃଷ୍ଟି କରିଛି। ଜୀବନ କ୍ଷୟକୁ ସୀମିତ ରଖିବା ଓ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାର ଏକ ବିରାଟ ଉପଲବ୍ଧି ଓଡିଶା ସରକାରଙ୍କର ରହିଛି। ଯେ କୌଣସି ବିପର୍ୟୟକୁ ସାମ୍ନା କରିବାରେ ଓଡିଶା ସରକାର ଏକ ଭରସାଯୋଗ୍ୟ ଅନୁଷ୍ଠାନ ପାଲଟିଛନ୍ତି। ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରାଣୀ ସମୟରେ “ଅମ୍ଫାନ” ବାତ୍ୟା ଓ କୋଭିଡ-୧୯ ମହାମାରୀକୁ ସମାନ୍ତରାଳ ଭାବରେ ସରକାର ସାମ୍ନା କରୁଛନ୍ତି। ଆଜି ପର୍ୟନ୍ତ ପରିସ୍ଥିତି ମୁକାବିଲାରେ ସରକାରୀ ସଫଳତାକୁ ଆମକୁ ପ୍ରଶଂସା କରିବାକୁ ଇ ପଡିବ।

ଆଗରେ ପଡିଛି ପଥ ବହୁଦୂର  

ଗତ କୋଡିଏ ବର୍ଷ ଭିତରେ ଅନେକ କଥା ଘଟିଛି, ହେଲେ ଯାହା ଘଟିଛି ତାହା ଯଥେଷ୍ଟ ନୁହେଁ। ଅନାହାର, ପିଲା ବିକ୍ରି, ଭିତ୍ତି ଭୂମିର ଦୁର୍ବଳ ସ୍ଥିତି ଭଳି ଅତି ଖରାପ ଅବସ୍ଥାରୁ ଆମେ ଅନେକ ସକାରାତ୍ମକ ପରିବର୍ତ୍ତନ ଦେଖିଛୁ। ନବୀନ ସରକାରରେ ଏମିତି କିଛି ଯୋଜନା ଆସିଛି, ଯାହାକି ତାଙ୍କ ନେତୃତ୍ଵ ଉପରେ ଲୋକଙ୍କର ଆସ୍ଥା ଅତୁଟ ରଖିଛି। ତେବେ ନବୀନ ଯେ ସ୍ଵୟଂ ସମ୍ପୂର୍ଣ୍ଣ, ତା ବି ନୁହେଁ। ତାଙ୍କୁ ସମାଲୋଚନା କରିବାର ଅନେକ ବାଟ ରହିଛି। ସେ ଯେତିକି କରିଛନ୍ତି, ତାହା ଠୁ ଅଧିକ କରିବାର ସାମର୍ଥ୍ୟ ତାଙ୍କର ରହିଛି। କାରଣ ଗୋଟେ ରାଜ୍ୟର ବିକାଶ ଲାଗି ଯେଉଁ ପ୍ରକାର ରାଜନୈତିକ ସ୍ଥିରତା ଦରକାର, ତାହା ତାଙ୍କୁ ବିନା ଦ୍ଵିଧାରେ ମିଳିଛି। ତେଣୁ ରାଜ୍ୟରେ ବିକାଶର ଗତି ଅଧିକ ତୀବ୍ର ହେବା ଉଚିତ ଥିଲା ବୋଲି କୁହା ଯାଇପାରେ।

ଓଡିଶା ଇତିହାସରେ ରାଜ୍ୟର ଭାଗ୍ୟ ପରିବର୍ତ୍ତନ ଲାଗି ନବୀନ ପଟ୍ଟନାୟକଙ୍କୁ ସବୁଠୁ ବଡ ସୁଯୋଗ ମିଳିଛି। ଲୋକଙ୍କର ଭଲ ପାଇବା ତାଙ୍କ ଉପରେ ଅଜାଡି ହୋଇ ପଡିଛି। ହେଲେ ଲୋକଙ୍କ ଭଲ ପାଇବାର ପ୍ରତିଦାନରେ ଗତ ୨୦ ବର୍ଷ ଧରି ନବୀନ ବାବୁ ଓ ବିଜେଡି ଲୋକଙ୍କୁ କଣ ଦେଇଛନ୍ତି, ତାର ବିଚାର ଲୋକମାନେ କରିଛନ୍ତି, ଆଗକୁ ମଧ୍ୟ କରିବେ।

Share. Facebook Twitter LinkedIn Email WhatsApp Copy Link

Related Posts

ବଢିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ମେଡିକାଲ କଲେଜ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ, ଜାଣନ୍ତୁ କେତେ

December 15, 2025

କଂଗ୍ରେସରୁ ବହିସ୍କାର ହେବା ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ମୁଁ……

December 15, 2025

କଂଗ୍ରେସରୁ ବହିସ୍କୃତ ହେଲେ ମହମ୍ମଦ ମୋକିମ, ଚିଠି ଲେଖିବା ହେଲା କାଳ

December 15, 2025

ଧର୍ମଶାଳାରେ ପୁଣି ହିଂସା, ପୂର୍ବତନ ବିଧାୟକ ପ୍ରଣବ ଓ ବିଧାୟକ ହିମାଂଶୁଙ୍କ ସମର୍ଥକଙ୍କ ମଧ୍ୟରେ ପିଟାପିଟି

December 14, 2025
Latest News

ଖନ୍ତାପଡ଼ା ଷ୍ଟେସନର ୟାର୍ଡ ପୁନଃମଡେଲିଂ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ 

December 15, 2025

ସମ୍ ହସ୍ପିଟାଲ୍ ବ୍ରହ୍ମପୁରରେ ସଫଳତାର ସହ ସମ୍ପନ୍ନ ହେଲା ଜଟିଳ ଟ୍ୟୁମର ଅସ୍ତ୍ରୋପଚାର

December 15, 2025

IPL Auction 2026: ୩୦.୫୦ କୋଟିରେ କ୍ୟାମେରନ୍ ଗ୍ରୀନ୍ ଙ୍କୁ କିଣିଲା KKR, ହେବେ ମହଙ୍ଗା ଖେଳାଳି!

December 15, 2025

ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

December 15, 2025

ରାମ ମନ୍ଦିର ଆନ୍ଦୋଳନର ପ୍ରମୁଖ ବ୍ୟକ୍ତିତ୍ୱ ରାମ ବିଳାସ ବେଦାନ୍ତୀଙ୍କ ଦେହାନ୍ତ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଶୋକ

December 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.