କେଦାର ମିଶ୍ର
ମାନ୍ୟବର ସୁପ୍ରିମ କୋର୍ଟ କିଛିଦିନ ତଳେ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ବିରକ୍ତି ପ୍ରକାଶ କରି କହିଲେ ଯେ, କରୋନା ମହାମାରୀ ପରିଚାଳନା କ୍ଷେତ୍ରରେ ଅତ୍ୟନ୍ତ ଦୟନୀୟ ପରିସ୍ଥିତି ଉପୁଜିଛି। ଯେଉଁ କରୋନା ଆକ୍ରାନ୍ତମାନେ ପ୍ରାଣ ହରାଉଛନ୍ତି ସେମାନଙ୍କ ସହିତ ପଶୁ ଭଳି ବ୍ୟବହାର କରାଯାଉଛି ବୋଲି ସୁପ୍ରିମ କୋର୍ଟ ଅତ୍ୟନ୍ତ କ୍ରୋଧଭରା ଭାଷାରେ କ୍ଷୋଭ ପ୍ରକାଶ କରିଛନ୍ତି। ଗୋଟିଏ କଥା ସ୍ପଷ୍ଟ ଯେ, ସୁପ୍ରିମ କୋର୍ଟ ଯାହା କହିଛନ୍ତି ତାହା ଦିନ ଆଲୁଅରେ ଜଳ ଜଳ ହୋଇ ଦିଶୁଛି। ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ ଏବଂ ଦିଲ୍ଲୀରେ ଯେହେତୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁ ଅଧିକ ସେଠିକାର ଡାକ୍ତରଖାନା ଗୁଡିକର ଅବସ୍ଥା ସେଥିଲାଗି ଭୟାବହ। ଦିନ ଦିନ ଧରି ମୃତ ବ୍ୟକ୍ତିଙ୍କ ଶବ ପାଇଖାନାରେ ପଡି ରହୁଛି। ଶବ ଅଦଳ ବଦଳର ବିଭତ୍ସ ଖବର ମଧ୍ୟ ମିଳୁଛି। ଯେହେତୁ କରୋନା ଆକ୍ରାନ୍ତଙ୍କ ଦେଖାଶୁଣା ପାଇଁ କୌଣସି ସମ୍ପର୍କୀୟଙ୍କୁ ଅନୁମତି ନାହିଁ, ସେଥିରେ ମୃତ ବ୍ୟକ୍ତି ଜଣକ କିଏ, ତାହା ଜାଣିବାର ଉପାୟ ନାହିଁ। ସୀମିତ ସଂଖ୍ୟକ କର୍ମଚାରୀ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଚାଲିଥିବା ଆମର ସରକାରୀ ଡାକ୍ତରଖାନା ଗୁଡିକ କ୍ରମଶଃ ମରଣ ଯନ୍ତା ପାଲଟି ଯାଉଛନ୍ତି। ଗତ ମାସ ଗୁଜରାଟ ହାଇକୋର୍ଟ ଅହମଦାବାଦ ସିଭିଲ ଡାକ୍ତରଖାନାକୁ କାଳ କୋଠରିଠୁ ବି ଭୟାନକ ବୋଲି କହିଥିଲେ। ଅବଶ୍ୟ ସେମିତି ମନ୍ତବ୍ୟ ଦେଇଥିବାରୁ ରାତାରାତି ମାନ୍ୟବର ବିଚାରପତିଙ୍କୁ ବଦଳାଇ ଦିଆ ଯାଇଥିଲା ଓ ତା ପର ଦିନ ବିଚାର ପ୍ରକ୍ରିୟା ମଧ୍ୟ ବଦଳି ଯାଇଥିଲା।
ଲୋକଙ୍କ ପ୍ରତି ଆମର ସରକାରୀ ବ୍ୟବସ୍ଥା ପଶୁ ଭଳି ଆଚରଣ କରୁଛି ବୋଲି ସୁପ୍ରିମ କୋର୍ଟଙ୍କ ବକ୍ତବ୍ୟ ରୁ ପାଦେ ଆଗକୁ ଯାଇ ଆମକୁ ଆଜି ପଚାରିବାକୁ ପଡିବ- ଏଠି ଲାଗି ଦାୟୀ କିଏ? ଆମର ଶାସନ ବ୍ୟବସ୍ଥା ଯେ ଅମାନବୀୟ ହେବାର ସୁଯୋଗ ପାଇଛି, ସେଥିଲାଗି, କେହି ନା କେହି ତ ଦାୟୀ ନିଶ୍ଚୟ। ସୁପ୍ରିମକୋର୍ଟ ରାଜ୍ୟ ସରକାରମାନଙ୍କ ଉପରେ ଦୋଷାରୋପ କରିଛନ୍ତି। ହେଲେ କରୋନା ଭୂତାଣୁର ମୁକାବିଲା ପାଇଁ ଏବେ କେନ୍ଦ୍ର ସରକାର ସାରା ଦେଶରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ଲାଗୁ କରିଛନ୍ତି। କେନ୍ଦ୍ର ସରକାରଙ୍କର ବିନା ଅନୁମତିରେ ଦେଶରେ ପତ୍ର ଟିଏ ମଧ୍ୟ ହଲିବା ସମ୍ଭବ ନୁହେଁ। ଡାକ୍ତରଖାନାର ପରିଚାଳନା, କୋଭିଡ-19 ପରୀକ୍ଷା, ଔଷଧ, କ୍ବାରେଣ୍ଟାଇନ ବ୍ୟବସ୍ଥା, ଚିକତ୍ସା ଏବଂ ଚିକିତ୍ସା ପରବର୍ତ୍ତୀ ପରୀକ୍ଷା ଇତ୍ୟାଦି ସବୁ ସମ୍ପର୍କରେ କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶନାମା ଇ ଚୂଡାନ୍ତ। ରାଜ୍ୟ ମାନେ ଏବେ କେନ୍ଦ୍ର ସରକାରଙ୍କର ସବୁ ବୋଲ ମାନିବାକୁ ବାଧ୍ୟ। କେନ୍ଦ୍ର ଗୃହ ଓ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମାରେ ଅତି ସ୍ପଷ୍ଟ ଭାବରେ କୁହା ଯାଉଛି ଯେ ରାଜ୍ୟ ସରକାରମାନେ କେନ୍ଦ୍ରୀୟ ନିର୍ଦ୍ଦେଶକୁ ଅବମାନନା କରି ପାରିବେ ନାହିଁ। ତା ସତ୍ତ୍ୱେ ରାଜ୍ୟ ସରକାରମାନେ ଡାକ୍ତରଖାନାର କୁପରିଚାଳନା ଲାଗି ଏକମାତ୍ର ଉତ୍ତରଦାୟୀ ହେବେ କାହିଁକି? ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କର ଭୂମିକାକୁ ନେଇ ସୁପ୍ରିମକୋର୍ଟଙ୍କ ମତ ପରବର୍ତ୍ତୀ ଶୁଣାଣୀରେ ସ୍ପଷ୍ଟ ହେବ ବୋଲି ଆଶା କରାଯାଏ।
ତେବେ କରୋନା ରୋଗୀଙ୍କ ପ୍ରତି ଡାକ୍ତରଖାନା କର୍ତ୍ତୃପକ୍ଷ କେବଳ ଖରାପ ଆଚରଣ ପ୍ରଦର୍ଶନ କରୁନାହାନ୍ତି, ଏହି ରୋଗକୁ ନେଇ ସାଧାରଣ ଜନତା ମଧ୍ୟ ଅତ୍ୟନ୍ତ ଅମାନବୀୟ ଧାରଣା ପୋଷଣ କରୁଛନ୍ତି। କରୋନା ରୋଗୀକୁ ଅସ୍ପୃଶ୍ୟ, ଅସାମାଜିକ ଏବଂ ଅପରାଧୀ ଭଳି ବ୍ୟବହାର ପ୍ରଦର୍ଶନ କରାଯାଉଛି। ରୋଗୀ କଥା ଦୂରରେ ଥାଉ, ପ୍ରବାସରୁ ଫେରୁଥିବା ଲୋକଙ୍କ ପ୍ରତି ମଧ୍ୟ ଆମର ଧାରଣା ଅଦ୍ଭୁତ ଭାବରେ ବଦଳି ଯାଇଛି। ସମାଜରେ ଏ ପ୍ରକାର ଅମାନବୀୟ ଧାରଣା ତିଆରି କରିବାରେ ଆମର ସରକାର ଓ ଗଣମାଧ୍ୟମ ପ୍ରମୁଖ ଭୂମିକା ତୁଲାଇ ଆସିଛନ୍ତି। ଏକ ସମ୍ବେଦନହୀନ ଏବଂ ଅମାନବୀୟ ସମାଜ ଗଠନରେ ଆମର ସରକାରୀ ବ୍ୟବସ୍ଥା ସବୁଠୁ ବେଶୀ ଦାୟୀ। କରୋନାକୁ ନେଇ ମାତ୍ରାଧିକ ଭୟର ବାତାବରଣ ତିଆରି କରିବାକୁ ସରକାର ଯେଉଁ ପ୍ରକାର ବିଚାର ଲୋକଙ୍କ ମନରେ ତିଆରି କଲେ, ତାହା ଆରମ୍ଭରୁ ହିଁ ମଣିଷ ବିରୋଧୀ ଥିଲା।
ଦେଶରେ କରୋନା ଆକ୍ରାନ୍ତଙ୍କ ଭିତରୁ ମାତ୍ର ୨.୮% ଲୋକ ମୃତ୍ୟୁବରଣ କରୁଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ରହିଥିବା ପ୍ରାୟ ୧.୫ ଲକ୍ଷ ସକ୍ରିୟ ଆକ୍ରାନ୍ତ ରୋଗୀଙ୍କ ଭିତରୁ ୮୯୪୪ ରୋଗୀଙ୍କୁ ଆଇସିୟୁରେ ବା ଭେଣ୍ଟିଲେଟର ସହାୟତାରେ ରଖାଯାଇଛି। ବାକି ୧.୪୧ଲକ୍ଷ ଲୋକ ସାଧାରଣ ଭାବରେ ପୀଡିତ। ସପ୍ତାହେ ସାମାନ୍ଯ ଚିକିତ୍ସାରେ ଏମାନେ ଆରୋଗ୍ଯ ଲାଭ କରୁଛନ୍ତି। ଆଜି ୯ ହଜାର ରୋଗୀଙ୍କ ପାଇଁ ଆମେ ଯଦି ଏଇ ଅବସ୍ଥାରେ ପହଞ୍ଚିଛୁ, ଆସନ୍ତା ସମୟରେ ଯେତେବେଳେ ରୋଗୀଙ୍କ ସଂଖ୍ୟା ବହୁଗୁଣ ବଢିବ ସେତେବେଳେ ଆମେ କରିବା କଣ? କରୋନାକୁ ନେଇ ମାତ୍ରାଧିକ ଭୟର ବାତାବରଣ ସୃଷ୍ଟି କରି ଆମେ ପୂରା ସମାଜକୁ ଗୋଟେ ଅମାନବୀୟ ଏକକ କରି ଦେଇଛୁ। ତେଣୁ କରୋନା ନାମରେ ଆମର ପୂରା ବ୍ୟବସ୍ଥା ଛାନିଆଁ ହୋଇ ପଡୁଛି। ଏହି ପରିସ୍ଥିତି ଆଜି ସଂପୂର୍ଣ୍ଣ ବଦଳିବା ଦରକାର। ସରକାର ନିଜେ ଯେଉଁ ବାତାବରଣ ତିଆରି କରିଛନ୍ତି, ସେ ବାତାବରଣକୁ ବଦଳାଇବା ଲାଗି ସେହି ସରକାରଙ୍କୁ ହିଁ ଉଦ୍ୟମ କରିବାକୁ ପଡିବ।
ରୋଗୀ ବା ଆକ୍ରାନ୍ତ ଆମର ସହଯୋଗ ପାଇବା ଉଚିତ। ହେଲେ ଆମେ କରୋନା ଆକ୍ରାନ୍ତଙ୍କ ପ୍ରତି ଯାହା କରୁଛୁ, ତାହା କୌଣସି ମାନବୀୟ ଆଚରଣ ନୁହେଁ। ଏ ପ୍ରକାର ଆଚରଣ ପାଇଁ ଯିଏ ଦାୟୀ ମାନ୍ୟବର ସୁପ୍ରିମ କୋର୍ଟ ତାଙ୍କୁ ସେଥିଲାଗି ଉତ୍ତରଦାୟୀ କରିବେ କି?