ଗଲାୱାନ ଉପତ୍ୟକାରେ ଆମ ସେନାବାହିନୀର ରକ୍ତ ପୁଣିଥରେ ପ୍ରମାଣିତ କରିଛି ଯେ ଚୀନ ସହିତ ମିତ୍ରତା କେବଳ ଏକ ଛଳନା

Published: Jun 17, 2020, 9:19 am IST

କେଦାର ମିଶ୍ର

ଗତକାଲି ଯାଏଁ ପୂରା ଦେଶକୁ କୁହା ଯାଉଥିଲା ଯେ, ଚୀନ ଏବଂ ଭାରତ ସୀମାନ୍ତରେ ସବୁ କିଛି ଠିକ ଚାଲିଛି। ଭାରତ ସରକାର, ଆମର ସେନାବାହିନୀ ଏବଂ ଶାସକ ଦଳ ଭାରତୀୟ ଜନତା ପାର୍ଟି ତରଫରୁ ଏ କ୍ଷେତ୍ରରେ ସଂପୂର୍ଣ୍ଣ ନୀରବତା ଅବଲମ୍ବନ କରା ଯାଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ଜୁନ ୬ ତାରିଖ ଦିନ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି ବୋଲି ମଧ୍ୟ କୁହାଗଲା। ତେବେ ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ଓ ଭାରତର କେତେଜଣ ପ୍ରତିରକ୍ଷା ସାମ୍ବାଦିକ ବାରମ୍ବାର ସୂଚନା ଦେଇ ଆସୁଥିଲେ ଯେ, ଭାରତ ଚୀନ ମଧ୍ୟରେ ରହିଥିବା ବାସ୍ତବ ନିୟନ୍ତ୍ରଣ ରେଖା (Line of actual control-LAC) କୁ ଅତିକ୍ରମ କରି ଚୀନ ସେନା ଗଲାୱାନ ନଦୀ ଉପତ୍ୟକାରେ ୬୦ ବର୍ଗ କିଲୋମିଟର ଭିତରକୁ ଅନୁପ୍ରବେଶ କରି ସାରିଛନ୍ତି। ପୂର୍ବରୁ ସେନା ବାହିନୀରେ କାମ କରିଥିବା କର୍ଣ୍ଣେଲ ଅଜୟ ଶୁକ୍ଲାଙ୍କ ଭଳି ସାମ୍ବାଦିକ ଯେତେବେଳେ ଏ ପ୍ରସଙ୍ଗ ଉଠାଉଥିଲେ, ସେତେବେଳେ ଦେଶର କେତେକ ଟିଭି ଚାନେଲ ସେମାନଙ୍କୁ କୁତ୍ସିତ ଭାବରେ ବଦନାମ କରିବାକୁ ଚେଷ୍ଟା କରୁଥିଲେ। ଗତକାଲି ହଠାତ ଯେତେବେଳେ ଖବର ଆସିଲା ଯେ ଗଲାୱାନ ଉପତ୍ୟକାରେ ଉଭୟ ସେନା ମଧ୍ୟରେ ଭୟଙ୍କର ମାରପିଟ ଘଟି ଜଣେ ଭାରତୀୟ କଲୋନେଲଙ୍କ ସମେତ ୨୦  ଜଣ ସୈନିକ ପ୍ରାଣ ହରାଇଛନ୍ତି। ଚୀନ ସେନା ରୁ ପ୍ରାୟ ୪୩ ରୁ ଅଧିକ ମୃତାହତ ହୋଇଥିବାର ସୂଚନା ମଧ୍ୟ ରହିଛି।

ଏହି ପୃଷ୍ଠଭୂମିରେ ଆଜିର ବଡ ପ୍ରଶ୍ନ ହେଉଛି, ଯଦି ସବୁ କିଛି ଠିକଠାକ ରହିଥିଲା, ତା ହେଲେ ହଠାତ ଏତେ ବଡ ହିଂସାକାଣ୍ଡ ଘଟିଲା କେମିତି? ଭାରତୀୟ ସେନା ତରଫରୁ କୁହା ଯାଇଛି ଯେ, ସୀମାନ୍ତରେ ଗୁଳି ଫୁଟିନାହିଁ। କେବଳ ଲାଠି ଓ ପଥର ମାଡରେ ଉଭୟ ସେନାବାହିନୀର ଏତେ ସଂଖ୍ୟକ ଅଧିକାରୀ ଓ ଜବାନ ପ୍ରାଣ ହରାଇଛନ୍ତି। କେବଳ ଲାଠି ଓ ପଥର ମାଡରେ ଏତେ ସଂଖ୍ୟକ ପ୍ରାଣ ଚାଲି ଯାଇଛି ବୋଲି ବିଶ୍ଵାସ କରିହେବ କି? ଚୀନ ର ଆକ୍ରାମକ ଉଦ୍ଦେଶ୍ୟକୁ ନେଇ ଅନେକ ଦିନରୁ ପ୍ରତିରକ୍ଷା ବିଶେଷଜ୍ଞମାନେ ସତର୍କ କରାଇ ଆସୁଛନ୍ତି। ହେଲେ ଭାରତ ସରକାରଙ୍କ ତରଫରୁ ଏ ପ୍ରସଙ୍ଗକୁ ଏକ ପ୍ରକାର ଲୁଚାଇବାର ଉଦ୍ୟମ ହୋଇ ଆସୁଛି। ଚୀନ ସହିତ ଆମର କୂଟନୈତିକ ଆଲୋଚନା ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିଛି ବୋଲି ବାରମ୍ବାର କୁହା ଯାଉଥିଲେ ମଧ୍ୟ ଗତକାଲି ଗଲାୱାନ ଉପତ୍ୟକାରେ ଘଟିଥିବା ସାମରିକ ସଂଘର୍ଷ ଅନେକ ପ୍ରଶ୍ନବାଚୀ ଠିଆ କରାଇଛି।

ସାମରିକ ଓ ସୀମାନ୍ତ ପ୍ରସଙ୍ଗରେ ନରେନ୍ଦ୍ର ମୋଦୀ ସରକାର ଜାତୀୟ ସହମତି ସୃଷ୍ଟି କରିବା ପରିବର୍ତ୍ତେ ସବୁବେଳେ ମାତ୍ରାଧିକ ଆତ୍ମ ବିଶ୍ବାସର ଛଳନାରେ ବିଶ୍ଵାସ କରି ଆସୁଛନ୍ତି। ଚୀନ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛିଦିନ ତଳେ ଯେଉଁ ପ୍ରଶ୍ନ କରିଥିଲେ, ତାହା ଆଜି ସତ୍ୟ ପ୍ରମାଣିତ ହୋଇଛି। ଦେଶର ସୀମାନ୍ତ ସୁରକ୍ଷା ପ୍ରସଙ୍ଗରେ ଦେଶର ସବୁ ରାଜନୈତିକ ଦଳ ଓ ସବୁ ଲୋକଙ୍କୁ ବିଶ୍ଵାସରେ ନେବା ସରକାରଙ୍କର ନୈତିକ ଦାୟିତ୍ଵ ହେବା ଉଚିତ। ହେଲେ ଏ ପ୍ରସଙ୍ଗରେ ପ୍ରଶ୍ନ ଉପସ୍ଥାପନ କରୁଥିବା ଲୋକଙ୍କୁ ବିଦ୍ରୂପ କରିବାର ଏକ ଅସୁସ୍ଥ ପରମ୍ପରା ବିଜେପି ଆରମ୍ଭ କରିଛି। ଚୀନ ସହିତ ଆମର ସମ୍ପର୍କ ଯେ ଆଦୌ ଉତ୍ତମ ସ୍ଥିତି ରେ ନାହିଁ, ଏ କଥା ମୋଦୀ ସରକାର ମାନିବାକୁ ରାଜି ନୁହନ୍ତି କାହିଁକି?

୧୯୬୨ ଭାରତ – ଚୀନ ଯୁଦ୍ଧ ପରେ ଉଭୟ ଦେଶର ବାସ୍ତବ ନିୟନ୍ତ୍ରଣ ରେଖାରେ ପ୍ରାୟତଃ ଶାନ୍ତି ରହି ଆସିଥିଲା। ୧୯୭୫ ରେ ଏହି ଅଞ୍ଚଳରେ କିଛିଟା ଉତ୍ତେଜନା ର ରେକର୍ଡ ରହିଛି। ତା ପରେ ଚୀନ ଓ ଭାରତ ମଧ୍ୟରେ ସୀମାକୁ ନେଇ ସାମରିକ ବିବାଦ ପ୍ରାୟ ନଥିଲା। ହଠାତ ଢୋକଲାମ ପ୍ରସଙ୍ଗରେ ଭାରତ ଓ ଚୀନ ସେନା ପରଷ୍ପରର ମୁହାଁମୁହିଁ ହେଲେ। ତା ପରଠୁ ବିଭିନ୍ନ ସମୟରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ଉତ୍ତେଜନାର ଖବର ଆସିଛି। ତେବେ ଗତ ବର୍ଷ ଅଗଷ୍ଟ ମାସରେ ଭାରତ ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ରୁ ଉଚ୍ଛେଦ କରି ଲଦ୍ଦାଖକୁ ଏକ ସ୍ଵତନ୍ତ୍ର କେନ୍ଦ୍ର ଶାସିତ ପ୍ରଦେଶ କରିବା ପରେ, ଏହାକୁ ନେଇ ଲଦ୍ଦାଖ ଅଞ୍ଚଳରେ ଚୀନ ନିଜର ସାମରିକ ଶକ୍ତି ବିସ୍ତାର କରିବା ଆରମ୍ଭ କରିଥିଲା।

ଏହି ପ୍ରସଙ୍ଗରେ ମୂଳରୁ ଭାରତ ସରକାର ଏକ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରି ନାହାନ୍ତି। ଗତ ୬ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ସର୍ବମୟ କର୍ତ୍ତା ସି ଜିନ ପିଙ୍ଗଙ୍କୁ ୯ ଥର ଭେଟିଛନ୍ତି। ଉଭୟ ନେତା ପରଷ୍ପର ସହିତ ୪ ଥର ଶିଖର ସମ୍ମିଳନୀ କରିଛନ୍ତି। ଭାରତରେ ଚୀନର ପୁଞ୍ଜି ଲଗାଣ ଓ ଭାରତୀୟ ବଜାରରେ ଚୀନା ସାମାନର ପ୍ରାବଲ୍ୟ ବଢି ଚାଲିଛି। ଏକଦା ଭାରତୀୟ ବଜାରରେ ଚୀନର ବଜାର ଚୀନାମାଟିର କପ-ପ୍ଳେଟ ରେ ଇ ସୀମିତ ରହିଥିଲା। ହେଲେ ଗତ ଦଶ ବର୍ଷରେ ଭାରତୀୟ ବଜାର ମୁଖ୍ୟତଃ ଶସ୍ତା ଚାଇନିଜ ମାଲର ଭୂସ୍ଵର୍ଗ ପାଲଟି ଯାଇଛି।

ଗତକାଲିର ସୀମାନ୍ତ ହତ୍ୟାକାଣ୍ଡ ପରେ ଭାରତ-ଚୀନ ସମ୍ପର୍କ କେଉଁ ଆଡକୁ ଯିବ? ଗଲାୱାନ ଉପତ୍ୟକାରେ ଚୀନର ଅନୁପ୍ରବେଶକୁ ପ୍ରତିହତ କରିବା ଭାରତ ପାଇଁ ଜରୁରୀ ନିଶ୍ଚୟ। ଲଦ୍ଦାଖକୁ ଏକ ବିବଦମାନ ଅଞ୍ଚଳ ଭାବେ ପ୍ରଦର୍ଶିତ କରିବାକୁ ଚୀନ ସୁଚିନ୍ତିତ ଭାବରେ ନିଜର ସାମରିକ ରଣନୀତି ପ୍ରସ୍ତୁତ କରୁଛି। ଏ  କ୍ଷେତ୍ରରେ ଚୀନର ଆଧିପତ୍ୟବାଦୀ ମାନସିକତା ବିରୋଧରେ ଜାତୀୟ ସହମତି ସୃଷ୍ଟି କରି ଭାରତକୁ ଦୃଢ ଜବାବ ଦେବାକୁ ପଡିବ। ଲୁଚାଛପାରେ ବୈଠକ କରି ଏ ସମସ୍ୟାର ସମାଧାନ ସହଜ ନୁହେଁ।

Related posts