
କେଦାର ମିଶ୍ର
କରୋନା ଭୂତାଣୁର ଯେତେବେଳେ ନାମକରଣ ବି ହୋଇ ନଥିଲା ଓ ଏହା ଚୀନର ହୁୱେଇ ପ୍ରଦେଶରେ ସୀମିତ ରହିଥିଲା, ସେହି ସମୟରୁ ଏହି ଭୂତାଣୁକୁ ନେଇ ଆମେରିକାରେ ରାଜନୀତି ଆରମ୍ଭ ହୋଇ ସାରିଥିଲା। ଜାନୁଆରୀ-ଫେବୃଆରୀ ମାସରେ ଆମେରିକା ପାଇଁ କରୋନା ଥିଲା ଚୀନକୁ ବୁଡେଇ ଦେଉଥିବା ଏକ ଭୂତାଣୁ। ଚୀନର କର୍ପୋରେଟ ରାଜଧାନୀ ଭାବେ ପରିଚିତ ୱୁହାନ ସହର ଯେତେବେଳେ ଭୁତ ସହର ପାଲଟି ଗଲା ସେତେବେଳେ ତାକୁ ଦେଖି ଆମେରିକା ବେଶ ଆନନ୍ଦ ଅନୁଭବ କରୁଥିଲା। ଚୀନ ପରେ ଇରାନରେ ମଧ୍ୟ କରୋନା ସଂକ୍ରମଣ ଆରମ୍ଭ ହେଲା। ସେତେବେଳେ ଆମେରିକା ଓ ଇରାନ ମଧ୍ୟରେ ସମ୍ପର୍କ ଅତି ତିକ୍ତ ଅବସ୍ଥାରେ ପହଞ୍ଚି ସାରିଥିଲା। ଇରାନର ଜଣେ ପ୍ରଭାବଶାଳୀ ସେନାପତିଙ୍କୁ ଆମେରିକା ହତ୍ୟା କରିବାର ପରିଣତି ସ୍ୱରୂପ ପୂରା ଇରାନରେ ଆମେରିକା ବିରୋଧୀ ବାତାବରଣ ତିଆରି ହୋଇଥିଲା। ଏହି ସମୟରେ କରୋନା ଦ୍ଵାରା ସର୍ବାଧିକ ଆକ୍ରାନ୍ତ ଚୀନ ଓ ଇରାନ ପ୍ରତି ବହୁତ କମ ସମବେଦନା ଦେଖିବାକୁ ମିଳିଥିଲା। ଜାନୁଆରୀ-ଫେବୃଆରୀ ମାସରେ କରୋନା ମୁଖ୍ଯତଃ ତିନୋଟି ଦେଶେରେ ନିଜର କାୟା ବିସ୍ତାର କରୁଥିଲା-ଚୀନ, ଇରାନ ଓ ଦକ୍ଷିଣ କୋରିଆ। ହେଲେ ମାର୍ଚ୍ଚ ମାସ ବେଳକୁ ଏହି ମହାମାରୀର ଭୌଗୋଳିକ ବିସ୍ତାର ପୂରା ବଦଳି ଯାଇଥିଲା। ୟୁରୋପ ଏବଂ ଆମେରିକା ମାର୍ଚ୍ଚ-ଏପ୍ରିଲ ବେଳକୁ କରୋନା ଭୂତାଣୁର କବଳରେ ପଡି ସାରିଥିଲେ।
ଆଜିର ତାରିଖରେ ସ୍ଥିତି ପୂରା ଓଲଟା ହୋଇ ଯାଇଛି। ଏକଦା ଚୀନ, ଇରାନ ଓ ଦକ୍ଷିଣ କୋରିଆ ପ୍ରଥମ ତିନୋଟି ସ୍ଥାନରେ ଥିବା ବେଳେ ଏବେ ପ୍ରଥମ ତିନୋଟି ସ୍ଥାନରେ ଆମେରିକା, ବ୍ରାଜିଲ ଓ ଋଷିଆ ରହିଛନ୍ତି। ଭାରତରେ ବଢି ଚାଲିଥିବା ସଂକ୍ରମଣ ହାରକୁ ଦେଖିଲେ, ଆସନ୍ତା ସପ୍ତାହରେ ଭାରତ ଋଷିଆକୁ ଟପି ତୃତୀୟ ସ୍ଥାନକୁ ଆସିବ। ଆମେରିକାରେ କୋଭିଡ-୧୯ ସଂକ୍ରମଣ ଆରମ୍ଭରୁ ଏହାକୁ ଏକ ସ୍ୱାସ୍ଥ୍ୟ ସମସ୍ଯା ବା ସଙ୍କଟ ଭାବରେ ନ ଦେଖି, ଏହା ପଛରେ ରାଜନୈତିକ ଷଡଯନ୍ତ୍ର ର କାହାଣୀ ବେଶୀ ଖୋଜାଗଲା। ଏହାକୁ ମାନବୀୟ ସଙ୍କଟ ବୋଲି ନଭାବି ଏଥିରେ ରାଜନୈତିକ ଖେଳ ଖେଳିବାର ଏକ ଉଦ୍ଦେଶ୍ୟ ଆମେରିକାକୁ ମହଙ୍ଗା ପଡିଛି। ୟୁରୋପୀୟ ଦେଶ ଗୁଡିକ ନିଜର ରାଜନୈତିକ ପରିପକ୍ଵତା ପ୍ରଦର୍ଶନ କରି ଏହାର ସମାଧାନ କରିବାରେ ସଫଳ ହୋଇଛନ୍ତି।ଇଟାଲୀ, ଜର୍ମାନୀ, ସ୍ପେନ, ଫ୍ରାନ୍ସ, ଇତ୍ୟାଦି ଦେଶ ଗୋଟେ ସମୟରେ ସର୍ବାଧିକ ସଂକ୍ରମଣ ର ଶିକାର ହୋଇଥିଲେ ମଧ୍ୟ ଏହାକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ୟୁରୋପୀୟ ଦେଶମାନଙ୍କରେ ବର୍ତ୍ତମାନ ସଂକ୍ରମଣ ଓ ମୃତ୍ୟୁହାର କମି କମି ଆସୁଛି। ହେଲେ ଏହାର ଠିକ ଓଲଟା ପ୍ରକ୍ରିୟା ଆମେରିକାରେ ଦେଖିବାକୁ ମିଳିଛି।
ଗତ ମାସ ସାରା ଆମେରିକା, ବ୍ରାଜିଲ ଓ ଭାରତରେ ସଂକ୍ରମିତ ଏବଂ ମୃତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଆମେରିକାର ସଂକ୍ରମଣ ସ୍ଥିତିକୁ ଦେଖି ସେଠିକାର ସଂକ୍ରାମକ ରୋଗ ର ନିରାକରଣ ପାଇଁ ନେତୃତ୍ଵ ନେଉଥିବା ବିଶିଷ୍ଟ ଡାକ୍ତର ଆଣ୍ଟୋନୀ ଫଉସୀ କହିଛନ୍ତି ଯେ, ଆମେରିକା ଅତ୍ୟନ୍ତ ବିପଜ୍ଜନକ ରାସ୍ତାରେ ଯାଉଛି। ଗତ ସପ୍ତାହରେ ଆମେରିକାରେ ପ୍ରତିଦିନ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହି ସ୍ଥିତି ଲାଗି ରହିଲେ, ଯଥା ଶୀଘ୍ର ଦିନକୁ ଏକ ଲକ୍ଷ ସଂକ୍ରମିତ ଆମେରିକାରେ ବାହାରିବା ଅସମ୍ଭବ ନୁହେଁ ବୋଲି ଡାକ୍ତର ଫଉସୀ କହିଛନ୍ତି। ଜୁନ ୨୭ ତାରିଖ ଦିନ ଆମେରିକାରେ ସର୍ବାଧିକ ୪୭,୩୪୧ ଜଣ ଆକ୍ରାନ୍ତ ବାହାରିଥିଲେ। ଗତ ସପ୍ତାହରେ ପ୍ରତିଦିନ ଆମେରିକାରେ ୪୦ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।
ଏହି ସମୟରେ ଭାରତରେ ମଧ୍ୟ ସଂକ୍ରମଣ ବ୍ୟାପକ ହୋଇଛି। ଗତ ସପ୍ତାହ ସାରା ଭାରତରେ ପ୍ରତିଦିନ ହାରାହାରି ୧୮ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜୁନ ୨୭ ରେ ଆମର ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଟପିଥିଲା। କରୋନା ସଂକ୍ରମଣକୁ ମାନବୀୟ ସଙ୍କଟ ବୋଲି ନ ଭାବି ଏହାକୁ ରାଜନୈତିକ ଭାବରେ ବ୍ୟବହାର କରିବାର ଭୟଙ୍କର ପ୍ରୟାସ ଆମେରିକାରେ ଅବ୍ଯାହତ ରହିଛି। ୨୭ ଲକ୍ଷ ୫୦ ହଜାର ଆକ୍ରାନ୍ତ ଏବଂ ୧.୩୦ ଲକ୍ଷ ମୃତ ଲୋକଙ୍କ ଯନ୍ତ୍ରଣା ଉପରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଚାଲିଛି। ଏବେ ନିଜେ ରାଷ୍ଟ୍ରପତି ନିର୍ବାଚନୀ ରାଲି ଆୟୋଜନ କରିବା ଆରମ୍ଭ କଲେଣି। ଆମେରିକାରେ ଦିନକୁ ଦିନ ରାଜନୈତିକ ଘନଘଟା କରୋନା ସଙ୍କଟକୁ ଅଧିକ ଗମ୍ଭୀର କରୁଛି।
ଭାରତ ସିଧାସଳଖ ଆମେରିକା ରାସ୍ତାରେ ଚାଲିବାକୁ ପସନ୍ଦ କରୁଛି। ମାର୍ଚ୍ଚ ଓ ଏପ୍ରିଲ ବେଳକୁ କରୋନା ବିରୋଧୀ ସଂଘର୍ଷକୁ ଏକ ଜାତୀୟ ଆହ୍ଵାନ ବୋଲି କୁହାଯାଉଥିଲା। ମଇ ମାସରୁ ଏଥିରୁ ରାଜନୈତିକ ଫାଇଦା ଉଠାଇବାର ପ୍ରକ୍ରିୟା ଖୋଦ ଶାସକ ବିଜେପି ଆରମ୍ଭ କଲା। ପ୍ରଥମେ ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ର ର ବିରୋଧୀ ସରକାରକୁ ଅପଦସ୍ତ କରିବାର ଯୋଜନା ଯୋଗୁଁ ଉଭୟ ରାଜ୍ୟରେ ରାଜନୀତି ଅତ୍ୟନ୍ତ ଉଗ୍ର ରୂପ ନେଇଥିଲା। ପରବର୍ତ୍ତୀ ପର୍ୟାୟରେ ପୂରା ଦେଶରେ ବିଜେପି ନିଜର ରାଜନୈତିକ ପ୍ରଚାରକୁ ତୀବ୍ର କରିବା ଆରମ୍ଭ କଲା। କରୋନା ସଂକ୍ରମଣ ସହିତ ଭାରତ-ଚୀନ ସୀମାନ୍ତରେ ସାମରିକ ଉତ୍ତେଜନା କାରଣରୁ ପରିସ୍ଥିତି ଅଧିକ ଜଟିଳ ହେବା ଆରମ୍ଭ କଲା।
ଉଭୟ କରୋନା ମୁକାବିଲା ଓ ସୀମାନ୍ତ ଉତ୍ତେଜନା ସମୟରେ ଆମଦେଶରେ ରାଜନୈତିକ ଏକତାର ଆବଶ୍ୟକତା ଅଧିକ ଥିବା ବେଳେ, ଆମେ ଆମେରିକା ଭଳି ବ୍ୟକ୍ତିଭିତ୍ତିକ ରାଜନୀତିର ଚକ୍ରବ୍ୟୁହରେ ପଡିସାରିଛୁ। ସମସ୍ୟାର ସମାଧାନ ତୁଳନାରେ ରାଜନୈତିକ ବ୍ୟକ୍ତିତ୍ବ ଚମକାଇବାର ଉଦ୍ଦେଶ୍ୟ ଆମକୁ ଅଧିକ ବିପଦ ଆଡକୁ ଟାଣି ନେଉଛି।