Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଡାକ୍ତରଖାନା ଯଦି ସଂକ୍ରମଣର ହଟସ୍ପଟ ହୁଏ, ତାହେଲେ କରୋନା ବିରୋଧରେ ଆମେ ଯୁଦ୍ଧ ଲଢିବା କେଉଁଠି ଓ କେମିତି??
ବିଶେଷ ଖବର

ଡାକ୍ତରଖାନା ଯଦି ସଂକ୍ରମଣର ହଟସ୍ପଟ ହୁଏ, ତାହେଲେ କରୋନା ବିରୋଧରେ ଆମେ ଯୁଦ୍ଧ ଲଢିବା କେଉଁଠି ଓ କେମିତି??

July 6, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତର କରୋନା ସଂଘର୍ଷ କ୍ଷେତ୍ରରେ ଅନେକ ସୁବିଧା ରହିଥିଲା। ଭାରତରେ ସଂକ୍ରମଣ ଆରମ୍ଭ ହେବା ପୂର୍ବରୁ ଚୀନ, ଦକ୍ଷିଣ କୋରିଆ, ଇରାନ, ଇଟାଲି ଓ ସ୍ପେନରେ କରୋନାର ଭୟାବହତା ଆମେ ଦେଖି ସାରିଥିଲୁ। ଭାରତରେ ସଂକ୍ରମଣର ପ୍ରାଥମିକ ପର୍ଯ୍ୟାୟ ବେଳକୁ ଆମେରିକାରେ କରୋନା ବ୍ୟାପକ ହେବା ଆରମ୍ଭ କରିଥିଲା। ଏପ୍ରିଲ ଓ ମଇ ମାସରେ ଆମର ସଂକ୍ରମଣ ସ୍ତର ସେତେବେଶୀ ବଢି ନ ଥିଲା, ତାର କାରଣ ଲକ ଡାଉନ ନୁହେଁ, ବରଂ ଅଳ୍ପ ପରୀକ୍ଷା ଯୋଗୁଁ ଆମର ସଂକ୍ରମଣ ହାର କମ ଜଣା ପଡୁଥିଲା। ଏପ୍ରିଲ ୩୦ ତାରିଖ ସୁଦ୍ଧା ଆମେ ମାତ୍ର ୯ ଲକ୍ଷ ଲୋକଙ୍କର ପରୀକ୍ଷା କରିଥିଲେ। ଅଥଚ ଏହା ଥିଲା ଲକ ଡାଉନର ସବୁଠୁ ସଫଳ ପର୍ଯ୍ୟାୟ। ଲୋକେ ଘରୁ ପଦାକୁ ବାହାରିବା ଲାଗି ସେତେବେଳେ ସଂପୂର୍ଣ୍ଣ କଟକଣା ରହିଥିଲା।

ଲକ ଡାଉନ ସମୟରେ ଆମର ଦୁଇଟି ବଡ ଦାୟିତ୍ଵ ଥିଲା। ପ୍ରଥମତଃ ଆମେ ବ୍ୟାପକ କରୋନା ପରୀକ୍ଷା ଲାଗି ଏକ ସୁଯୋଗ ପାଇଥିଲେ। ଯେତେ ଅଧିକ ପରୀକ୍ଷା ହୋଇଥାନ୍ତା, ସେତେ ଅଧିକ ଲୋକଙ୍କୁ ଅଲଗା କରିରଖିବା, ସେମାନଙ୍କର ସମ୍ପର୍କ ଖୋଜି ବାହାର କରିବା ଓ ଚିକିତ୍ସା କରିବାର ବ୍ୟବସ୍ଥା ସହଜ ହୋଇଥାନ୍ତା। ପୂରା ଏପ୍ରିଲ ମାସ ଆମେ ତାଳି, ଥାଳି ଓ ଔପଚାରିକତାରେ ନଷ୍ଟ କଲେ।ଦ୍ବୀତିୟରେ ଏହି ସମୟରେ ଆମେ ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସଜାଡି ପାରିଥାନ୍ତେ। ଭବିଷ୍ୟତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବ, ତେଣୁ ସେମାନଙ୍କ ଚିକିତ୍ସା ସୁଯୋଗ ପାଇଁ ଅଧିକ ଭିତ୍ତିଭୂମି ସଜାଡିବାର ଦାୟିତ୍ଵ ସରକାରଙ୍କର ରହିଥିଲା। ସେଥିରେ ସରକାର କେତେଦୂର ସଫଳ, ତାହା ଆଜି ଆମ ଆଖିକୁ ଜଳଜଳ ଦିଶି ଯାଉଛି।

ଇଟାଲିରୁ ଆମେ ଗୋଟେ କଥା ଶିଖିବା ଉଚିତ ହୋଇଥାନ୍ତା। ମାର୍ଚ୍ଚ ଓ ଏପ୍ରିଲ ମାସରେ ଇଟାଲିର ଡାକ୍ତରଖାନା ଓ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକ ସର୍ବାଧିକ ଆକ୍ରାନ୍ତ ହୋଇପଡିଲେ। ଯାହା ଫଳରେ ସେଠାରେ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବାକୁ କର୍ମଚାରୀ ଅଭାବ ପଡିଲେ। ଏହି କାରଣରୁ ଇଟାଲି ରେ ସର୍ବାଧିକ ଲୋକ ମୃତ୍ୟୁ ବରଣ କଲେ। ସେ ଦୃଷ୍ଟିରୁ ଆମେ ଆମର ଡାକ୍ତରଖାନାଗୁଡିକୁ ଅଧିକ ସୁରକ୍ଷିତ ରଖିବା ଉଚିତ ହୋଇଥାନ୍ତା। ଦିଲ୍ଲୀରେ ଗୋଟେ ସମୟରେ ଏମ୍ସ  ସମେତ ବହୁ ବଡ ଡାକ୍ତରଖାନା କରୋନା ହଟସ୍ପଟ ପାଲଟିଗଲେ। ସ୍ୱାସ୍ଥ୍ୟକର୍ମୀମାନେ ଆକ୍ରାନ୍ତ ହେଲେ ଏହାର ଚାପ ସାଧାରଣ ଲୋକଙ୍କ ଉପରେ ପଡିବା ସ୍ଵାଭାବିକ। ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଗୁଜରାଟରେ ଏ ପ୍ରକାର ସ୍ଥିତି ଆମେ ଦେଖିଛୁ।

ଏବେ ଓଡିଶାରେ ସେହି ଧାରା ଅନୁପ୍ରବେଶ କରିଛି। ଜୁନ ମାସରେ ଯେଉଁ ମାନଙ୍କୁ ଆମେ କୋଭିଡ ଯୋଦ୍ଧା ବୋଲି କହୁଛୁ, ସେମାନେ ସର୍ବାଧିକ ଆକ୍ରାନ୍ତ ହେଉଛନ୍ତି। ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ, ମ୍ଯୁନିସିପାଲିଟି କର୍ମଚାରୀ ଓ ପୋଲିସ ପ୍ରମୁଖ ଏବେ ସର୍ବାଧିକ ଆକ୍ରାନ୍ତ ହେଉଛନ୍ତି। କଟକର ଦୁଇ ପ୍ରମୁଖ ଡାକ୍ତରଖାନା – ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜ ଓ ଆଚାର୍ୟ ହରିହର କର୍କଟ କେନ୍ଦ୍ରରେ ଏବେ ବ୍ୟାପକ ସଂକ୍ରମଣ ଦେଖିବାକୁ ମିଳୁଛି। ଗତ ସପ୍ତାହରେ କର୍କଟ କେନ୍ଦ୍ରରେ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର ବିଷୟ। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସମେତ ବହୁ ବିଶେଷଜ୍ଞ ଆଗରୁ ସତର୍କ କରାଇ ଆସୁଛନ୍ତି ଯେ, କରୋନା ଭୂତାଣୁ ଅନ୍ଯାନ୍ଯ ରୋଗ ଥିବା (କୋ-ମର୍ବିଡିଟି) ଥିବା ଲୋକଙ୍କ ପାଇଁ ଅଧିକ ଘାତକ। ବିଶେଷକରି କର୍କଟ, ହୃଦରୋଗ, କିଡନି, ମାତ୍ରାଧିକ ମଧୁମେହ (ହାଇପର ଡାଇବେଟିଜ) ଇତ୍ୟାଦି ରୋଗୀଙ୍କ ପାଇଁ ଏହା ବେଶୀ ସଙ୍କଟ ସୃଷ୍ଟି କରୁଛି। ସେହି ଦୃଷ୍ଟିରୁ କର୍କଟ କେନ୍ଦ୍ର ଗୁଡିକ ପାଇଁ ଅଧିକ ସତର୍କତା ରହିବା ଉଚିତ ହୋଇଥାନ୍ତା।

କେଉଁ କାରଣରୁ ଓ କାହିଁକି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଏତେ ବ୍ୟାପକ ସଂକ୍ରମଣ ଘଟିଲା, ତାର ନିର୍ଦ୍ଦିଷ୍ଟ କାରଣ ଖୋଜିବା ଜରୁରୀ। ସରକାରୀ ଓ ଘରୋଇ ଡାକ୍ତରଖାନା ଗୁଡିକ ବର୍ତ୍ତମାନ ସମୟରେ ସଂକ୍ରମଣର କେନ୍ଦ୍ରସ୍ଥଳୀ ପାଲଟିବା, ଓଡିଶାର କରୋନା ବିରୋଧୀ ସଂଘର୍ଷରେ ଏକ ବଡ ବିପଦ ହୋଇ ଠିଆ ହୋଇଛି। କର୍କଟ ରୋଗୀଙ୍କ ଦେହରେ କରୋନା ସଂକ୍ରମଣ ସେମାନଙ୍କ ଜୀବନକୁ ଅଧିକ ବିପନ୍ନ କରିଛି। ଏଥିପ୍ରତି ଆମର ଆବଶ୍ଯକୀୟ ସତର୍କତା ଯେ ନଥିଲା, ସେ କଥା ସ୍ପଷ୍ଟ ଜଣା ପଡୁଛି।

କରୋନା ମୁକାବିଲା ଲାଗି ସ୍ୱାସ୍ଥ୍ୟଗତ ଭିତ୍ତିଭୂମି ସଜାଡିବା କ୍ଷେତ୍ରରେ କେନ୍ଦ୍ର ସରକାର ପୁଞ୍ଜି ଖଟାଇବାକୁ ଆଜି ମଧ୍ୟ କୃପଣ। ରାଜ୍ୟ ସରକାରଗୁଡିକ ଲକ ଡାଉନ କାରଣରୁ ଏକ ପ୍ରକାର ଆର୍ଥିକ ସଙ୍କଟରେ ରହିଛନ୍ତି। ସେହି ସମୟରେ କେନ୍ଦ୍ର ସ୍ଵତନ୍ତ୍ର କୋଭିଡ ଡାକ୍ତରଖାନା ଲାଗି, ପାଣ୍ଠି ଯୋଗାଇବା ନିତାନ୍ତ ଜରୁରୀ। ଆଗକୁ କେବଳ ଜିଲ୍ଲା ସ୍ତରରେ ସ୍ଵତନ୍ତ୍ର କୋଭିଡ ଡାକ୍ତରଖାନା ଯଥେଷ୍ଟ ହେବନାହିଁ। ଦେଶର ଗ୍ରାମାଞ୍ଚଳକୁ ସଂକ୍ରମଣ ବ୍ୟାପି ସାରିଥିବାରୁ ଏବେ ବ୍ଲକ ଓ ପଞ୍ଚାୟତ ସ୍ତରରେ ସ୍ଵତନ୍ତ୍ର ଡାକ୍ତରଖାନା ତଥା ସଙ୍ଗରୋଧ କେନ୍ଦ୍ର ବଢାଇବାକୁ ପଡିବ। ୫୦୦ ରୁ ଦୈନିକ ୨୫ ହଜାର ସଂକ୍ରମଣ ର ସ୍ଥିତିକୁ ଆମେ ଆସି ସାରିଛେ। ଜନସଂଖ୍ୟା ଦୃଷ୍ଟିରୁ ଆଗକୁ ଏହି ସଂଖ୍ୟା ଢେର ବଢିବ। ଓଡିଶାରେ ଦୈନିକ ୧୦-୨୦ ପଜିଟିଭ କେସରୁ ଆମେ ଏବେ ୪୦୦-୫୦୦ରେ ପହଞ୍ଚିଲେଣି। ସେହି ଦୃଷ୍ଟିରୁ ୫୦୦୦ ସ୍ଵତନ୍ତ୍ର ବେଡ ଆଗକୁ ଯଥେଷ୍ଟ ହେବନାହିଁ। ଆସନ୍ତା ଅଗଷ୍ଟ-ନଭେମ୍ବର ପାଇଁ ଓଡିଶାରେ ସ୍ଵତନ୍ତ୍ର ବ୍ୟବସ୍ଥା ଜରୁରୀ। ହୁଏତ ଦିଲ୍ଲୀ ଢାଞ୍ଚା ରେ ଆମର ଗୋଷ୍ଠୀ କେନ୍ଦ୍ର, କଲ୍ୟାଣ ମଣ୍ଡପ, ଷ୍ଟାଡିୟମ ଓ ଟାଉନହଲ ଗୁଡିକୁ ଏଥିପାଇଁ ପ୍ରସ୍ତୁତ ରଖିବାର ସମୟ ଆସିଯାଇଛି। ତେବେ କିଛି ବି କରିବା ଆଗରୁ ସବୁଠୁ ବଡ ଆହ୍ଵାନ ହେଉଛି, ଆମର ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଓ ଡାକ୍ତରଖାନାଗୁଡିକ ସୁରକ୍ଷିତ ରହିବେ କେମିତି!!

Share. Facebook Twitter LinkedIn Email WhatsApp Copy Link

Related Posts

ନୂତନ UGC ଆଇନ ପ୍ରତ୍ୟାହାର କରନ୍ତୁ, ନଚେତ୍ ମୋତେ ଇଚ୍ଛାମୃତ୍ୟୁ…: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜଗତଗୁରୁ

January 27, 2026

ଭାରତ-ୟୁରୋପୀୟ ସଂଘ ଚୁକ୍ତିକୁ କାହିଁକି କୁହାଯାଉଛି ସମସ୍ତ ବାଣିଜ୍ୟ ଚୁକ୍ତିର ଜନନୀ?: ଜାଣନ୍ତୁ ସବୁକିଛି

January 27, 2026

T20 World Cup 2026: ପାକିସ୍ତାନ ଓହରିଲେ ବାଂଲାଦେଶକୁ ମିଳିବ ସୁଯୋଗ?, ପ୍ଳାନ ‘ବି’ ପ୍ରସ୍ତୁତ

January 27, 2026

ପାକିସ୍ତାନକୁ କେବେ ମିଳିବ ସିନ୍ଧୁ ନଦୀର ପାଣି?: ଜାତିସଂଘକୁ କହିଲା ଭାରତ

January 27, 2026
Latest News

ଭୁବନେଶ୍ୱରସ୍ଥିତ ରେଳବାଇ କେନ୍ଦ୍ରୀୟ ହସ୍ପିଟାଲରେ ଉନ୍ନତ ଚିକିତ୍ସା ଉପକରଣ ଉଦ୍ଘାଟିତ

January 27, 2026

ନୂତନ UGC ଆଇନ ପ୍ରତ୍ୟାହାର କରନ୍ତୁ, ନଚେତ୍ ମୋତେ ଇଚ୍ଛାମୃତ୍ୟୁ…: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜଗତଗୁରୁ

January 27, 2026

ଏହି ତାରିଖରେ ମୁକ୍ତିଲାଭ କରିବ “ୱେଲକମ୍ ଟୁ ଦି ଜଙ୍ଗଲ”: ଜାଣନ୍ତୁ କେବେ?

January 27, 2026

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଚାରି ରେଳ କର୍ମଚାରୀ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

January 27, 2026

ବ୍ରହ୍ମପୁର ସାଇବର ଥାନା ପକ୍ଷରୁ ୭୧ ଚୋରି ମୋବାଇଲ ଫୋନ ଉଦ୍ଧାର

January 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.