କେଦାର ମିଶ୍ର
ଗତ ପାଞ୍ଚବର୍ଷ ଶାସନରେ ରହିଥିବା ବିଜେପି ସରକାର ଭାରତୀୟ ଇତିହାସରେ ଅନ୍ତତଃ ଦୁଇଟି କଥା ପାଇଁ ମନେ ରହିବେ ଓ ଦୁଇଟି ଯାକ କଥା ଆଦୌ ଭଲ ନୁହେଁ। ପ୍ରଥମ କଥାଟି ହେଲା, ନରେନ୍ଦ୍ର ମୋଦୀ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ନିଜର ଶାସନକାଳରେ ଗୋଟିଏ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରିନାହାନ୍ତି । ପୃଥିବୀର ସର୍ବ ବୃହତ ଗଣତନ୍ତ୍ର ପାଇଁ ଏହା ବୋଧହୁଏ ସବୁଠୁ ଲଜ୍ଜାକର ଘଟଣା। ସେହିପରି ଦ୍ଵିତୀୟ କଥାଟି ଆହୁରି ନୈରାଶ୍ୟଜନକ। ଗତ ପାଞ୍ଚ ବର୍ଷ ଭିତରେ ନିର୍ବାଚନ ସଂସ୍କାର ଲାଗି ବିଜେପି ସରକାର ଗୋଟିଏ ବି ବୈଧାନିକ ପଦକ୍ଷେପ ନେଇ ନାହାନ୍ତି। ବରଂ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେଉଥିବା କର୍ପୋରେଟ ମାନଙ୍କୁ ସୁରକ୍ଷା ଦେବାଲାଗି ନିର୍ବାଚନ ବଣ୍ଡ ଜରିଆରେ ଅନୈତିକ ଚାନ୍ଦା ଉଠାଇବା ବ୍ୟବସ୍ଥାକୁ ବୈଧାନିକତା ପ୍ରଦାନ କରାଯାଇଛି। ସରକାରଙ୍କ ଉଦାସୀନତାର ଫଳ ସ୍ଵରୂପ ଦେଶର ନିର୍ବାଚନ ପ୍ରକ୍ରିୟା ଏବେ ପଇସାବଳ ଓ ଗୁଣ୍ଡାବଳଙ୍କ ହାତକୁ ଚାଲିଯାଇଛି। ନୈତିକତା ଏବେ କେବଳ ସାମାନ୍ୟ ଶବ୍ଦ ମାତ୍ର। ଦଳ ଭାଙ୍ଗିବା, ଦଳ ଡେଇଁବା ଓ ନିର୍ବାଚନ ସମୟରେ ନେତା ନିଲାମ ହେବା ପ୍ରକ୍ରିୟା ଏବେ ଆମର ଗଣତନ୍ତ୍ରକୁ ମାଛ ହାଟରେ ପରିଣତ କରି ଦେଇଛି।
ତେବେ ନିର୍ବାଚନ କମିଶନ ନିଜ ସାଧ୍ୟମତେ ନିର୍ବାଚନକୁ ମୁକ୍ତ ଓ ଅବାଧ କରିବାର ପ୍ରତିଶୃତି ରଖୁଛନ୍ତି। ନିର୍ବାଚନ ସମୟରେ ସବୁ ରାଜନୈତିକ ଦଳଙ୍କ ଲାଗି କମିଶନ ତରଫରୁ ଏକ ଆଦର୍ଶ ଆଚରଣ ସଂହିତା ଜାରି କରାଯାଇଥାଏ। ଏହି ସଂହିତା ଅନୁଯାୟୀ, ସରକାରୀ ଦଳ ଗୁଡିକ ନିର୍ବାଚନ ସମୟରେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ। ଆଦର୍ଶ ଆଚରଣ ସଂହିତା ଗୋଟେ ଲମ୍ବା ଚଉଡା ତାଲିକା। ତାକୁ କୌଣସି ରାଜନୈତିକ ଦଳ ଭଲକରି ପଢନ୍ତି ନାହିଁ ମଧ୍ୟ। କେବଳ ପରସ୍ପରକୁ ଛକିବା ଲାଗି ଆରୋପ ପ୍ରତ୍ୟାରୋପ ର ଉପଲକ୍ଷ ଭାବରେ ଏହାର ବ୍ୟବହାର ହୋଇଥାଏ।
ଚଳିତ ବର୍ଷ ନିର୍ବାଚନ ଆଚରଣ ସଂହିତାରେ ନିର୍ବାଚନ କମିଶନ କିଛି ନୂଆ କଥା ଯୋଡିଛନ୍ତି। ପ୍ରଥମଥର ଲାଗି ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନଙ୍କୁ ବିଗତ ପାଞ୍ଚ ବର୍ଷର ଆୟକର ରିଟର୍ଣ୍ଣ ଦାଖଲ କରିବାକୁ କୁହାଯାଇଛି। ତା ସହିତ ଯଦି ପ୍ରାର୍ଥୀଙ୍କ ନାଁରେ ଅପରାଧ ମାମଲା ଥାଏ ସେ ସମ୍ପର୍କରେ ସବିଶେଷ ବିବରଣୀ ତିନିଥର ଗଣମାଧ୍ୟମ ଜରିଆରେ ବିଜ୍ଞାପିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋସିଆଲ ମିଡିଆରେ ପ୍ରାର୍ଥୀଙ୍କ ଉପସ୍ଥିତି ବିଷୟରେ ମଧ୍ୟ ସବିଶେଷ ତଥ୍ୟ ଦେବାକୁ କୁହାଯାଇଛି। ହେଲେ ଏସବୁ ବ୍ୟବସ୍ଥା ନୂଆ କି? ଆଗରୁ ମଧ୍ୟ ପ୍ରାର୍ଥୀମାନେ ନିଜର ଆୟବ୍ୟୟର ତାଲିକା ଦେଉଥିଲେ। ଅପରାଧ ସମ୍ପର୍କରେ ସବିଶେଷ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ କରୁଥିଲେ। ତାହାକୁ କମିଶନ ନିଜ ୱେବ ସାଇଟରେ ପ୍ରକାଶ କରୁଥିଲେ। ଇଲେକ୍ସନ ୱାଚ ଭଳି ସଂସ୍ଥା ସେ ସବୁର ତର୍ଜମା ମଧ୍ୟ କରନ୍ତି। ଏଥିରେ ନିର୍ବାଚନ ମଇଦାନରେ ଅପରାଧୀଙ୍କ କମି ଯାଇନାହିଁ, ବରଂ ବଢିଛି।
ସୋସିଆଲ ମିଡିଆ ସମ୍ପର୍କରେ ନିର୍ବାଚନ କମିଶନ କିଛି ଠୋସ ପଦକ୍ଷେପ ନେଇ ନାହାନ୍ତି। ବିଭିନ୍ନ ରାଜନୈତିକ ଦଳର ଆଇଟି ସେଲ କମିଶନ ଦ୍ଵାରା ସ୍ଵୀକୃତ ହେବା ନିହାତି ଜରୁରୀ। ନିଜ ନିଜ ଆଇଟି ସେଲ ମାଧ୍ୟମରେ ମିଛ ଖବର ଓ ଗୁଜବର ଏକ ବିଷାକ୍ତ ପ୍ରବାହ ଆମର ନିର୍ବାଚନକୁ କଳୁଷିତ କରୁଛି। ବାସ୍ତବରେ ଆଇଟି ସେଲ ଗୁଡିକରେ କେତେ କର୍ମୀ ଅଛନ୍ତି, ସେମାନେ ସବୁ କିଏ ଓ ସେମାନଙ୍କ ଖର୍ଚ୍ଚ କିଏ ତୁଲାଉଛି, ସେ ବିଷୟରେ ବିସ୍ତୃତ ବିବରଣୀ ଜାଣିବାକୁ ନିର୍ବାଚନ କମିଶନ କୌଣସି ପଦକ୍ଷେପ ନେଇନାହାନ୍ତି। ଯଦି ମିଛ ଖବର, ମାନହାନିମୂଳକ ଲେଖା, ଘୃଣା ଓ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ ସବୁ ଉପରେ କାର୍ୟାନୁଷ୍ଠାନ ବିଷୟରେ କମିଶନ ପୂରା ନୀରବ। ତେଣୁ ଏହି ନିର୍ଦ୍ଦେଶାବଳୀ କେବଳ ଧର୍ମକୁ ଆଖି ଠାର ମାତ୍ର।
ସବୁଠୁ ବଡ କଥା ହେଲା, ନିର୍ବାଚନ ଆଚରଣ ସଂହିତାର କୌଣସି ବୈଧାନିକ ସ୍ଥିତି ନାହିଁ। ଏହାର ଉଲ୍ଲଂଘନ କଲେ ଦଣ୍ଡ ବିଧାନର କୌଣସି ବ୍ୟବସ୍ଥା ନାହିଁ। ଏହାକୁ ପାଳନ କରିବା ରାଜନୈତିକ ଦଳମାନଙ୍କର ମର୍ଜି ଉପରେ ମିରଭରା କରେ। ଗତ ପାଞ୍ଚ ବର୍ଷ ଭିତରେ ଖୋଦ ପ୍ରଧାନମନ୍ତ୍ରୀ ଓ କଂଗ୍ରେସ ସଭାପତି ଆଚରଣ ସଂହିତାର ଉଲ୍ଲଂଘନ କରିଛନ୍ତି। ୨୦୧୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯାୟ ଭୋଟ ଗ୍ରହଣ ଚାଲିଥିବା ସେତେବେଳର ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଦଳର ଇସ୍ତାହାର ଜାରି କରୁଥିଲେ ଓ ଏହାର ସିଧା ପ୍ରସାରଣ ସବୁ ଟିଭି ଚାନେଲରେ ଚାଲିଥିଲା। ସେହିପରି ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ଭୋଟ ଦେଇ ସାରିବା ପରେ ପ୍ରଧାନମନ୍ତ୍ରୀ ରୋଡ ସୋ କରିଥିଲେ, ଯାହାକି ଆଚରଣ ସଂହିତାର ଖୋଲା ଉଲ୍ଲଂଘନ ଥିଲା। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଏହାର ଉଲ୍ଲଂଘନ କରିଥିଲେ। ସମାନ ଭାବରେ ଗୁଜରାଟ ନିର୍ବାଚନ ପ୍ରଚାର ସାରିବା ପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଟେଲିଭିଜନ ସାକ୍ଷାତ୍କାର ପ୍ରସାରିତ ହୋଇଥିଲା। ଏ ସମ୍ପର୍କରେ କୌଣସି କାର୍ୟାନୁଷ୍ଠାନ ନେବାର କ୍ଷମତା ନିର୍ବାଚନ କମିଶନଙ୍କ ପାଖରେ ନାହିଁ।
ନିର୍ବାଚନ ଆଚରଣ ସଂହିତା ଭାଙ୍ଗିବା ଏକ ଦଣ୍ଡନୀୟ ଅପରାଧ କି? ଏହାର ସିଧାସଳଖ ଉତ୍ତର ହେବ ନା। କମିଶନ ଅତି ବେଶୀରେ ଏହାକୁ ଭର୍ତ୍ସନା କରି ପାରିବେ। ଏମିତି ଏକ ଦାନ୍ତ ନଥିବା ସଂହିତା ର ଲାଭ କଣ? ଯେତେଦିନ ପର୍ଯନ୍ତ ଆଚରଣ ସଂହିତା ଭାଙ୍ଗିବା ଏକ ଦଣ୍ଡନୀୟ ଅପରାଧ ହୋଇନାହିଁ, ସେତେଦିନ ଯାଏ ରାଜନୈତିକ ଦଳ ଗୁଡିକ ଏହାକୁ ଖାତିର କରିବେ ନାହିଁ।