କେଦାର ମିଶ୍ର
କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନରେ ମଧ୍ୟ କଂଗ୍ରେସ ସରକାର ଭାଙ୍ଗିବା ଅବସ୍ଥାକୁ ଚାଲି ଆସିଛି। ରାଜସ୍ଥାନ କଂଗ୍ରେସର ଟାଣୁଆ ଯୁବ ନେତୃତ୍ଵ ଭାବେ ଦୀର୍ଘ ବର୍ଷ ଧରି କାମ କରି ଆସିଥିବା ସଚିନ ପାଇଲଟ ଏବେ ବିଜେପି ସହିତ ମୂଲଚାଲ କରି କଂଗ୍ରେସ ସରକାରର ପତନ ଘଟାଇବାକୁ ଯାଉଛନ୍ତି। ମଧ୍ୟପ୍ରଦେଶ ଢାଞ୍ଚାରେ ରାଜସ୍ଥାନରେ ମଧ୍ୟ ବିଜେପି କଂଗ୍ରେସର ସବୁଠୁ ବଡ ମାଛକୁ କିଣିବାରେ ସଫଳ ହୋଇଛି। ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କମଳନାଥ ସରକାର ଭାଙ୍ଗିବାରେ ମୁଖ୍ୟ ଭୂମିକା ନେଇଥିଲେ। ଅନୁରୂପ ଭାବେ ସଚିନ ପାଇଲଟ ଏବେ ରାଜସ୍ଥାନରେ ସେହି ଭୂମିକା ତୁଲାଉଛନ୍ତି। ତେବେ କଂଗ୍ରେସ ରାଜନୀତି ସହିତ ପରିଚିତ ରାଜନୈତିକ ସମୀକ୍ଷକମାନେ ମଧ୍ୟପ୍ରଦେଶ ଘଟଣା ସମୟରୁ ରାଜସ୍ଥାନରେ ଏହାର ପୁନରାବୃତ୍ତି ହେବାକୁ ଯାଉଛି ବୋଲି ଭବିଷ୍ୟବାଣୀ କରିଥିଲେ। ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶରେ କଂଗ୍ରେସର କବର ଖୋଳୁଥିବା ବେଳେ ରାଜସ୍ଥାନରେ ମଧ୍ୟ ବିଜେପି ନିଜର ଜାଲ ବିଛାଇବା ଆରମ୍ଭ କରିଥିଲା। ସେହି ରଣନୀତିର ଏକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଥିଲା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଳ୍ଳା ଓ ଓମର ଅବଦୁଲ୍ଲାଙ୍କୁ ବନ୍ଦୀତ୍ଵରୁ ମୁକ୍ତିଦେବା। ଏଠି ସୂଚନାଯୋଗ୍ୟ ଯେ ସଚିନ ପାଇଲଟଙ୍କ ସ୍ତ୍ରୀ ସାରା ପାଇଲଟ ହେଉଛନ୍ତି ଫାରୁକ ଅବଦୁଲ୍ଲାଙ୍କ ଝିଅ। ମଧ୍ୟପ୍ରଦେଶ ସରକାର ଭାଙ୍ଗୁଥିବା ସମୟରେ ହଠାତ ଅବଦୁଲ୍ଲା ବାପା-ପୁଅଙ୍କୁ ମୁକ୍ତି ଦେବା ପଛରେ ବିଜେପିର ଏକ ଦୀର୍ଘସୂତ୍ରୀ ରଣନୀତି ରହିଥିଲା। ଅବଦୁଲ୍ଲାଙ୍କ ମୁକ୍ତି ମାଧ୍ୟମରେ ପାଇଲଟଙ୍କର ସଦିଚ୍ଛା ହାସଲ କରିବାର ଏକ ସୁଚିନ୍ତିତ ଯୋଜନା ସେତେବେଳୁ ଆରମ୍ଭ ହୋଇଥିଲା।
ତେବେ ସବୁଠୁ ବଡ ପ୍ରଶ୍ନ ହେଉଛି, ଦେଶର ଅନ୍ଯାନ୍ଯ ଅଣକଂଗ୍ରେସ ଦଳକୁ ଭାଙ୍ଗିବାର ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ବିଜେପିକୁ ସଫଳତା ମିଳୁନାହିଁ। ହେଲେ କଂଗ୍ରେସକୁ ଯେତେବେଳେ ଚାହିଁଲେ ସେତେବେଳେ ଭାଙ୍ଗିଦେବାକୁ ବିଜେପି ସମର୍ଥ ହେଉଛି କେମିତି? ୧୩୫ ବର୍ଷର ସବୁଠୁ ପୁରୁଣା ଦଳ ଭାବରେ କଂଗ୍ରେସ ବହୁ ଉତ୍ଥାନ ଓ ପତନ ଦେଖିଛି। ସ୍ଵାଧୀନ ଭାରତର ସର୍ବାଧିକ ସମୟ ଶାସନ କ୍ଷମତାରେ ରହିଥିବା କଂଗ୍ରେସରେ ବାରମ୍ବାର ବିଭାଜନ ଘଟିଛି। ତେବେ ସବୁ ବିଭାଜନ ଓ ସଙ୍କଟକୁ ସାମ୍ନା କରି କଂଗ୍ରେସ ପୁଣି ଉଠିଛି। ୧୯୬୭ରେ ଇନ୍ଦିରା ଗାନ୍ଧୀ ବନାମ ପୁରୁଣା କଂଗ୍ରେସ ସିଣ୍ଡିକେଟ, ଜରୁରୀ କାଳୀନ ପରିସ୍ଥିତି ପରେ ଇନ୍ଦିରା ବନାମ ଅନ୍ୟମାନେ, ୧୯୮୯ରେ ରାଜୀବ ଗାନ୍ଧୀ ବନାମ ବିଶ୍ଵନାଥ ପ୍ରତାପ ସିଂ, ୧୯୯୯ ରେ ସୀତାରାମ କେଶରୀ ବନାମ ସୋନିଆଁ ଗାନ୍ଧୀ- ଏମିତି ଅନେକ ସଙ୍କଟର ମୁକାବିଲା କଂଗ୍ରେସ କରିଛି। ହେଲେ ନରେନ୍ଦ୍ର ମୋଦୀ-ଅମିତ ଶାହାଙ୍କ ନେତୃତ୍ବରେ ବିଜେପିର କ୍ଷମତା ହାସଲ ପରେ, କଂଗ୍ରେସ ବାରମ୍ବାର ଧୂଳିରେ ଲୋଟିବାକୁ ବାଧ୍ୟ ହେଉଛି।
ବିଜେପି ସରକାର ଗଢିବା ପରେ ପୂର୍ଣ୍ଣ ବହୁମତରେ ଥିବା ଅରୁଣାଚଳ ପ୍ରଦେଶର କଂଗ୍ରେସ ସରକାରକୁ ବିଜେପି ପୂରା କିଣି ନେଇଥିଲା। ପରେ ପରେ ଉତ୍ତରାଖଣ୍ଡରେ ସେହି ସମାନ ନାଟକ ଚାଲିଥିଲା। ଗୋଆ ଏବଂ ମଣିପୁରରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲେ ମଧ୍ୟ ବିଜେପି ସେଠାରେ ସରକାର ଗଢିଥିଲା। ବିଭିନ୍ନ ସମୟରେ ଦେଶର ସାଧାରଣ ଜନତା କଂଗ୍ରେସକୁ ସୁଯୋଗ ଦେଇଛନ୍ତି। ହେଲେ ଏହି ସୁଯୋର ସଦୁପଯୋଗ କରିବାରେ କଂଗ୍ରେସ ସମର୍ଥ ହୋଇପାରିନାହିଁ।କଂଗ୍ରେସ ଦଳରେ ଦଳର ଅସ୍ତିତ୍ଵ ଅପେକ୍ଷା ଏହି ଦଳର ନେତାମାନଙ୍କର ଉଚ୍ଚାଭିଳାଷ ଅଧିକ ଗୁରୁତ୍ୱପୂର୍ଣ୍ଣ। ୨୦୧୯ ବିଧାନସଭା ନିର୍ବାଚନରେ ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଂଗ୍ରେସର ବିଜୟ ଏକ ବଡ ସୁଯୋଗ ତିଆରି କରିଥିଲା। ତେବେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ପୁରୁଣା ବନାମ ନୂଆ ର ସଙ୍ଘାତକୁ କଂଗ୍ରେସ ନେତୃତ୍ଵ ସଠିକ ଭାବେ ବୁଝିନଥିଲେ। ପୁରୁଣା ଗୋଷ୍ଠୀର କମଳନାଥ ଓ ଆଶୋକ ଗେହେଲୋଟଙ୍କ ନେତୃତ୍ବକୁ ମାନିବା ଲାଗି ସିନ୍ଧିଆ ଓ ପାଇଲଟ ମୂଳରୁ ପ୍ରସ୍ତୁତ ନଥିଲେ। ତେବେ ତାଳିପକା ଉଦ୍ୟମରେ ବଞ୍ଚି ରହିଥିବା ଏହି ଦୁଇଟି ରାଜ୍ୟରେ କଂଗ୍ରେସ ସଙ୍ଗଠନକୁ ଭାଙ୍ଗିବା ଲାଗି ବିଜେପି ପାଖରେ ପର୍ଯ୍ୟାପ୍ତ ମୌକା ରହିଥିଲା। ସମୟକ୍ରମେ ବିଜେପି ସେ ମୌକାରୁ ଭରପୁର ଫାଇଦା ଉଠାଇଛି।
ରାଜସ୍ଥାନରେ ମଧ୍ୟ ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ଭଳି ରଣନୀତି ଗ୍ରହଣ କରା ଯାଇଛି। ୨୫ ରୁ ୩୦ ବିଧାୟକ ଇସ୍ତଫା ଦେଲେ ବିଜେପି ସେଠାରେ ସରକାର ଗଠନ କରିପାରିବ। ୨୦୦ ସଦସ୍ୟ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ କଂଗ୍ରେସର ୧୦୭ ସଦସ୍ୟ ଥିବା ବେଳେ ସରକାରକୁ ୧୨ ଜଣ ସ୍ଵାଧୀନ ଓ ଅନ୍ୟ ଦଳର ପାଞ୍ଚ ଜଣ ସଦସ୍ୟ ସମର୍ଥନ କରୁଛନ୍ତି। ଏବେ ସରକାର ପ୍ରତି ୧୨୪ ସଦସ୍ୟଙ୍କର ସମର୍ଥନ ରହିଛି। ବିଜେପି ପାଖରେ ୭୨ ଓ ସମର୍ଥକ ଭାବେ ଆଉ ୪ ସଦସ୍ୟ ରହିଛନ୍ତି। ଗେହେଲୋଟ ସରକାରକୁ ଭାଙ୍ଗିବାକୁ ହେଲେ ଅତିକମରେ ୨୫ କଂଗ୍ରେସ ସଦସ୍ଯଙ୍କୁ ଇସ୍ତଫା ଦେବାକୁ ପଡିବ ଓ ସବୁ ସ୍ଵାଧୀନ ବିଧାୟକଙ୍କୁ ବିଜେପି ଶିବିରରେ ଯୋଗ ଦେବାକୁ ପଡିବ। ସଂଖ୍ୟା ଦୃଷ୍ଟିରୁ ମଧ୍ୟପ୍ରଦେଶ ତୁଳନାରେ ରାଜସ୍ଥାନ ବିଜେପି ଲାଗି ଟିକେ ଅଧିକ କଷ୍ଟକର। ତେବେ ସଚିନ ପାଇଲଟଙ୍କର ରାଜସ୍ଥାନ କଂଗ୍ରେସ ଉପରେ ଯେଉଁ ପ୍ରଭାବ ରହିଛି, ସେଥିରେ ଦଳକୁ ବିଭାଜିତ କରିବା ତାଙ୍କ ପାଇଁ ବିଶେଷ କଷ୍ଟକର ହୋଇ ନପାରେ।
ରାଜସ୍ଥାନରେ କଂଗ୍ରେସ ସରକାର ଭାଙ୍ଗୁ ବା ରହୁ, ଗୋଟେ କଥା କିନ୍ତୁ ସ୍ପଷ୍ଟ ଯେ, କଂଗ୍ରେସ ଦଳ ଭିତରେ ରହିଥିବା ସ୍ଵାର୍ଥପର ଓ ଘରଭେଦୀଙ୍କୁ ନେଇ ଏହି ଦଳ ଦିନକୁ ଦିନ ନିଜର ଅସ୍ତିତ୍ଵ ହରାଇବା ଆରମ୍ଭ କଲାଣି। କଂଗ୍ରେସ ର ବୁଡିଯାଉଥିବା ଜାହାଜରୁ ମୂଷାମାନଙ୍କର ପଳାୟନ ଅବଶ୍ୟ କିଛି ନୂଆ ନୁହେଁ।