
କେଦାର ମିଶ୍ର
“ଏ ପରିସ୍ଥିତିରୁ କେବଳ ଭଗବାନ ହିଁ ଆମକୁ ବଞ୍ଚାଇ ପାରିବେ, ସରକାର ଆଉ କଣ ବା କରିପାରିବେ” – ଏ ଉକ୍ତି କୌଣସି ସାଧାରଣ ଲୋକର ନୁହେଁ। ଖୋଦ କର୍ଣ୍ଣାଟକର ସ୍ବାସ୍ଥ୍ୟମନ୍ତ୍ରୀ ବି. ଶ୍ରୀରାମୁଲୁ ଏହି ବକ୍ତବ୍ୟ ରଖିଛନ୍ତି। ଗଣମାଧ୍ୟମରେ ଏହାକୁ ଏକ ବିବଦମାନ ବକ୍ତବ୍ୟ ବୋଲି କୁହା ଯାଉଛି, ହେଲେ ବାସ୍ତବରେ ଆଜିର ପରିସ୍ଥିତିରେ ଏହା ହିଁ ସତ୍ୟ। ସାରାଦେଶରେ ୧୦ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି ଓ ଏ ସଂଖ୍ୟା ଆଗକୁ ହୁ ହୁ ହୋଇ ବଢିବାର ସମ୍ଭାବନା ରହିଛି। ଗତ କାଲି ପ୍ରାୟ ୩୩ ହଜାର ଆକ୍ରାନ୍ତ ଦେଶରେ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପଛରେ ଏକ ଭୟଙ୍କର ସତ୍ୟ ଲୁଚି ରହିଛି, ଯାହାକୁ ଜାଣିବା ନିତାନ୍ତ ଜରୁରୀ। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କରୋନା ରୋଗୀଙ୍କ ଲାଗି ମୋଟ ୮ ଲକ୍ଷ ୯୧ ହଜାର ସ୍ଵତନ୍ତ୍ର ବିଛଣା ପ୍ରସ୍ତୁତ ହୋଇ ରହିଛି। ତେବେ ଏ ସବୁ ଚିକିତ୍ସା ଉପଯୋଗୀ ନୁହେଁ। ଏଥିରୁ ଅଧାରୁ ଅଧିକ କେବଳ ରୋଗୀଙ୍କୁ ସ୍ଵତନ୍ତ୍ର ଭାବେ ଅଲଗା ରଖିବା ପାଇଁ ତିଆରି ହୋଇଥିବା ଅସ୍ଥାୟୀ ବିଛଣା। ଗୁରୁତର ରୋଗୀଙ୍କ ଲାଗି ସାରା ଦେଶରେ ମୋଟ ୩୨,୩୬୨ ଟି ଆଇସିୟୁ ବିଛଣା ଓ ୧ ଲକ୍ଷ ୨୦ ହଜାର ଅକ୍ସିଜେନ ଯୁକ୍ତ ବିଛଣା ରହିଛି। ସାରା ଦେଶରେ ମାତ୍ର ୨୧,୪୯୪ ଟି ଭେଣ୍ଟିଲେଟର ରହିଛି। ଏହା ଆଜିର ପରିସ୍ଥିତିରେ ପର୍ୟାପ୍ତ କି?
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅତି କମରେ ୩-୪% ଲୋକଙ୍କ ଲାଗି ଆସିସିୟୁ ର ଆବଶ୍ୟକତା ପଡୁଛି। ଆଜିର ହିସାବକୁ ଆଧାର କରି ଦେଖିଲେ ପ୍ରତିଦିନ ଆମକୁ ପ୍ରାୟ ୧୩୦୦ ଆଇସିୟୁ ବିଛଣା ଦରକାର। ବର୍ତ୍ତମାନ ଦେଶରେ ପ୍ରାୟ ସାଢେ ୩ଲକ୍ଷ ଆକ୍ରାନ୍ତଙ୍କର ଚିକିତ୍ସା ଚାଲିଛି। ଆଗକୁ ପ୍ରତିଦିନ ଆକ୍ରାନ୍ତଙ୍କସ ସଂଖ୍ୟା ଲକ୍ଷାଧିକ ହେବାର ଆକଳନ କରାଯାଉଛି। ସେ ପରିସ୍ଥିତିରେ ଆମେ ଲୋକଙ୍କୁ ବଞ୍ଚାଇ ପାରିବା କେମିତି? ବିଭିନ୍ନ ରାଜ୍ୟର ସ୍ଥିତିକୁ ଦେଖିଲେ, ଅନେକ ରାଜ୍ୟ ଏମିତି ଅଛନ୍ତି, ଯେଉଁଠି ଏବେ ପରିସ୍ଥିତି ଅତ୍ୟଧିକ ଜଟିଳ ହୋଇ ସାରିଲାଣି। ଦିଲ୍ଲୀରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ଆଗରୁ ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ଫଳରେ ସେଠି କେନ୍ଦ୍ର ଓ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରି ସ୍ଥିତିର ସାମୟିକ ମୁକାବିଲା କରିବାରେ ସକ୍ଷମ ହୋଇଛନ୍ତି। ଏ ପ୍ରକାର ରଣନୀତି ସବୁ ରାଜ୍ୟରେ ଲାଗୁ ହେବା ଜରୁରୀ। କେନ୍ଦ୍ର ସରକାରଙ୍କ ପାଖରେ ସମ୍ବଳ ଓ ସାଧନ ଉଭୟ ରହିଛି। ରାଜ୍ୟ ସରକାରଗୁଡିକ ଏବେ ରାଜସ୍ଵ ସଙ୍କଟର ସାମ୍ନା କରୁଛନ୍ତି। ତେଣୁ ଏ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ସ୍ଵତନ୍ତ୍ର ରଣନୀତି ତିଆରି କରି ବ୍ୟାପକ ଚିକିତ୍ସା ସୁଯୋଗ ତିଆରି କରିବା ଜରୁରୀ ହୋଇ ପଡିଛି।
ଦେଶରେ କରୋନା ଜନିତ କାରଣରୁ ୨୫ ହଜାର ଲୋକ ପ୍ରାଣ ହରାଇ ସାରିଲେଣି। ଏହା ଆଦୌ ଏକ ଛୋଟିଆ ସଂଖ୍ୟା ନୁହେଁ। ଆମର ଲୋକସଂଖ୍ୟା ଦୃଷ୍ଟିରେ ଆମେ ଏବେ ବି ଭଲ ସ୍ଥିତିରେ ରହିଛୁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଯାହା କହିଛନ୍ତି, ତାହା ଆଦୌ ଭରସାଯୋଗ୍ୟ ନୁହେଁ। ଆମର ବିଶାଳ ଜନସଂଖ୍ୟାକୁ ଦେଖି ହୁଏତ ୧୦ ଲକ୍ଷ ଆକ୍ରାନ୍ତ ଓ ୨୫ ହଜାର ମୃତ ସଂଖ୍ୟାଟି ଆଜି ସାଧାରଣ ମନେ ହେଉଛି। ହେଲେ ଆମେ ଏବେ ମଧ୍ୟ କରୋନା ମୁକାବିଲାର ଆରମ୍ଭ ସ୍ଥିତି ରେ ରହିଛୁ। ଆଗକୁ ଏହି ସଂଖ୍ୟା କେଉଁଠି ପହଞ୍ଚିବ, ତାର ଆକଳନ କରିବା କାଠିକର କାମ। ସମୟକ୍ରମେ ଆମଠୁ ଖରାପ ଅବସ୍ଥାରେ ଥିବା ବ୍ରାଜିଲ ଓ ଆମେରିକାଠୁ ମଧ୍ୟ ଖରାପ ସ୍ଥିତି ଆମର ଆସିପାରେ। ସରକାରୀ ଭାବରେ ଆମର ପ୍ରସ୍ତୁତି ସବୁବେଳେ, ଏକ ମିଛ ଆଶ୍ବାଶନାରେ ଆଶ୍ବାଶନାରେ ସୀମିତ ରହି ଆସିଛି। ପ୍ରସ୍ତୁତି ତୁଳନାରେ ପ୍ରଚାରକୁ ଆମେ ଅଧିକ ଗୁରୁତ୍ଵ ଦେଉଛେ। ମାର୍ଚ୍ଚ ମାସରୁ ଦେଶ ବିଦେଶର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ, ବୈଜ୍ଞାନିକ ଓ ଗବେଷକ ଭାରତରେ ସ୍ଥିତି ଅଧିକ ଜଟିଳ ହେବ ବୋଲି କହି ଆସୁଛନ୍ତି। ହେଲେ ଆମର ରାଜନୈତିକ ବାହାପିଆମୀ ଯୋଗୁଁ ଏ କ୍ଷେତ୍ରରେ ଆମେ ଯଥେଷ୍ଟ ପ୍ରସ୍ତୁତି କରି ପାରିନାହୁଁ।
ଆଗାମୀ ଦୁଇ ସପ୍ତାହ ଭିତରେ ଆମର ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦-୬୦ ହଜାରରେ ପହଞ୍ଚିବ। ସେହି ସ୍ଥିତିରେ ପ୍ରତିଦିନ ଆମକୁ ୨୫୦୦-୩୦୦୦ ଭେଣ୍ଟିଲେଟର/ଆଇସିୟୁ ଆମର ଦରକାର ପଡିବ। ଆମେ ସେଥିଲାଗି ପ୍ରସ୍ତୁତ ହେଲେଣି କି ? ଯଦି ଦୈନିକ ଆକ୍ରାନ୍ତ ସଂଖ୍ୟା ଲକ୍ଷାଧିକ ହୁଏ, ତାହେଲେ ଆମର ରଣନୀତି କଣ ହେବ? ପୃଥିବୀର ଅନ୍ଯାନ୍ଯ ଦେଶରେ (କେବଳ ଆମେରିକା ଓ ବ୍ରାଜିଲ ବ୍ଯତୀତ) ସଂକ୍ରମଣ ର ମାତ୍ରା ଶିଥିଳ ହେଉଥିବା ବେଳେ ଭାରତର ସ୍ଥିତି କ୍ରମେ କ୍ରମେ ଅଧିକ ଜଟିଳ ହେଉଛି। ଏହାର ମୁକାବିଲା ଲାଗି ଆମେ କେବଳ “ଲକ ଡାଉନ” ଉପରେ କେତେ ଦିନ ଭରସା କରିପାରିବା? “ଲକ ଡାଉନ” ଆମର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇ ସାରିଛି। ଜାତୀୟ ସ୍ତରରେ ଯଦିଓ ଲକ ଡାଉନ ଉଠି ଯାଇଛି ବୋଲି କୁହା ଯାଉଛି, ସଂଖ୍ୟାଧିକ ରାଜ୍ୟ ଏବେ ମଧ୍ୟ ଲକ ଡାଉନ ଅବ୍ଯାହତ ରଖିଛନ୍ତି।
ସତ କହିବାକୁ ଗଲେ, ଆଜିର ସ୍ଥିତିକୁ ଦେଖି ଆମକୁ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଥାକୁ ଉଡେଇ ଦେବାର ଇଚ୍ଛା ହେଉନାହିଁ।