କେଦାର ମିଶ୍ର
କଂଗ୍ରେସ ରାଜନୀତି ବିଷୟରେ ଆଜି ଆଲୋଚନା କଲେ, ପ୍ରଥମ ପ୍ରଶ୍ନ ଉଠିବ- ରାଜସ୍ଥାନରେ ଅଶୋକ ଗେହେଲୋଟ ସରକାର ତିଷ୍ଠିବ ନା ନାହିଁ। ପୂରା ଜୁଲାଇ ମାସ ରାଜସ୍ଥାନରେ ଅସ୍ଥିରତାର ବାତାବରଣ ରହିଛି। ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଥା ଗେହେଲୋଟ ସରକାରର ଉପ ମୁଖ୍ୟମନ୍ତ୍ରୀ ନିଜ ଦଳର ସରକାର ଭାଙ୍ଗିବା ଲାଗି ଦଳର ପରମ ଶତ୍ରୁ ବିଜେପି ସହିତ ହାତ ମିଳାଇ ପ୍ରତିଦିନ ନୂଆ ଷଡଯନ୍ତ୍ର ରଚନା କରୁଛନ୍ତି। ତେଣୁ ରାଜସ୍ଥାନ ସରକାରର ଭବିଷ୍ୟତ ହିଁ ବର୍ତ୍ତମାନ ସମୟରେ କଂଗ୍ରେସ ଅସ୍ତିତ୍ଵର କେନ୍ଦ୍ର ପାଲଟି ଯାଇଛି। ତେବେ ରାଜସ୍ଥାନ, କଂଗ୍ରେସ ରାଜନୀତିର ଏକ ବିନ୍ଦୁ ମାତ୍ର। କଂଗ୍ରେସ ରାଜନୀତିରେ ନିଜ ଦଳକୁ ମାଟିରେ ମିଶାଇ ଦେବା ଲାଗି ଦଳର କର୍ମୀ ଓ ନେତାମାନେ ଦୀର୍ଘ ଦିନରୁ ଆତ୍ମହତ୍ୟା ଯୋଜନାରେ ଲାଗି ପଡିଛନ୍ତି!! କଂଗ୍ରେସର ଚେହେରା ଓ ଚରିତ୍ରରେ “ଗୋଷ୍ଠୀବାଦ” ଏକ ସ୍ଵାଭାବିକ ଅଙ୍ଗ । ମୋଟାମୋଟି କଂଗ୍ରେସ କହିଲେ ପରଷ୍ପରକୁ ବିରୋଧ କରୁଥିବା ଓ ନିଜ ନିଜ ଭିତରେ ଅସହିଷ୍ଣୁ ଭାବନା ରଖି ଗୋଟିଏ ମଞ୍ଚରେ କାମ କରୁଥିବା ଏକ ଦଳ ବୋଲି ବହୁ ଆଗରୁ ସ୍ପଷ୍ଟ ହୋଇଯାଇଛି। ତେବେ ଏ ପ୍ରକାର “ଗୋଷ୍ଠୀବାଦ” ଯୋଗୁଁ ହିଁ କଂଗ୍ରେସ ଭିତରେ “ଗଣତନ୍ତ୍ର” ବଞ୍ଚିଛି, ନଚେତ ଏହା ଏକପ୍ରକାର ଘରୋଇ ସଂଗଠନ ପାଲଟି ଯାଇଥାନ୍ତା। କଂଗ୍ରେସର ଶୀର୍ଷ ନେତୃତ୍ଵ ସବୁବେଳେ ଦଳ ଭିତରେ “ଗୋଷ୍ଠୀବାଦ”କୁ ଚତୁରତାର ସହ ପ୍ରୋତ୍ସାହନ ଦେଇ ଆସିଛନ୍ତି। ଏହା ଆଜି ନୁହଁ, ବରଂ ୧୯୬୭ ମସିହାରୁ ଏ ପ୍ରକାର ଆଭ୍ୟନ୍ତରୀଣ ଭିଡା ଓଟରାର ଇତିହାସ କଂଗ୍ରେସରେ ରହି ଆସିଛି।
୧୯୭୮ ମସିହାରେ ପ୍ରଖ୍ୟାତ କାର୍ଟୁନିଷ୍ଟ ଆର.କେ.ଲକ୍ଷ୍ମଣଙ୍କର ଏକ କାର୍ଟୁନ ପ୍ରକାଶ ପାଇଥିଲା। ମାଇକ୍ରୋସ୍କୋପ ଭଳି ଏକ ଯନ୍ତ୍ରରେ ସାଧାରଣ ମଣିଷ (ଲକ୍ଷ୍ମଣଙ୍କର ପ୍ରସିଦ୍ଧ କମନ ମ୍ୟାନ) ଦେଖିବାକୁ ଚେଷ୍ଟା କରୁଛି କଂଗ୍ରେସ ବୋଲି କିଛି ଅଛି ନା ନାହିଁ। ଲକ୍ଷ୍ମଣଙ୍କ ନିଜ ଭାଷାରେ- ନିରନ୍ତର ବିଭାଜନ ଯୋଗୁଁ କଂଗ୍ରେସ ଏତେ ସଙ୍କୁଚିତ ହୋଇଯିବ ଯେ ବାସ୍ତବ କଂଗ୍ରେସକୁ ଖୋଜି ପାଇବା ଲାଗି ଏକ ସ୍ଵତନ୍ତ୍ର ଯନ୍ତ୍ରର ଆବଶ୍ୟକତା ପଡିବ। ( The real Congress will so reduced in size though constant splits that a special device will be needed to see it.) ଲକ୍ଷ୍ମଣ ଏ କଥା କହୁଛନ୍ତି ଆଜିକୁ ୪୨ ବର୍ଷ ତଳେ। ୧୯୭୮ ହେଉଛି କଂଗ୍ରେସ ପାଇଁ ପ୍ରଥମ ପରାଜୟ ଭୋଗୁଥିବା ସମୟ। ସେତେବେଳେ କଂଗ୍ରେସର ବହୁ ପୁରୁଖା ନେତା ଜନତା ପାର୍ଟିକୁ ଡେଇଁବା ଆରମ୍ଭ କରିଥାନ୍ତି। ଯେଉଁ ନେତାମାନେ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ସହିତ ଜରୁରୀକାଳିନ ପରିସ୍ଥିତିରେ ନିଃସର୍ତ୍ତରେ ଠିଆ ହୋଇଥିଲେ, ସେମାନେ ହଠାତ ଇନ୍ଦିରା ବିରୋଧୀ ହୋଇପଡିଥାନ୍ତି। ସେହି ପୃଷ୍ଠଭୂମିରେ ଏହି କାର୍ଟୁନ ଟି ଯଦିଓ ଅଙ୍କା ଯାଇଥିଲା, ଆଜିର ତାରିଖରେ ଏହା ଜଣେ ମହାନ ଶିଳ୍ପୀର ଭବିଷ୍ୟବାଣୀ ଭଳି ଲାଗୁଛି। ସବୁବେଳେ ଉଚ୍ଚ ଦରର ଶିଳ୍ପୀମାନେ ଯାହା କହନ୍ତି ବା ସୂଚନା ଦିଅନ୍ତି, ତାହା ଭବିଷ୍ୟତରେ ଫଳି ଯାଏ।
କଂଗ୍ରେସ ଭାଙ୍ଗୁଛି, ଏକଥା ନିରାଟ ସତ୍ୟ। କଂଗ୍ରେସକୁ ତାର ପରମ ଶତ୍ରୁ ବିଜେପି ଭାଙ୍ଗିବାକୁ ଚାହୁଁଛି, ତାହା ସ୍ଵାଭାବିକ। ତେବେ ଭାଙ୍ଗିବା କାମଟି କଂଗ୍ରେସ ଲୋକ ହିଁ କରୁଛନ୍ତି। ଯେଉଁମାନେ କଂଗ୍ରେସ କ୍ଷମତାରେ ଥିଲାବେଳେ ସବୁଠୁ ଅଧିକ ଲାଭ ଉଠାନ୍ତି, ସେମାନେ ହିଁ କଂଗ୍ରେସ ଦୁର୍ଦ୍ଦିନରେ ପ୍ରଥମେ ଡିଆଁ ମାରନ୍ତି। ଗତ ୫୦ ବର୍ଷ ଧରି କଂଗ୍ରେସ ବିଭାଜନର ଇତିହାସ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହୋଇଯିବ ଯେ, କଂଗ୍ରେସର ପ୍ରଥମ ପରିବାର ଭାବେ ପରିଚିତ ନେହେରୁ-ଗାନ୍ଧୀ ପରିବାରର ବିଶ୍ବସ୍ତମାନେ ହିଁ କଂଗ୍ରେସକୁ ପଛରୁ ଛୁରି ମାରିଛନ୍ତି। ରାଜୀବ ଗାନ୍ଧୀଙ୍କ ସମୟରେ ଅରୁଣ ନେହେରୁ-ଆରିଫ ମହମ୍ମଦ ଖାଁ-ସତିଶ ଶର୍ମାଙ୍କଠୁ ଆରମ୍ଭ କରି ଆଜିର ଜ୍ୟୋତିରାଦିତ୍ୟ ସିନ୍ଧିଆ-ସଚିନ ପାଇଲଟଙ୍କ ପର୍ଯ୍ୟନ୍ତ, କଂଗ୍ରେସର ସବୁଠୁ ବଡ ବିଶ୍ଵାସଘାତକମାନେ ସବୁବେଳେ ପରମ ବିଶ୍ଵସ୍ତ ଶିବିରରୁ ଜନ୍ମ ନେଇଛନ୍ତି। ସବୁଠୁ ମଜା କଥା ହେଉଛି, ଆସନ୍ତାକାଲି କଂଗ୍ରେସ ଯଦି କ୍ଷମତାକୁ ଫେରେ ତାହେଲେ ଏହି “ବିଶ୍ଵାସଘାତକ” ମାନେ ପୁଣିଥରେ କ୍ଷମତାକେନ୍ଦ୍ରର ପରମ ବିଶ୍ଵସ୍ତ ପାଲଟିଯିବେ।
କଂଗ୍ରେସ ଦଳ ଭିତରେ ବର୍ତ୍ତମାନ ଯେଉଁ ଧାରା ଚାଲିଛି, ତାହା ଯେ କୌଣସି ଦଳ ପାଇଁ ଏକ ମାର୍ଗଦର୍ଶିକା ଭାବେ କାମ କରିବ। ଦଳର ସଫଳତା ପାଇଁ ସବୁବେଳେ ଆଞ୍ଚଳିକ ନେତୃତ୍ଵ ଓ “କୋଟେରି ନେତା” ଶ୍ରେୟ ନିଅନ୍ତି, ହେଲେ ଗାଳି ଖାଇବାକୁ ସବୁ କଥାରେ ଗାନ୍ଧୀ ପରିବାର ହିଁ ଡଷ୍ଟବିନ ଭ୍ବାବେ ନିଜକୁ ଖୋଲା ରଖିଥାନ୍ତି। ଗତ ଛଅ ବର୍ଷ ଭିତରେ ବିଜେପିର ଉଗ୍ର ଆକ୍ରମଣକୁ ଏକାକୀ ରାହୁଲ ଗାନ୍ଧୀ ସାମ୍ନା କରୁଥିବା ବେଳେ କଂଗ୍ରେସର ଦ୍ଵିତୀୟ ଓ ତୃତୀୟ ଧାଡିର ନେତାଏ ସବୁକଥାରେ ଚୁପ। ସିନ୍ଧିଆ ଓ ପାଇଲଟ ମୁଖ୍ୟମନ୍ତ୍ରୀ ହେବାଲାଗି ଜନ୍ମସିଦ୍ଧ ଅଧିକାର ପାଇଛନ୍ତି ଓ ସେ ଅଧିକାର ନ ପାଇଲେ ସେମାନେ ବିଜେପିକୁ ଯିବା ଏକପ୍ରକାର ଆଦର୍ଶବାଦ ବୋଲି କେହି କେହି କହୁଛନ୍ତି। ସତ କହିବାକୁ ଗଲେ କଂଗ୍ରେସ ଭିତରେ ଏହି ମୁଖ୍ୟମନ୍ତ୍ରୀ ଆଶାୟୀମାନେ ସବୁବେଳେ ଦଳ ବିରୋଧରେ କାମ କରି ଆସିଛନ୍ତି। ୨୦୧୯ ସାଧାରଣ ନିର୍ବାଚନର ୩ ମାସ ଆଗରୁ ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତିଥିବା ସତ୍ତ୍ୱେ ଲୋକସଭା ନିର୍ବାଚନରେ ଏହି ଦୁଇ ରାଜ୍ୟରୁ କଂଗ୍ରେସ ମୂଳପୋଛ ହୋଇଯିବା ଆଦୌ ସାଧାରଣ ଘଟଣା ନଥିଲା। ଏହା ପଛରେ ଆରମ୍ଭରୁ “ଡିଲ” ର ଆଭାସ କଂଗ୍ରେସ ନେତୃତ୍ଵ ପାଇଥିଲେ। ରାହୁଲ ଗାନ୍ଧୀଙ୍କୁ ଦଳୀୟ ନେତୃତ୍ଵ ଭାବେ ଲଜ୍ଜିତ କରିବାର ଷଡଯନ୍ତ୍ରରେ କଂଗ୍ରେସର ପରମ ବିଶ୍ବସ୍ତମାନେ ବହୁତ ବଡ ଭୂମିକା ନେଇଛନ୍ତି।
ତେବେ କଂଗ୍ରେସକୁ ଭାଙ୍ଗିବା ଓ ମାଟିରେ ମିଶାଇ ଦେବାର ପ୍ରକ୍ରିୟା ନିରନ୍ତର ଚାଲି ଆସିଛି। ହେଲେ କଂଗ୍ରେସ ନିଜ ଅସ୍ତିତ୍ଵକୁ ପୁଣିଥରେ ବଞ୍ଚାଇବାରେ ବାରମ୍ବାର ସଫଳ ମଧ୍ୟ ହୋଇଛି। ତେବେ ଆଜିର ସ୍ଥିତିରେ କଂଗ୍ରେସ ନିଜକୁ କେମିତି ବଞ୍ଚାଉଛି, ତାହା ଦେଖିବା ପାଇଁ ଆମର ଉଦବିଗ୍ନତା ରହିଛି।