Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଛପନ ଇଞ୍ଚର ଛାତି ଓ ବ୍ରଏଲର କୁକୁଡାର ହୃଦୟ !
ବିଶେଷ ଖବର

ଛପନ ଇଞ୍ଚର ଛାତି ଓ ବ୍ରଏଲର କୁକୁଡାର ହୃଦୟ !

September 29, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ନବେ ଦଶକରେ ବିଜୁ ପଟ୍ଟନାୟକ ଥାନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ। ଭବାନୀପାଟଣା ର ଏକ ସଭାରେ ତାଙ୍କ ଉପରକୁ କିଛି ଯୁବକ ଢେଲା ମାଡ କଲେ। ବିଜୁ ବାବୁ ରକ୍ତାକ୍ତ ଓ ଆହତ ହେବା ସତ୍ତ୍ୱେ ସଭା କାର୍ଯ୍ୟ ଜାରି ରଖିଲେ। ଯେ କୌଣସି ପ୍ରକାର ପ୍ରତିବାଦକୁ ସାମନା କରି ଅଟଳ ରହିବାର ବିରଳ ଦକ୍ଷତା ବିଜୁ ବାବୁଙ୍କର ଥିଲା। ତେବେ ସ୍ଵାଭାବିକ ଭାବରେ ଯେଉଁ ଯୁବକମାନେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଆକ୍ରମଣ କରିଥିଲେ ତାଙ୍କୁ ପୋଲିସ ଗିରଫ କରିଥିଲା। ସଭାପରେ ନିଜେ ମୁଖ୍ୟମନ୍ତ୍ରୀ ଥାନାକୁ ଯାଇ ଆକ୍ରମଣକାରୀ ଯୁବକମାନଙ୍କୁ ଭେଟିଥିଲେ ଓ ସେମାନଙ୍କ ବିରୋଧରେ କୌଣସି କାର୍ୟାନୁଷ୍ଠାନ ନ ନେବାକୁ ପୋଲିସ କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତିବାଦକୁ ଗଣତନ୍ତ୍ରରେ ସାମନା କରିବା ପ୍ରତ୍ୟେକ ନେତାର ପ୍ରାଥମିକ ଦାୟିତ୍ଵ ଓ ପ୍ରତିବାଦକୁ ସାମ୍ନା କରିପାରିବାର କଳା ରାଜନୀତିରେ ତିଷ୍ଠିବାର ସବୁଠୁ ବଡ ଆବଶ୍ୟକତା। ତେବେ ସମୟକ୍ରମେ ପ୍ରତିବାଦକୁ ଡରିମରି ଅଭେଦ୍ୟ ସୁରକ୍ଷା ବଳୟରେ ରହିବା ଓ ପ୍ରତିବାଦକୁ ସନ୍ତ୍ରାସବାଦ ବୋଲି କହିବାର ଏକ ଅବାଞ୍ଛିତ ମାନସିକତା ଆମ ସମୟରେ ବଢିଉଠୁଛି। ଯିଏ ରାଜନୈତିକ ଭାବରେ କ୍ଷମତାରେ ଥିବା ଲୋକକୁ ବିରୋଧ କରୁଛି ତାକୁ ତୁରନ୍ତ ସନ୍ତ୍ରାସବାଦୀ, ସହରୀ ନକ୍ସଲ କିମ୍ବା ଦେଶଦ୍ରୋହୀ ବୋଲି କହିଦେବାର ଏକ ଦୁର୍ଭାଗ୍ୟଜନକ ସ୍ଥିତି ଆଜି ଦେଖାଦେଇଛି।

ଗତ ସପ୍ତାହରେ ଘଟିଥିବା ଦୁଇଟି ଘଟଣା, ଆମକୁ ଏପ୍ରକାର ଅଶୁଭ ସଙ୍କେତ ବିଷୟରେ ସଚେତନ କରାଇଦେବ। ପ୍ରଥମ ଘଟଣାଟି ହେଉଛି ଦେଶର ପାଞ୍ଚଜଣ ପ୍ରସିଦ୍ଧ ସମାଜକର୍ମୀ ଓ ମାନବାଧିକାର କର୍ମୀଙ୍କର ଗିରଫଦାରୀ। ଅଦାଲତରେ ବିଚାର ହେବା ପୂର୍ବରୁ ଏଇ ପାଞ୍ଚଜଣ ବିଶିଷ୍ଟ ନାଗରିକଙ୍କୁ ଦୁର୍ଦ୍ଦାନ୍ତ ନକ୍ସଲ ଭାବରେ ଗଣମାଧ୍ୟମରେ ଉପସ୍ଥାପନ କରିବାର ଅପପ୍ରୟାସ ମହାରାଷ୍ଟ୍ର ପୋଲିସ କରିଛି। ତେବେ ଏ ପ୍ରସଙ୍ଗର ବିଚାର ବେଳେ ସୁପ୍ରିମ କୋର୍ଟର ମାନ୍ୟବର ବିଚାରପତି ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ ଯାହା କହିଛନ୍ତି, ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରାଜ୍ଞ ବିଚାରପତିଙ୍କ ମତରେ ପ୍ରତିବାଦ ହେଉଛି ଗଣତନ୍ତ୍ରର ସୁରକ୍ଷା କବଚ। ଏହାକୁ ହଟେଇଦେଲେ ଗଣତନ୍ତ୍ରର ପ୍ରେସର କୁକର ଫାଟିଯିବ ବୋଲି କହି ସେ ଆମ ସମୟର ରାଜନୈତିକ ଅସହିଷ୍ଣୁତା ଆଡକୁ ସ୍ପଷ୍ଟ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

ଦ୍ଵିତୀୟ କଥାଟି ହେଉଛି ଏକ ବିମାନ ଯାତ୍ରାର କାହାଣୀ। ସୋଫିଆ ନାମ୍ନୀ ଜଣେ ଝିଅ ବିମାନଯାତ୍ରା କରୁଥିବା ସମୟରେ ତାମିଲନାଡ଼ୁର ବିଜେପି ସଭାନେତ୍ରୀଙ୍କୁ ଦେଖି, “ଫାଶିବାଦୀ ବିଜେପି ସରକାର ଡାଉନ ଡାଉନ” ବୋଲି ସ୍ଲୋଗାନ ଦେଇଥିଲେ। ହୁଏତ ବିମାନ ଯାତ୍ରାବେଳେ ଏପ୍ରକାର ଆଚରଣ ଅତିବେଶିରେ ପିଲାଳିଆ ଲାଗିପାରେ। ତେବେ ଏହାକୁ ନେଇ ବିଜେପି ନେତ୍ରୀ ଜଣକ ପୋଲିସରେ ଅଭିଯୋଗ କଲାବେଳେ ସୋଫିଆଙ୍କୁ ଉଗ୍ରବାଦୀ ଓ ହିଂସ୍ର ବୋଲି କହିବା ଅତୀବ ଚିନ୍ତାର ବିଷୟ। ସବୁଠୁ ବଡ କଥା ହେଉଛି ଏମିତି ଏକ ସାମାନ୍ୟ ଘଟଣାରେ ସୋଫିଆଙ୍କୁ ୧୫ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇବାର ନିଷ୍ପତ୍ତି। ଯଦିଓ ତାଙ୍କୁ ପରଦିନ ଜାମିନରେ ଛାଡିଦିଆଯାଇଛି , ତଥାପି ଏହି ଘଟଣା ଆମ ରାଜନେତାମାନଙ୍କ ଅସହିଷ୍ଣୁ ଚରିତ୍ରକୁ ପଦାରେ ପକେଇଦେଇଛି।

ଆପଣ ଭାବନ୍ତୁ, ସେ ଜାଗାରେ ଯଦି ବିଜୁ ବାବୁ ଥାନ୍ତେ, ତାହେଲେ କଣ ହୋଇଥାନ୍ତା! ବିଜୁ ବାବୁ ଝିଅଟିକୁ ଅତି ଆନନ୍ଦରେ ନିଜ ପାଖରେ ବସେଇ ତା ସହ ବେଶ ଗପ ଜମାଇଥାନ୍ତେ ଓ ବିମାନରୁ ଓଲ୍ଲାଇଲାବେଳକୁ ଝିଅଟି ବିଜୁ ବାବୁଙ୍କର ପ୍ରଶଂସିକା ପାଲଟି ସାରିଥାନ୍ତା। ବଡ ନେତାଙ୍କ ପାଖରେ ବଡ ହୃଦୟ ରହିବା ନିତାନ୍ତ ଜରୁରୀ। ତେବେ ଆମ ସମୟ ହେଉଛି ଛପନ ଇଞ୍ଚର ଛାତିରେ ବ୍ରଏଲର କୁକୁଡାର ହୃଦୟ ରଖିଥିବା  ନେତାମାନଙ୍କର। ଏମାନେ ଅଭେଦ୍ୟ ସୁରକ୍ଷା ବଳୟ ଭିତରେ ରହି ମଧ୍ୟ ପ୍ରଚଣ୍ଡ ଭୟ ଭିତରେ ବଞ୍ଚୁଛନ୍ତି।

ଗୋଟେ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରୁ ସନ୍ତ୍ରାସବାଦ ଓ ନକ୍ସଲ ସମସ୍ୟାର ମୂଳୋତ୍ପାଟନ କରିଦେବେ ବୋଲି କହୁଥିଲେ। ଏବେ କିନ୍ତୁ ତାଙ୍କୁ ତାଙ୍କ ଉପରେ ଆକ୍ରମଣର ଭୟ ଗ୍ରାସ କରିଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରୁ ନିଜର ମୃତ୍ୟୁ ଭୟକୁ ନେଇ ମୋଦୀ ଚମକପ୍ରଦ ରାଜନୀତି କରିଆସିଛନ୍ତି। ଇତିମଧ୍ୟରେ ବିଶିଷ୍ଟ ପତ୍ରିକା “ ଦି କାରାଭାନ” ଏ ସମ୍ପର୍କରେ ଏକ ତଥ୍ୟମୂଳକ ରିପୋର୍ଟ ଛାପିଛି। ନିର୍ବାଚନ ପୂର୍ବରୁ ନିଜ ଉପରେ ଆକ୍ରମଣର ଭୟକୁ ବିଜ୍ଞାପିତ କରିବାରେ ମୋଦୀଙ୍କ ଏକ ନିଜସ୍ଵ ମୋଡେଲ ରହିଛି ବୋଲି ଏହି ପତ୍ରିକା କହିଛି।

 ଆକ୍ରମଣର ଭୟ ହେତୁ ନେତାମାନଙ୍କର ସୁରକ୍ଷା ଚକ୍ର ଏତେ ବଢିଯାଉଛି ଯେ ଏବେ ସେମାନେ ଅପହଞ୍ଚ ମାନେ ହେଉଛନ୍ତି। ସେମାନଙ୍କ ସହ ଲୋକଙ୍କର ଆଉ କୌଣସି ପ୍ରତ୍ୟକ୍ଷ ସମ୍ପର୍କ ରହୁନାହିଁ। ଗଣତନ୍ତ୍ରରେ ଗଣ ସହିତ ଶାସନତନ୍ତ୍ରର ଏଇ ଦୂରତା ସବୁଠୁ ଚିନ୍ତାର ବିଷୟ। ୟୁରୋପର ଅନେକ ରାଜନେତା ଆଜିମଧ୍ୟ ସାଧାରଣ ବସ ବା ଟ୍ରେନ ରେ ଅଫିସ ଆସନ୍ତି। ଆମ ନେତାମାନେ କିନ୍ତୁ କ୍ରମଶଃ ଏକ ଭିନ୍ନ ଗ୍ରହର ପ୍ରାଣୀ ଭଳି ମାନେ ହେଉଛନ୍ତି। ସେମାନେ ଲୋକଙ୍କୁ ଡରି ଲୋକଙ୍କଠୁ ଦୂରେଇ ରହିବା ସହିତ ଯଦି କିଏ ତାଙ୍କୁ ସାହସ କରି ବିରୋଧ କଲା ତାକୁ ଉଗ୍ରବାଦୀ ବୋଲି କହିବାର ଧୃଷ୍ଟତା କରୁଛନ୍ତି।

ତେବେ ଗଣତନ୍ତ୍ରରେ ପ୍ରତିବାଦର ସାହସକୁ ସଂତ୍ରାସ ବୋଲି ଯେତେ କହିଲେ ମଧ୍ୟ ପରିଶେଷରେ ପ୍ରତିବାଦର ବିଜୟ ସୁନିଶ୍ଚିତ ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026

ଲୋକସଭା ଏବଂ ରାଜ୍ୟସଭାରେ ଜନ ବିଶ୍ୱାସ ବିଲ୍- ୨୦୨୬ ପାସ୍

April 3, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 3, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଏସିଆ ଉପରେ ଗଠିତ ମନ୍ତ୍ରୀଗୋଷ୍ଠୀର ଦ୍ୱିତୀୟ ବୈଠକ

April 3, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ବିଜୟ ପରେ କେଉଁ ସ୍ଥାନରେ ରହିଲା SRH, ଜାଣନ୍ତୁ ପଏଣ୍ଟ ଟେବୁଲ

April 3, 2026

ଦଣ୍ଡ ନାଚରେ ଅଶ୍ଳୀଳତା ପ୍ରସଙ୍ଗ: କାରଣ ଦର୍ଶାଅ ନୋଟିସ ଜାରି କଲେ ଛତ୍ରପୁର ତହସିଲଦାର

April 3, 2026

ପାକିସ୍ତାନ ଉପରେ ଆଫଗାନିସ୍ତାନର ସର୍ଜିକାଲ୍ ଷ୍ଟ୍ରାଇକ୍: ୩ ପାକିସ୍ତାନୀ ସୈନିକ ନିହତ

April 3, 2026

ରାଜ୍ୟର ୧୮୮୯ ଟି ନୂତନ ଅଙ୍ଗନବାଡ଼ି ଗୃହ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

April 3, 2026

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.