Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିଜେ ନିଜର ଚକ୍ରବ୍ୟୁହରେ ଓଡିଆ ଗଣମାଧ୍ୟମ, ମାଲିକର ରାଜନୈତିକ ଢୋଲକି ମାଡରେ ସାମ୍ବାଦିକର ବାଉଁଶରାଣୀ ଖେଳ
ବିଶେଷ ଖବର

ନିଜେ ନିଜର ଚକ୍ରବ୍ୟୁହରେ ଓଡିଆ ଗଣମାଧ୍ୟମ, ମାଲିକର ରାଜନୈତିକ ଢୋଲକି ମାଡରେ ସାମ୍ବାଦିକର ବାଉଁଶରାଣୀ ଖେଳ

August 13, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଓଡିଶାର ସବୁଠୁ ବଡ ଟେଲିଭିଜନ ଚାନେଲ ଗତ କିଛିଦିନ ହେଲା କେବଳ ନିଜକୁ ହିଁ ମୁଖ୍ୟ ଖବର ଭାବେ ଉପସ୍ଥାପନ କରିଚାଲିଛି। ସରକାରୀ ଆକ୍ରୋଶର ଅଭିଯୋଗ ଆଣି ନିଜକୁ ପୋଲିସର ନାଲିଆଖି ଆଗରେ ଅସହାୟ ବୋଲି ଯେତେବେଳେ ଏକ ଗଣମାଧ୍ୟମ ସଂସ୍ଥା କହେ, ତାହା ଚିନ୍ତାଜନକ ନିଶ୍ଚୟ। ତେବେ ଭାରତରେ ଏମିତି ସରକାରୀ ନାଲିଆଖିର ଲମ୍ବା ଇତିହାସ ରହିଛି ଓ ତାକୁ ଦୃଢତାର ସହିତ ଗଣମାଧ୍ୟମ ଅତିକ୍ରମ କରିଥିବାର ସାହସୀ ଉଦାହରଣ ମଧ୍ୟ ରହିଛି। ଜାତୀୟ ସ୍ତରରେ ଏନଡିଟିଭି ଓ ଡିଜିଟାଲ ସଂସ୍ଥା “ଦି ୱାୟାର” ବିରୋଧରେ ଅଗଣିତ ଆକ୍ରମଣ ହୋଇ ଆସୁଛି। ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କୁ ତାଙ୍କର ମତାମତ ଲାଗି “ଦେଶଦ୍ରୋହ” ଅପରାଧରେ ଫସାଇଦେବାର ହୀନ ଉଦ୍ୟମ ହୋଇଛି।

ଜାତୀୟ ହେଉ ବା ରାଜ୍ୟ ସ୍ତରୀୟ ଗଣମାଧ୍ୟମ ସଙ୍କଟ ସବୁଥିରେ ଓଡିଶାର ଗଣମାଧ୍ୟମ ସଂସ୍ଥା ଗୁଡିକ ସୁବିଧାବାଦୀ ଭୂମିକା ନିଭାଇଛନ୍ତି। ନିଜ ମାଲିକ ଯେଉଁ ଦଳରେ ଗଣମାଧ୍ୟମର ଗତି ସେଇ ଦଳ ଆଡକୁ- ଏହାହିଁ ଓଡିଆ ଗଣମାଧ୍ୟମର ସତ୍ୟ। ମୋ ଉପରେ ମାଡ ପଡିଲେ ମୁଁ ଚିତ୍କାର କରିବି ହେଲେ ଅନ୍ୟ ଉପରେ ଆକ୍ରମଣ ହେଲେ, ନଖରେ ନଖ ଘଷି ମଜା ଦେଖିବାର ଗୋଟେ ପୁରୁଣା ଅଭ୍ୟାସ ଆମର ରହିଛି। ତେଣୁ ଯେତେବେଳେ ଯେ କୌଣସି ସଂସ୍ଥା ଆକ୍ରମଣର ଶିକାର ହେଉଛନ୍ତି, ତାହା ତାଙ୍କ ନିଜ ଏଜେଣ୍ଡାର ପରିଣତି ବୋଲି କୁହା ଯାଉଛି। ବାସ୍ତବରେ ଏହାହିଁ ଗଣମାଧ୍ୟମର ସବୁଠୁ ବଡ ସଙ୍କଟ।

ଆଜି ଗଣମାଧ୍ୟମ ନିଜର ସ୍ବାଧିନତାକୁ ନିଜେ ବନ୍ଧା ପକେଇ ଦେଇଛି। ସମ୍ବିଧାନ ଓ ଗଣତନ୍ତ୍ର ପ୍ରତି ଆନୁଗତ୍ୟ ଅପେକ୍ଷା ମାଲିକଙ୍କ ଦଳ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବାକୁ ସାମ୍ବାଦିକତା ବୋଲି କୁହାଯାଉଛି। ନିଜେ ସ୍ଵାଧୀନ ବିଚାର ରଖିବାରେ ଅସମର୍ଥ ଏହି ବଡ ବଡ ସଂସ୍ଥା ଗୁଡିକ ପୂରା ସାମ୍ବାଦିକତାର ସ୍ବାଧିନତାକୁ ଖାଇ ସାରିଲେଣି। “ଅଭିବ୍ୟକ୍ତିର ସ୍ଵାଧୀନତା” କୁ ବଞ୍ଚାଇ ରଖିବା ଗଣମାଧ୍ୟମର ପ୍ରାଥମିକ ଦାୟିତ୍ଵ। ତେବେ ଅଭିବ୍ୟକ୍ତିର ସ୍ଵାଧୀନତା ସହିତ ରାଜନୈତିକ ଏଜେଣ୍ଡାର ସଂସର୍ଗ, ଗଣମାଧ୍ୟମକୁ ଲୋକଙ୍କ ଆଖିରେ ବ୍ୟଭିଚାରୀ କରି ସାରିଛି। ଲୋକେ ଗଣମାଧ୍ୟମକୁ ଏବେ ଆଉ ବିଶ୍ଵାସ କରିବାକୁ ପ୍ରସ୍ତୁତ ନୁହନ୍ତି।

ଗଣମାଧ୍ୟମର ପାଠକ ଓ ଦର୍ଶକ ମଧ୍ୟ ଏବେ ଦଳୀୟ ବିଚାରରେ ଦୁଇ ଭାଗ ହୋଇସାରିଛନ୍ତି। ଓଡିଶାରେ ଏବେ ଦୁଇ ପ୍ରମୁଖ ଶାସକ ଦଳ ହାତରେ ଗଣମାଧ୍ୟମର ଲଗାମ ରହିଛି ବୋଲି ଲୋକ ଜାଣନ୍ତି। ଆପଣ ଯଦି ବିଜେପିର ଆଲୋଚନା କରୁଛନ୍ତି  ତାହେଲେ ଆପଣ ବିଜେଡି ଲୋକ ଓ ଯଦି ବିଜେଡି କୁ ପ୍ରଶ୍ନ କରୁଛନ୍ତି, ତାହେଲେ ଆପଣ ବିଜେପି ଲୋକ ବୋଲି ଏକ ବିଚିତ୍ର ଧାରଣା ଏବେ ଲୋକଙ୍କ ମନରେ ବସା ବାନ୍ଧି ସାରିଛି। ମଝିରେ ଆଉ ତୃତୀୟ ବିଚାର ବା ତୃତୀୟ ପକ୍ଷ ନାହିଁ ବୋଲି ଏହି ଗଣମାଧ୍ୟମର ଲୋକେ ହିଁ ଏକ ଧାରଣା ତିଆରି କରିଛନ୍ତି। ସେଥିଲାଗି  ଗଣମାଧ୍ୟମ ଯେମିତି ମାଲିକର ରାଜନୈତିକ ସ୍ବାର୍ଥକୁ ନେଇ ବିଭାଜିତ, ଦର୍ଶକ ଓ ପାଠକ ମଧ୍ୟ ନିଜ ରାଜନୈତିକ ଆନୁଗତ୍ୟକୁ ନେଇ ସେମିତି ବିଭାଜିତ। ସତ କହିବାକୁ ଗଲେ, ଗଣମାଧ୍ୟମ ଗତ ୬/୭ ବର୍ଷରେ ନିଷ୍ଠାପର ପାଠକ ବା ଦର୍ଶକ ତିଆରି ନକରି “ଟ୍ରୋଲ” ତିଆରି କରିଚାଲିଛି। ଏହି “ଟ୍ରୋଲ” ମାନେ ଏବେ ଗଣମାଧ୍ୟମକୁ ପ୍ରତିଦିନ ଯୋଗ୍ୟତା ପ୍ରମାଣପତ୍ର ବାଣ୍ଟୁଛନ୍ତି।

ମାତ୍ର ଅଳ୍ପ କିଛି ଗଣମାଧ୍ୟମ ସଂସ୍ଥାକୁ ବାଦ ଦେଲେ ଏବେ ପ୍ରାୟ ସବୁ ଟେଲିଭିଜନ ଚାନେଲ/ ଖବର କାଗଜ ବା ଡିଜିଟାଲ ସଂସ୍ଥା କୌଣସି ନା କୌଣସି ରାଜନୈତିକ ଦଳର “ଟ୍ରୋଲ କାରଖାନା” ଭାବେ କାମ କରୁଛନ୍ତି। ନିଜକୁ ନିରପେକ୍ଷ ବୋଲି କହିବା ବେଳେ ସବୁ ସଂସ୍ଥା ଜାଣନ୍ତି ଯେ ତାହା ହିଁ ସବୁଠୁ ବଡ ମିଛ। ଗଣମାଧ୍ୟମର ବୈଚାରିକ ଆନୁଗତ୍ୟ ଥାଏ, ତାହା ରହିବା ଉଚିତ। ହେଲେ ଦଳୀୟ ଆନୁଗତ୍ୟ ଓ ମାଲିକଙ୍କ ସ୍ଵାର୍ଥର ଏଜେଣ୍ଟ ଭାବେ କାମ କରୁଥିବା ଗଣମାଧ୍ୟମକୁ ସାଧାରଣ ଲୋକ ଭରସା କରିବ କାହିଁକି?

ମାଲିକର ସ୍ଵାର୍ଥ ତଥା ମାଲିକ କାମ କରୁଥିବା ଦଳ ପ୍ରତି ନିଜର ଆନୁଗତ୍ୟ ଦେଖାଇବାର ପ୍ରକ୍ରିୟାରେ ସବୁଠୁ ଅଧିକ ପୀଡା ଯିଏ ପାଏ, ସେ ହେଉଛି ସାମ୍ବାଦିକ। ଆଜିର ମହାମାରୀ ସମୟରେ ବହୁ ସାମ୍ବାଦିକ ନିଜର ଚାକିରି ହରାଇ ବସିଛନ୍ତି। ପ୍ରତିଦିନ ବିଭିନ୍ନ ଖବର କାଗଜ ଓ ଟେଲିଭିଜନ ଚାନେଲରୁ ସାମ୍ବାଦିକ ଛଟେଇ ହେଉଛନ୍ତି। ସେମାନଙ୍କ ବିଷୟରେ ଧାଡିଏ ଖବର ଆଜି ପର୍ୟନ୍ତ ବାହାରି ନାହିଁ କି ଆଗକୁ  ବାହାରିବାର ସମ୍ଭାବନା ନାହିଁ। ସାମ୍ବାଦିକକୁ ମାଲିକର ରାଜନୈତିକ ଗୁଣ୍ଡା ଭାବରେ କାମ କରିବାକୁ ଦରମା ମିଳୁଛି ଓ ସେଇ କାମଟି କରୁଥିବା ଯାଏ ତାର ଚୁଲି ଚାଉଳ ରହିଛି। ଯେଉଁ ଦିନ ସେତକ କରିବାରେ ସେ ବିଫଳ ହେଲା ବା ତାଠୁ ଟିକେ ଅଧିକ ପାରଙ୍ଗମ ଗୁଣ୍ଡା ମାଲିକଙ୍କୁ ମିଳିଗଲା, ସେହିଦିନ ବେଚାରା ସାମ୍ବାଦିକର ଜୀବିକା ଖତମ ବୋଲି ଜାଣନ୍ତୁ।

ଓଡିଶାରେ ସବୁ ଗଣମାଧ୍ୟମ ମାଲିକମାନଙ୍କର ଦୁଇ ପ୍ରକାର ସ୍ଵାର୍ଥ ରହିଛି- ରାଜନୈତିକ ସ୍ଵାର୍ଥ ନଚେତ ବ୍ୟାବସାୟିକ ସ୍ଵାର୍ଥ। ଏହି ଦୁଇଟି ଭିତରେ ବାଉଁଶ ରାଣୀ ଭଳି ସାମ୍ବାଦିକ ଚାଲୁଛି। ମାଲିକ ଢୋଲକି ବଜାଇ ପଇସା ଆଦାୟ କରୁଛି। ବେଚାରା ସାମ୍ବାଦିକ ପତଳା ଦଉଡି ଉପରେ ଚାଲି ଚାଲି ଖେଳ ଦେଖାଉଛି। ମାଲିକର ଖେଳ ଆଗରେ ସାମ୍ବାଦିକର କାଳକୁ ବୁଝିବା ଅବସ୍ଥାରେ ଦର୍ଶକ ବା ପାଠକ ନାହାନ୍ତି। ସେମାନେ ତାଳି ମାରିବା କି ଗାଳି ଦେବା କାମଟି କରିବେ। ତାଙ୍କୁ ଲାଗୁଛି, ସବୁ ପଇସା ଖାଇ ଏ ଖେଳ ଚଲାଇଛନ୍ତି। ଟିଭିରେ ଦିଶୁଥିବା ସବୁ ମୁହଁ ବଡ ଅୟସ ଆରାମରେ ଅଛନ୍ତି ବୋଲି ଦର୍ଶକ ଭାବୁଛି।

ହେଲେ ଟେଲିଭିଜନ ପରଦାରେ ସିଂହ ଭଳି ଗରଜୁଥିବା ସାମ୍ବାଦିକଟି ଯେ ମାଲିକ ଆଗରେ ସାମାନ୍ୟ ଚୁଚୁନ୍ଦ୍ରା ମାତ୍ର , ଏ କଥା ଟି ବୁଝିବ କିଏ??

Share. Facebook Twitter LinkedIn Email WhatsApp Copy Link

Related Posts

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026
Latest News

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ଏକ ଦଶନ୍ଧିରେ ଟ୍ରେନ ଦୁର୍ଘଟଣାରେ ୬୦% ଓ ମୃତ୍ୟୁ ୧୭% ହ୍ରାସ: ଅଶ୍ଵିନୀ ବୈଷ୍ଣବ

March 19, 2026

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରାୟଗଡା ଡିଭିଜନ ନିରୀକ୍ଷଣ

March 19, 2026

୭୦ କେଜି ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.