କେଦାର ମିଶ୍ର
ଜୀବିକା ଉଜୁଡି ଗଲେ, ଲୋକେ ତାକୁ ଖବର ବୋଲି ଭାବନ୍ତି ନାହିଁ। ଚାଷୀ ଋଣ ଶୁଝି ନ ପାରି, ଆତ୍ମହତ୍ୟା କଲେ, ତାକୁ ବି ଆମେ ଖବର ବୋଲି ବିଚାର କରୁନା। ଆମ ପାଇଁ ସବୁଠୁ ବଡ ଖବର ହେଉଛି, ବଲିଉଡ, କ୍ରିକେଟ ଓ ରାଜନୈତିକ ତାମଶାବାଜି। ଗତ କାଲି, ଯେତେବେଳେ ସୁପ୍ରିମ କୋର୍ଟ କହିଲେ ଯେ ଆତ୍ମହତ୍ୟା କରିଥିବା ସିନେମା ତାରକା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ ସିବିଆଇ କରିବ, ବହୁ ଲୋକ କହିଲେ ଆମକୁ ନ୍ୟାୟ ମିଳିଗଲା। ଏହି ସମାନ ସମୟରେ ଚାକିରି ହରାଇ କେତେ ଲୋକ ଆତ୍ମହତ୍ୟା କରିଛନ୍ତି, ତାର ହିସାବ କାହା ପାଖରେ ଅଛି କି? ସେମାନଙ୍କ ପାଇଁ ନ୍ୟାୟ କିଏ ଦେବ? ମାର୍ଚ୍ଚ-ଏପ୍ରିଲ ମାସରେ ଲକ ଡାଉନର ବିପତ୍ତିକୁ ସାମ୍ନା କରିବାକୁ ଯାଇ ଲକ୍ଷ ଲକ୍ଷ ଲୋକ ରାସ୍ତାରେ ଚାଲି ଚାଲି ଗଲେ। ସେମାନଙ୍କ ଭିତରୁ ଅତି କମରେ ୫୦୦ ଲୋକ ପ୍ରାଣ ହରାଇଲେ। ସେମାନଙ୍କୁ କିଏ ନ୍ୟାୟ ଦେବ? ଗତ ଏପ୍ରିଲ ରୁ ଜୁଲାଇ, ଏହି ଚାରି ମାସରେ ଦେଶର ପ୍ରାୟ ଦୁଇ କୋଟି (ବାସ୍ତବ ସଂଖ୍ୟା ୧ କୋଟି ୮୦ ଲକ୍ଷ ୯୦ ହଜାର) ବେତନ ଭୋଗୀ ଲୋକଙ୍କର ଚାକିରି ଚାଲି ଯାଇଛି।
ଦେଶର ଜୀବିକା ଓ ଚାକିରି ପ୍ରସଙ୍ଗରେ ନିୟମିତ ସର୍ଭେ କରୁଥିବା ସଂସ୍ଥା “ଦି ସେଣ୍ଟର ଫର ମନିଟରିଙ୍ଗ ଇଣ୍ଡିଆନ ଇକୋନମି” ଜାରି କରିଥିବା ତଥ୍ୟ ଅନୁଯାୟୀ ଗତ ଚାରି ମାସରେ ଦେଶର ୧.୮ କୋଟି ଲୋକଙ୍କର ଚାକିରି ଚାଲି ଯାଇଛି। ଏହା “ଜୀବିକା” ନୁହଁ, ବେତନ ମିଳୁଥିବା ଚାକିରି। ଯେଉଁମାନେ ମାସ ପୂରିଲେ ଦରମା ପାଆନ୍ତି, ସେଇଭଳି ଲୋକଙ୍କର ଚାକିରି ଚାଲି ଯାଇଛି। ଜୀବିକା କ୍ଷେତ୍ରର ସ୍ଥିତିକୁ ଯଦି ଏହା ସହିତ ମିଶାଇ ଦିଆଯାଏ, ତାହେଲେ ସ୍ଥିତି ଆହୁରି ଗମ୍ଭୀର। ସିଏମଆଇଇ ଦେଇଥିବା ତଥ୍ୟ ଅନୁଯାୟୀ ଲକ ଡାଉନ ପରେ ଏପ୍ରିଲ ମାସରେ ୧.୭କୋଟି ଲୋକଙ୍କର ଚାକିରି ଚାଲି ଯାଇଥିଲା। ମଇ ମାସରେ ଆହୁରି ଅଧିକ ୧୦ ଲକ୍ଷ ଲୋକ ଚାକିରି ହରାଇଥିଲେ। ତେବେ ଜୁନ ମାସରେ ପ୍ରାୟ ୩୯ ଲକ୍ଷ ଲୋକ ନିଜ ଚାକିରି ଫେରି ପାଇଥିଲେ। କିନ୍ତୁ ଜୁଲାଇ ବେଳକୁ ଆହୁରି ୫୦ ଲକ୍ଷ ଲୋକଙ୍କ ଚାକିରି ଚାଲିଗଲା।
ବର୍ତ୍ତମାନ ସ୍ଥିତିରେ ପ୍ରତିଦିନ ଲୋକେ ନିଜର ଚାକିରି ଓ ରୋଜଗାର ହରାଇ ଚାଲିଛନ୍ତି। ଏପ୍ରିଲ-ମଇ ଲକ ଡାଉନ ଯୋଗୁଁ ଅର୍ଥନୀତି ପୂରା ବନ୍ଦ ରହିବା ଫଳରେ ଲୋକଙ୍କ ରୋଜଗାର ଚାଲିଯିବା ସ୍ଵାଭାବିକ। ଜୁନ ମାସରୁ ଅଳ୍ପ ଅଳ୍ପ ଅର୍ଥନୈତିକ ଗତିବିଧି ଆରମ୍ଭ ହୋଇଥିଲା। ତେବେ “ଅନଲକ” ପ୍ରକ୍ରିୟା ସହିତ କରୋନା ସଂକ୍ରମଣର ବ୍ୟାପକତା କାରଣରୁ ଅର୍ଥନୀତିର ସ୍ଥିତି ଆଜି ବି ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି। ଲୋକଙ୍କ ଚାକିରି କେବଳ ଚାଲି ଯାଉଛି, ତା ନୁହେଁ, କର୍ମ ଯୋଗାଣ କରୁଥିବା ସଂସ୍ଥା ଗୁଡିକ ମଧ୍ୟ ବନ୍ଦ ହୋଇ ଚାଲିଛନ୍ତି। ପାଞ୍ଚ ମାସ ହେଲାଣି ଦେଶର ପରିବହନ, ପର୍ଯ୍ୟଟନ, ତୀର୍ଥାଟନ, ରେଳବାଇ, ମନୋରଞ୍ଜନ, କ୍ରୀଡା ଇତ୍ୟାଦି କ୍ଷେତ୍ରରେ ପୂରା ତାଲା ପଡିଛି। ଏହି ସବୁ କ୍ଷେତ୍ରରେ କମ କରୁଥିବା କର୍ମଚାରୀମାନେ ଏବେ ସଂପୂର୍ଣ୍ଣ ବେକାର।
“ୱାର୍କ ଫ୍ରମ ହୋମ” ବ୍ୟବସ୍ଥାରେ କାମ କରୁଥିବା ଆଇଟି କ୍ଷେତ୍ରରେ ମଧ୍ୟ ସମ୍ପ୍ରତି ବ୍ୟାପକ ଛଟେଇ ଚାଲିଛି। ଏତେ ସଂଖ୍ୟକ ନିୟମିତ ଦରମା ପାଇ କାମ କରୁଥିବା ଲୋକଙ୍କ ଚାକିରି ଚାଲିଗଲେ, ତାର ପ୍ରଭାବ ଅର୍ଥନୀତିର ମେରୁଦଣ୍ଡ ଉପରେ ପଡିବା ସ୍ଵାଭାବିକ। ଗତ ଚାରି ମାସରେ ସ୍ଥାୟୀ ରୋଜଗାର ଚାଲିଯିବାର ସଙ୍କଟ ଆମର ଅର୍ଥନୀତିକୁ ଅତିମାତ୍ରାରେ ଦୁର୍ବଳ କରିଛି।
ଏହି ସମୟ ଭିତରେ ଅସଂଗଠିତ କ୍ଷେତ୍ରରେ ମଧ୍ୟ ବ୍ୟାପକ ରୋଜଗାର ଚାଲି ଯାଇଥିବାର ତଥ୍ୟ ମିଳିଛି। କେବଳ ଏପ୍ରିଲ ମାସରେ ୧୨.୧୫ କୋଟି ଲୋକଙ୍କର ଚାକିରି ଯାଇଛି। ମଇ ମାସରେ ୧୦ କୋଟି, ଜୁନରେ ୩ କୋଟି ଏବଂ ଜୁଲାଇ ରେ ୧.୧ କୋଟି ରୋଜଗାର କ୍ଷୟ ହୋଇଛି। ଅଣସଙ୍ଗଠିତ କ୍ଷେତ୍ରରେ ଆସ୍ତେ ଆସ୍ତେ ଲୋକ ନିଜର କମ ଫେରି ପାଉଛନ୍ତି। ତେବେ ଗତ ଚାରି ମାସ ଧରି ଏତେ ଲୋକଙ୍କର ରୋଜଗାର ଚାଲିଯିବା କାରଣରୁ ଆମର ଜୀବନ ଓ ଜୀବିକା ବିପର୍ୟସ୍ତ ହୋଇପଡିଛି।
ସବୁଠୁ ଚିନ୍ତାର ବିଷୟ ହେଉଛି, ଦେଶରେ ଅର୍ଥନୀତି ଓ ରୋଜଗାରକୁ ନେଇ କୌଣସି ଚିନ୍ତା ଇ ନାହିଁ। ଆମର ଗଣମାଧ୍ୟମରେ ରାମ ମନ୍ଦିର, ସୁଶାନ୍ତ ସିଂ ରାଜପୁତ, ରଫାଲେ ଯୁଦ୍ଧ ବିମାନ ଛାଇକି ରହିଥିବା ବେଳେ ଲୋକଙ୍କର ମୌଳିକ ସମସ୍ଯା କଥାକୁ ଚତୁରତାର ସହିତ ଆଡେଇ ଦିଆ ହେଉଛି। ରାଜନୀତିର ପଶାପାଲିରେ ଅର୍ଥନୀତି ଏବଂ ଜୀବିକାର କୌଣସି ମୂଲ୍ୟ ଇ ନାହିଁ। ଲକ ଡାଉନ ଯୋଗୁଁ ଚାକିରି ହରାଇଥିବା ଓ ସେହି ଦୁଃଖରେ ମୃତ୍ୟୁକୁ ସାମ୍ନା କରିଥିବା ଲୋକଙ୍କ କଥା ଆଜି ଚର୍ଚ୍ଚା ହେଉନାହିଁ। ଏବେ ସବୁକିଛି ଠିକ ଅଛି ବୋଲି ଦେଖାଇବାକୁ ଯାଇ, ଆମକୁ ପ୍ରତିଦିନ ନୂଆ ନୂଆ କାହାଣୀ ଶୁଣିବାକୁ ମିଳୁଛି।
ସିନେମା ତାରକାଙ୍କ ଲାଗି ନ୍ୟାୟ ମାଗୁଥିବା ଆମର ମଧ୍ୟବିତ୍ତ ଓ ଗଣମାଧ୍ୟମ, ଦୁଇ କୋଟି ବେକାରଙ୍କ ଲାଗି ନ୍ୟାୟ ମାଗିବେ କି?