ଗଣତନ୍ତ୍ର। ଏହି ଶବ୍ଦର ସଂଜ୍ଞା ବା ବ୍ୟାଖ୍ୟା ଦେବା ଅନାବଶ୍ୟକ, ଯାହାର ଶାବ୍ଦିକ ଅର୍ଥ ହିଁ ଅତ୍ୟନ୍ତ ବିଶାଳ। ମାତ୍ର ଗଣତନ୍ତ୍ରକୁ ସୁରକ୍ଷା ଓ ସୁଦୃଢ଼ କରିବାପାଇଁ ଏହାର ୪ଟି ସ୍ତମ୍ଭର ଭୂମିକା ସଂପର୍କରେ ଅବଗତ ହେବା ଆବଶ୍ୟକ । Legislative, Executive, Judiciary, Media । ଆଇନ୍ ପ୍ରଣୟନ ଓ ଜନସ୍ୱାର୍ଥ ସମ୍ବନ୍ଧିତ କାର୍ୟ୍ୟ ଦିଗରେ ଗଣତନ୍ତ୍ରର ପ୍ରଥମ ୩ ସ୍ତମ୍ଭର କାର୍ୟ୍ୟପନ୍ଥାକୁ ବାଦ୍ ଦେଇ, ଜନମତ ଜାଗରଣ ଓ ଜନତାର ସ୍ୱରକୁ ସୁଦୃଢ଼ କରିବାରେ ଗଣମାଧ୍ୟମ ବା ମିଡ଼ିଆର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶର ଶ୍ରମିକଠୁ ଆରମ୍ଭ କରି କୃଷକ, ଡ଼ାକ୍ତର ,ସୈନିକ, ଶାସକ ଓ ଆଇନପ୍ରଣେତାଙ୍କ ପର୍ୟ୍ୟନ୍ତ ସମସ୍ତେ ରାଷ୍ଟ୍ରନିର୍ମାଣରେ ନିଜର ଶ୍ରେଷ୍ଠ ଓ ଗୁଣାତ୍ମକ ଅବଦାନ ଦେଉଥିବା ବେଳେ, ଆମ ସଭିଙ୍କୁ ଗୋଟିଏ ବ୍ୟବସ୍ଥା ଭିତରେ ସୁରକ୍ଷା ଦେଉଥିବା ଗଣତନ୍ତ୍ରର ସୁରକ୍ଷା ଓ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ସମ୍ବିଧାନର ମର୍ୟ୍ୟାଦା ଓ ସୁରକ୍ଷାକୁ ସର୍ବାଗ୍ରେ ଧ୍ୟାନ ଦେବାର ଆବଶ୍ୟକତା ଅଛି । ମାତ୍ର ଦୁଃଖର ବିଷୟ , ଭାରତର ପ୍ରାୟ ଅର୍ଦ୍ଧାଧିକ ମୁଖ୍ୟସ୍ରୋତରେ କାର୍ୟ୍ୟରତ ଗଣମାଧ୍ୟମ ଆଜି ବିପଥଗାମୀ। ସେମାନଙ୍କ କାର୍ୟ୍ୟଶୈଳୀ ଦେଶର ଜନତାକୁ ପଥଭ୍ରଷ୍ଟ କରିବା ସହ ରାଷ୍ଟ୍ରସୁରକ୍ଷା ଦିଗରେ ଏକ ବଡ଼ ବିପଦ ସଦୃଶ ଉଭା ହୋଇଛି ।
ଏ ଦିଗରେ ଚର୍ଚ୍ଚା କରିବା ପୂର୍ବରୁ, ଏକ ଅନ୍ତର୍ଜାତୀୟ ରିପୋର୍ଟ ଉପରେ ଟିକେ ନଜର ପକାନ୍ତୁ। ଅଷ୍ଟ୍ରେଲିଆର ଏକ ଘରୋଇ ସଂସ୍ଥା “Institute For Economics and Peace ” ଦ୍ୱାରା ପ୍ରକାଶ କରାଯାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଭାବୀ ରିପୋର୍ଟ The Global Terrorism Index ” । ୧୬୩ଟି ଦେଶ ଉପରେ ଆତଙ୍କବାଦର ପ୍ରଭାବ ସଂପର୍କରେ ଏକ ଅନୁଶୀଳନ । ନିର୍ଦ୍ଧିଷ୍ଟ ଦେଶମାନଙ୍କ ଉପରେ ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣ , ଏଥିସହିତ ଜଡ଼ିତ ମୃତାହତଙ୍କ ସଂଖ୍ୟା ଓ ଧନଜୀବନ କ୍ଷୟକ୍ଷତିକୁ ମାପଦଣ୍ଡ ନେଇ ପ୍ରସ୍ତୁତ କରାଯାଉଥିବା Global Terrorism Database’ (GTI) ର ତଥ୍ୟକୁ ଆଧାର କରି ପ୍ରକାଶ କରାଯାଏ ଏହି ରିପୋର୍ଟ ।
୨୦୧୯ ର ତଥ୍ୟ ଉପରେ ପରିବେଷିତ IEP ର ସଦ୍ୟ ପ୍ରକାଶିତ ରିପୋର୍ଟରେ ଭାରତର Ranking ‘GTI’ ରେ ୭ ଅଛି । ଅର୍ଥାତ୍ ସାରାବିଶ୍ୱରେ ଆତଙ୍କବାୀଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଓ ପ୍ରଭାବିତ ହେଉଥିବା ଦେଶମାନଙ୍କ ଭିତରେ ଭାରତର ସ୍ଥାନ , ୧୬୩ରୁ ୭ ନମ୍ବରରେ ରହିଛି।
ଆପଣ ଭାବୁଥିବେ ଏଥିରେ ଅସ୍ୱାଭାବିକତା ରହିଲା କେଉଁଠି ? ଏମିତି ହେଇଥିବ ! ଗୋଟିଏ ଅନ୍ତର୍ଜାତୀୟ ସଂସ୍ଥା, ଯାହାକି ବିଶ୍ୱର ପ୍ରାୟ ୯୯.୭% ଦେଶଙ୍କ ଉପରେ ଏହି ରିପୋର୍ଟ ଜାରି କରୁଛି, ନିଶ୍ତିତ କିଛି ପ୍ରାସଂଗିକତା ଥିବ ଏଥିରେ ! ହଁ, ପ୍ରାସଂଗିକତା ଅଛି । ପ୍ରଭାବ ବି ଅଛି । “World Economic Forum” ଦ୍ୱାରା ପ୍ରକାଶ କରାଯାଉଥିବା “Travel and Tourism Competitiveness Index ” , ଓ “Global Competitiveness Index ” ରେ “GTD” ର ତଥ୍ଯକୁ ଆଧାର ଭାବେ ନିଆଯାଇଥାଏ । “Economist Intelligence Unit ” ଦ୍ୱାରା ପ୍ରକାଶ କରାଯାଉଥିବା “Safe Cities Index”, “Walk Free Foundation ” ଦ୍ୱାରା ପ୍ରକାଶ କରାଯାଉଥିବା ” Global Slavery Report “ଦ୍ୱାରା ଜାରି କରାଯାଉଥିବା”GTD” ର ଆଙ୍ଖଡ଼ାକୁ ବ୍ୟବହାର କରାଯାଏ ।
ତେଣୁ “GTI” ରେ ଭାରତର ଖରାପ ସ୍ଥିତି, ଅନ୍ୟ ସବୁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ସୂଚକାଙ୍କରେ ଭାରତର ଖରାପ ପ୍ରଦର୍ଶନରେ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ପ୍ରମୁଖ ଭୂମିକା ନେଉଛି ।
ବର୍ତ୍ତମାନ ଟିକେ ନଜର ପକାନ୍ତୁ ଏହି ସଂସ୍ଥାର ନିଜସ୍ୱ ପ୍ରାସଂଗିକତା ଓ ଗୁରୁତ୍ୱ ଉପରେ। ୧୬୩ଟି ଦେଶ ଉପରେ ରିପୋର୍ଟ ପ୍ରକାଶ କରି ଚର୍ଚ୍ଚାରେ ରହୁଥିବା ଏହି Think-tank ସଂସ୍ଥାରେ ଅଛନ୍ତି ମାତ୍ର ୧୨ ଜଣ ସ୍ଥାୟୀ ସଦସ୍ୟ । ୧୨ ଜଣ ଅସ୍ଥାୟୀ ସଦସ୍ୟ।
ଆପଣମାନେ ଏଥିରୁ ଅନୁମାନ ଲଗେଇପାରୁଥିବେ ଏହି ସଂସ୍ଥାର ଗବେଷଣା ଓ ଅନୁସନ୍ଧାନ କେତେ ଶକ୍ତିଶାଳୀ ! କମ୍ ସଂଖ୍ୟା ଦୃଷ୍ଟିରୁ ଏହାର କାର୍ୟ୍ୟଦକ୍ଷତା ଉପରେ ପ୍ରଶ୍ନ କରିବା ଅନୁଚିତ୍ , ମାତ୍ର ଏହାର ତଥ୍ୟ ସଂଗ୍ରହ ପ୍ରକ୍ରିୟା ବିଷୟରେ ଜାଣିବାର ଅଛି, ଯାହାକି ଅତ୍ୟନ୍ତ ବ୍ୟବସ୍ଥିତ ଓ ସୁଦୃଢ଼ । ଆଜ୍ଞା ହଁ , ନିଜ କାର୍ୟ୍ୟାଳୟର କାର୍ୟ୍ୟକର୍ତ୍ତା ଆମ ଦେଶର ଏକ ଛୋଟ ଖାଇବା ହୋଟେଲର କର୍ମଚାରୀଙ୍କ ସଂଖ୍ୟାଠାରୁ କମ୍ ଥାଇ ମଧ୍ୟ, ଏହାର ତଥ୍ୟ ସଂଗ୍ରହ ପ୍ରଣାଳୀ ବେଶ୍ ଚମତ୍କାର ଓ ଶକ୍ତିଶାଳୀ । ବିଭିନ୍ନ ଦେଶର ମିଡ଼ିଆରେ ପ୍ରକାଶିତ ଖବର ,ଆଲେଖ୍ୟକୁ ଆଧାର କରି ଏମାନେ ନିର୍ଦ୍ଧାରଣ କରନ୍ତି ଦେଶର ପରିସ୍ଥିତି କ\’ଣ ଅଛି । ଗୋଟେ କାର୍ୟ୍ୟାଳୟର କୋଠରୀ ଭିତରୁ ୧୬୩ ଦେଶଙ୍କୁ ପାଠ ପଢ଼ାଇବା ବିଦ୍ୟା ବେଶ୍ ଭଲଭାବେ ଜଣା ଏମାନଙ୍କୁ । ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ ଥାଇ, ଏମାନେ ତଥ୍ୟ ସଂଗ୍ରହ କରିଥାନ୍ତି ବିଭିନ୍ନ Local News ରୁ, ଯାହାର ସତ୍ୟାସତ୍ୟ ବା ସରକାରୀ ତଥ୍ୟ ସହ ତାଳମେଳ କରିବାକୁ ଆବଶ୍ୟକ ମନେକରେନାହିଁ ଏହି ସଂସ୍ଥା ।
ଆମେ ସମସ୍ତେ ଭାରତବର୍ଷର ଅଧିବାସୀ ହୋଇବି , ଆମକୁ ଜଣାନାହିଁ ଆମେ ଆତଙ୍କବାଦୀଙ୍କ ପ୍ରକୋପରେ ଏତେ ପ୍ରଭାବିତ ବୋଲି ! ଦିନରାତି ଅଶାନ୍ତି ଲାଗି ରହୁଥିବା ଦେଶ ଯଥା ସାଉଥ୍ ସୁଡ଼ାନ , ଊଜ କଙ୍ଗୋ ,ପାଲେଷ୍ଟାଇନ୍ ଓ ଲେବାନନ୍ , ବର୍କିନା ଫେରୋ ଆଦି ଦେଶମାନଙ୍କ ସ୍ଥିତି ଠାରୁ ଭାରତର ସ୍ଥିତି ଆହୁରି ଖରାପ ବୋଲି ଦର୍ଶାଯାଉଛି । ଆପଣମାନେ ଜାଣି ସାରିଥିବେ ,ଭାରତର ଏ ଅପବାଦ ପଛରେ କାହାର ହାତ ଅଛି । ଏଇ କିଛି ବିଚାରହୀନ , ବିଭାଜନକାରୀ ଶକ୍ତି ଦ୍ୱାରା ପ୍ରାୟୋଜିତ ଗଣମାଧ୍ୟମ । Print ବା Electronic Media ହେଉ ବା Online News Agency ଏମାନଙ୍କ ଚମତ୍କାର ପରିବେଷଣ ଯିଏବି ଅନୁଧ୍ୟାନ କରିବ, ଲାଗିବ ଯେମିତି ଭାରତରେ ଆଉ କିଛି ହେଉନାହିଁ । ସବୁବେଳେ ହିନ୍ଦୁ-ମୁସଲିମ୍ , ଭାରତ-ପାକିସ୍ତାନ ,ମନ୍ଦିର-ମସଜିଦ୍ ,ଦଙ୍ଗା ,ସ୍ଥାନୀୟ ହିଂସା ଲାଗି ରହୁଛି। ଆପଣବି ଥରେ ଏ ଶସ୍ତା ଗଣମାଧ୍ୟମରୁ ଆଖି ଫେରାଇ ସମାଜକୁ ଦେଖନ୍ତୁ । ମୁଦ୍ଦା ସଂପୂର୍ଣ୍ଣ ଭିନ୍ନ! ନିଜ ଅଧିକାର ପାଇଁ ଆଜିବି ଦେଶର ଯୁବକ,ଶ୍ରମିକ,ଜନତା ରାଜରାସ୍ତାରେ,ହେଲେ ସେମାନଙ୍କୁ ସ୍ୱର ଦେବାକୁ କାହାର ଦେଖା ନାହିଁ । ଷ୍ଟୁଡ଼ିଓରେ ହଟଚମଟ କରୁଥିବା ପ୍ରସଂଗ ଆଉ କିଛି ଦର୍ଶାଉଛି ,ଯାହାର ରାଷ୍ଟ୍ରହିତ ସହ ସାମାନ୍ୟ ସମ୍ପର୍କ ହିଁ ନାହିଁ !
ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରିବାରେ ଆମର ପ୍ରମୁଖ ଗଣମାଧ୍ୟମ ମାନଙ୍କ ଭୂମିକାବି ଅତ୍ୟନ୍ତ ପ୍ରଭାବଶାଳୀ ଓ ଉଲ୍ଲେଖନୀୟ । ଆପଣମାନେ ଯଦି ଏମାନଙ୍କ ନମୂନା ଦେଖିଥିବେ, ତାହେଲେ ବେଶ୍ ଭଲଭାବେ ଅନୁଭବ କରି ପାରୁଥିବେ । ବହୁ ସମୟରେ ଟିଭି ଷ୍ଟୁଡ଼ିଓରେ ବି ବିଭିନ୍ନ ସଂପ୍ରଦାୟର ପ୍ରତିନିଧିଙ୍କ ମଧ୍ୟରେ ଉପୁଜୁଥିବା ବ୍ୟକ୍ତିଗତ ଆରୋପ ,ଆକ୍ରମଣ ,ଅନ୍ୟର ଧାର୍ମିକ ଭାବନାକୁ ଆଘାତ ଦେଉଥିବା ତଥା କିଛି ସମ୍ବେଦନହୀନ ବକ୍ତବ୍ୟ ପାଇଁ ମଧ୍ୟ News Anchor ମାନେ ପ୍ରମୁଖ ଦାୟିତ୍ୱ ତୁଲାଉଛନ୍ତି ।
ଏକଥା କହି ସମସ୍ତ ସାମ୍ବାଦିକ ବନ୍ଧୁ ବା ସମସ୍ତ ଗଣମାଧ୍ୟମ ସଂସ୍ଥାକୁ ଦୋଷ ଦେବା ବା ବଦନାମ କରିବାରେ ମୋର ଆଦୌ ଉଦ୍ଦେଶ୍ୟ ନାହିଁ । ଆଜିବି ମୁଖ୍ୟସ୍ରୋତରେ ଅନେକ ପ୍ରତିଷ୍ଠିତ ସଂସ୍ଥା କାର୍ୟ୍ୟରତ, ଯେଉଁମାନେ ଏସବୁ ନିମ୍ନମାନର କାର୍ୟ୍ୟରୁ ନିବୃତ୍ତ ରହି,ଜନତାର ସମସ୍ୟାକୁ ସାମ୍ନାକୁ ଆଣୁଛନ୍ତି । ବହୁ ବେସରକାରୀ ଓ ଲୋକଙ୍କ ଅର୍ଥରେ କାର୍ୟ୍ୟକାରୀ ଗଣମାଧ୍ୟମ ସଂସ୍ଥା, Internet ର ବିଭିନ୍ନ ମାଧ୍ୟମରେ ସାମ୍ନାକୁ ଆସିଲେଣି,ଯେଉଁମାନେ ପାରିପାର୍ଶ୍ୱିକ ପରିସ୍ଥିତିରେ ବିଭିନ୍ନ ବିପଦକୁ ଡ଼ରିନଯାଇ, ସରକାରଙ୍କ ଭୁଲକୁ ସାମ୍ନାକୁ ଆଣୁଛନ୍ତି , ଜନତାକୁ ସଚେତନ କରିବା ସହ ଏହିଭଳି କିଛି ଶସ୍ତା ଓ ବିକ୍ରିହୋଇଯାଇଥିବା ଗଣମାଧ୍ୟମର ମୁଖା ଖୋଲୁଛନ୍ତି । ଗଣତନ୍ତ୍ରର ମର୍ୟ୍ୟାଦାକୁ ତଳିତଳାନ୍ତ କରିବାକୁ ପଣ ନେଇଥିବା ଏକ ନିର୍ଦ୍ଧିଷ୍ଟ ଶକ୍ତିର ପ୍ରାକ୍-ପ୍ରାୟୋଜିତ ସମସ୍ତ ବ୍ୟବସ୍ଥା ଭିତରେ, ଏମିତି କିଛି ନିର୍ଭୀକ ପତ୍ରକାରଙ୍କ ଅବଦାନକୁ ଭାରତ ସବୁଦିନ ସମ୍ମାନର ସହ ମନେ ରଖିବ ।
ମାତ୍ର ଦେଶର ନାଗରିକ ଭାବେ ଆମକୁ ଭୁଲ୍ ଓ ଠିକ୍ ର ଅବଗତି ହେବାର ଅଛି । ଯେଉଁ କିଛି ମାନବ ସମାଜ-ବିରୋଧି ଶକ୍ତି, ଭାରତ ବିରୋଧରେ ଏ ଚକ୍ରାନ୍ତର ଅଂଶବିଶେଷ ସ୍ୱରୂପ ଏହିପରି ଗଣମାଧ୍ୟମକୁ ପ୍ରାୟୋଜିତ କରି ଦେଶର ଜନତାଙ୍କ ଭିତରେ ଶାନ୍ତି ନଷ୍ଟ କରିବାର ଅପଚେଷ୍ଟା କରୁଛନ୍ତି , ସେମାନଙ୍କୁ ଅନୁସରଣ କରିବାରୁ ଆମକୁ ନିବୃତ୍ତ ରହିବାକୁ ପଡ଼ିବ ।
ଏହିପରି କୌଣସି Index ରେ ଭାରତର ଖରାପ Ranking ଯୋଗୁ ଭାରତରେ ଉପନିବେଶ କ୍ଷତିଗ୍ରସ୍ତ ହେବ, ପର୍ୟ୍ୟଟକ କମିବେ, ଅର୍ଥନୀତି ନିମ୍ନଗାମୀ ହେବ ,ଏବଂ ପରିଶେଷରେ ଦେଶର ସାଧାରଣ ଜନତାହିଁ ହଇରାଣ ହେବେ, ଏହି କ୍ଷତି ସହିବେ । ଅନ୍ୟପକ୍ଷରେ ଏଇସବୁ ସଂକୀର୍ଣ୍ଣ ଚିନ୍ତାଧାରା ରଖୁଥିବା ସାମ୍ବାଦିକ ବା ଗଣମାଧ୍ୟମର ମାଲିକମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲରେ ସଫଳ ହେଉଥିବେ ।
ଭାରତରେ କାର୍ୟ୍ୟରତ ସୁପରିଚିତ ନ୍ୟୁଜ ଚ୍ୟାନେଲମାନଙ୍କରେ ସମ୍ବାଦ ପରିବେଷଣ ଓ ବିତର୍କର ପ୍ରଣାଳୀ ବିଷୟରେ ଆପଣମାନେ ବେଶ୍ ଭଲଭାବେ ଅବଗତ ଥିବେ, ସେସବୁ ଚର୍ଚ୍ଚା କରିବା ଅନାବଶ୍ୟକ । ଯେଉଁ ପ୍ରସଂଗ ଜନତାର ମୁଖ୍ୟ ଆବଶ୍ୟକତା ଓ ଅଧିକାର ପୂରଣ କରିବାରେ ସହାୟକ ହେବ, ସେସବୁକୁ ପଛକୁ ଠେଲି ଦେଇ, କିଛି ନିହାତି ନିମ୍ନମାନର,ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ପ୍ରସଂଗରେ ଦିନରାତି ବିତର୍କ ଚାଲୁଛି । ଗଣମାଧ୍ୟମର କାର୍ୟ୍ୟ ସରକାରଙ୍କୁ ପ୍ରଶ୍ନ କରିବା ସହ ସରକାରୀ ବ୍ୟବସ୍ଥାକୁ ସଜାଗ କରିବା ଜରୁରୀ, ମାତ୍ର ଆମେ ଦେଖୁଛେ ବିପରୀତ ଦୃଶ୍ୟ । ଏଠାରେ ଦିନରାତି ପ୍ରଶ୍ନ କରାଯାଉଛି ବିରୋଧିଙ୍କୁ । ଯିଏ ସରକାରଙ୍କୁ ପ୍ରଶ୍ନ କରିବାର ସାହସ କଲା, ଷ୍ଟୁଡ଼ିଓରେ ବସାଇ ତାକୁ ବିଭିନ୍ନ ପ୍ରଶ୍ନ କରିବା, ଅପମାନ କରିବା, ସରକାରୀ ପ୍ରବକ୍ତାଙ୍କ ସହ ତାଳ ଦେଇ ସଙ୍ଘବଦ୍ଧ ଭାବେ ଉକ୍ତ ବ୍ୟକ୍ତିଙ୍କୁ ଏକ ନିର୍ଦ୍ଧିଷ୍ଟ Agenda ସପକ୍ଷରେ ମତପୋଷଣ କରିବାକୁ ବାଧ୍ୟ କରିବା ବା ସେମିତି କିଛି ପରିସ୍ଥିତି ସୃଷ୍ଟି କରିବା , ଏମିତି କିଛି ବିଚିତ୍ର କାର୍ୟ୍ୟକଳାପ ଦେଖିବାକୁ ପଡୁଛି ମିଡ଼ିଆର । ଉଦାହରଣ ଦେବା ଅନାବଶ୍ୟକ,ଆପଣମାନେ ସବୁ ଜାଣୁଥିବେ ।
କିଛିଦିନ ତଳର ଖବର । ଭାରତରେ ନିଜକୁ ଯୋଗଗୁରୁ ଭାବେ ପ୍ରଚାର କରିଥିବା ଚତୁର ବ୍ୟବସାୟୀ ବାବା ରାମଦେବ, ବିଶ୍ୱର ପ୍ରଥମ କରୋନା ଔଷଧ ତାଙ୍କ ସଂସ୍ଥା ଦ୍ୱାରା ବିକଶିତ ହୋଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଯୁକ୍ତି ବାଢ଼ିଲେ ।ଏହାର ବୈଜ୍ଞାନିକ ସତ୍ୟାସତ୍ୟ, ସରକାରୀ ମାନ୍ୟତା ସଂପର୍କରେ ଜାଣିବା ତ ଦୂରର କଥା, ଏକ ପ୍ରାକ୍ ପ୍ରାୟୋଜିତ ପ୍ରକ୍ରିୟା ପରି ଯଥାଶୀଘ୍ର ଦେଶର ପ୍ରମୁଖ ଗଣମାଧ୍ୟମ ସବୁ ବାବାଙ୍କ କୀର୍ତ୍ତନରେ ଲାଗି ପଡ଼ିଲେ । ପ୍ରଚାରର Level ଏତେ ଉଚ୍ଚସ୍ତରର ଥିଲା ଯେ, ସେସବୁ ଅବର୍ଣ୍ଣନୀୟ । ଆପଣମାନେ ଦେଖି ସାରିଥିବେ, ଦେଖି ପାରିବେ ମଧ୍ୟ ।ପରବର୍ତ୍ତୀ ସମୟରେ ଆୟୁଷ ମନ୍ତ୍ରାଳୟର ହସ୍ତକ୍ଷେପ ପରେ ଏହି ବିଜ୍ଞାପନରେ ରୋକ୍ ଲାଗିଲା ଓ କରୋନା ଔଷଧ କହି ବ୍ୟବସାୟ ବଢ଼ାଇବା ସହ ଲୋକଙ୍କ ଜୀବନ ସହ ଖେଳିବାକୁ ଆରମ୍ଭ ହୋଇଥିବା ହୀନପ୍ରୟାସରେ କଟକଣା ଲାଗିଥିଲା ।
ଆପଣ ଭାବୁଥିବେ ଲାଭ କାହାର ହେଲା ? ଆଜ୍ଞା, ବାବା ରାମଦେବ ଓ ଏହିସବୁ ଗଣମାଧ୍ୟମ ସଂସ୍ଥା ମାନଙ୍କ ବ୍ୟବସାୟିକ ମଧୁଚନ୍ଦ୍ରିକା ବାବଦରେ ଆପଣମାନେ ଅଳ୍ପବହୁତ ଅବଗତ ଥିବେ। ଚିନ୍ତା କରିବାର ବିଷୟ , ସେମାନେ ତ ପରସ୍ପରର ବିଜ୍ଞାପନ କରି ଲାଭ ଉଠେଇଲେ, ଉଠେଇବେ ମଧ୍ୟ । ମାତ୍ର କ୍ଷତି ହେଲା କାହାର ? ଭକୁଆ ବନିଲା କିଏ ? ଆଉ କିଏ ? ଯାହାଠୁ ପଇସା ଲୁଟି ଏମାନେ ଦିନରେ ଯାତ୍ରା ଦେଖଉଛନ୍ତି ! ସେଇ ଜନତା, ଯିଏ ଏହି ଯାତ୍ରାକୁ ବିଶ୍ୱାସ କରି ସଂକ୍ରମଣ ଚିନ୍ତାରୁ ମୁକ୍ତି ପାଇଗଲା ବୋଲି ଖୁସିରେ ନାଚୁଥିଲା ! ତେଣୁ ଜନତାକୁ ଢ଼ାଲ କରି ମୂର୍ଖାମୀର ଅନ୍ଧକାରକୁ ଠେଲି ଦେଇ , ନିଜର ସ୍ୱାର୍ଥ ହାସଲ କରୁଥିବା ଏହି ସମ୍ବେଦନହୀନ ଗଣମାଧ୍ୟମ ସଂସ୍ଥାମାନଙ୍କ ଠାରୁ ଦୂରେଇ ରହିବାର ଆବଶ୍ୟକତା ଅଛି ।
ବର୍ତ୍ତମାନ ବି ଧନ୍ୟବାଦର ପାତ୍ର ସେଇ କିଛି ହାତଗଣତି ସାମ୍ବାଦିକ ଓ ସଂସ୍ଥା, ଯେଉଁମାନେ ଗେରୁ ଯୋଗବାବାଙ୍କ ସଂସ୍ଥା ପତଞ୍ଜଳି ଓ ଔଷଧର କାର୍ୟ୍ୟକାରିତା ଉପରେ ପ୍ରଶ୍ନ କରିଥିଲେ।
ଗତ ଜୁନ୍ ରେ UNFPA (United Nations Population Fund ) ଦ୍ୱାରା ପ୍ରକାଶିତ “State Of World Population Report :2020” ରେ ଭାରତ ସମ୍ବନ୍ଧରେ ଏକ କଠୋର ସତ୍ୟ, ଲଜ୍ଜା ଓ ଚିନ୍ତାଜନକ ବିଷୟ ସାମ୍ନାକୁ ଆସିଲା ।ଜନ୍ମପୂର୍ବରୁ ବା ପରେ ,କନ୍ୟା ସନ୍ତାନ ମାନଙ୍କ ସଂଖ୍ୟାରେ ହାନି (କନ୍ୟାଭ୍ରୁଣ ଓ ସନ୍ତାନ ହତ୍ୟା ଓ ଅନ୍ୟାନ୍ୟ କିଛି ଦିଗ)ରେ ଭାରତର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ବିଗତ ବର୍ଷ ମାନଙ୍କରେ ସାରା ବିଶ୍ୱରେ ଘଟିଥିବା ଏହି ସଂଖ୍ୟାର ୪୫% ଅବଦାନ ଭାରତର । ରିପୋର୍ଟରେ ଆହୁରି କିଛି ମଧ୍ୟ ସମ୍ବେଦନଶୀଳ ଦିଗ ଉପରେ ଆଲୋକପାତ କରାଯାଇଛି, ଯାହାର ତର୍ଜମା ହେବା ନିହାତି ଆବଶ୍ୟକ, ଦେଶରେ ଏକ ବୃହତ୍ତର ସାମାଜିକ ସୁଧାର ଆଣିବା ପାଇଁ । କେତେଜଣ ନ୍ୟୁଜ୍ ଚ୍ୟାନେଲ ଏ ପ୍ରସଂଗରେ ବିତର୍କ କରିଛନ୍ତି ? ସରକାରଙ୍କୁ ଚେତାଇଛନ୍ତି ? ନା, କାରଣ ଆପଣ ବୁଝିପାରୁଥିବେ ।
ବିଶ୍ୱକୁ ସୁନ୍ଦର, ସମାନ ଅଧିକାର ପ୍ରଦାନ ସ୍ୱରୂପ ତଥା ସମସ୍ତଙ୍କ ବସବାସଯୋଗ୍ୟ ଏକ ଆଦର୍ଶ ସ୍ଥାନକୁ ନେବାପାଇଁ ‘United Nations ‘ ଦ୍ୱାରା ‘Sustainable Development Goals ‘ Program ରେ ୧୭ ଟି Goal ଧାର୍ୟ୍ୟ କରାଯାଇଛି, ଯାହାକୁ ୨୦୩୦ ଭିତରେ ଏହାର ସଦସ୍ୟ ରାଷ୍ଟ୍ରମାନଙ୍କୁ ହାସଲ କରିବାକୁ ଅଛି । ଏହି ଲକ୍ଷ୍ୟ ହାସଲରେ ରାଷ୍ଟ୍ର ମାନେ ନେଉଥିବା ପଦକ୍ଷେପ ସମ୍ବନ୍ଧିତ ଚଳିତବର୍ଷ ପ୍ରକାଶିତ ରିପୋର୍ଟରେ ୧୯୩ଟି ଦେଶରୁ ଭାରତର ସ୍ଥାନ ରହିଛି ୧୧୭ ।
ଏ ରିପୋର୍ଟର କିଛି ପ୍ରାସଂଗିକତା ଅଛି ତ ? ଯଦି ହଁ, କେତେଟା ଭାରତୀୟ ଚ୍ୟାନେଲ୍ ଏ ପ୍ରସଂଗରେ ବିତର୍କ କରିଛନ୍ତି ? ବିରୋଧି ଦଳଙ୍କ ଶୋଚନୀୟ ଅବସ୍ଥାକୁ ପ୍ରାଧାନ୍ୟ ଦେଇ ଅତ୍ୟନ୍ତ ପ୍ରଫୁଲ୍ଲତାର ସହ ଖବର ପ୍ରସାରଣ କରୁଥିବା ଗଣମାଧ୍ୟମକୁ ଭାରତର ଏ ପ୍ରଦର୍ଶନ ଦେଖାଯାଉଛି ତ ?
ଆପଣମାନେ ଜାଣିଥିବେ ନେପାଳ ସହ ଭାରତର ସଂପର୍କ ବେଶ୍ ପୂରାତନ ଓ ନିବିଡ଼। ବର୍ତ୍ତମାନ ପରିବର୍ତ୍ତିତ ପରିସ୍ଥିତିରେ ଚାଇନା ଦ୍ୱାରା ପ୍ରଲୋଭିତ ହୋଇ, ନିଜର ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ନେପାଳର ପ୍ରଧାନମନ୍ତ୍ରୀ ଭାରତ ବିରୋଧରେ କିଛି ବୟାନ୍ ଦେଉଛନ୍ତି ।
ମାତ୍ର ନେପାଳର ସବୁ ଜନସାଧାରଣ ଯେ ଭାରତବିରୋଧି ହୋଇଗଲେ, ଏକଥା ଭୁଲ୍ । ନେତାଙ୍କ ରାଜନୈତିକ ଅଭିପ୍ସାକୁ ପୂରଣ କରିବାକୁ ରଚାଯାଉଥିବା ଏ ନାଟକରେ ଦେଶ-ଦେଶ ଭିତରେ ମଧ୍ୟ ଉତ୍ତମ ସଂପର୍କ ବଳବତ୍ତର ରହିପାରିବ, ଯଦି ଆମେ ଅର୍ଥାତ୍ ଦେଶର ଜନସାଧାରଣ ଚାହିଁବା । କୌଣସି ନିର୍ଦ୍ଧିଷ୍ଟ ଦଳର ସରକାର ଆଜି କ୍ଷମତାରେ ଅଛି, ହୁଏତ କାଲି ଆଉ କାହାର ସରକାର ଥିବ । ତେଣୁ ଏକଥା ଭାବିବା ଭୁଲ୍, ପ୍ରଧାନମନ୍ତ୍ରୀ କେ.ପି. ଓଲିଙ୍କ ସହ ସବୁ ନେପାଳବାସୀ ବି ଭାରତକୁ ବିରୋଧ କରୁଛନ୍ତି । ଠିକ୍ ଏହି ସମୟରେ ସ୍ଥିତିକୁ ଆହୁରି କଠିନ କରିବାକୁ ସାମ୍ନାକୁ ଆସିଛି ଭାରତର ମିଡ଼ିଆ । ପ୍ରମୁଖ ଗଣମାଧ୍ୟମ କିଛି ଖବର ପ୍ରସାରଣ କଲେ ଯେ, ନେପାଳରେ ନିଯୁକ୍ତ ଚାଇନା ଆମ୍ବାସାଡ଼ର୍ ,ଯିଏକି ଜଣେ ମହିଳା, ସେ ନେପାଳ ପ୍ରଧାନମନ୍ତ୍ରୀଙ୍କୁ Honey Trap ରେ ଫସାଇଛନ୍ତି । ଆରେ ବାବୁ, ତମକୁ ଯିଏ ଦାନା ଯୋଗଉଛନ୍ତି, ସେମାନଙ୍କୁ କହିଲନି ନେପାଳକୁ ଏମିତି ନିୟନ୍ତ୍ରଣ କରିବାକୁ ? ନା ଭାରତରେ ସେମିତି କିଛି ଆଧୁନିକ ଶକ୍ତି ନାହାନ୍ତି ? ଜଣେ ମହିଳାଙ୍କ ପଦମର୍ୟ୍ୟାଦା ଓ ଦକ୍ଷତାକୁ ଅପମାନିତ କରି ଏକ ଅତ୍ୟନ୍ତ Theory ରେ ତାଙ୍କୁ adjust କରିବା କେତେ ଯୁକ୍ତିଯୁକ୍ତ, ସେଇଟା ଆପଣମାନେ ବିଚାର କରନ୍ତୁ ।
ଆପଣମାନଙ୍କ ମନେଥିବ ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ \’ବିମୁଦ୍ରୀକରଣ \’ର ଘୋଷଣା କଲେ, ବହୁ ଗଣମାଧ୍ୟମ ଭକ୍ତିର ସୀମା ପାର କରିଦେଲେ । ନୋଟ୍ ରେ ଚିପ୍ ଲାଗିବ, ମାଟି ତଳେ ରଖିଲେବି ଏହା ସୂଚନା ଦେବ, ଦୁର୍ନୀତିକୁ ରୋକିବ । ଆଜ୍ଞା ହଁ, RBI ପୂର୍ବରୁ ଏ ଶସ୍ତାଦଳଙ୍କୁ ବି Guidelines ଜଣା ପଡ଼ିଯାଇଥିଲା ।
ଆପଣମାନେ ଏବେ ନୋଟ୍ ରେ ଚିପ୍ ଦେଖି ପାରୁଥିବେ, ହଁ, ଦେଖୁଥାନ୍ତୁ, ଏହାର ଲାଭ ଉଠେଇ ଦୁର୍ନୀତି ରୋକୁଥାନ୍ତୁ ଆଉ କିଛିଜଣ ଚୋରଙ୍କୁ ବି ମନେ ପକାଉଥାନ୍ତୁ ।
ରାମମନ୍ଦିରର ଭୂମିପୂଜନ ସମୟରେ କିଛି ଚ୍ୟାନେଲର ଷ୍ଟୁଡ଼ିଓରେ ମନ୍ଦିର ନିର୍ମାଣ କରିଦେଲେ। ଭଗବାନ୍ ଶ୍ରୀରାମଙ୍କ ଭକ୍ତି ବଦଳରେ ଏମାନଙ୍କ ଅଘୋଷିତ ମାଲିକର ଭକ୍ତି ସାରା ଭାରତ ଦେଖିଲା । ଶ୍ରୀରାମଙ୍କ ଜୀବନ ଆଦର୍ଶର ୧% ଗ୍ରହଣ କରୁନଥିବା ଦଲାଲ୍ ମାନେ ଆଜି ରାମଙ୍କ ଭକ୍ତ ସାଜିଛନ୍ତି । ତଥାପି ସବୁ ଠିକ୍ ଅଛି । ଠିକ୍ ରହିବ ମଧ୍ୟ । କାରଣ ପ୍ରଶ୍ନକର୍ତ୍ତାର ମୁହଁରେ ତାଲା ପକାଯାଇଛି ଓ ଚୋରମାନଙ୍କୁ ଅନର୍ଗଳ ଗପି, ଦେଶଦ୍ରୋହୀର ସାର୍ଟିଫିକେଟ୍ ବାଣ୍ଟିବାକୁ ଅଧିକାର ଦିଆଯାଇଛି ।
ଯେଉଁ ସାମ୍ବାଦିକ ସରକାରଙ୍କ ବିରୋଧରେ ସ୍ୱର ଉଠେଇଲେ, ସେମାନଙ୍କୁ ବ୍ୟକ୍ତିଗତ ସ୍ତରରେ ଗାଳିଗୁଲଜ ସହ ବିଭିନ୍ନ ପ୍ରକାର ଧମକ ଦିଆଯାଉଛି । ପତ୍ରକାର ଗୌରୀ ଲଙ୍କେଶଙ୍କ ହତ୍ୟା ଓ ଏଥିସହ ଜଡ଼ିତ ଘଟଣା ବିଷୟରେ ଆପଣ ଅବଗତ ଥିବେ ।
ପତ୍ରକାର ଗୀତା ସେଶୁ ଓ ଉର୍ବଶୀ ସରକାରଙ୍କ ଦ୍ୱାରା କରାଯାଇଥିବା ଏକ Study ‘ Getting Away With Murder ‘ ରେ ଏକଥା ସାମ୍ନାକୁ ଆସୁଛି ଯେ, ବିଗତ ୨୦୧୪ ରୁ ୨୦୧୯ ,ଏହି ୫ ବର୍ଷରେ ଭାରତରେ ୧୯୮ଟି ମରଣାତଙ୍କ ଆକ୍ରମଣ ସାମ୍ବାଦିକଙ୍କ ଉପରେ ହୋଇଛି ଓ ଏଥିରେ ୪୦ ଜଣଙ୍କୁ ହତ୍ୟା କରାଯାଇଛି ।ବିଡ଼ମ୍ବନାର ବିଷୟ , ମାତ୍ର ୨୫ ଟି କେଶ୍ ରେ ୠଓଜ କ୍ଷକ୍ଟୟଶର ହୋଇଛି । ଏବଂ ଏଥିମଧ୍ୟରୁ ୧୮ଟି କେଶ୍ ରେ ୠଓଜ ପରବର୍ତ୍ତୀ କୌଣସି କାର୍ୟ୍ୟକ୍ରମ ଗ୍ରହଣ କରାଯାଇନାହିଁ । ଧାର୍ମିକ ଦଙ୍ଗା ସୃଷ୍ଟିକାରୀ ଅସାମାଜିକ ତତ୍ତ୍ୱଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ସତ୍ୟକୁ ସାମ୍ନାକୁ ଆଣୁଥିବା ସାମ୍ବାଦିକ ।
ଚାଟୁକାରିତାର ସୀମା ଏତେ ପାର୍ ହୋଇଗଲାଣି, ତା ମଧ୍ୟରେ ଏମିତି କିଛି ସଚ୍ଚୋଟ ସାମ୍ବାଦିକଙ୍କ ପାଇଁ ତିଷ୍ଠିବା କଷ୍ଟକର ହୋଇଯାଇଛି ।
ପ୍ୟାରିସ୍ ରେ ଅବସ୍ଥାପିତ ପ୍ରତିଷ୍ଠିତ NGO ‘Reporters Without Borders ‘ ଦ୍ୱାରା ପ୍ରକାଶିତ ‘Press Freedom Index ‘ ରିପୋର୍ଟରେ ନଜର ପକାନ୍ତୁ ।ଗଣମାଧ୍ଯମର ସ୍ୱାଧୀନତା ଆଧାରରେ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟରେ ୧୮୦ଟି ଦେଶର Ranking ଦିଆଯାଇଛି । Norway ପ୍ରଥମ ସ୍ଥାନ ଓ North Korea ଶେଷ ସ୍ଥାନରେ ଥିବା ବେଳେ ଭାରତର Ranking ଅଛି ୧୪୨ ।
ଆପଣମାନେ ଏଥିରୁ ବୁଝିପାରୁଥିବେ ଭାରତରେ ଗଣମାଧ୍ୟମ କେତେ ସ୍ୱାଧୀନ ଭାବେ କାର୍ୟ୍ୟ କରୁଛି । କ୍ଷମତାକୁ ପ୍ରଶ୍ନ କରିବାକୁ ଉଦ୍ଦିଷ୍ଟ ବ୍ୟବସ୍ଥା ଯେତେବେଳେ ଚାଟୁକାରିତା ଆରମ୍ଭ କରିଦିଏ, ଦେଶ ବିପଥଗାମୀ ହୁଏ, ଏକଥା ଆପଣ ଭଲଭାବେ ବୁଝି ସାରିଥିବେ ।
ବେରୋଜଗାରୀ ଭାରତରେ ଚରମସୀମାରେ ପହଞ୍ଚିଛି । ଖାଲି କରୋନା ମହାମାରୀ ନୁହେଁ, ତା\’ ପୂର୍ବରୁ ମଧ୍ୟ ସମସ୍ତ ତଥ୍ୟ ହିସାବରେ, ଦୀର୍ଘ ୪୫ ବର୍ଷ ଭିତରେ ସର୍ବାଧିକ ବେରୋଜଗାରୀର ଶିକାର ବର୍ତ୍ତମାନ ଭାରତ ହୋଇଛି । ଯୁବକଙ୍କ ଏ ସମସ୍ୟା ଉପରେ କେତୋଟି ଗଣମାଧ୍ୟମ ନିୟମିତ ବିତର୍କ କରୁଛନ୍ତି ? ବିତର୍କ ତ ଦୂରର କଥା, ଖବର କେବେ ଦେଖେଇଛନ୍ତି ?
‘Yale University ‘ ଦ୍ୱାରା ପ୍ରକାଶିତ ‘ Environment Performance Index’ ରେ ୧୮୦ ଦେଶମାନଙ୍କ ଭିତରୁ ଭାରତର ସ୍ଥାନ ଅଛି ୧୬୮ । ‘Welthungerhilfe’ ଏବଂ ‘Concern Worldwide ‘ ଦ୍ୱାରା ଜାରି କରା ଯାଉଥିବା ‘World Hunger Index ‘ ରେ ୧୧୭ ଦେଶମାନଙ୍କ ଭିତରୁ ଭାରତର Rank ୧୦୨ । ଏହି Statistics ବୟାନ କରୁଛି ଭାରତର ଅସଲ ଚିତ୍ର କ\’ଣ ।ଅଘୋଷିତ ମାଲିକ ସରକାରର ଢ଼ୋଲକୁ ବଜାଇ, ବିକାଶର କାଳ୍ପନିକ ଦୁନିଆରେ ଆମକୁ ଭ୍ରମଣ କରାଉଥିବା ଗଣମାଧ୍ୟମ, ଥରେତ କେବେ ଭୋକିଲା ଭାରତର ନଗ୍ନଚିତ୍ର ସାମ୍ନାକୁ ଆଣୁ ! ସରକାରଙ୍କୁ ଲୋକଙ୍କ ପାଇଁ କାର୍ୟ୍ୟ କରିବାକୁ ବାଧ୍ୟ କରୁ ! ମାତ୍ର ନା, କାରଣ ଆପଣ ବୁଝି ପାରୁଥିବେ ।
ଏମିତି ଆଉକିଛି ଅନ୍ତର୍ଜାତୀୟ ରିପୋର୍ଟରେ ଭାରତର ସୂଚୀ ଅତ୍ୟନ୍ତ ନିରାଶଜନକ ରହୁଛି, ଯାହାର ଗଣମାଧ୍ୟମରେ ପୁଙ୍ଖାନୁପୁଙ୍ଖ ଚର୍ଚ୍ଚା ସହ ସରକାରଙ୍କୁ ଚେତାଇବାର ଆବଶ୍ୟକତା ରହୁଛି । ମାତ୍ର ସମସ୍ତ ସତ୍ୟକୁ ପଛରେ ପକାଇ ଲୋକଙ୍କ ଭାବାବେଗକୁ ପ୍ରଭାବିତ କରି ସମାଜକୁ କଳୁଷିତ କରୁଛି ଆଜିର ଗଣମାଧ୍ୟମ ।
ତେଣୁ ଭାରତର ସଚେତନ ନାଗରିକ ଭାବେ ବର୍ତ୍ତମାନ ସମୟ ଆସିଛି ,ଏ ମୁଖାପିନ୍ଧା ଗଣତନ୍ତ୍ର ବିଧ୍ୱଂସକାରୀ,ସରକାରୀ ଚାଟୁକାରଙ୍କୁ ବର୍ଜନ କରିବା ପାଇଁ । ନିଜ ସ୍ୱର ନିଜେ ଉତ୍ତୋଳନ କରିବା ପାଇଁ । ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ, ଆଧୁନିକ ଗଣତନ୍ତ୍ରରେ ସରକାରୀ ଦଳର ପ୍ରାୟୋଜିତ ମୁଖପାତ୍ର ଭୂମିକାରେ ଅବତୀର୍ଣ୍ଣ ହୋଇଛି। ବେଳ ଥାଉଥାଉ ଭାରତର ଯୁବସମାଜ ସଚେତନ ନହେଲେ, ଦିନ ଆସିବ, ଅଜାଣତରେବି ଏମାନଙ୍କ ଜାଲରେ ନିଜକୁ ଫସାଇ ସାଂପ୍ରଦାୟିକ ସଂପ୍ରୀତି, ଦେଶ ଭିତରେ ବଞ୍ଚିଥିବା \’ବିବିଧତା ମଧ୍ୟରେ ଏକତା\’ , ଭାରତୀୟତାର ଅନନ୍ୟ ପରିଚୟକୁ ନଷ୍ଟ କରିବାରେ ନିଜକୁ ଭାଗିଦାରୀ କରିବେ।
ସେତେବେଳେ, ଆଉ ପଛକୁ ଫେରିବାକୁ ବାଟ ନଥିବ। ଦେଶର ଭବିଷ୍ୟତକୁ ଅନ୍ଧାର କରି ଏହି ଆତ୍ମଘୋଷିତ ଗଣତନ୍ତ୍ରର ଚୌକିଦାର ମାନେ ନିଜ ବାଟ ଦେଖି ସାରିଥିବେ, ମିଳିଯାଇଥିବ ତାଙ୍କୁ ସେମାନଙ୍କ ପ୍ରାକ୍-ଚିତ୍ରିତ ସ୍ୱପ୍ନର ଭାରତ । ମାତ୍ର ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମ୍ନା କରୁଥିବେ ଏଇ ଜନତା, ଯାହାଠୁ ପଇସା ଲୁଟି ଆୟୋଜନ କରାଯାଉଥିବା ନାଗିନ୍ ନାଚରେ ସେଇ ଜନତା ଆଖିରେ ଆଙ୍ଗୁଠି ଗେଞ୍ଜି ତାକୁ ନଚାଯାଉଛି ।
ତୁର୍କୀ ସରକାର ଆଣିଥିବା ନୂଆ ନିୟମରେ ସେଠାକାର ସାମାଜିକ ଗଣମାଧ୍ୟମରେ ବି ରୋକ୍ ଲାଗିଛି । ମୁଖ୍ୟ ଗଣମାଧ୍ୟମ ସବୁ ସରକାରଙ୍କ ହିସାବରେ ଖବର ସାମ୍ନାକୁ ଆଣନ୍ତି । ଚାଇନା, ସିରିଆ , ଉତ୍ତର କୋରିଆ , Rwanda ଭଳି ଦେଶମାନଙ୍କ କଥା ନକହିବା ଭଲ ।ବେଳ ଥାଉଥାଉ ସାବଧାନ ନହେଲେ, ଆମକୁବି ସମାନ ଅବସ୍ଥା ଭୋଗିବାକୁ ହେବ, ଯାହା ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ଓ ଭୟଙ୍କର ବିପଦ।
ଏ ବେଳ ଆସିବା ଆଗରୁ ଆମକୁ ସାବଧାନ ହେବାକୁ ପଡ଼ିବ, ଅନ୍ୟମାନଙ୍କୁ ସଚେତନ କରିବାକୁ ହେବ । ଭୁଲକୁ ଭୁଲ୍ କହିବାର ସାହସ ରଖିବାକୁ ହେବ । ତାକୁ ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିବ। ଗଣତନ୍ତ୍ରର ସୁରକ୍ଷା ଓ ଦେଶର ଏକ ନିଶ୍ଚିତ ଭବିଷ୍ୟତ ପାଇଁ , ଆମକୁ ଏହି ସମ୍ବେଦନହୀନ, ଦାୟିତ୍ୱହୀନ କୁଚ଼କ୍ରାନ୍ତକାରୀ ଗୋଷ୍ଠୀଠାରୁ ନିଜକୁ ଦୂରେଇ ରଖିବାକୁ ହେବ । ଖାଲି ନିଜେ ନୁହେଁ, ଦାୟିତ୍ୱବାନ୍ ନାଗରିକ ଭାବେ ଅନ୍ୟମାନଙ୍କୁ ମଧ୍ୟ ଆଜିର ଆଧୁନିକ ଗଣତନ୍ତ୍ରରେ ଗଣମାଧ୍ୟମର ଏ ଚମତ୍କାରୀ ଅବତାର ବିଷୟରେ ବୁଝାଇବାକୁ ହେବ ।
ଗଣତନ୍ତ୍ରର ଜାଗ୍ରତ ପ୍ରହରୀର ଦ୍ୱାହି ଦେଇ ଗଣତନ୍ତ୍ରର ହତ୍ୟାକାରୀ, ଏ ବିକ୍ରି ହୋଇ ଯାଇଥିବା ଛଦ୍ମବେଶୀ ମୂର୍ଖଙ୍କ ଠାରୁ ଦେଶକୁ ବଞ୍ଚାଇବାକୁ ହେବ ।