Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆୟୁଷ୍ମାନ ପ୍ରସଙ୍ଗ ; କେନ୍ଦ୍ର ବନାମ ଓଡିଶା ସରକାର
ବିଶେଷ ଖବର

ଆୟୁଷ୍ମାନ ପ୍ରସଙ୍ଗ ; କେନ୍ଦ୍ର ବନାମ ଓଡିଶା ସରକାର

October 15, 2018No Comments6 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଭାରତ ଆୟୁଷ୍ମାନ ହେଉ ଏକଥା ସମସ୍ତେ ଚାହାନ୍ତି। ଆମର ଆୟୁଷ ସୀମା ବଢୁ, ପ୍ରତ୍ୟେକ ଦେଶବାସୀ ସୁସ୍ଥ ଓ ପୁଷ୍ଟ ରୁହନ୍ତୁ, ସ୍ୱାସ୍ଥ୍ୟ ସେବା ନପାଇ କେହିବି ଏଠି ପ୍ରାଣ ନ ହରାନ୍ତୁ, ଏ କଥା ଆମେ ସମସ୍ତେ ଆନ୍ତରିକତାର ସହିତ ଚାହୁଛୁ । ସେଇ ଇଚ୍ଛା ଫଳବତୀ ହେଉ ବୋଲି ପ୍ରତ୍ୟେକ ଭାରତୀୟ ଆଶା ରଖନ୍ତି। ସ୍ଵାଧୀନତାର ୭୦ ବର୍ଷ ପରେ ମଧ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମ ସରକାର ଦେଶବାସୀଙ୍କୁ ମୌଳିକ ସୁବିଧା ଯୋଗାଇଦେବାରେ ସମର୍ଥ ହୋଇପାରିନାହାନ୍ତି। ତେବେ ସ୍ଵାଧୀନତା ର ସମୟ ଓ ଆଜିର ସମୟ ଭିତରେ ଅନେକ ପରିବର୍ତ୍ତନ ଆସିଛି। ତଥାପି ଆମ ଅର୍ଥନୀତିରେ ସ୍ବାସ୍ଥ୍ୟସେବା ଖୁବ ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହେଁ। ୨୦୦୮ ରୁ ୨୦୧୫ ଭିତରେ ଆମେ ଆମ ଜିଡିପି ର  ମାତ୍ର ୧.୩% ଜନସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରୁଛେ। ଗତ ବର୍ଷ ଏହା ସାମାନ୍ୟ ବୃଦ୍ଧି ପାଇ ୧.୪% ରେ ପହଞ୍ଚିଛି। ତେବେ ପୃଥିବୀର ବିକଶିତ ଦେଶ ଗୁଡିକ ହାରାହାରି ନିଜ ଜିଡିପିର ୬% ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିନିଯୋଗ କରନ୍ତି। ସେ ତୁଳନାରେ ଆମେ ବହୁ ପଛୁଆ ବୋଲି କହିପାରିବା। ଘରୋଇ ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଖର୍ଚ୍ଚ ମିଶିଗଲେ ଆମେ ଜିଡିପିର ୩.୯% ଏ କ୍ଷେତ୍ରରେ ବ୍ୟୟ କରୁଛେ। ତେବେ ଏହା ଚୀନ (୫୬%), ବ୍ରାଜିଲ (୪୬%) ଇଣ୍ଡୋନେସିଆ(୩୯%), ଆମେରିକା (୪୮%), ଇଂଲାଣ୍ଡ (୮୩%) ତୁଳନାରେ କିଛି ବି ନୁହେଁ। ତେବେ ଜାତୀୟ ସ୍ୱାସ୍ଥ୍ୟ ଖର୍ଚ୍ଚ ତୁଳନାରେ ଓଡିଶା ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଜ ବଜେଟର 5.1% ଖର୍ଚ୍ଚ କରୁଛନ୍ତି, ଯାହାକି ଅନ୍ୟ 18 ଟି ରାଜ୍ୟ ତୁଳନାରେ ବେଶ ଅଧିକ। ସ୍ୱାସ୍ଥ୍ୟ ଓ ଶିକ୍ଷା ପରି ଜୀବନର ମୌଳିକ ଆବଶ୍ୟକତା କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାର ଯାହା କରୁଛନ୍ତି, ତାହା ଆଜି ମଧ୍ୟ ଯଥେଷ୍ଟ ନୁହଁ। ତେବେ କେନ୍ଦ୍ର ତୁଳନାରେ ଓଡିଶାର ପ୍ରଦର୍ଶନ ଏ କ୍ଷେତ୍ରରେ ଟିକେ ଆଗୁଆ।

ଏବେ ଦେଶସାରା ସ୍ବାସ୍ଥ୍ୟସେବା ଯୋଗାଇଦେବାର ଏକ ବୃହତ୍ତର ଲକ୍ଷ୍ୟ ନେଇ ଆୟୁଷ୍ମାନ ଭାରତ ନାମରେ ଏକ ଯୋଜନା ଭାରତ ସରକାର ଆରମ୍ଭ କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଯୋଜନା କାର୍ୟକାରୀ ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିବାରୁ ଏଥିରେ ଆନ୍ତରିକତା ର ଅଭାବ ରହିଥିବା ଜଳ ଜଳ ଦିଶୁଛି। ଗତ ଏପ୍ରିଲ ୧୪ ତାରିଖରେ ଏହି ଯୋଜନାର ଘୋଷଣା ହୋଇଥିବା ବେଳେ ଗତ ମାସରୁ ଏହା କାର୍ଯକ୍ଷମ ହୋଇଛି। ଦେଶର ୧୦ କୋଟି ଗରିବ ପରିବାରର ୫୦ କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଦାନ କରାଯିବାର ଏକ ବଡ ଲକ୍ଷ୍ୟ ଏହି ଯୋଜନା ମାଧ୍ୟମରେ ପୂରଣ ହୋଇପାରିବ ବୋଲି ଆଶା କରାଯାଉଛି। ତେବେ ବୀମା କମ୍ପାନୀ ଗୁଡିକ ଉପରେ ନିର୍ଭର କରି ଏହି ଯୋଜନାର ଭିତ୍ତି ପଡିଥିବାରୁ ଏହାର ସଫଳତା କୁ ନେଇ ମୂଳରୁ ସନ୍ଦେହ ଉପୁଜୁଛି। ଓଡିଶା ଭଳି ରାଜ୍ୟ ଆୟୁଷ୍ମାନ ଯୋଜନାରେ ସାମିଲ ହେବାକୁ ବିଶେଷ ଆଗ୍ରହ ଦେଖାଉନାହାନ୍ତି। ଏହାର କାରଣ ଅତ୍ୟନ୍ତ ସ୍ପଷ୍ଟ। ଏହି ଯୋଜନାକୁ ପ୍ରଧାନମନ୍ତ୍ରୀଙ୍କ ନାମରେ ନାମିତ କରାଯାଇଥିବା ବେଳେ ଏଥିରେ କେନ୍ଦ୍ର ସରକାର ମାତ୍ର ୬୦% ଅନୁଦାନ ଦେବେ। ବାକି ୪୦% ରାଜ୍ୟ ସରକାର ବହନ କରିବେ। ଯୋଜନା ଯେହେତୁ ରାଜ୍ୟରେ କାର୍ୟକାରୀ ହେବ ଏହାର ପରିଚାଳନା, ମୂଲ୍ୟାୟନ ଓ ସର୍ବେକ୍ଷଣ ବାବଦକୁ ରାଜ୍ୟ ସରକାର ଆହୁରି ଅଧିକ ଖର୍ଚ୍ଚ କରିବେ। ମୋଟାମୋଟି ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟର ଭାଗ ୫୦:୫୦ ରହିବ। ସେହି ପୃଷ୍ଠଭୂମିରେ କେନ୍ଦ୍ର ସରକାର ଏହାର ବଡ ଭାଇପଣିଆ ଦେଖାଇବାର କୌଣସି ଯଥାର୍ଥତା ନାହିଁ। ପୁନଶ୍ଚ ଯେଉଁ ରାଜ୍ୟ ଗୁଡିକରେ ଏପ୍ରକାର ଯୋଜନା ପୂର୍ବରୁ ରହିଛି ସେଠି ଆୟୁଷ୍ମାନ ଯୋଜନା ସେଇ ପୁରୁଣା ଯୋଜନା ସହ ମିଶିଯିବ ବୋଲି କୁହାଯାଉଛି। ତେଲେଙ୍ଗାନା, ଆନ୍ଧ୍ର, କର୍ଣ୍ଣାଟକ, କେରଳ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ମାନ ପୂର୍ବରୁ ରହିଛି। ତେଣୁ ସେଇ କ୍ରମରେ ଓଡିଶା ନିଜସ୍ଵ ଯୋଜନା କଥା ଚିନ୍ତା କରୁଛି। ବିଜୁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ୭୦ ଲକ୍ଷ ପରିବାରକୁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ ବୋଲି ଓଡିଶା ସରକାର କହୁଛନ୍ତି। ଏଠି ପ୍ରଶ୍ନ ଉଠୁଛି, ଆୟୁଷ୍ମାନ ଯୋଜନାରେ ରାଜ୍ୟ ସରକାର ସାମିଲ ନହେବା ଏକ ଉଚିତ ପଦକ୍ଷେପ କି?

ଅନ୍ତତଃ ପ୍ରାଥମିକ ସ୍ତରରେ ଆୟୁଷ୍ମାନ ଯୋଜନାକୁ ନେଇ ଯେଉଁ ପ୍ରକାର ବିରୋଧ ଦେଖା ଯାଉଛି,  ସେ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପଦକ୍ଷେପ ଉଚିତ ମନେ ହେଉଛି। କେନ୍ଦ୍ର ସରକାର ୨୦୧୧ରେ ଅନୁଷ୍ଠିତ ସାମାଜିକ , ଅର୍ଥନୈତିକ ଓ ଜାତିଗତ ଜନଗଣନା ଆଧାରରେ ଏହି ଯୋଜନାର ହିତାଧିକାରୀ ଚୟନ କରିବାକୁ ସ୍ଥିର କରିଛନ୍ତି। ୭ ବର୍ଷ ତଳର ପୁରୁଣା ଡାଟା ଆଧାରରେ ଏହା ଯଦି କାର୍ଯକ୍ଷମ ହୁଏ, ତାହେଲେ ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହେବେ। କେନ୍ଦ୍ର ସରକାର ଓଡିଶାରେ ଏଥିଲାଗି ୬୧ ଲକ୍ଷ ପରିବାର କୁ ସାମିଲ କରିବାକୁ ଚାହୁଁଥିବା ବେଳେ ରାଜ୍ୟ ସରକାର ଆହୁରି ୭ ଲକ୍ଷ ଅଧିକ ପରିବାରକୁ ରାଜ୍ୟ ଯୋଜନାରେ ସାମିଲ କରିଛନ୍ତି। କେନ୍ଦ୍ର ସରକାର ବୀମା କମ୍ପାନୀ ଗୁଡିକ ଉପରେ ଏହାକୁ ସଂପୂର୍ଣ୍ଣ ଛାଡି ଦେଇଥିବା ବେଳେ ରାଜ୍ୟ ସରକାର ଏକ ଟ୍ରଷ୍ଟ ଜରିଆରେ ଏହି ସାହାଯ୍ୟ ଯୋଗାଇବାକୁ ଚାହୁଛନ୍ତି। ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ପରି ବିଜେପି ଶାସିତ ରାଜ୍ୟ ଗୁଡିକ ମଧ୍ୟ ବୀମା କମ୍ପାନୀ ଜରିଆରେ ଏହି ଯୋଜନା କାର୍ୟକାରୀ କରାଇବାକୁ ଚାହୁନାହାନ୍ତି। ଫସଲ ବୀମା ଯୋଜନାରେ ବୀମା କମ୍ପାନୀ ଗୁଡିକର ଭୂମିକା ଆଦୌ ସହଯୋଗୀ ନୁହେଁ। ତେଣୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ କେବଳ ମୋଟା ଅଙ୍କର ପ୍ରିମିୟମ ଉଠାଇବା ଛଡା ଏହି କମ୍ପାନୀ ଗୁଡିକ ଗରିବ ଲୋକଙ୍କ ପାଇଁ ବିଶେଷ ସହାୟତା କରିବେ ନାହିଁ। ଆଧାର କାର୍ଡ ଜରିଆରେ ଏହି ଯୋଜନାକୁ କାର୍ୟକାରୀ କରାଯିବା ବୋଲି କୁହାଯାଉଛି। ତେବେ ଆଧାର କାର୍ଡର ବୈଧତାକୁ ନେଇ ସୁପ୍ରିମ କୋର୍ଟ ନିଜ ରାୟ ଶୁଣାଇବାକୁ ଯାଉଛନ୍ତି। ଯଦି ଆଧାର କାର୍ଡ ଅବୈଧ ଘୋଷିତ ହୁଏ ତାହେଲେ ପରିଣତି କଣ ହେବ, ତାର ଉତ୍ତର କାହା ପାଖରେ ନାହିଁ। 

ସବୁଠୁ ବଡ କଥା ହେଉଛି, ଓଡିଶା ସରକାର ଆୟୁଷ୍ମାନ ଯୋଜନାକୁ ଅଣଦେଖା କରିବାକୁ ନେଇ ରାଜନୀତି ଚାଲିଥିବା ବେଳେ ଦେଶର ସର୍ବୋଚ୍ଚ ମେଡିକାଲ ସଂଘ ଇଣ୍ଡିଆନ ମେଡିକାଲ ଆସୋସିଏସନ ଏହି ଯୋଜନାର କାର୍ୟକାରିତାକୁ  ନେଇ ଘୋର ସନ୍ଦେହ ପ୍ରକଟ କରିଛି। ବିଶେଷ କରି ଏହାର ପ୍ୟାକେଜ ବ୍ୟବସ୍ଥାକୁ ନେଇ ମେଡିକାଲ ଆସୋସିଏସନ କେତୋଟି ନିର୍ଦ୍ଦିଷ୍ଟ ଆପତ୍ତି ଉଠାଇଛନ୍ତି। ଶିଶୁ ଜନ୍ମ ଲାଗି ସର୍ଜରୀ ଆବଶ୍ୟକ ପଡିଲେ ମାତ୍ର ୯୦୦୦ ଟଙ୍କା, ଗୋଟିଏ ଷ୍ଟେଣ୍ଟ ଲାଗି ହୃଦ ଚିକିତ୍ସା ବାବଦକୁ ୫୦୦୦୦ ଟଙ୍କା ବୀମା ରାଶି ଆଦୌ ପର୍ଯାପ୍ତ ନୁହେଁ ଓ ଏହା ଚିକିତ୍ସା ପ୍ରକ୍ରିୟାର ଗୁଣବତ୍ତାକୁ ପ୍ରଭାବିତ କରିବ। ଆୟୁଷ୍ମାନ ଯୋଜନାର ବର୍ତ୍ତମାନ ରୂପରେଖ ଯାହା ସେଥିରେ ଭ୍ରଷ୍ଟାଚାରର ଯଥେଷ୍ଟ ସୁଯୋଗ ରହିଛି ବୋଲି ଦେଶର ସର୍ବୋଚ୍ଚ ଡାକ୍ତରୀ ସଂସ୍ଥାର ସନ୍ଦେହକୁ ଅମୂଳକ ବୋଲି କୁହାଯାଇପାରିବା ନାହିଁ। ଏଠି ପ୍ରଶ୍ନ ଉଠୁଛି, ଆୟୁଷ୍ମାନ ଯୋଜନା ବିଷୟରେ ଦେଶର ପ୍ରମୁଖ ଡାକ୍ତରୀ ସଂଘ ସହ ସରକାର ଆଲୋଚନା କରି ନାହାନ୍ତି କି? ରାଜ୍ୟ ସରକାର ଗୁଡିକ ଏହି ଯୋଜନାରେ ୪୦% ରୁ ଅଧିକ ଅଂଶଧନ ଦେବାକୁଥିବା ବେଳେ ସେମାନଙ୍କ ମତାମତ ନିଆଯାଇଛି କି? ପ୍ରତ୍ୟେକ ସରକାରୀ ଯୋଜନାକୁ କେବଳ ଜଣେ ବ୍ୟକ୍ତିଙ୍କ ବ୍ରାଣ୍ଡ ମୂଲ୍ୟ ବଢାଇବାର ମାଧ୍ୟମ ଭାବରେ ବ୍ୟବହାର କରିବାକୁ ଯାଇ କେନ୍ଦ୍ର ସରକାର ଦେଶର ସଙ୍ଘୀୟ ବ୍ୟବସ୍ଥାକୁ ଅଣଦେଖା କରୁଛନ୍ତି କି?

ଓଡିଶା ରାଜନୀତି କ୍ଷେତ୍ରରେ ଆୟୁଷ୍ମାନ ଯୋଜନାର ଏକ ବିକଳ୍ପ ଭାବରେ ବିଜୁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଘୋଷିତ ହୋଇଛି ଓ ଏହାକୁ ନେଇ ରାଜ୍ୟର ରାଜନୀତି ଉତ୍ତପ୍ତ ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଇ ପ୍ରସଙ୍ଗରେ ଯାହା କହୁଛନ୍ତି, ତାର କୌଣସି ବ୍ୟାବହାରିକ ମୂଲ୍ୟ ନାହିଁ। ଓଡିଶା ସରକାର ଆୟୁଷ୍ମାନ ଯୋଜନାକୁ ଲାଗୁ କରିବା ପୂର୍ବରୁ ନିଜ ଯୋଜନା ଘୋଷଣା କରିବାକୁ ହକଦାର । ଯେଉଁ ଆଧାରରେ ଆନ୍ଧ୍ର, ତେଲେଙ୍ଗାନା, ମହାରାଷ୍ଟ୍ର ଓ କର୍ଣ୍ଣାଟକ ର ରାଜ୍ୟ ଯୋଜନାକୁ ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି, ସେଇ ଆଧାରରେ ଓଡିଶା ସରକାରଙ୍କ ନୂଆ ଯୋଜନାକୁ କେନ୍ଦ୍ର ସରକାର ଗ୍ରହଣ କରିବାରେ ଅସୁବିଧା କଣ? ଭୋଟ ଲାଗି ଏହି ଯୋଜନା ଘୋଷଣା ହୋଇଛି ବୋଲି ଯାହା କୁହାଯାଉଛି, ତାହା ଉଭୟ ଯୋଜନା ପାଇଁ ସମାନ। ସ୍ୱାସ୍ଥ୍ୟ ସୁରକ୍ଷା ଭଳି ଏକ  ମୌଳିକ ସୁବିଧା ଦେଇ ଭୋଟ ମାଗିବା ଏକ ସକାରାତ୍ମକ ରାଜନୀତି ନିଶ୍ଚୟ। ସେ କେନ୍ଦ୍ର ହେଉ ବା ରାଜ୍ୟ, ଲୋକ କଲ୍ୟାଣ ପାଇଁ ହେଉଥିବା ଯୋଜନାରେ ଲୋକ ଉପକୃତ ହେଲେ ଭୋଟ ଆପେ ଆପେ ଆସିବ। ତୁଳନାତ୍ମକ ଭାବରେ ଆଜି ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା କେନ୍ଦ୍ର ଯୋଜନାଠାରୁ ଅଧିକ ଗ୍ରହଣୀୟ ମନେ ହେଉଛି। ପ୍ରଥମତଃ ରାଜ୍ୟ ସରକାର ୭୦ ଲକ୍ଷ ପରିବାରକୁ ଏହି ଯୋଜନାରେ ସାମିଲ କରୁଛନ୍ତି, ଯାହାକି କେନ୍ଦ୍ର ତୁଳନାରେ ଅଧିକ ୭ ଲକ୍ଷ ପରିବାରଙ୍କୁ ସୁଯୋଗ ଦେଉଛି। କେନ୍ଦ୍ର ଯୋଜନାରେ ୫ ଲକ୍ଷ ଟଙ୍କାର ବୀମା ରାଶି ଓ ତାକୁ ନେଇ ଅନେକ କଟକଣା ରହିଛି। ରାଜ୍ୟ ଯୋଜନାରେ ମହିଳାଙ୍କ ପାଇଁ ୭ ଲକ୍ଷ ଟଙ୍କାର ସୁରକ୍ଷା ଗ୍ୟାରେଣ୍ଟି ଦିଆଯିବ। ତେଣୁ ସ୍ଥୂଳ ଭାବରେ ରାଜ୍ୟ ଯୋଜନା ଅଧିକ ଆକର୍ଷଣୀୟ। ରାଜ୍ୟ ସରକାର ବୀମା କମ୍ପାନୀ ବଦଳରେ ଏକ ସ୍ଵତନ୍ତ୍ର ଟ୍ରଷ୍ଟ ଗଠନ କରି ତାରି ମାଧ୍ୟମରେ ସରକାରୀ ଡାକ୍ତରଖାନା ଗୁଡିକୁ ଆର୍ଥିକ ରାଶି ଦେବାର ବ୍ୟବସ୍ଥା କରୁଛନ୍ତି। ତେବେ ଏ କ୍ଷେତ୍ରରେ ଘରୋଇ ଡାକ୍ତରଖାନା ଗୁଡିକୁ ମଧ୍ୟ ସାମିଲ କରାଯିବା ଉଚିତ। ଓଡିଶାରେ ସ୍ୱାସ୍ଥ୍ୟ ସେବା ପାଇଁ ଭିତ୍ତିଭୂମିର ବିକାଶ ସର୍ବାଦୌ ଜରୁରୀ। କାରଣ ଆଜି ମଧ୍ୟ ଓଡିଶାର ଆଦିବାସୀ ଓ ଦୁର୍ଗମ ଅଞ୍ଚଳ ଗୁଡିକରେ ସ୍ବାସ୍ଥ୍ୟସେବାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଡାକ୍ତରଖାନା ଓ ଡାକ୍ତର ନରହିଲେ କୌଣସି ଯୋଜନାର ସୁଫଳ ମିଳିବ ନାହିଁ। ଆୟୁଷ୍ମାନ ଭାରତ ଯୋଜନା କ୍ଷେତ୍ରରେ ମଧ୍ୟ ସେଇ ସମାନ କଥା କୁହାଯାଇ ପାରିବ। ସ୍ୱାସ୍ଥ୍ୟ ସେବା ର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସର୍ବାଧିକ କେନ୍ଦ୍ରୀୟ ଅନୁଦାନର ବ୍ୟବସ୍ଥା ହେଉନାହିଁ। କେବଳ ଭାଷଣବାଜିରେ କୌଣସି ଯୋଜନା ସଫଳ ହୁଏନାହିଁ।

ମୋଦୀ ସରକାର ଗତ ଚାରି ବର୍ଷ ଦୁଇ ମାସର ଶାସନ କାଳରେ ଶତାଧିକ ଯୋଜନାର ଘୋଷଣା କରିଛନ୍ତି, ଯାହାର ସୁଫଳ ଆଜି ମଧ୍ୟ ଗାଁ ସ୍ତରକୁ ପହଞ୍ଚିନାହିଁ। ୟୁପିଏ ସରକାର ପ୍ରଥମ ପର୍ଯାୟରେ ମହାତ୍ମାଗାନ୍ଧି ଗ୍ରାମୀଣ ରୋଜଗାର ଯୋଜନା ଲୋକଙ୍କ ଭିତରେ ଗୋଟେ ସକାରାତ୍ମକ ପରିବର୍ତ୍ତନ ଆଣିଥିଲା। ପରବର୍ତ୍ତୀ ସମୟରେ ଏହା ଲକ୍ଷ୍ୟଚ୍ୟୁତ ହେବା ଫଳରେ ୟୁପିଏ ସରକାର ଲୋକଙ୍କ ଆସ୍ଥା ହରାଇଥିଲେ। ମୋଦୀ ସରକାର ୨୦୧୯ ପୂର୍ବରୁ ଏମିତି କୌଣସି ଯୋଜନାର ସୁଫଳ ନେଇ ଲୋକଙ୍କ ପାଖକୁ ଯାଇ ପାରିବେ କି? ଆୟୁଷ୍ମାନ ଭାରତ ପାଇଁ ସମୟ ବହୁତ ସ୍ୱଳ୍ପ। ଓଡିଶା ସରକାର ମଧ୍ୟ ସେଇ ସମାନ ତରବରିଆ ସ୍ଥିତିରେ ଅଛନ୍ତି। ତେଣୁ ଆଗାମୀ ୬ମାସ ଭିତରେ ଲୋକଙ୍କୁ କିଏ କେତେ ପ୍ରଭାବିତ କରୁଛନ୍ତି, ତାହାରି ଉପରେ ୨୦୧୯ ନିର୍ବାଚନର ଫଳାଫଳ ନିର୍ଭର କରିବ।

ଆୟୁଷ୍ମାନ ନବୀନପଟ୍ଟନାୟକ ମୋଦୀ ଓଡିଶା ସରକାର ସ୍ଵାସ୍ଥ୍ୟବୀମା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ଯୁକ୍ତରାଜ୍ୟ ବ୍ୟାପକ ବାଣିଜ୍ୟ ରାଜିନାମା ଯୋଗୁଁ ୩ ବର୍ଷରେ ୫୦% ବୃଦ୍ଧି ପାଇବ ଭାରତର କୃଷି ରପ୍ତାନି

July 28, 2025

ଭାରତର କେତେ ଯୁଦ୍ଧ ବିମାନ ଖସାଇ ଦିଆଯାଇଥିଲା?: ସଂସଦରେ ଉତ୍ତର ଦେଲେ ରାଜନାଥ ସିଂହ

July 28, 2025

ଉପରାଷ୍ଟ୍ରପତି ନିର୍ବାଚନ ଯେତିକି ନିକଟତର ହେଉଛି, ବିଜେଡିର ଚିନ୍ତା ସେତିକି ବଢୁଛି

July 28, 2025

ବାଲେଶ୍ବରରେ ବନ୍ୟା: ତଳିଆ ଅଞ୍ଚଳ ଉପରେ ସତର୍କ, ସୁବର୍ଣ୍ଣରେଖା, ଜଳକା ନଦୀ ବିପଦ ସଙ୍କେତ ଉପରେ

July 27, 2025
Latest News

ରଣପୁର ବ୍ଲକ ଛାତ୍ର କଂଗ୍ରେସ ର କର୍ମୀ ସମ୍ମିଳନୀ

July 28, 2025

ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ଡିଆରଏମ ଭାବରେ ଆଲୋକ ତ୍ରିପାଠୀଙ୍କ ଯୋଗଦାନ

July 28, 2025

ଭାରତ-ଯୁକ୍ତରାଜ୍ୟ ବ୍ୟାପକ ବାଣିଜ୍ୟ ରାଜିନାମା ଯୋଗୁଁ ୩ ବର୍ଷରେ ୫୦% ବୃଦ୍ଧି ପାଇବ ଭାରତର କୃଷି ରପ୍ତାନି

July 28, 2025

ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଯୋଗଦାନ କଲେ ଆଇଏଏସ ଅମ୍ରିତ୍ ଋତୁରାଜ

July 28, 2025

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଚାରି ରେଳ କର୍ମଚାରୀ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

July 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.