Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଦାଲତ ଅବମାନନାର ନୈତିକତା, ନବକୃଷ୍ଣ ଚୌଧୁରୀଙ୍କ ଠୁ ପ୍ରଶାନ୍ତ ଭୂଷଣ
ବିଶେଷ ଖବର

ଅଦାଲତ ଅବମାନନାର ନୈତିକତା, ନବକୃଷ୍ଣ ଚୌଧୁରୀଙ୍କ ଠୁ ପ୍ରଶାନ୍ତ ଭୂଷଣ

August 24, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଅଦାଲତ ଅବମାନନା ଅଭିଯୋଗକୁ ନେଇ ଏବେ ସାରା ଦେଶରେ ବିତର୍କ ଚାଲିଛି। ବିଶିଷ୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ତାଙ୍କର ଦୁଇଟି ଟୁଇଟ ଲାଗି ଅଦାଲତ ଅବମାନନା ଦୋଷରେ ମାନ୍ୟବର ସୁପ୍ରିମ କୋର୍ଟ ଦୋଷୀ ଘୋଷଣା କରିଛନ୍ତି। ସୁପ୍ରିମ କୋର୍ଟଙ୍କ ଏହି ରାୟକୁ ନେଇ ଦେଶରେ ଏବଂ ପୃଥିବୀର ବିଭିନ୍ନ ବୈଧାନିକ ମହଲରେ ବ୍ୟାପକ ବିତର୍କ ଚାଲିଛି। ଭାରତୀୟ ସାମ୍ବିଧାନିକ ଆଇନକୁ ଦୀର୍ଘ ବର୍ଷ ଧରି ତର୍ଜମା କରି ଆସୁଥିବା ସଲି ସରାବଜି, ଦେଶର ପୂର୍ବତନ ୧୨ ଜଣ ବରିଷ୍ଠ ବିଚାରପତି, ଶହ ଶହ ଆଇନଜୀବୀ ଓ ମାନବାଧିକାର ସଂଗଠନ, ଖୋଦ ଭାରତ ସରକାରଙ୍କର ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ପ୍ରମୁଖ ଏହି ରାୟକୁ ବିରୋଧ କରିଛନ୍ତି। ନିଜେ ପ୍ରଶାନ୍ତ ଭୂଷଣ ନିଜ ବକ୍ତବ୍ୟରେ ଅଟଳ ସହିବା ସହିତ ଏଥିଲାଗି ଅଦାଲତ ଯାହା ଦଣ୍ଡ ଦେବେ ତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ଲିଖିତ ଭାବରେ କହିଛନ୍ତି। ଆଜି ଏ ସମ୍ପର୍କରେ ଦାଲତ କି ନିଷ୍ପତ୍ତି ନେବେ, ତାହା ଉପରେ ସମସ୍ତଙ୍କର ନଜର ରହିଛି।

ତେବେ ଅଦାଲତ ଅବମାନନା ଅଭିଯୋଗରେ ପ୍ରଶାନ୍ତ ଭୂଷଣ ପ୍ରଥମ ଦୋଷୀ ନୁହନ୍ତି। ଏ ଦେଶର ବହୁ ବଡ ବଡ ନେତା ଓ ଅନ୍ତତଃ ସୁପ୍ରିମ କୋର୍ଟର ଜଣେ ପୂର୍ବତନ ମୁଖ୍ୟ ବିଚାରପତି ଏହି ଅଭିଯୋଗରେ ମକଦ୍ଦମା ଲଢିଛନ୍ତି। ଏ ସମ୍ପର୍କରେ ଆପାତତଃ ପ୍ରଥମ ମାମଲାରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଓଡିଶା ହାଇକୋର୍ଟ ଅଦାଲତ ଅବମାନନା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ। ୨୬, ଫେବୃଆରି, ୧୯୫୮ ରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଆର.ନରସିଂହମ ଏବଂ ଜଷ୍ଟିସ ଏସ. ବର୍ମନଙ୍କ ଖଣ୍ଡପୀଠ ସ୍ଵର୍ଗତ ଚୌଧୁରୀ ବିଧାନସଭାରେ ଦେଇଥିବା ଏକ ମତକୁ ଅଦାଲତ ଅବମାନନା ବୋଲି ବିବେଚନା କରିଥିଲେ। ଓଡିଶା ବିଧାନସଭାରେ ୮, ମାର୍ଚ୍ଚ, ୧୯୫୬ରେ ନିଜର ମତାମତ ରଖି ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ କହିଥିଲେ ଯେ- “ଆମ ଦେଶରେ ଏବେ ହାଇକୋର୍ଟ ନୂଆ କରି କାମ କରୁଛି। ଅନେକ କ୍ଷେତ୍ରରେ ଏହାର ବିଚାର ଆପାତତଃ ଅପାକଳ ଜଣାପଡୁଛି। ଅନେକ କ୍ଷେତ୍ରରେ ହାଇକୋର୍ଟ ରାୟକୁ ସୁପ୍ରିମ କୋର୍ଟ ଖଣ୍ଡନ କରୁଛନ୍ତି ବା ହାଇକୋର୍ଟଙ୍କ ତ୍ରୁଟି ସୁଧାରୁଛନ୍ତି। ସୁପ୍ରିମ କୋର୍ଟ ଅନେକ କ୍ଷେତ୍ରରେ ହାଇକୋର୍ଟ ନିଜ କ୍ଷମତାର ଅପବ୍ଯବହାର କରୁଥିବା କଥା ମଧ୍ୟ କହିଛନ୍ତି। “ (ଓଡିଶା ହାଇକୋର୍ଟରେ ଦାଖଲ ହୋଇଥିବା  ବିଧାନସଭା ବିବରଣୀ )

ମୁଖ୍ୟମନ୍ତ୍ରୀଙ୍କର ଏହାକୁ ଅଦାଲତ ଅବମାନନା ଭାବରେ ବିବେଚନା କରି ସେତେବେଳର ସାଂସଦ ତଥା ବିଶିଷ୍ଟ ଲେଖକ ସୁରେନ୍ଦ୍ର ମହାନ୍ତି ମକଦ୍ଦମା କରିଥିଲେ। ଏହାର ବିଚାର କରି ଓଡିଶା ହାଇକୋର୍ଟ ନବକୃଷ୍ଣ ଚୌଧୁରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ମଧ୍ୟ ବିଧାନସଭାରେ ତାଙ୍କର ଏହା କହିବାର ଅଧିକାର ରହିଛି ବୋଲି କହିଥିଲେ। ତେବେ ଏହି ଖବର ଛାପିଥିବା (AIR 1958 Ori 168, 1958 CriLJ 1055 ) “ମାତୃଭୂମି” ସଂବାଦପତ୍ର ଏଥିଲାଗି କ୍ଷମା ମାଗିଥିଲା ଓ ୧୦୦ ଟଙ୍କା ଜରିମାନା ଦେଇଥିଲା।( ହାଇକୋର୍ଟଙ୍କ ତାଗିଦା ସତ୍ତ୍ୱେ ନବକୃଷ୍ଣ ଚୌଧୁରୀ ନିଜ ମତ ବଦଳାଇ ନଥିଲେ। ନିଜ ସ୍ଵାଧୀନ ମତ ସହିତ ସେ ମରିବା ଯାଏଁ ଅବିଚଳ ରହିଥିଲେ।

ଅଦାଲତ ଅବମାନନାର ଆଉ ଏକ ବଡ ଉଦାହରଣ ହେଉଛି କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଏମଏସ ନମ୍ବୁଦ୍ରିପାଦ ଦେଇଥିବା ଏକ ବକ୍ତବ୍ୟ ଓ ସେଥିଲାଗି ତାଙ୍କୁ ସୁପ୍ରିମ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ପ୍ରସଙ୍ଗ। ୩୧,ଜୁଲାଇ,୧୯୭୦ ରେ ସୁପ୍ରିମ କୋର୍ଟର ମାନ୍ୟବର ମୁଖ୍ୟବିଚାରପତି ଜଷ୍ଟିସ ଏମ. ହିଦାୟତୁଲ୍ଲା କେରଳ ମୁଖ୍ୟମନ୍ତ୍ରୀ ନମ୍ବୁଦ୍ରିପାଦଙ୍କୁ ଅଦାଲତ ଉପରେ ଦେଇଥିବା ମନ୍ତବ୍ୟ ଲାଗି ଦୋଷୀ ଘୋଷଣା କରିଥିଲେ। ୯,ନଭେମ୍ବର,୧୯୬୭ ରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଭାରତର ଅଦାଲତ ଗୁଡିକ ଗରିବ ବିରୋଧୀ ବୋଲି କହିଥିଲେ। ଏହି ମାମଲାରେ ସୁପ୍ରିମ କୋର୍ଟ କେରଳ ମୁଖ୍ୟମନ୍ତ୍ରୀଙ୍କୁ ୫୦ ଟଙ୍କା ଜରିମାନା କରିଥିଲେ। (1970 AIR 2015, 1971 SCR (1) 697)

ସୁପ୍ରିମ କୋର୍ଟଙ୍କ ରାୟ ଓ କାର୍ଯ୍ୟ ପଦ୍ଧତିକୁ ଅନେକ ସମୟରେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତିମାନେ ମଧ୍ୟ କଡା ସମାଲୋଚନା କରିଛନ୍ତି। ପ୍ରଶାନ୍ତ ଭୂଷଣଙ୍କ ମାମଲାର ଶୁଣାଣି ଚାଲିଥିବା ସମୟରେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ଏହି ପ୍ରସଙ୍ଗ ଅବତାରଣା କରିଥିଲେ। “ଅନ୍ତତଃ ସୁପ୍ରିମ କୋର୍ଟର ପାଞ୍ଚଜଣ ବିଚାରପତି ଦେଶର ସର୍ବୋଚ୍ଚ ଅଦାଲତ ଗଣତନ୍ତ୍ରକୁ ସୁରକ୍ଷା ଦେବାରେ ବିଫଳ ହେଉଛି ବୋଲି କହିଥିବା ବେଳେ ୯ ଜଣ ପୂର୍ବତନ ବିଚାରପତି ସୁପ୍ରିମ କୋର୍ଟରେ ଦୁର୍ନୀତି ହେଉଛି ବୋଲି ଖୋଲାଖୋଲି ଅଭିଯୋଗ କରିଥିଲେ। ମୁଁ ନିଜେ ମଧ୍ୟ ସେ କଥା କହିଛି”- ବୋଲି ଶ୍ରୀ ବେଣୁଗୋପାଳ ଅଦାଲତଙ୍କୁ ଜଣାଇଥିଲେ। ଅଦାଲତ ରାୟକୁ ଆଲୋଚନା କରିବା ଏବଂ ଦେଶର ସର୍ବୋଚ୍ଚ ଅଦାଲତ ଯଦି କୌଣସି ମାମଲାରେ ବାଟ ହୁଡୁଥିବାର ଅଭିଯୋଗ ଆସେ ତାକୁ ଦେଖାଇବାର ଦାୟିତ୍ଵ ଲୋକଙ୍କର ରହିଛି ବୋଲି ଶ୍ରୀ ବେଣୁଗୋପାଳ ପରୋକ୍ଷରେ ସ୍ପଷ୍ଟ କରୁଥିଲେ।

ସୁପ୍ରିମ କୋର୍ଟଙ୍କ କାର୍ଯ୍ୟଧାରାକୁ ସମାଲୋଚନା କରି ଏକ ସାମ୍ବାଦିକ ସମ୍ମିଳନୀରେ ଦେଶର ସର୍ବବରିଷ୍ଠ ପାଞ୍ଚଜଣ ବିଚାରପତି ସାମ୍ବାଦିକ ସମ୍ମିଳନୀ କରିଥିବା କଥା, ମାତ୍ର ଅଳ୍ପ ଦିନ ତଳର। ଦେଶର ପୂର୍ବତନ ମୁଖ୍ୟବିଚାରପତି ଜଷ୍ଟିସ ଏଏସ ଭେଙ୍କଟରମେଇୟା ବିଶିଷ୍ଟ ସାମ୍ବାଦିକ କୁଳଦୀପ ନାୟାରଙ୍କୁ ଦେଇଥିବା ଏକ ସାକ୍ଷାତ୍କାରରେ ସୁପ୍ରିମ କୋର୍ଟ ଏବଂ ହାଇକୋର୍ଟ ବିଚାରପତିମାନେ ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ ଆଣିଥିଲେ। ଏଥିଲାଗି ତାଙ୍କ ବିରୋଧରେ ଅଦାଲତ ଅବମାନନା ମକଦ୍ଦମା ହୋଇଥିଲେ ମଧ୍ୟ ତାହା ଖାରଜ ହୋଇ ଯାଇଥିଲା। ବିଭିନ୍ନ ସମୟରେ ଦେଶର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଏସପି ଭରୁଚା, ଜଷ୍ଟିସ ଜେଏସ ବର୍ମା, ଜଷ୍ଟିସ ଭେଙ୍କଟଚାଲିୟା ପ୍ରମୁଖ ସୁପ୍ରିମକୋର୍ଟର ଅନ୍ତରୀଣ ବ୍ୟାପାରରେ ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି। ସେହିପରି ବିଚାପତି ଜଷ୍ଟିସ ଭିଆର କ୍ରୀଷ୍ଣାଆୟାର, ଜଷ୍ଟିସ ମାର୍କଣ୍ଡେୟ କାଟଜୁ, ଜଷ୍ଟିସ ଏକେ ଗାଙ୍ଗୁଲି, ଜଷ୍ଟିସ ଜେ ଚେଲମେଶ୍ଵର ପ୍ରମୁଖ ମଧ୍ୟ ନିଜ ଅନୁଷ୍ଠାନର ସଙ୍କଟ ଓ ସମସ୍ଯା କଥା ଆଲୋଚନା କରିଛନ୍ତି।

ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ସୁପ୍ରିମ କୋର୍ଟଙ୍କ କାର୍ୟାନୁଷ୍ଠାନକୁ ନାପସନ୍ଦ କରି ସୁପ୍ରିମକୋର୍ଟର ଦୁଇଜଣ ପୂର୍ବତନ ବିଚାରପତି ଜଷ୍ଟିସ ମଦନ ବି ଲୋକୁର ଏବଂ ଜଷ୍ଟିସ କୁରିଏନ ଯୋଶେଫ ନିଜର ସ୍ପଷ୍ଟ ମତ ଗଣମାଧ୍ୟମରେ ଲେଖିଛନ୍ତି। ସମାଲୋଚନା ଏବଂ ବିତର୍କ, ଗଣତନ୍ତ୍ରର ଆଧାର। ସେଥିପ୍ରତି ଯଦି ଦେଶର ସର୍ବୋଚ୍ଚ ଅଦାଲତ ଅସହିଷ୍ଣୁ ହୁଅନ୍ତି, ତାହେଲେ ଏହା ଆମର ଗଣତନ୍ତ୍ର ଲାଗି ଏକ ବଡ ବିପଦ ସୃଷ୍ଟି କରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026
Latest News

ପାକିସ୍ତାନ ପାଇଁ ଗୁପ୍ତଚର କରୁଥିବା ଅଭିଯୋଗରେ ଦୁଇ ସନ୍ଦିଗ୍ଧ ଗିରଫ

March 19, 2026

ଆଜିଠାରୁ ଆରମ୍ଭ ହେଲା ନବରାତ୍ରି: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

ବାରବାଙ୍କୀରୁ ବହରାଇଚ୍ ୪-ଲେନ୍ ପ୍ରବେଶ-ନିୟନ୍ତ୍ରିତ ଜାତୀୟ ରାଜପଥ ନିର୍ମାଣକୁ ଅନୁମୋଦନ

March 19, 2026

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.