Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ଭୂତାଣୁ ଦୈବୀ କୃତ, ହେଲେ ଦେଶର ଆର୍ଥିକ ଦୁରବସ୍ଥା ସରକାରୀ କୁପରିଚାଳନାର ପରିଣାମ 
ବିଶେଷ ଖବର

କରୋନା ଭୂତାଣୁ ଦୈବୀ କୃତ, ହେଲେ ଦେଶର ଆର୍ଥିକ ଦୁରବସ୍ଥା ସରକାରୀ କୁପରିଚାଳନାର ପରିଣାମ 

August 29, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପରିଶେଷରେ ଦେଶର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ସ୍ଵୀକାର କରିଛନ୍ତି ଯେ ଦେଶର ଅର୍ଥନୀତି ଚଳିତ ବର୍ଷ ନକରାତ୍ମକ ହେବାକୁ ଯାଉଛି। ଅର୍ଥାତ ପୂର୍ବରୁ ପୃଥିବୀର ବିଭିନ୍ନ ସଂସ୍ଥା ଭାରତର ଅର୍ଥନୀତିର ଦୁରବସ୍ଥା ବିଷୟରେଯେଉଁ ଭବିଷ୍ୟବାଣୀ କରିଥିଲେ, ତାହା ସତ୍ୟ ବୋଲି ପ୍ରଥମ ସରକାରୀ ସ୍ଵୀକାରୋକ୍ତି ଆମକୁ ମିଳିଛି। ତେବେ ଏଥିଲାଗି ଭଗବାନଙ୍କୁ ଦାୟୀ କରିଛନ୍ତି ଆମର ଅର୍ଥମନ୍ତ୍ରୀ। କରୋନା ଭୂତାଣୁ ଦୈବୀ କୃତ ଓ ସେଥିଲାଗି ଅର୍ଥନୀତି ଋଣାତ୍ମକ ଦିଗକୁ ଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କରୋନା ଭୂତାଣୁ ଭଗବାନଙ୍କ ଦାନ ହୋଇଥାଇପାରେ ହେଲେ ଏହି ଭୂତାଣୁ ର ମୁକାବିଲା କରିବାକୁ ଯାଇ ଦେଶର ଅର୍ଥନୀତି ତାଳି ତଳାନ୍ତ କରିବାରେ ଭଗବାନଙ୍କୁ ଦାୟୀ କରିବା, ଏକ ହାସ୍ୟାସ୍ପଦ ଯୁକ୍ତି। ପୃଥିବୀର ବହୁ ଦେଶ କରୋନା ମୁକାବିଲା ସହିତ ଅର୍ଥନୀତିକୁ ଚଳାଇ ରଖିବାର ସମାନ୍ତରାଳ ରଣନୀତି ତିଆରି କରିଛନ୍ତି। ଆମର ପଡିଶା ବାଂଲାଦେଶ ଓ ପାକିସ୍ତାନ “ଲକ ଡାଉନ” କୁ ଅତ୍ୟନ୍ତ ସୀମିତ ଓ ଅର୍ଥନୀତିର ଗତିବିଧିରେ ବେଶୀ ବାଧା ସୃଷ୍ଟି ନକରି କରୋନା ଭୂତାଣୁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ଭାରତ ସରକାର “ଲକ ଡାଉନ” ମାଧ୍ୟମରେ ପ୍ରାୟ ଦୁଇମାସରୁ ଅଧିକ ସମୟ ଦେଶର ଅର୍ଥନୀତି ସଂପୂର୍ଣ୍ଣ ଠପ କରିଦେବା ପରେ, ଏହା ଆଜି ମଧ୍ୟ ନିଜର ସାଧାରଣ ଗତିକୁ ଫେରିନାହିଁ।

କରୋନା ପାଇଁ ପୃଥିବୀର ଅର୍ଥନୀତି ସହିତ ଆମର ଅର୍ଥନୀତି ମଧ୍ୟ ଖରାପ ପ୍ରଦର୍ଶନ କରୁଛି। ତେବେ ଏହା କେବଳ କରୋନା ଯୋଗୁଁ ଘଟିନାହିଁ। ବିମୂଦ୍ରାକରଣ ଏବଂ ବିଭ୍ରାନ୍ତିକର ଜିଏସଟି ବ୍ୟବସ୍ଥା ପରଠୁ ଆମର ଅଭିବୃଦ୍ଧି ତଳକୁ ତଳକୁ ଖସି ଚାଲିଥିଲା। କରୋନା ଭୂତାଣୁ ସେହି ନିମ୍ନ ଗତିକୁ ଅଧିକ ଧ୍ଵଂସ ଆଡକୁ ଟାଣି ନେଇଛି। ଆଜି ଜିଏସଟି ଆଇନ ଅନୁଯାୟୀ ରାଜ୍ଯମାନଙ୍କୁ ଦେବାକୁ ଥିବା ଭରଣା ଅର୍ଥ ଦେବାକୁ କେନ୍ଦ୍ର ସରକାର ନିଜକୁ ଅସମର୍ଥ ବୋଲି କହୁଛନ୍ତି। ଅର୍ଥନୀତି ତଥା ରାଜ୍ଯମାନଙ୍କର ଦେବାଳିଆ ଅବସ୍ଥା ଲାଗି ଭଗବାନ ନୁହନ୍ତି, ଖୋଦ କେନ୍ଦ୍ର ସରକାର ଏଥିଲାଗି ଦାୟୀ।

ଗୋଟେ ସମୟରେ ଆମେ ଦୁଇ ଅଙ୍କ ବିଶିଷ୍ଟ ଜିଡିପି କଥା ଚିନ୍ତା କରୁଥିଲେ। ଅର୍ଥାତ ବାର୍ଷିକ ୧୦% ରୁ ଅଧିକ ଅଭିବୃଦ୍ଧି ଆମର ହେବ ବୋଲି ଆମର ଚିନ୍ତା ଥିଲା। ଆମେ ସେହି ସ୍ଥିତିର ପାଖାପାଖି ପହଞ୍ଚି ଯାଇଥିଲେ ମଧ୍ୟ।୨୦୦୬-୦୭ ଆର୍ଥିକ ବର୍ଷରେ ଆମର ଆର୍ଥିକ ଅଭିବୃଦ୍ଧି ୯.୫୭ ରେ ପହଞ୍ଚିଥିଲା। ଅଟଳ ବିହାରୀ ବାଜପାୟୀ ଓ ମନମୋହନ ସିଂ ସରକାର ସମୟରେ ଭାରତକୁ ପୃଥିବୀର ନୂଆ ଅର୍ଥନୈତିକ ସିଂହ ବୋଲି କୁହା ଯାଉଥିଲା। ଆର୍ଥିକ ଉଦାରୀକରଣ ଓ ଏକ ଭାରତୀୟ ବଜାରର ସଂପ୍ରସାରଣ ଫଳରେ ପୂରା ପୃଥିବୀର ଅର୍ଥନୈତିକ ଆଶାବାଦ ଭାରତରେ ଗଢିଉଠୁଥିଲା। ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧିର ଲକ୍ଷ୍ୟ ରୁ ଆମେ ଏବେ ଆସି ନକରାତ୍ମକ ଅଭିବୃଦ୍ଧି ର ସମୟରେ ପହଞ୍ଚିଛୁ।

କରୋନା ମହାମାରୀର ପ୍ରଭାବ ଯୋଗୁଁ ଚଳିତ ବର୍ଷ ଭାରତର ଅଭିବୃଦ୍ଧି ହାର -୪.୯ ହୋଇପାରେ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଆକଳନ କରିଛି। ଲକ ଡାଉନ ର ପ୍ରଥମ ପର୍ୟାୟ ପରେ ଦେଶର ଅଭିବୃଦ୍ଧି ୧.୯ କୁ ଖସିଆସିବ ବୋଲି ଏପ୍ରିଲ ରେ ଆଇଏମଏଫ କହିଥିଲା। ଏବେ ନିଜର ପୂର୍ବାନୁମାନକୁ ସଂଶୋଧନ କରି ଏହା -୪.୯ ହେବ ବୋଲି ଅନୁମାନ କରାଯାଉଛି। ତେବେ କୋଭିଡ ସଂକ୍ରମଣ ତଥା ଏଥିଲାଗି ଆଗକୁ ଜାରି ରହିଥିବା ଲକ ଡାଉନର ସମୟସୀମା ଉପରେ, ଏହି ଅଙ୍କ ନିର୍ଭର କରୁଛି। ଲକ ଡାଉନ ଖୋଲିବାର ପ୍ରକ୍ରିୟା ଭାରତରେ ଆରମ୍ଭ ହୋଇଥିଲେ ମଧ୍ୟ ଦେଶରେ କୋଭିଡ ସଂକ୍ରମଣ ବଢି ବଢି ଚାଲିଛି। ଦେଶରେ ସଂକ୍ରମିତ ଅଞ୍ଚଳ ଯେତେ ବଢିବ, ସେହି ସବୁ ଅଞ୍ଚଳରେ ଆର୍ଥିକ ଗତିରୋଧ ଲାଗି ରହିବ। ଅତି ସହଜ ଭାବରେ କହିଲେ, ଯେତେ ଅଧିକ ବନ୍ଦ ସେତେ ଅଧିକ ଆର୍ଥିକ କ୍ଷତି। ଆର୍ଥିକ କ୍ଷତିର ଏହି ଦୁର୍ଦ୍ଦିନ ଆମର ଅର୍ଥନୈତିକ ଭବିଷ୍ୟତକୁ ଘୋର ଅନ୍ଧାର ଆଡକୁ ନେଇଯିବ।

ତେବେ ଆମର ମୂଳ ଚିନ୍ତା ହେଉଛି ନେଗେଟିଭ ଜିଡିପିର ପ୍ରଭାବ ସାଧାରଣ ଲୋକଙ୍କ ଉପରେ କଣ ପଡିବ! ସାଧାରଣ ଲୋକର ଭାଷାରେ କହିଲେ ଯେତେବେଳେ ଘରକୁ ଅଧିକ ପଇସା ଆସୁଛି, ଆପଣ ସେତେବେଳେ ଅଧିକ ଖର୍ଚ୍ଚ ଓ ଅଧିକ ସଞ୍ଚୟ କରୁଛନ୍ତି। ଆୟ ଯେତେ କମୁଛି, ବ୍ୟୟ ମଧ୍ୟ ସେତିକି କମୁଛି। ଯେତେବେଳେ ଆମର ଅଭିବୃଦ୍ଧି ହାର ୭% ରୁ ୪% କମି ଆସିଲା, ସେତେବେଳେ ଆମେ ଦେଖିଲୁ ଆମ ଦେଶରେ ନୂଆ ଗାଡି କିଣିବା ବନ୍ଦ ହୋଇଗଲା। ଲୋକେ ବିସ୍କୁଟ ଓ ଚକୋଲେଟ କିଣିବା କମ କରିଦେଲେ। ନୂଆ ଲୁଗାର ବିକ୍ରି କମ ହୋଇଗଲା। ଏବେ ୪% ଜାଗାରେ ଯେତେବେଳେ -୪.୯% ଅଭିବୃଦ୍ଧି ହେବ, ସେଥିରେ ଆମ ଜୀବନ ଋଣ ଯନ୍ତାରେ ପଡିବାକୁ ବାଧ୍ୟ। ନେଗେଟିଭ ଜିଡିପିର ଅର୍ଥ ହେଉଛି, ଆମର ଆୟ ତୁଳନାରେ ବ୍ୟୟ ବହୁତ ବହୁତ ଅଧିକ।

ଅତି ସହଜ ଭାଷାରେ କହିଲେ, ଆଗାମୀ ଦିନରେ ଆମ ହାତକୁ ପଇସା ଆସିବା କମିଯିବ। ଉତ୍ପାଦନ କମିବା ସହିତ ରୋଜଗାର କମିବ। ଲୋକଙ୍କର ଚାକିରୀ ଚାଲିଯିବ। ଚାକିରୀ ଯାହାର ରହିବ, ସେ ପୂର୍ବ ତୁଳନାରେ କମ ଉପାର୍ଜନ କରିବେ। ବଜାରରେ ବିକାକିଣା ସଙ୍କୁଚିତ ହେବ। ସରକାର ଜନ କଲ୍ୟାଣ ଲାଗି ଯେତେ ଟଙ୍କା ଖର୍ଚ୍ଚ କରୁଥିଲେ, ସେତିକି ଖର୍ଚ୍ଚ କରି ପାରିବେ ନାହିଁ। ଆୟ କମିବ, ହେଲେ ବଜାରରେ ଦରଦାମ ବଢିବ। ଦରଦାମ ବଢିଲେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବ।

ଆଜି ଦେଶର ଆର୍ଥିକ ଦୁରବସ୍ଥାକୁ ସମ୍ଭାଳିବା ଲାଗି ସରକାରଙ୍କର କୌଣସି ପ୍ଯାକେଜ କାମ ଦେଉନାହିଁ। ଋଣ ମାଧ୍ୟମରେ ଅର୍ଥନୀତିକୁ ସୁଧାରିବାର ଯେଉଁ ଅବାସ୍ତବ ପ୍ଯାକେଜ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ, ତାର ସାମାନ୍ଯ ପ୍ରଭାବ ଆମ ଅର୍ଥନୀତିରେ ପଡିଲା ନାହିଁ। ଏହି ପ୍ଯାକେଜ କେବଳ କାଗଜ କାଳିର ଅପବ୍ୟୟ ବୋଲି ଅର୍ଥନୀତିଜ୍ଞମାନେ ସେତେବେଳେ କହିଥିଲେ। ଆଜି ତାହା ସତ୍ୟ ପ୍ରମାଣିତ ହୋଇଛି। ଆସନ୍ତା ମାସରୁ ଅନେକ ରାଜ୍ୟ ସରକାର ନିଜ କର୍ମଚାରୀଙ୍କୁ ଦରମା ଦେବାକୁ ଅସମର୍ଥ ବୋଲି କହିଲେଣି। “ଲକ ଡାଉନ” ଜରିଆରେ ସବୁ ରାଜ୍ୟ ସରକାରଙ୍କ ଉପରେ ଦାଦାଗିରି ଦେଖାଇଥିବା କେନ୍ଦ୍ର ସରକାର ଏବେ ରାଜ୍ୟ ମାନଙ୍କର ନ୍ୟାଯ୍ୟ ପ୍ରାପ୍ୟ ଦେବାକୁ ଅସମର୍ଥ ବୋଲି କହୁଛନ୍ତି।

ଏହା ଭଗବାନଙ୍କର କାମ ନୁହେଁ, ବରଂ ମୋଦୀ ସରକାରର ଆର୍ଥିକ କୁପରିଚାଳନାର ପରିଣାମ ବୋଲି ଆମକୁ ସ୍ଵୀକାର କରିବାକୁ ହେବ।

ଆର୍ଥିକ ଦୁରବସ୍ଥା କରୋନା ଭୂତାଣୁ କେଦାର ମିଶ୍ର ନିର୍ମଲା ସୀତାରମଣ ଭାରତର ଅର୍ଥନୀତି
Share. Facebook Twitter LinkedIn Email WhatsApp Copy Link

Related Posts

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025

ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବା ଆଇଏଏସ ଅମ୍ରିତ ଋତୁରାଜ କିଏ ? ସେ ଏବେ କେଉଁଠି ଅଛନ୍ତି

July 23, 2025

ଜିଲ୍ଲାପାଳ ସ୍ତରରେ ଅଦଳବଦଳ, ଚଞ୍ଚଳ ରଣା ହେଲେ ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ହେଲେ…..

July 23, 2025

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025
Latest News

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.