କେଦାର ମିଶ୍ର
କରୋନା ର ଖବର ଓ କରୋନାର ଅନୁଭବ ଦୁଇଟି ଭିନ୍ନ କଥା। ଆଗରୁ ଆମେ କରୋନାକୁ ଖବର ଭାବରେ ଶୁଣୁଥିଲୁ। ଏବେ ନିଜ ପରିବାର ଲୋକ ଓ ବନ୍ଧୁ ବାନ୍ଧବ ସେଥିରେ କଷ୍ଟ ପାଉଥିବାର ଦେଖୁଛୁ। ଯେତେବେଳେ ଏହା ଖବର ଥିଲା, ସେତେବେଳେ ଲାଗୁଥିଲା, ସରକାରଙ୍କ ପାଖରେ ସବୁକିଛି ସୁବିଧା ମହଜୁଦ ଅଛି। ଲୋକଙ୍କ ଜୀବନ ବଞ୍ଚାଇବାକୁ ଓଡିଶା ସରକାର ନିଜକୁ ପ୍ରସ୍ତୁତ ରଖି ଥିବାର ଆଶ୍ଵାସନା ଆମ ପାଖରେ ଥିଲା। ତେବେ ଆଜି ହଠାତ ଖୁର୍ଦ୍ଧା ଜିଲାରେ ଏବଂ ବିଶେଷ କରି ରାଜଧାନୀରେ ଯେତେବେଳେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ସେତେବେଳେ ଆକ୍ରାନ୍ତଙ୍କ ଅସହାୟତା ମଧ୍ୟ ବଢୁଛି। ଅଗଷ୍ଟ ମାସ ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମର ଯେଉଁ ତତ୍ପରତା ଥିଲା, ଏବେ ତାହା ଆଉ ଦେଖିବାକୁ ମିଳୁନି। ସରକାରଙ୍କ ସ୍ଵଘୋଷିତ “ହେଲ୍ପ ଲାଇନ” କୁ ଆଗରୁ ଫୋନ କଲା କ୍ଷଣି ତୁରନ୍ତ ସାହାଯ୍ୟ ମିଳୁଥିଲା। ଏବେ ଲକ୍ଷଣ ଦେଖାଦେବା ପରେ ଫୋନ କରୁଥିବା ବହୁ ଆକ୍ରାନ୍ତଙ୍କର ଅଭିଯୋଗ ହେଲା, ପରୀକ୍ଷା ପାଇଁ ଲୋକ ବହୁ ବିଳମ୍ବରେ ଆସୁଛନ୍ତି। ଅନେକ ସମୟରେ ଘରୋଇ ଡାକ୍ତରଖାନାରେ ପରୀକ୍ଷା କରାଇନିଅନ୍ତୁ ବୋଲି ସରକାରୀ ଉପଦେଶ ଶୁଣିବାକୁ ପଡୁଛି ବୋଲି ଜଣେ ବରିଷ୍ଠ ନାଗରିକ ଆମକୁ କହିଛନ୍ତି।
କରୋନା ପରୀକ୍ଷା ପରେ ଫଳାଫଳ ଜାଣିବାକୁ ୩/୪ ଦିନ ସମୟ ଲାଗୁଛି। ତାରି ଭିତରେ ଆକ୍ରାନ୍ତ ଯଦି ଗୁରୁତର ହୁଅନ୍ତି, ତାହେଲେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ବ୍ୟବସ୍ଥା ନାହିଁ। ଆମେ ଆଉ ଜଣେ ଆକ୍ରାନ୍ତଙ୍କ ସହ କଥା ହୋଇ ବୁଝିଲୁ ଯେ- ତାଙ୍କର ଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ହେବାରୁ ସେ ବିକଳ ହୋଇ ହେଲ୍ପ ଲାଇନକୁ ଫୋନ କଲେ। ଫୋନ ପାଇବାର ୪ ଘଣ୍ଟା ପରେ ଯାଇ ଆମ୍ବୁଲାନ୍ସ ପହଞ୍ଚିଲା। ଡାକ୍ତରଖାନାରେ ବେଡ ସରିଯାଇଥିଲା ଓ ଭେଣ୍ଟିଲେଟର ମଧ୍ୟ ଖାଲି ନଥିଲା। କେବଳ ଭଗବାନଙ୍କ ଦୟାରୁ ମୁଁ ବଞ୍ଚିଗଲି ବୋଲି ସମ୍ପୃକ୍ତ ବ୍ୟକ୍ତି ଜଣକ କହିଛନ୍ତି। ଏମିତି ଆହୁରି ଅନେକ ଆକ୍ରାନ୍ତଙ୍କର ଯନ୍ତ୍ରଣାର କାହାଣୀ ଆମେ ପ୍ରତିଦିନ ଶୁଣୁଛୁ। ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଆଉ ସ୍ଵତନ୍ତ୍ର କରୋନା ବେଡ ଉପଲବ୍ଧ ନାହିଁ।
ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ ରାଜ୍ୟର ସବୁଠୁ ଅଧିକ କରୋନା ଆକ୍ରାନ୍ତ ରହିଛନ୍ତି। ରାଜ୍ୟର ମୋଟ ସକ୍ରିୟ ଥିବା ୨୮,୭୪୩ ଆକ୍ରାନ୍ତଙ୍କ ଭିତରୁ କେବଳ ଖୋର୍ଦ୍ଧା ଜିଲାରେ ୭୨୦୩ ଆକ୍ରାନ୍ତ ରହିଛନ୍ତି। ଏଥିରୁ ଅଧିକାଂଶ ରାଜଧାନୀ ଭୁବନେଶ୍ବରର ବାସିନ୍ଦା। କେବଳ ଅଗଷ୍ଟ ମାସରେ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୧୫ ହଜାର ଆକ୍ରାନ୍ତ ବାହାରିଛନ୍ତି। ସ୍ଵାଭାବିକ ଭାବରେ ଏହାର ଚାପ ଡାକ୍ତରଖାନା ଓ କୋଭିଡ ସେଣ୍ଟର ଗୁଡିକ ଉପରେ ପଡିଛି। ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହେଲେ ଆମର ସ୍ଵାସ୍ଥ୍ୟକର୍ମୀଙ୍କ ସଂଖ୍ୟା ସୀମିତ। ତଥାପି ଲୋକଙ୍କୁ ଏହି ସମୟରେ ତାଙ୍କ ଭାଗ୍ୟ ଉପରେ ଛାଡିଦେବା ଉଚିତ ହେବନାହିଁ।
ସରକାରୀ ଉଦ୍ୟମରେ ମୋବାଇଲ ଭ୍ୟାନ ଜରିଆରେ କରୋନା ପରୀକ୍ଷା କଥା କୁହା ଯାଉଛି। ତେବେ ଅନେକ ସ୍ଥାନରୁ ଅଭିଯୋଗ ଆସୁଛି ଯେ ଲକ୍ଷଣ ଅଛି ବୋଲି କହିଲେ ମଧ୍ୟ ପରୀକ୍ଷା କରିବାକୁ କେହି ଆସୁନାହାନ୍ତି। ଏକ ନିର୍ଦ୍ଦିଷ୍ଟ ଘଟଣାରେ ଗୋଟେ ପରିବାରର ମୁଖିଆଙ୍କୁ ଜ୍ଵର ହେଲା। ସେ ଏ ବିଷୟରେ ହେଲ୍ପ ଲାଇନକୁ ଫୋନ କରି ଜଣାଇଲେ। ଫୋନ ପାଇବାର ଦିନେ ପରେ ସରକାରୀ ପରୀକ୍ଷା ଦଳ ଆସିଲେ ଓ ତାଙ୍କର ପରୀକ୍ଷା କଲେ।ଫଳ ଜଣାପଡିବା ଭିତରେ ତାଙ୍କର ଜ୍ଵର ପ୍ରବଳ ହେଲା। ଘର ଭିତରେ ସେ ରହିଲେ ମଧ୍ୟ ପରିବାର ଲୋକେ ଏହା ଦ୍ଵାରା ଆକ୍ରାନ୍ତ ହେଲେ। ଦୁଇଦିନ ପରେ ପୋଜିଟିଭ ଫଳ ଜଣା ପଡିବା ବେଳକୁ ପରିବାରର ଅନ୍ୟମାନେ ମଧ୍ୟ ଆକ୍ରାନ୍ତ ହୋଇ ସାରିଥିଲେ। ତା ପରଠୁ ପରିବାର ଲୋକଙ୍କ ପରୀକ୍ଷା କରାଇବାକୁ ସେ ବ୍ୟକ୍ତି ଜଣକ ବାରମ୍ବାର ଫୋନ କରୁଛନ୍ତି। ହେଲେ ସାହାଯ୍ୟ ମିଳୁନି। ଜଣେ ଘରୋଇ ଡାକ୍ତରଙ୍କ ଟେଲି ପରାମର୍ଶ କ୍ରମେ ପୂରା ପରିବାର ଏବେ ଔଷଧ ଖାଉଛନ୍ତି। ହେଲେ ସେମାନେ ଯଦି ଗୁରୁତର ହୁଅନ୍ତି, ତାହେଲେ କଣ କରିବେ, ସେ ଚିନ୍ତାରେ ଏବେ ସେମାନେ ଅଧିକ ଚିନ୍ତିତ।
ଏମିତି ଅନେକ ଘଟଣା ଏବେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଶୁଣିବାକୁ ମିଳୁଛି। ରାଜ୍ୟ ସରକାରଙ୍କ ନିଜ ତଥ୍ୟ ଅନୁସାରେ ରାଜଧାନୀରେ ୧୫୪୪ଟି କୋଭିଡ ବେଡ ରହିଛି। ସେହି ତୁଳନାରେ କିନ୍ତୁ ପ୍ରାୟ ତିନିଗୁଣ ଅର୍ଥାତ ୪୮୩୭ ଆକ୍ରାନ୍ତ ଏବେ ସକ୍ରିୟ ଅଛନ୍ତି। ଅଧାରୁ ଅଧିକ ସକ୍ରିୟ ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି। ଆମ ଘର ଗୁଡିକର ଅବସ୍ଥା ଯାହା ସେଥିରେ ଜଣକୁ ପୂରା ଅଲଗା କରି ରଖିବାର ସୁବିଧା ପ୍ରାୟ ଘରେ ନାହିଁ। ତେଣୁ ପରିବାରର ଜଣେ ଆକ୍ରାନ୍ତ ହେଲେ ବାକିମାନଙ୍କର ମଧ୍ୟ ପରୀକ୍ଷା ହେବା ଜରୁରୀ। ଅନେକ କ୍ଷେତ୍ରରେ ସେଥିରେ ମହାନଗର ନିଗମ ଅବହେଳା କରୁଥିବାର ଅଭିଯୋଗ ହେଉଛି।
ଏହା ଏକ ଅତ୍ୟନ୍ତ ଗୁରୁତର ଅଭିଯୋଗ। ରାଜଧାନୀରେ ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ତା ଠୁ ଢେର ଅଧିକ ଲୋକଙ୍କର ପରୀକ୍ଷା ହୋଇ ପାରିନାହିଁ। ସରକାରୀ ସାହାଯ୍ୟ ପହଞ୍ଚିବାରେ ଡେରି ହେଉଥିବାରୁ ଲୋକେ ଘରୋଇ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇ ଠିକ ହେଉଛନ୍ତି। ଏହା ଅନେକ କ୍ଷେତ୍ରରେ ସଂକ୍ରମଣ ବଢାଇବାରେ ସହାୟକ ହେଉଛି।
ଆଜିର ସ୍ଥିତିରେ ଫୋନ ଆସିବା କ୍ଷଣି ଯଦି ଲୋକଙ୍କର ପରୀକ୍ଷା କରା ନଯାଏ ଓ ପୂରା ପରିବାରକୁ ଏଥିଲାଗି ପୂରା ଅଲଗା ରକ୍ଷା ନଯାଏ, ତାହେଲେ ଭବିଷ୍ୟତରେ ସଂକ୍ରମଣ ସ୍ଥିତି ଅଧିକ ଗମ୍ଭୀର ହେବ।