Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶୀତ ଋତୁରେ କରୋନା ଭାଇରସ ସଂକ୍ରାମଣ ବଢିବାର ଆଶଙ୍କା ଅଛି ବୋଲି କହିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ
ଜାତୀୟ ଖବର

ଶୀତ ଋତୁରେ କରୋନା ଭାଇରସ ସଂକ୍ରାମଣ ବଢିବାର ଆଶଙ୍କା ଅଛି ବୋଲି କହିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ

October 14, 2020No Comments5 Mins Read
Share Facebook Twitter LinkedIn Email WhatsApp Copy Link
ଶୀତ ଋତୁରେ କରୋନା ଭାଇରସ ସଂକ୍ରାମଣ ବଢିବାର ଆଶଙ୍କା ଅଛି ବୋଲି କହିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ, କରୋନା ମହାମାରୀ ସଂକ୍ରାନ୍ତ ଉଚ୍ଚସ୍ତରୀୟ ମନ୍ତ୍ରିସ୍ତରୀୟ ଗୋଷ୍ଠୀର ଏକବିଂଶ ବୈଠକ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନ୍‌ଫରେନ୍‌ସିଂ ବ୍ୟବସ୍ଥାରେ ଆୟୋଜିତ ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ. ଜୟଶଙ୍କର, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ, ଜାହାଜ ଚଳାଚଳ (ସ୍ୱାଧୀନ), ସାର ଓ ରସାୟନ ମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟ, କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡ. ବିନୋଦ କୁମାର ପଲ ପ୍ରମୁଖ ଏଥିରେ ଯୋଗଦେଇଥିଲେ ।

ବୈଠକ ଆରମ୍ଭରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଦୀର୍ଘକାଳ ଧରି କରୋନା ମହାମାରୀ ବିରୋଧରେ ଲଢେଇ କରୁଥିବା କୋଭିଡ୍ ଯୋଦ୍ଧାମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ସହ ସେମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । କରୋନା ଦ୍ୱାରା ସୃଷ୍ଟି ହୋଇଥିବା ଜନସ୍ୱାସ୍ଥ୍ୟ ପ୍ରତି ବଡ଼ ଆହ୍ୱାନର ଦୃଢ଼ ମୁକାବିଲା କରିବାରେ ଭାରତ କିପରି ଉତ୍ସାହଜନକ ସଫଳତା ହାସଲ କରିଛି ସେ ବିଷୟରେ ସେ ସହଯୋଗୀମାନଙ୍କୁ ଅବଗତ କରାଇଥିଲେ ।

ମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ୬୨,୨୭,୨୯୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହା ସହିତ ଭାରତରେ ରେକର୍ଡ ୮୬.୭୮ ଶତାଂଶ ରୋଗୀ ଆରୋଗ୍ୟ ଲାଭ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଭାରତରେ କରୋନା ମୃତ୍ୟୁହାର ମାତ୍ର ୧.୫୩ ଶତାଂଶ ରହିଛି; ଯାହା ସମଗ୍ର ବିଶ୍ୱରେ ସର୍ବନିମ୍ନ । ଆହୁରି ମଧ୍ୟ ଆଗରୁ ପ୍ରତି ୩ ଦିନରେ ଥରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହେଉଥିବାବେଳେ ସରକାରୀ ପ୍ରୟାସ ଫଳରେ ଏବେ ଏହି ଦ୍ୱିଗୁଣିତ ସମୟ ୭୪.୯ ଦିନକୁ ବୃଦ୍ଧି ପାଇଛି ।

ମନ୍ତ୍ରୀ କହିଛନ୍ତି ଯେ ଦେଶରେ ଏବେ ୧୯୨୭ଟି ଲ୍ୟାବରେ କରୋନା ରୋଗୀଙ୍କ ଟେଷ୍ଟିଂ କରାଯାଉଛି ଏବଂ ଏହା ସଫଳତାର ସହ ଚାଲିଛି । ଏବେ ଦୈନିକ ୧.୫ ନିୟୁତ ଲୋକଙ୍କ କରୋନା ପରୀକ୍ଷା ପାଇଁ ଦେଶରେ ସୁବିଧା ସୁଯୋଗ ସୃଷ୍ଟି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପାଖାପାଖି ୧୧ ଲକ୍ଷ କରୋନା ସାମ୍ପୁଲ ପରୀକ୍ଷା କରାଯାଇଛି ।

ମନ୍ତ୍ରିସ୍ତରୀୟ ଗୋଷ୍ଠୀର ଅଧ୍ୟକ୍ଷ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଆହୁରି କହିଛନ୍ତି ଯେ ଆଗାମୀ ପାର୍ବଣ ସମୟ ଓ ଶୀତଋତୁ ବେଳେ ଆମ ସମସ୍ତଙ୍କୁ ଉପଯୁକ୍ତ କୋଭିଡ୍ ନିୟମ କଡାକଡିଭାବେ ପାଳନ କରିବାକୁ ପଡିବ । ଏହି ସମୟରେ ସାମାନ୍ୟ ସତର୍କତା ଅବଲମ୍ବନ ନକଲେ ରୋଗ ବଢିବାର ଆଂଶକା ରହିଛି । ପ୍ରଧାନମନ୍ତ୍ରୀ ଏ ସଂପର୍କରେ ଦେଶବ୍ୟାପୀ ଜନଆନ୍ଦୋଳନ ଆରମ୍ଭ କରି କୋଭିଡ୍ ନିୟମ ପାଳନ କରିବା ସହ ରୋଗ ନିୟନ୍ତ୍ରଣରେ ଜନ ସହଯୋଗ ପାଇଁ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ଉତ୍ସବ ପାଳିବା ସହ ରୋଗକୁ ଦୂରେଇ ରଖିବା ପାଇଁ ସମସ୍ତେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି।

ଏନ୍‌ସିଡିର ନିର୍ଦେଶକ ଡ. ସୁଜିତକୁମାର ସିଂହ କରୋନା ମହାମାରୀ ନିୟନ୍ତ୍ରଣ କ୍ଷେତ୍ରରେ ଭାରତର ସଫଳତା ସଂପର୍କରେ ଏକ ତଥ୍ୟ ସମ୍ବଳିତ ସବିଶେଷ ରିପୋର୍ଟ ଏଥିରେ ଉପସ୍ଥାପନ କରିଥିଲେ । ସରକାରଙ୍କ ନୀତି ଓ ପଦକ୍ଷେପ ଦ୍ୱାରା ଏହି ସଫଳତା ସମ୍ଭବ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ ।

ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା, ପ୍ରାଣ ହରାଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ବ୍ୟାଧିର ହ୍ରାସ ବୃଦ୍ଧି ଓ ହାର ବିଶ୍ୱ ପରିପ୍ରେକ୍ଷୀରେ ଭାରତର ସ୍ଥିତି ଆଦି ବିଷୟରେ ଏଥିରେ ତଥ୍ୟ ପ୍ରକାଶ କରାଯାଇଛି । ଏହି ତଥ୍ୟ ଅନୁସାରେ ଭାରତରେ ସାମଗ୍ରିକ ଆରୋଗ୍ୟ ଲାଭ ହାର ୮୬.୭୮ ଶତାଂଶ । ସେହିଭଳି ଦାଦର, ନଗର ହାବେଳି, ଡାମନ ଏବଂ ଡିଉରେ ଆରୋଗ୍ୟ ଲାଭ କରୁଥିବା କରୋନା ରୋଗୀଙ୍କ ସଂଖ୍ୟା ସର୍ବାଧିକ ୯୬.୨୫ ଶତାଂଶ ।

ଏହା ତଳକୁ ଆଣ୍ଡାମାନ ଓ ନିକୋବରରେ ୯୩.୯୮ ଶତାଂଶ ଏବଂ ବିହାରରେ ୯୩.୮୯ ଶତାଂଶ ରୋଗୀ ଆରୋଗ୍ୟ ହେଉଥିବା ଏହି ରିପୋର୍ଟରେ କୁହାଯାଇଛି । ସେହିଭଳି ଏହି ତଥ୍ୟ ଅନୁସାରେ କେରଳରେ ଆରୋଗ୍ୟ ଲାଭ କରୁଥିବା ସଂଖ୍ୟା ସୁବଠୁ କମ୍ । ଏବେ ସେଠାରେ ୬୬.୩୧ ଶତାଂଶ ରୋଗୀ ସୁସ୍ଥ ହେଉଛନ୍ତି । କେରଳରେ ଏବେ ଦୈନିକ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଆରୋଗ୍ୟ ହାର କମ୍ ରହୁଛି ।

ଡ. ସୁଜିତକୁମାର ସିଂହ କହିଛନ୍ତି ଯେ ବର୍ତ୍ତମାନ ଋତୁରେ ଇନ୍‌ଫ୍ଲୁଏଞ୍ଜା ଓ ଭେକ୍ଟରବର୍ଣ୍ଣ ରୋଗର ସଂକ୍ରମଣ ଏହାର ସର୍ବୋଚ୍ଚ ସ୍ତରରେ ରହିଛି । ତେବେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଥିବାରୁ ଇନ୍‌ଫ୍ଲୁଏଞ୍ଜା ରୋଗୀଙ୍କ ସଂଖ୍ୟା କମ୍ ରହିଛି । ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜାର ସମୟ ଉପଗତ ହୋଇଥିବାରୁ କରୋନା ପରୀକ୍ଷାବେଳେ ଏକ ସମୟରେ ଇନ୍‌ଫ୍ଲୁଏଞ୍ଜା ପରୀକ୍ଷା ବ୍ୟବସ୍ଥା କରିବାକୁ ସେ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ଆଗାମୀ ପାର୍ବଣ ଋତୁ ଓ ଶୀତକାଳରେ କରୋନା ମହାମାରୀ ଅଧିକ ବ୍ୟାପିବାର ଆଂଶକା ଥିବାରୁ ଏଥିପାଇଁ ସତର୍କ ରହିବା ସହ ଉପଯୁକ୍ତ ସ୍ୱାସ୍ଥ୍ୟ ନୀତି ଅବଲମ୍ବନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଦେଇଥିବା ପ୍ରସ୍ତାବକୁ ସେ ମଧ୍ୟ ସମର୍ଥନ କରିଛନ୍ତି । କରୋନା ପ୍ରଭାବିତ ବଡ଼ ବଡ଼ ସହରରେ ଏଥିପାଇଁ ବ୍ୟାପକ ଜନସଚେତନା ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଲୋକମାନେ କରୋନା ପ୍ରତି ସତର୍କ ରହିବା ସହ ସ୍ୱାସ୍ଥ୍ୟ ନୀତି ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ନୀତି ଆୟୋଗର ସ୍ୱାସ୍ଥ୍ୟ ବ୍ୟାପାର ସଦସ୍ୟ ଡ.ବିନୋଦକୁମାର ପାଲ ଏହି ବୈଠକରେ କରୋନା ଟିକା ବିକାଶ ସଂପର୍କରେ ଏକ ସବିଶେଷ ରିପୋର୍ଟ ଉପସ୍ଥାପନ କରିଥିଲେ । ଭାରତ ଏବଂ ବିଶ୍ୱର ଅନ୍ୟାନ୍ୟ ଦେଶରେ ଟିକାର ବିକାଶ, ପରୀକ୍ଷଣ ଏବଂ ସମ୍ଭାବ୍ୟ ଉପଲବ୍ଧତା ସଂପର୍କରେ ସୂଚନା ଦେଇଥିଲେ । ଟିକା ବଜାରକୁ ଆସିଲେ ସମାଜର ସବୁଠୁ ଦୁର୍ବଳ ଓ ଅସୁରକ୍ଷିତ ବର୍ଗର ଲୋକଙ୍କୁ ପ୍ରଥମେ ଏହା ଦେବାର ବ୍ୟବସ୍ଥା କରିବା ସଂକ୍ରାନ୍ତ ଆମେରିକାର ବ୍ୟାଧି ନିୟନ୍ତ୍ରଣ କେନ୍ଦ୍ର ସିଡିସି ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ସୁପାରିସ କରିଛନ୍ତି ସେ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ସଂପର୍କରେ ସେ ବୟସ ଓ ଲିଙ୍ଗଗତ ଭିତ୍ତିରେ ଏକ ପରିସଂଖ୍ୟାନ ରିପୋର୍ଟ ବୈଠକରେ ଉପସ୍ଥାପନ କରିବା ସହ ଏଥିରେ କେଉଁ ବର୍ଗର ଲୋକ ଅଧିକ ମୃତ୍ୟୁମୁଖରେ ପଡୁଛନ୍ତି ବା ଜୀବନ ହରାଇବାର ଆଂଶକା ରହିଛି ସେ ବିଷୟରେ ଉଲ୍ଲେଖ କରିଥିଲେ । ଯେଉଁମାନଙ୍କର ଅନ୍ୟାନ୍ୟ ପୁରୁଣା ରୋଗ ରହିଛି ସେହି ବର୍ଗର ଲୋକମାନେ କରୋନା ଦ୍ୱାରା ଅଧିକ ସଂଖ୍ୟାରେ ମୃତ୍ୟୁମୁଖରେ ପଡୁଥିବା ସେ ଉଲ୍ଲେଖ କରିଛନ୍ତି ।

ଇ-ଭିନ୍ ନେଟୱାର୍କକୁ ସୁସଂହତ ଓ ଦୃଢ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । କରୋନା ଟିକାର ଉପଲବ୍ଧତା, ଏହାର ମହଜୁଦ, ତାପମାତ୍ର ରକ୍ଷା, ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହାକୁ ପହଞ୍ଚାଇବା ପାଇଁ ଜିଓଟ୍ୟାଗ ବ୍ୟବସ୍ଥା ଆଦିକୁ ସୁନିଶ୍ଚିତ କରିବା ନିମନ୍ତେ ଇ-ଭିନ୍ ନେଟୱାର୍କକୁ ପୁନଃଉଦ୍ୟେଶିତ କରାଯିବ ।

ଏଥିପାଇଁ ଏକ ଡ୍ୟାସବୋର୍ଡ ପ୍ରସ୍ତୁତ କରାଯାଉଛି । ଏହା ଫଳରେ ବଜାରକୁ ଟିକା ଆସିଗଲେ ଏହାର ଭଣ୍ଡାରଣ ଓ ପ୍ରେରଣ ଆଦି କାର‌୍ୟ୍ୟ ସୁରୁଖୁରୁରେ ସଂପାଦିତ ହୋଇପାରିବ । ସେ ମଧ୍ୟ ଆହୁରି କହିଥିଲେ ଯେ ସ୍ୱାସ୍ଥ୍ୟକର୍ମୀମାନଙ୍କ ତାଲିକା ପ୍ରସ୍ତୁତି କାର‌୍ୟ୍ୟ ଚଳିତ ମାସ ଶେଷ କିମ୍ବା ଆସନ୍ତା ମାସ ଆରମ୍ଭ ପ୍ରଥମ ଭାଗରେ ଶେଷ ହେବ । ସେହିଭଳି ସମ୍ମୁଖ ଧାଡିର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଚିହ୍ନଟ କାର‌୍ୟ୍ୟ ମଧ୍ୟ ଆଗେଇ ଚାଲିଛି । ଏଥିପାଇଁ ଉଦ୍ଦିଷ୍ଟ ଡିଜିଟାଲ ପ୍ଲାଟଫର୍ମକୁ ବଦଳାଯାଉଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଥିଲେ ଯେ ଦେଶରେ କରୋନା ପଜିଟିଭ ହାରକୁ ୫ ଶତାଂଶରୁ କମ୍ ରଖିବାକୁ ହେଲେ ଟେଷ୍ଟିଂ ବ୍ୟବସ୍ଥାକୁ ଅଧିକ ବ୍ୟାପକ ଓ ସଘନ କରିବାକୁ ପଡିବ । ଏହା ଫଳରେ ମୃତ୍ୟୁହାର ୧ ଶତାଂଶରୁ ତଳେ ରହିବା ସମ୍ଭବ ହେବ । ତେବେ ଏଥିପାଇଁ କୋଭିଡ୍ ନୀତି ନିୟମକୁ କଠୋରଭାବେ ପାଳନ କରିବାକୁ ପଡିବ ।

ଲୋକଙ୍କ ଅଭ୍ୟାସରେ ପରିବର୍ତ୍ତନ ନହେଲେ ଏ କ୍ଷେତ୍ରରେ ସଫଳତା ଅଧିକ ମିଳିବ ନାହିଁ । କେରଳ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଛତିଶଗଡ ଆଦି ରାଜ୍ୟରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ସେସବୁ ରାଜ୍ୟର ଲୋକେ ଅଧିକ ସତର୍କ ରହି କରୋନା ନିୟମ ପାଳନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ବୈଠକରେ ବେସାମରିକ ଉଡାଣ ସଚିବ ପ୍ରଦୀପ ସିଂହ ଖରୋଲା, ବୟନ ସଚିବ ଶ୍ରୀ ରବି କପୁର, ଫାର୍ମାସ୍ୟୁଟିକାଲ ସଚିବ ଏସ୍‌. ଅପର୍ଣ୍ଣା, ଆଇସିଏମ୍‌ଆର ଡିଜି ଡ. ବଳରାମ ଭାର୍ଗବ, ଡିଜିସିଏ ଶ୍ରୀ ଅରୁଣ କୁମାର, ଡିଜିଏଫ୍‌ଟି ଶ୍ରୀ ଅମିତ ଯାଦବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଭାଗ ନେଇଥିଲେ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବପିଢ଼ିଙ୍କୁ ଅନ୍ଧକାର ଆଡ଼କୁ ଠେଲି ଦେଉଛି ଅନଲାଇନ୍ ଗେମିଂ: ପ୍ରତି ବର୍ଷ ୨୦ ହଜାର କୋଟି କ୍ଷତି

August 22, 2025

ICC ଟି-୨୦ ବ୍ୟାଟିଂ ଏବଂ ବୋଲିଂ ରାଙ୍କିଙ୍ଗରେ ଭାରତୀୟଙ୍କ ପ୍ରାଧାନ୍ୟ, ଶୀର୍ଷ ୧୦ ରେ ୭ ଖେଳାଳି

August 22, 2025

ଆଜି ଶସ୍ତା ହେଲା ନା ମହଙ୍ଗା: ଜାଣନ୍ତୁ ଆଜିର ସୁନା ଦର

August 22, 2025

ଏଥର ୨୦ ବର୍ଷ ଯାଏଁ ଚଲାଇପାରିବେ ଗାଡ଼ି: କିନ୍ତୁ ଆପଣଙ୍କୁ ଏତେ ଦେବାକୁ ପଡିବ ପଞ୍ଜିକରଣ ଫି

August 22, 2025
Latest News

ଯୁବପିଢ଼ିଙ୍କୁ ଅନ୍ଧକାର ଆଡ଼କୁ ଠେଲି ଦେଉଛି ଅନଲାଇନ୍ ଗେମିଂ: ପ୍ରତି ବର୍ଷ ୨୦ ହଜାର କୋଟି କ୍ଷତି

August 22, 2025

ICC ଟି-୨୦ ବ୍ୟାଟିଂ ଏବଂ ବୋଲିଂ ରାଙ୍କିଙ୍ଗରେ ଭାରତୀୟଙ୍କ ପ୍ରାଧାନ୍ୟ, ଶୀର୍ଷ ୧୦ ରେ ୭ ଖେଳାଳି

August 22, 2025

ଆଜି ଶସ୍ତା ହେଲା ନା ମହଙ୍ଗା: ଜାଣନ୍ତୁ ଆଜିର ସୁନା ଦର

August 22, 2025

ଏଥର ୨୦ ବର୍ଷ ଯାଏଁ ଚଲାଇପାରିବେ ଗାଡ଼ି: କିନ୍ତୁ ଆପଣଙ୍କୁ ଏତେ ଦେବାକୁ ପଡିବ ପଞ୍ଜିକରଣ ଫି

August 22, 2025

କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଗାଇଲେ ଆରଏସଏସ ସଙ୍ଗୀତ: କଂଗ୍ରେସକୁ କଟାକ୍ଷ କଲା ବିଜେପି

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.