
ନୂଆଦିଲ୍ଲୀ: ଭାରତକୁ ଫାଇଜର ଏବଂ ମଡାର୍ଣ୍ଣ ଭଳି ବିଦେଶୀ ଟୀକା ଶୀଘ୍ର ଆଣିବା ପାଇଁ ଏକ ବଡ ପଦକ୍ଷେପ ନିଆଯାଇଛି। ଏହି ଟୀକାର ଭାରତରେ ଅଲଗା ଟ୍ରାଏଲ ସର୍ତ୍ତକୁ ଡିସିଜିଆଇ ଉଠାଇଦେଇଛି। ଅନ୍ୟ ଦେଶରେ ଦିଆଯାଉଥିବା ତଥା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ଟୀକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି, ସେହି ଟୀକା ପାଇଁ ଭାରତରେ ବ୍ରିଜିଙ୍ଗ ଟ୍ରାଏଲ କରିବା ଆବଶ୍ୟକ ନାହିଁ।
ଭାରତକୁ ଏହି ଦୁଇ କମ୍ପାନୀ ଟୀକା ଦେବା ପାଇଁ ପୂର୍ବରୁ ଆଗ୍ରହ ପ୍ରକାଶ କରିଥିଲେ। ଏହି ଦୁଇ କମ୍ପାନୀ କ୍ଷତିପୂରଣ ଏବଂ ସ୍ଥାନୀୟ ଟ୍ରାଏଲରୁ ମୁକ୍ତ କରିବା ପାଇଁ ଭାରତକୁ କହିଥିଲେ। ଅତ୍ୟଧିକ ଖରାପ ପ୍ରଭାବ ପାଇଁ କ୍ଷତିପୂରଣ ସହାୟତା କିମ୍ବା କମ୍ପାନୀର ଦାୟିତ୍ଵ ଉପରେ ଭାରତ ସରକାର କୌଣସି ନିଷ୍ପତ୍ତି ନେଇନାହିଁ। କିନ୍ତୁ ସ୍ଥାନୀୟ ଟ୍ରାଏଲ ନକରିବା ପାଇଁ ଭାରତ ସରକାର ରାଜି ହୋଇଛି।