ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ ବିବୃତ୍ତି: ‘ଯଦି ଆବଶ୍ୟକ ହୁଏ, ଭାରତକୁ ଅତିରିକ୍ତ ରାଫାଲ ଦେବାକୁ ପ୍ରସ୍ତୁତ’

Published: Dec 17, 2021, 2:20 pm IST

ନୂଆଦିଲ୍ଲୀ: ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ କହିଛନ୍ତି ଯେ, ଆବଶ୍ୟକ ହେଲେ ତାଙ୍କ ଦେଶ ଭାରତକୁ ଅତିରିକ୍ତ ରାଫାଲ ଯୁଦ୍ଧ ବିମାନ ଯୋଗାଇବାକୁ ପ୍ରସ୍ତୁତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରଣନୈତିକ ସହଭାଗୀମାନଙ୍କ ଦ୍ୱାରା ସମାନ ପ୍ରକାରର ବିମାନର ବ୍ୟବହାର ସେମାନଙ୍କ ସମ୍ପର୍କର “ପ୍ରକୃତ ସମ୍ପତ୍ତି ଏବଂ ଶକ୍ତି” ଦର୍ଶାଏ। ଭାରତ ଗସ୍ତରେ ଆସିଥିବା ପାର୍ଲେ ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପୂର୍ବରୁ ଏହି ମନ୍ତବ୍ୟ ଦେଇଛନ୍ତି।

କୋଭିଡ-୧୯ ମହାମାରୀ ସତ୍ତ୍ୱେ ଭାରତକୁ ୩୩ ଟି ରାଫେଲ ଯୁଦ୍ଧ ବିମାନ ଯୋଗାଇ ଦିଆଯାଇଥିବା ଫ୍ରାନ୍ସ ଦୂତାବାସ ସୂଚନା ଦେଇଛି। ସେପ୍ଟେମ୍ବର ୨୦୧୬ରେ ଫ୍ରାନ୍ସ ସହିତ ପ୍ରାୟ ୫୯ ହଜାର କୋଟି ଟଙ୍କାରେ ୩୬ ରାଫାଲ ଯୁଦ୍ଧ ବିମାନ ପାଇଁ ଭାରତ ଏକ ଚୁକ୍ତି ସ୍ୱାକ୍ଷର କରିଥିଲା। ଏକ ପ୍ରଶ୍ନର ଉତ୍ତରରେ ପାର୍ଲେ କହିଛନ୍ତି, ମୁଁ ଖୁସି ଯେ ଭାରତୀୟ ବାୟୁସେନା ରାଫାଲ ବିମାନରେ ସନ୍ତୁଷ୍ଟ ଏବଂ ଆମେ ଗର୍ବିତ ଯେ କୋଭିଡ-୧୯ ମହାମାରୀ ସତ୍ତ୍ୱେ ଚୁକ୍ତିନାମା ଅନୁଯାୟୀ ଆମେ ୩୬ ଟି ବିମାନ ବିତରଣ କରିଛୁ …।”

ଉଲ୍ଲେଖନୀୟ ବିଷୟ ହେଉଛି, ଭାରତର ପ୍ରଥମ ସ୍ୱଦେଶୀ ନିର୍ମିତ ବିମାନ ପରିବହନକାରୀ ବିକ୍ରାନ୍ତ ଆସନ୍ତା ବର୍ଷ ଅଗଷ୍ଟରେ ଭାରତୀୟ ନୌସେନାରେ ସାମିଲ ହେବାର ଯୋଜନା ରହିଛି। ଗତ ବର୍ଷ ଜୁଲାଇ ୨୯ ତାରିଖରେ ଫ୍ରାନ୍ସର କମ୍ପାନୀ ଡାସଲ୍ଟ ଆଭିଏସନ ଦ୍ୱାରା ଉତ୍ପାଦିତ ରାଫାଲ ବିମାନର ପ୍ରଥମ ପରିବହନ ସାମଗ୍ରୀ ଭାରତକୁ ଯୋଗାଇ ଦିଆଯାଇଥିଲା। ଫ୍ରାନ୍ସ ଆହୁରି ୩୬ ଟି ରାଫାଲ ବିମାନ ବିକ୍ରୟ ପାଇଁ ଭାରତ ସହ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରୁଛି।

Related posts