ଢାକା: ଆଜି ବାଂଲାଦେଶରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟି ୧୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଆହତ ହୋଇଥିବା ଖବର ମିଳିଛି। କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏଭଳି ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା ବଢିବାବାର ସମ୍ଭାବନା ରହିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବସର ଉଚ୍ଚ ଗତି ଏବଂ ଚକ ଫାଟିଯିବା କାରଣରୁ ଏହି ଦୁର୍ଘଟଣା ଘଟିଛି। ଉଚ୍ଚ ବେଗରେ ଥିବାରୁ ବସ୍ ନିୟନ୍ତ୍ରଣ ହରାଇ ଖାଲରେ ପଡ଼ିଯାଇଥିଲା। ଏହି ଦୁର୍ଘଟଣା ବାଂଲାଦେଶର ମଦାରିପୁର ଅଞ୍ଚଳରେ ଘଟିଛି। ପୋଲିସର ସୂଚନାନୁସାରେ, ଏମାଦ ଟ୍ରାନ୍ସପୋର୍ଟ ଦ୍ୱାରା ପରିଚାଳିତ ଢକା ଅଭିମୁଖେ ବସ୍ ସକାଳ ପ୍ରାୟ ୭.୩୦ ସମୟରେ ମଦାରିପୁରର ଏକ ଏକ୍ସପ୍ରେସୱେରେ ନିୟନ୍ତ୍ରଣ ବାହାରକୁ ଯାଇଥିଲା। ମଦାରିପୁର ପୋଲିସ ଅଧୀକ୍ଷକ ମହମ୍ମଦ ମାସୁଦ ଆଲାମ କହିଛନ୍ତି ଯେ, ଆହତମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Tags: ବସ୍ ଦୁର୍ଘଟଣା, ବାଂଲାଦେଶ