‘ପୁଣି ଭାଙ୍ଗିବ ପାକିସ୍ତାନ, ଏକ ନୂତନ ଦେଶ ହେବାକୁ ପ୍ରସ୍ତୁତି’: ଶେହବାଜ ସରିଫଙ୍କୁ ଚେତାବନୀ ଦେଲେ ପାକ୍ ସାଂସଦ

Published: Feb 18, 2025, 9:48 pm IST

ନୂଆଦିଲ୍ଲୀ: ପାକ୍ ସାଂସଦ ତଥା ଜାମିଆତ୍ ଉଲେମା-ଇ-ଇସଲାମ ସଭାପତି ଫଜଲ ଉର୍-ରେହମାନ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନର ଏକ ଅଂଶ ଅଲଗା ହେବାକୁ ଯାଉଛି। ବର୍ତ୍ତମାନ ସ୍ଥିତିରେ ବାଲୁଚିସ୍ତାନ ଏବଂ ଖବେର ପଖ୍ତୁନଖୱା ସମେତ 5-7 ଟି ଜିଲ୍ଲା ଯେକୌଣସି ସମୟରେ ପୃଥକ ଦେଶ ଭାବରେ ଘୋଷଣା କରିପାରନ୍ତି ଏବଂ ପରଦିନ ମିଳିତ ଜାତିସଂଘ ମଧ୍ୟ ଏହାକୁ ଗ୍ରହଣ କରିବ।

ଯେତେବେଳେ ମାନବ ଚାଲାଣ ଏବଂ ଭିକବୃତ୍ତି ଉପରେ ରୋକ ଲଗାଇବା ପାଇଁ ଗୃହ ପାଞ୍ଚଟି ବିଲ୍ ପାସ କଲା ସେତେବେଳେ ଫଜଲ ଉର୍-ରେହମାନ ଏହି ମନ୍ତବ୍ୟ ଦେଇଛନ୍ତି। ଏହା ଉପରେ ଫଜଲ ଉର ରେହମାନ କହିଛନ୍ତି ଯେ, ଯେତେବେଳେ ଲୋକମାନେ ନିଜେ ଆପଣଙ୍କ କଥା ଶୁଣୁନାହାଁନ୍ତି, କାହା ପାଇଁ ଆଇନ ତିଆରି ହେଉଛି? ପ୍ରଥମେ ଦେଶକୁ ନିୟନ୍ତ୍ରଣରେ ଆଣନ୍ତୁ। ଫଜଲ ଉର-ରେହମାନ ଏହା ମଧ୍ୟ କହିଛନ୍ତି ଯେ, ଏହି ଅଞ୍ଚଳରେ ପୋଲିସ କିମ୍ବା ସେନା ନାହାଁନ୍ତି, ପୋଲିସ ଚେକପୋଷ୍ଟ ବନ୍ଦ ରହିଛି।

ଫଜଲ ଉର୍-ରେହମାନ କହିଛନ୍ତି ଯେ, ବାଲୁଚିସ୍ତାନ ଏବଂ ଖବେର ପଖ୍ତୁନଖୱାର ସ୍ଥିତି କାହା ପାଖରେ ଲୁଚି ନାହିଁ। ଆମେ ସମସ୍ତେ ପାକିସ୍ତାନୀ, ଆମର ଦେଶ ଏକ ଏବଂ ଆମର ସମ୍ମାନ ଏକ। ସେହି ସନ୍ଦର୍ଭରୁ ଆମେ ଜାଣିବା ଉଚିତ ଯେ, ବର୍ତ୍ତମାନ ଦୁଇ ରାଜ୍ୟରେ ସରକାରଙ୍କ ତରଫରୁ କୌଣସି ନିୟନ୍ତ୍ରଣ ନାହିଁ।

Related posts