
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଆତଙ୍କବାଦ ବିରୋଧରେ ଲଢେଇରେ ଆମେରିକା, ଋଷ ଏବଂ ୟୁରୋପୀୟ ଦେଶମାନେ କହିଛନ୍ତି ଯେ, ସେମାନେ ଭାରତ ସହ ଛିଡା ହେବେ। ଏହି ସମୟରେ ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକ ତୁଲସି ଗାବାର୍ଡ ଏହି ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ସେ ଭାରତ ସହ ଛିଡା ହେବେ।
ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ତୁଲସୀ ଗାବାର୍ଡ କହିଛନ୍ତି ଯେ, ପହଲଗାମରେ ୨୬ ହିନ୍ଦୁଙ୍କୁ ଟାର୍ଗେଟ କରୁଥିବା ଭୟଙ୍କର ଇସଲାମୀ ଆତଙ୍କବାଦୀ ଆକ୍ରମଣ ପରେ ଆମେ ଭାରତ ସହ ଛିଡା ହେଇଛୁ। ସେ କହିଛନ୍ତି ଯେ, “ଯେଉଁମାନେ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପାଇଁ ମୋର ପ୍ରାର୍ଥନା ଏବଂ ଗଭୀର ସମବେଦନା ରହିଛି। ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତର ସମସ୍ତ ଲୋକଙ୍କ ସହ ଅଛୁ। ଏହି ଘୃଣ୍ୟ ଆକ୍ରମଣ ପାଇଁ ଦାୟୀ ଲୋକଙ୍କୁ ଧରିବାରେ ଆମେ ଆପଣଙ୍କ ସମର୍ଥନ କରୁଛୁ।”