ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଆଜି କହିଛନ୍ତି ଯେ, ଭାରତ ବିଶ୍ୱ ବଜାରରେ ତୈଳ କ୍ରୟ ପାଇଁ ତାର ଉତ୍ସଗୁଡ଼ିକୁ ବିବିଧ କରିଛି, ତେଣୁ ସରକାର ରୁଷର ତୈଳ ରପ୍ତାନି ଉପରେ ଆମେରିକାର କୌଣସି କାର୍ଯ୍ୟାନୁଷ୍ଠାନ ବିଷୟରେ ଚିନ୍ତିତ ନୁହେଁ। ୨୦୨୫ ଶକ୍ତି ସଂଳାପରେ କେନ୍ଦ୍ର ମନ୍ତ୍ରୀ ପୁରୀ କହିଛନ୍ତି ଯେ, ଭାରତ ବର୍ତ୍ତମାନ ୪୦ଟି ଦେଶରୁ ତେଲ କିଣୁଛି, ଯେତେବେଳେ ୨୦୦୭ ରେ ଏହି ସଂଖ୍ୟା ୨୭ ଥିଲା ଏବଂ ବିଶ୍ୱ ବଜାରରେ ଏହାର ପର୍ଯ୍ୟାପ୍ତ ଯୋଗାଣ ଅଛି।
କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ, “ବଜାରରେ ପ୍ରଚୁର ତେଲ ଉପଲବ୍ଧ ଅଛି। ଇରାନ ଏବଂ ଭେନେଜୁଏଲା ବର୍ତ୍ତମାନ ପ୍ରତିବନ୍ଧକ ଅଧୀନରେ ଅଛନ୍ତି। କିନ୍ତୁ କ’ଣ ସେମାନେ ସବୁଦିନ ପାଇଁ ପ୍ରତିବନ୍ଧକ ଅଧୀନରେ ରହିବେ? ବ୍ରାଜିଲ, କାନାଡା ଏବଂ ଅନ୍ୟାନ୍ୟ ଦେଶ ସମେତ ଅନେକ ଦେଶ ଉତ୍ପାଦନ ବୃଦ୍ଧି କରୁଛନ୍ତି। ମୁଁ ବର୍ତ୍ତମାନ ଯୋଗାଣ ବିଷୟରେ ଅଯଥା ଚିନ୍ତିତ ନୁହେଁ। ଆମେ ଆମର ଉତ୍ସଗୁଡ଼ିକର ବିବିଧତା ଆଣିଛୁ।”
ରୁଷୀୟ ତୈଳ ଆମଦାନୀ ଉପରେ ଭାରତ ଏବଂ ଚୀନକୁ ଧମକ ଦେଇଛନ୍ତି ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷୀୟ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଦ୍ୱିତୀୟ ପ୍ରତିବନ୍ଧକ ଘୋଷଣା କରିବା ପରେ କେନ୍ଦ୍ର ମନ୍ତ୍ରୀଙ୍କ ଏହି ବୟାନ ଆସିଛି। ମଙ୍ଗଳବାର (ଜୁଲାଇ ୧୫) ଦିନ ଟ୍ରମ୍ପ ଧମକ ଦେଇଥିଲେ ଯେ, ଯଦି ୫୦ ଦିନ ମଧ୍ୟରେ ୟୁକ୍ରେନ ସହିତ ଶାନ୍ତି ଚୁକ୍ତି ନହୁଏ, ତେବେ ରୁଷ ଉପରେ କଠୋର ବାଣିଜ୍ୟିକ କଟକଣା ଲାଗୁ କରାଯିବ। ଟ୍ରମ୍ପ କହିଛନ୍ତି ଯେ, ରୁଷ ରପ୍ତାନି ଉପରେ ଆମେରିକାର ଶୁଳ୍କ ୧୦୦ ପ୍ରତିଶତକୁ ବୃଦ୍ଧି କରାଯିବ। ସେ ଭାରତ ଏବଂ ଚୀନ୍ ଭଳି ଦେଶମାନଙ୍କ ଉପରେ ମଧ୍ୟ କଟକଣା ଲଗାଇବାକୁ ଧମକ ଦେଇଥିଲେ, ଯେଉଁମାନେ ରୁଷରୁ ତେଲ କିଣୁଛନ୍ତି।
ଟ୍ରମ୍ପ୍ଙ୍କ ଧମକ ବିଷୟରେ କେନ୍ଦ୍ର ମନ୍ତ୍ରୀ ପୁରୀ କହିଛନ୍ତି ଯେ, “ମୁଁ ଏହି ଧମକ ଶୁଣିଛି। ଦୁଇଟି ବିବାଦୀୟ ପକ୍ଷ ମଧ୍ୟରେ ସମସ୍ୟାର ସମାଧାନ ପାଇଁ କିଛି ବିବୃତ୍ତି ଦିଆଯାଇଛି। ମସ୍କୋରୁ ଭାରତର ତୈଳ କ୍ରୟ ବିଶ୍ୱ ବଜାରରେ ମୂଲ୍ୟ ସ୍ଥିର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଯେତେବେଳେ ୨୦୨୨ ରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଥିଲା, ଭାରତ-ରୁଷ ତୈଳ ବାଣିଜ୍ୟ ଅନୁପସ୍ଥିତିରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପ୍ରତି ୧୩୦ ଡଲାର ପହଞ୍ଚିପାରିଥାନ୍ତା। ରୁଷ-ୟୁକ୍ରେନ ଯୁଦ୍ଧ ପୂର୍ବରୁ ଭାରତ ମସ୍କୋରୁ ଏହାର ଅଶୋଧିତ ତୈଳ ଆମଦାନୀର କେବଳ ୦.୨ ପ୍ରତିଶତ କିଣୁଥିଲା। ଆଜି ଏହା ପ୍ରାୟ ୪୦ ପ୍ରତିଶତ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, “ରୁଷ ଅଶୋଧିତ ତୈଳର ମୂଲ୍ୟ ସର୍ବଦା ପ୍ରତି ବ୍ୟାରେଲ ୬୦ ଡଲାର ମଧ୍ୟରେ ରହିଛି, କିନ୍ତୁ ଏହା ଉପରେ କେବେ ବି କଟକଣା ନଥିଲା।” ଭାରତ ପ୍ରତିବନ୍ଧକ ଥିବା କୌଣସି ଦେଶରୁ ଅଶୋଧିତ ତେଲ ନ କିଣିବାର ନିଜ ମତରେ ଦୃଢ଼।”
ସେହି ସମୟରେ କେନ୍ଦ୍ର ମନ୍ତ୍ରୀ ପୁରୀ ଏହି ମାସର ଆରମ୍ଭରେ କହିଥିଲେ ଯେ, “ଋଷ ବିଶ୍ୱର ସର୍ବବୃହତ ଅଶୋଧିତ ତେଲ ଉତ୍ପାଦକ ଦେଶମାନଙ୍କ ମଧ୍ୟରୁ ଗୋଟିଏ ଯାହା ପ୍ରତିଦିନ ୯୦ ଲକ୍ଷ ବ୍ୟାରେଲରୁ ଅଧିକ ଉତ୍ପାଦନ କରେ। କଳ୍ପନା କରନ୍ତୁ ଯଦି ଏହି ତେଲ, ଯାହା ବିଶ୍ୱର ପ୍ରାୟ ୯.୭ କୋଟି ବ୍ୟାରେଲ ତୈଳ ଯୋଗାଣର ପ୍ରାୟ ୧୦ ପ୍ରତିଶତ, ବଜାରରୁ ଗାଏବ ହୋଇଯାଆନ୍ତା, ତେବେ କ’ଣ ହୋଇଥାନ୍ତା। ଏହା ବିଶ୍ୱକୁ ଏହାର ବ୍ୟବହାର ହ୍ରାସ କରିବାକୁ ବାଧ୍ୟ କରିଥାନ୍ତା ଏବଂ ଗ୍ରାହକମାନେ ଯୋଗାଣ ଖୋଜୁଥିବାରୁ ମୂଲ୍ୟ ୧୨୦-୧୩୦ ଡଲାରରୁ ଅଧିକ ହୋଇଥାଆନ୍ତା।”