106 ବର୍ଷ ବୟସରେ କରୋନା ମାତ୍‌ ଦେଇ ଚର୍ଚ୍ଚାରେ ବୃଦ୍ଧା

Published: Apr 16, 2020, 9:31 am IST

ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ମୃତ୍ୟୁର ତାଣ୍ଡବ ରଚି ଚାଲିଥିବାବେଳେ ଆମେରିକା, ବ୍ରିଟେନ୍‌, ଇଟାଲୀ ପରି ସମ୍ଭ୍ରାନ୍ତ ଦେଶଗୁଡିକ ଏବେ କରୋନା ମହାମାରୀରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ତେବେ ଏହି କରୋନା ସହ ଯୁଦ୍ଧରେ ବ୍ରିଟେନ୍‌ର ଜଣେ ମହିଳା ଚର୍ଚ୍ଚାକୁ ଆସିଛନ୍ତି । 106 ବର୍ଷୀୟା ଏହି ବୃଦ୍ଧାଜଣକ କରୋନାକୁ ମାତ୍‌ ଦେବାରେ ସକ୍ଷମ ହୋଇଛନ୍ତି । ଦୁଇ ଦୁଇଥର ବିଶ୍ବଯୁଦ୍ଧ ଦେଖିଥିବା ଏହି ମହିଳା ଜଣକ କରୋନା ଯୁଦ୍ଧରେ ମଧ୍ୟ ବିଜୟୀ ହୋଇଛନ୍ତି ।

ବ୍ରିଟେନ୍‌ରେ କରୋନାକୁ ଜିତିଥିବା ଅଧିକ ବୟସ୍କ ମହିଳା ଭାବେ ଏହି ମହିଳା ଜଣକ ତିନି  ସପ୍ତାହ ଧରି ହସ୍ପିଟାଲରେ ରହିଥିଲେ । କିନ୍ତୁ ମୃତ୍ୟୁ ଓ ଜୀବନର ଲଢେଇ ଭିତରେ ମହିଳାଜଣକ ଜିତିଛନ୍ତି । ମହିଳାଙ୍କ ନାମ ହେଉଛି କୋନି ଟିଚେନ୍‌ । ଟିଚେନ୍‌ 1913 ମସିହାରେ ଜନ୍ମ ହୋଇଥିଲେ । ଗତ ମାସ ତାଙ୍କ ଦେହ ବହୁତ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ କରୋନାର ସଂକ୍ରମିତ ହୋଇଥିବାର ଜଣାପଡିଥିଲେ । ହସ୍ପିଟାଲରେ ତିନି ସପ୍ତାହ ରହିବା ପରେ ଚଳିତ ସପ୍ତାହରେ ସେ ଘରକୁ ଫେରିଛନ୍ତି ।

ବ୍ରିଟେନ୍‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା 99 ହଜାର ପାର କରିଥିବାବେଳେ 12 ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । କିନ୍ତୁ ଏବେ ସେ ସୁସ୍ଥ ଅଛନ୍ତି ।(ଏଜେନ୍ସି)

Related posts