ନ୍ୟୁୟର୍କ : ବିଶ୍ବରେ କରୋନାର ତାଣ୍ଡବ ଜାରି ରହିଛି । ଚୀନର ଉହାନ୍ ସହରରୁ ଆରମ୍ଭ ହୋଇଥିବା ଏହି କରୋନା ଏବେ ବିଶ୍ବର ସବୁ ଦେଶରେ ପ୍ରଭାବ ବିସ୍ତାର କରି ସାରିଛି। ଏହା ଏବେ କେବଳ ମଣିଷଙ୍କର ନୁହେଁ ପଶୁଙ୍କଠାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ପୂର୍ବରୁ କରୋନାରେ ଏକ ବାଘୁଣୀ ସଂକ୍ରମିତ ହୋଇଥିବାର ଖବର ରହିଥିଲା । ଏବେ ଏହି କରୋନା କବଳରେ ଗୃହ ପାଳିତ ପଶୁମାନେ ମଧ୍ୟ ଶିକାର ହେଲେଣି।
ମିଳିଥିବା ସୂଚନା ଅନୁସାରେ ଆମେରିକାଠାରେ ଏକ ଗୃହପାଳିତ ବିଲେଇ ନିକଟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ତେବେ ଗୃହପାଳିତ ପଶୁଙ୍କ ନିକଟରେ ଏହି ମାମଲା ପ୍ରଥମ ରୂପେ ଦେଖାଯାଇଛି । ନ୍ୟୁୟର୍କରେ ଦୁଇ ବିଲେଇ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ଦୁଇ ବିଲେଇ ନିଃଶ୍ବାସ ନେବାର କଷ୍ଟ ଅନୁଭବ କରୁଥିଲେ । ଯେତେବେଳେ ବିଲେଇଙ୍କର ଟେଷ୍ଟ କରାଗଲା ତେବେ ତାଙ୍କଠାରେ କରୋନା ପଜିଟିଭ୍ ମିଳିଥିଲା । ଏବେ ଏହି ବିଲେଇର ଚିକିତ୍ସା କରାଯାଉଛି । ତେବେ ଏହି ବିଲେଇ ଘର ଲୋକ କିମ୍ବା ପଡୋଶୀଙ୍କଠାରୁ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଏହି ଘଟଣାକୁ ଦେଖି ଆମେରିକାରର ସେଣ୍ଟର ଫର୍ ଡିସିଜ୍ କଣ୍ଟ୍ରୋଲ୍ ଏଣ୍ଡ୍ ପ୍ରିଭେସନ୍ ଦ୍ବାରା ଏକ ରିଲିଜ୍ ଜାରି କରାଯାଇଛି । ସିଡିସି ର ରିଲିଜ୍ ଅନୁସାରେ ଏହି ବିଲେଇ ନ୍ୟୁୟର୍କର ଦୁଇ ଅଲଗା ଅଲଗା ସ୍ଥାନର ଅଟନ୍ତି ।
ସୂଚନାଯୋଗ୍ୟ, ଆମେରିକାରେ କରୋନା ସ୍ଥିତି ଅଣାୟତ୍ତ ରହିଛି । ଆମେରିକାରେ ଏହି ମହାମାରୀ ଯୋଗୁଁ 47,681ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 8,49,092 ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ସାରା ବିଶ୍ବରେ ଏହି ରୋଗରେ 26,39,026ଜଣ ସଂକ୍ରମିତ ହୋଇଥିବାବେଳେ 1,84,263ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସୁସ୍ଥ ହୋଇଛନ୍ତି 722,171ଜଣ ।