ଜେନେଭା: ମହାମାରୀ କରୋନା ଭାଇରସର ସଂକ୍ରମଣ କମିଲେ ମଧ୍ୟ ବିଶ୍ୱରେ ଏହା ଅନେକ ଦିନ ଧରି ଆମ ସହ ରହିବ ବୋଲି କହିଛନ୍ତି ଡବ୍ଲୁଏଚ୍ଓର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟେସୁ । ତେଣୁ କେହି ବି କିଛି ଭୁଲ କରନ୍ତୁ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସବୁ ରାଷ୍ଟ୍ରକୁ ସତର୍କ କରାଯାଇଛି। କରୋନା ଯୋଗୁ ସମଗ୍ର ବିଶ୍ୱରେ ଲକଡାଉନ ଜାରି କରାଯାଇଛି। ଏହାଦ୍ୱାରା ଅର୍ଥନୀତି ଠାରୁ ଆରମ୍ଭ କରି ସାଧାରଣ ଜନଜୀବନ ଗଭୀର ଭାବେ ପ୍ରଭାବିତ ହୋଇଛି। କିଛି ରାଷ୍ଟ୍ର ଏହାକୁ ଦୃଷ୍ଟିରେ ରଖି ଲକଡାଉନ ନିୟମ କୋହଳ କରିବାକୁ ଚିନ୍ତା କରୁଛନ୍ତି। ଏସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା କେତେ ଭୟଙ୍କର ହୋଇପାରେ, ସେ ବିଷୟରେ ସମସ୍ତଙ୍କୁ ସତର୍କ କରାଇଛି।
ଏବେବି ଅନେକ ଦେଶରେ ସଂକ୍ରମଣ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି । କେତେକ ଦେଶରେ ସଂକ୍ରମଣ ହ୍ରାସ ପରେ ବି ପୁଣି ଦେଖାଦେଉଛି । ଆମେରିକା, ୟୁରୋପ ଓ ଆଫ୍ରିକାରେ ସଂକ୍ରମଣ ବୃଦ୍ଧି ପାଉଛି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟସଙ୍ଗଠନ ମୁଖ୍ୟ । ଦ୍ରୁତ ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଡବ୍ଲୁଏଚ୍ଓ ମୁଖ୍ୟ । ତେଣୁ କେହି ବି ଭୁଲ କରନ୍ତୁ ନାହିଁ। ଆମକୁ ବହୁ ଦିନ ଯାଏ ଏହି ଲଢ଼େଇକୁ ଜାରି ରଖିବାକୁ ପଡ଼ିବ ବୋଲି ସେ ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି ।