ଜୁଆ ଖେଳିବା ଅଭିଯୋଗରେ ଗଧକୁ ଗିରଫ କଲା ପୋଲିସ୍‌

Published: Jun 8, 2020, 7:20 pm IST

ଲାହୋର: ଆପଣ କ’ଣ କେବେ ଗଧକୁ ଜୁଆକୁ ଖେଳିବାର ଦେଖିଛନ୍ତି? କିନ୍ତୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ପାକିସ୍ତାନରେ। ଏଠାରେ ଏକ ଗଧକୁ ଜୁଆ ଖେଳିବା ଅଭିଯୋଗରେ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ପାକିସ୍ତାନର ପଞ୍ଜାବ ପ୍ରାନ୍ତର ରହୀମ ୟାର ଖାନ୍‌ ଅଞ୍ଚଳରେ ପୋଲିସ୍‌ ସାତ ଆଠଜଣଙ୍କୁ ଜୁଆ ଖେଳିବା ଅଭିଯୋଗରେ ଗିରଫ କରିଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଏହି ଲୋକଙ୍କ ସମେତ ପୋଲିସ୍‌ ଏକ ଗଧକୁ ଗିରଫ କରିଛି। ଏଫଆଇଆର କପିରେ ମଧ୍ୟ ଗଧର ନାମ ରହିଛି। ଗଧକୁ ଗିରଫ କରାଯାଇ ଥାନା ବାହାରେ ବନ୍ଧା ଯାଇଛି। ପୋଲିସ୍‌ ସୂତ୍ରରୁ ଜଣାପଡିଛି ଯେ, ଜୁଆ ଖେଳିବା ଅଭିଯୋଗରେ ଅଭିଯୁକ୍ତଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କାର ଜବତ କରାଯାଇଛି। ଏହି ଅଭିଯୁକ୍ତମାନେ ଗଧର ଦୌଡ଼ ଉପରେ ପଇସା ଲଗାଇଥିଲେ।

ଗଧକୁ ଗିରଫ ହେବାର ଖବର ମିଳିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ପୋଲିସ୍‌ ଟ୍ରୋଲ୍‌ କରିଛନ୍ତି କିଛି ଲୋକେ। ପୋଲିସ୍‌ର କାର୍ଯ୍ୟାନୁଷ୍ଠାନକୁ ନେଇ ମଜାକ୍‌ ଉଡାଇଛନ୍ତି ଲୋକେ। ସୂଚନାଯୋଗ୍ୟ, ପାକିସ୍ତାନରେ ସବୁଠୁ ଅଧିକ ଗଧ ରହିଛନ୍ତି। ପାକିସ୍ତାନ ଅନ୍ୟ ଦେଶକୁ ଗଧକୁ ବିକ୍ରି କରିଥାଏ। (ଏଜେନ୍ସି)

Related posts