Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭ୍ରମାତ୍ମକ ବିଜ୍ଞାପନ ଦେଲେ ୧୦ ଲକ୍ଷ ଟଙ୍କା ଜରିମାନା, ଲାଗୁ ହେଲା ନୂଆ ମାର୍ଗଦର୍ଶିକା
ଜାତୀୟ ଖବର

ଭ୍ରମାତ୍ମକ ବିଜ୍ଞାପନ ଦେଲେ ୧୦ ଲକ୍ଷ ଟଙ୍କା ଜରିମାନା, ଲାଗୁ ହେଲା ନୂଆ ମାର୍ଗଦର୍ଶିକା

June 10, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭ୍ରମାତ୍ମକ ବିଜ୍ଞାପନ ଦେଲେ ୧୦ ଲକ୍ଷ ଟଙ୍କା ଜରିମାନା, ଲାଗୁ ହେଲା ନୂଆ ମାର୍ଗଦର୍ଶିକା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ଅଧୀନ କେନ୍ଦ୍ର ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ ‘ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଭ୍ରମାତ୍ମକ ବିଜ୍ଞାପନ ଓ ପ୍ରଚାର ନିରାକରଣ ମାର୍ଗଦର୍ଶିକା, ୨୦୨୨’ର ବିଜ୍ଞପ୍ତି ଜାରି କରାଯାଇଛି । ଭ୍ରମାତ୍ମକ ବିଜ୍ଞାପନ ଉପରେ ଅଙ୍କୁଶ ଲଗାଇବା ଏବଂ ଏପରି ବିଭ୍ରାନ୍ତିକର ବିଜ୍ଞାପନ ଦ୍ବାରା ପ୍ରଭାବିତ ହୋଇ ଠକାମିରେ ପଡ଼ୁଥିବା ଗ୍ରାହକଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି ମାର୍ଗଦର୍ଶିକା ଅଣାଯାଇଛି।

ଆଧାରହୀନ ପ୍ରତିଶ୍ରୁତି, ଅତିରଞ୍ଜିତ ଦାବି, ମିଥ୍ୟା ସୂଚନା ଏବଂ ଅବାନ୍ତର ଦାବି ମାଧ୍ୟମରେ ଗ୍ରାହକଙ୍କୁ ଠକିବା ଲାଗି ହେଉଥିବା ପ୍ରୟାସ ଉପରେ ଅଙ୍କୁଶ ଲଗାଇବା ପାଇଁ ଏହି ମାର୍ଗଦର୍ଶିକାରେ ଆବଶ୍ୟକ ବ୍ୟବସ୍ଥା ରହିଛି। ଏପରି ବିଜ୍ଞାପନ ଉପଭୋକ୍ତାଙ୍କ ବିଭିନ୍ନ ଅଧିକାର ଉଲ୍ଲଙ୍ଘନ ଯଥା: ସୂଚନା ପାଇବାର ଅଧିକାର, ଚୟନ କରିବାର ଅଧିକାର ଏବଂ ସମ୍ଭାବ୍ୟ ଅସୁରକ୍ଷିତ ଉତ୍ପାଦ ଓ ସେବା ବିରୋଧରେ ସୁରକ୍ଷା ଅଧିକାର।

ଉପଭୋକ୍ତାଙ୍କ ଅଧିକାର ଉଲ୍ଲଙ୍ଘନ, ଅନୁଚିତ ବ୍ୟବସାୟିକ ପ୍ରଥା ଏବଂ ମିଛ ତଥା ଭ୍ରମାତ୍ମକ ବିଜ୍ଞାପନ ସହ ଜଡ଼ିତ ମାମଲାର ନିୟନ୍ତ୍ରଣ ପାଇଁ ଉପଭୋକ୍ତା ସୁରକ୍ଷା ଆଇନ, ୨୦୧୯ର ଧାରା ୧୦ ଅଧୀନରେ ସିସିପିଏ ଗଠନ କରାଯାଇଥିଲା। ଏହି ପ୍ରାଧିକରଣ ସାଧାରଣ ଜନତା ଏବଂ ବିଶେଷ କରି ଗ୍ରାହକଙ୍କ ହିତ ପ୍ରତି ହାନିକାରକ ବିଷୟ ପ୍ରତି ଧ୍ୟାନ ଦେଇଥାଏ। ଏକ ବିଶେଷ ବର୍ଗ ଭାବେ ଉପଭୋକ୍ତାଙ୍କ ଅଧିକାରକୁ ଏହା ପ୍ରୋତ୍ସାହିତ କରିଥାଏ, ସୁରକ୍ଷା ଦେଇଥାଏ ଏବଂ ଲାଗୁ କରିଥାଏ।

ଉପଭୋକ୍ତା ସୁରକ୍ଷା ଆଇନ, ୨୦୧୯ର ଧାରା ୧୮ ମାଧ୍ୟମରେ ପ୍ରାପ୍ତ କ୍ଷମତା ଉପଯୋଗ କରି ସିସିପିଏ ପକ୍ଷରୁ ଉପରୋକ୍ତ ମାର୍ଗଦର୍ଶିକା ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଉପଭୋକ୍ତା ସୁରକ୍ଷା ଆଇନ, ୨୦୧୯ର ଧାରା ୨(୧୮) ଅଧୀନରେ ପୂର୍ବରୁ ବିଭ୍ରାନ୍ତିକର ବିଜ୍ଞାପନର ସଂଜ୍ଞା ନିରୂପଣ କରାଯାଇଛି।

ବର୍ତ୍ତମାନର ମାର୍ଗଦର୍ଶିକାରେ ‘‘ପ୍ରଲୋଭନ ବିଜ୍ଞାପନ’’, ‘‘କୃତ୍ରିମ (ସରୋଗେଟ) ବିଜ୍ଞାପନ’’କୁ ପରିଭାଷିତ କରାଯାଇଛି ଏବଂ ‘‘ମୁକ୍ତ ଦାବି ବିଜ୍ଞାପନ’’ କାହାକୁ କୁହାଯାଏ ତାହା ସ୍ପଷ୍ଟ କରିଛି। ପିଲାମାନଙ୍କର ସମ୍ବେଦଶୀଳତା ଓ ଅସୁରକ୍ଷା ଏବଂ ପିଲାଙ୍କ ମାନସିକତା ଉପରେ ପଡ଼ୁଥିବା ଗମ୍ଭୀର ପ୍ରଭାବକୁ ଦୃଷ୍ଟିରେ ରଖି ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ବିଜ୍ଞାପନ ଉପରେ ଅନେକଗୁଡ଼ିଏ ସତର୍କତାମୂଳକ ବ୍ୟବସ୍ଥା ନିର୍ଦ୍ଧାରିତ କରାଯାଇଛି।

କେତେକ ବିଜ୍ଞାପନରେ ଉତ୍ପାଦ ଓ ସେବାର ବିଶେଷତ୍ବକୁ ଏତେ ଅତିରଞ୍ଜିତ କରି ପ୍ରଦର୍ଶିତ କରାଯାଇଥାଏ ଯେପରି ପିଲମାନେ ସମ୍ପୃକ୍ତ ଉତ୍ପାଦ ଓ ସେବାକୁ ନେଇ ଅବାସ୍ତବ ଆଶା କରିଥାନ୍ତି। ପ୍ରକୃତ ପକ୍ଷେ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥା ଦ୍ବାରା ସମ୍ପୃକ୍ତ ଉତ୍ପାଦ ଓ ସେବାର ସ୍ବାସ୍ଥ୍ୟ କିମ୍ବା ପୋଷଣ ସଂକ୍ରାନ୍ତ ଦାବି କିମ୍ବା ଲାଭକୁ ଭଲ ଭାବେ ଏବଂ ବୈଜ୍ଞାନିକ ପଦ୍ଧତିରେ ମାନ୍ୟତା ମିଳିନଥାଏ। ଯାହାଫଳରେ ଏସବୁ ଉତ୍ପାଦ ଓ ସେବାର ବ୍ୟବହାର କରି ପିଲାମାନେ କ୍ଷତି ସହିଥାନ୍ତି।

ଏଥିରୁ ପିଲାମାନଙ୍କୁ ସୁରକ୍ଷା ଦେବା ଲାଗି ସିସିପିଏ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ମାର୍ଗଦର୍ଶିକାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, କୌଣସି ଆଇନ ଅନୁଯାୟୀ ଯେଉଁସବୁ ଉତ୍ପାଦ ପାଇଁ ସ୍ବାସ୍ଥ୍ୟ ଚେତାବନୀ ଦିଆଯିବାର ଆବଶ୍ୟକତା ରହିଛି କିମ୍ବା ପିଲାମାନେ ଯେଉଁ ଉତ୍ପାଦଗୁଡ଼ିକ କିଣିବା ଅନୁଚିତ, ସେପରି ଉତ୍ପାଦର ବିଜ୍ଞାପନ ଯଦି ପିଲାମାନଙ୍କ ଉଦ୍ଦେଶ୍ୟରେ ପ୍ରସାରିତ କରାଯାଉଥାଏ ତା’ହେଲେ ସେଥିରେ କ୍ରୀଡ଼ା, ସଙ୍ଗୀତ କିମ୍ବା ଚଳଚ୍ଚିତ୍ର କ୍ଷେତ୍ରର କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଦର୍ଶିତ କରାଯିବ ନାହିଁ।

ଉପଭୋକ୍ତଙ୍କ ଦୃଷ୍ଟିକୋଣରୁ କୌଣସି ବିଜ୍ଞାପନରେ ଡିସକ୍ଲେମର (ଜରୁରି ସୂଚନା) ଏକ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ, କାରଣ ଏହା ଏକପ୍ରକାରରେ କମ୍ପାନୀର ଉତ୍ତରଦାୟିତ୍ବକୁ ସୀମିତ କରିଥାଏ। ଏହାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକାରେ କୁହାଯାଇଛି ଯେ, ଏପରି ବିଜ୍ଞାପନରେ କରାଯାଇଥିବା କୌଣସି ଦାବି ସଂକ୍ରାନ୍ତରେ ଜରୁରି ସୂଚନା ଲୁଚାଇବା ପାଇଁ ଡିସକ୍ଲେମର ମାଧ୍ୟମରେ ପ୍ରୟାସ କରାଯିବ ଉଚିତ୍‌ ନୁହେଁ। କାରଣ ଏହାଦ୍ବାରା ବିଜ୍ଞାପନ ଭ୍ରମାତ୍ମକ ହେବ କିମ୍ବା ଏହାର ବ୍ୟବସାୟିକ ପ୍ରୟୋଜନ ଦୃଷ୍ଟି ଆଢ଼ୁଆଳରେ ରହିଯିବ ଅଥବା ବିଜ୍ଞାପନରେ କରାଯାଇଥିବା ବିଭ୍ରାନ୍ତିକର ଦାବିର ପ୍ରକୃତ ସତ୍ୟତା ସାମ୍ନାକୁ ଆସିବ ନାହିଁ।

ଆହୁରି, ଏଥିରେ ନିର୍ଦ୍ଦେଶ ଦିଆଯାଇଛି ଯେ ବିଜ୍ଞାପନରେ ଯେଉଁ ଭାଷା ଉପଯୋଗ କରାଯାଇ ଦାବି କରାଯାଉଛି, କେବଳ ସେହି ଭାଷାରେ ହିଁ ଡିସକ୍ଲେମର ଦିଆଯିବା ଉଚିତ୍‌ । ଅନୁରୂପ ଭାବେ ଦାବିରେ ବ୍ୟବହାର କରାଯାଇଥିବା ଅକ୍ଷର (ଫଣ୍ଟ) ହିଁ ଡିସକ୍ଲେମରରେ ବ୍ୟବହାର କରାଯିବ।

ସେହିପରି, ପ୍ରଚାର ଏବଂ ଅନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପୂର୍ବରୁ ନିର୍ମାତା, ସେବା ପ୍ରଦାନକାରୀ ଏବଂ ବିଜ୍ଞାପନ ଏଜେନ୍ସିର କର୍ତ୍ତବ୍ୟ ପାଇଁ ସ୍ପଷ୍ଟ ମାର୍ଗଦର୍ଶିକା ନିର୍ଦ୍ଧାରଣ କରାଯାଇଛି। ଏହି ମାର୍ଗଦର୍ଶିକାର ଉଦ୍ଦେଶ୍ୟ ହେଉଛି ବିଜ୍ଞାପନ ପ୍ରକାଶନ ପଦ୍ଧତିକୁ ଅଧିକ ପାରଦର୍ଶୀ ଏବଂ ସ୍ପଷ୍ଟ କରିବା। ଯାହାଫଳରେ ଉପଭୋକ୍ତାଙ୍କ ସ୍ବାର୍ଥ ରକ୍ଷା ହୋଇପାରିବ। ଉପଭୋକ୍ତାମାନେ ମିଛ କାହାଣୀ ଏବଂ ଅତିଶୟୋକ୍ତି ପରିବର୍ତ୍ତେ ପ୍ରକୃତ ତଥ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପାଇବା ପରେ ନିଷ୍ପତ୍ତି ନେବାରେ ସକ୍ଷମ ହୋଇପାରିବେ।

ଏହି ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିବା କ୍ଷେତ୍ରରେ ଜୋରିମାନା ସମ୍ପର୍କରେ ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। କୌଣସି ପ୍ରକାର ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ନିର୍ମାତା, ବିଜ୍ଞାପନଦାତା ଏବଂ ପ୍ରଚାରକ (ଏଣ୍ଡୋର୍ସର୍ସ)ଙ୍କ ଉପରେ ପ୍ରଥମେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ ହେବ।

ପୁନର୍ବାର ମାର୍ଗଦର୍ଶିକାର ଉଲ୍ଲଙ୍ଘନ କଲେ ସିସିପିଏ ପକ୍ଷରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ ହୋଇପାରେ। ଏଥିସହିତ ବିଭ୍ରାନ୍ତିକର ବିଜ୍ଞାପନର ପ୍ରଚାରକଙ୍କ ଉପରେ ନିଷିଦ୍ଧାଦେଶ ଲାଗୁ ହେବ ଏବଂ ସେ ଗୋଟିଏ ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରକାର ପ୍ରଚାର କରିପାରିବେ ନାହିଁ । ଦ୍ବିତୀୟ ବାର ମାର୍ଗଦର୍ଶିକା ଉଲ୍ଲଙ୍ଘନ କଲେ ପ୍ରଚାରକଙ୍କ ଉପରେ ୩ ବର୍ଷର ପ୍ରତିବନ୍ଧକ ଲାଗୁ କରାଯିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସାତୋଟି ରାଶି ପାଇଁ ରହିଛି ଧନ ଯୋଗ, ଜାଣନ୍ତୁ ଡିସେମ୍ବର ୧୮ର ରାଶିଫଳ

December 18, 2025

ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

December 17, 2025

ବରଗଡ଼ ରୋଡ୍‌ -ନୂଆପଡ଼ା ରୋଡ୍‌ ନୂଆ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ଜାରି ରହିଛି: ରେଳ ମନ୍ତ୍ରୀ

December 17, 2025

ଅମିୟ କୁମାର ଖିଲାର SNEA ର ଅଖିଲ ଭାରତୀୟ CHQ ଆଡ୍‌ଭାଇଜର ଭାବେ ସର୍ବସମ୍ମତିରେ ନିର୍ବାଚିତ

December 17, 2025
Latest News

ଆଜି ସାତୋଟି ରାଶି ପାଇଁ ରହିଛି ଧନ ଯୋଗ, ଜାଣନ୍ତୁ ଡିସେମ୍ବର ୧୮ର ରାଶିଫଳ

December 18, 2025

ଓମାନରେ ଭାରତୀୟ ସମ୍ପ୍ରଦାୟ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ

December 17, 2025

କେନ୍ଦ୍ରାପଡ଼ାର ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ

December 17, 2025

ତ୍ରୀଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ କାମ୍ପୋରି ଉଦଯାପିତ

December 17, 2025

ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.